ଜଗା ଦର୍ଶନ ପାଉଁ ଯାଉଥିବା ବେଳେ ଛକିଥିଲା ଯମ, ଏକ ସଙ୍ଗେ ଚାଲିଗଲା ୩ ସାଙ୍ଗଙ୍କ ଜୀବନ

ଗତକାଲି ବିଳମ୍ବିତ ରାତିରେ ଏକ ବାଇକରେ ପୁରୀ ଯାଉଥିବା ବେଳେ ମର୍ମନ୍ତୁଦ ଦୁର୍ଘଟଣା । ଚାଲିଗଲା ୩ ସାଙ୍ଗଙ୍କ ଜୀବନ . . .

accident

ଅଧା ରହିଗଲା ଜଗା ଦର୍ଶନ । ରାତି ଅଧରେ ଚଢ଼ିଗଲା ଗାଡ଼ି। କାଳିଆ ପାଖରେ ପହଞ୍ଚିବା ପୂର୍ବରୁ ଚାଲିଗଲା ଜୀବନ । ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅନ୍ତର୍ଗତ କଡେଇ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏଥିରେ ୩ ଜଣ ବାଇକ ଆରୋହୀଙ୍କ ଶୋଚନୀୟ ମୃତ୍ୟୁ ହୋଇଛି ।

ମୃତକମାନେ ଧର୍ମଶାଳା ଥାନା ମାନତିରା ଗ୍ରାମର ଅଭିଷେକ ସର (୨୨ ବର୍ଷ), ଧର୍ମଶାଳା ବ୍ଲକ ଚଡେଇଧରା ଅଞ୍ଚଳର ଅଞ୍ଚଳ ସାହୁ (୨୬ ବର୍ଷ) ଓ ଜଗତପୁର ଅଞ୍ଚଳର ଦେବାଶିଷ ନାୟକ (୨୪ ବର୍ଷ) ବୋଲି ଜଣାପଡିଛି । ଏହି ୩ ସାଙ୍ଗ ଗତକାଲି ବିଳମ୍ବିତ ରାତିରେ ଏକ ପଲସର ବାଇକରେ ପୁରୀ ଯାଉଥିବା ବେଳେ ଭୋର ପ୍ରାୟ ୩ଟା ସମୟରେ ଭାରସାମ୍ୟ ହରାଇ ରାସ୍ତାରେ ପଡିଯାଇଥିଲେ । ଏହି ସମୟରେ ଏକ ଅଜଣା ଗାଡି ତାଙ୍କ ଉପରେ ମାଡି ଯିବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଖବର ପାଇ ବଡ଼ଚଣା ପୁଲିସ ସେଠାରେ ପହଞ୍ଚି ମୃତଦେହକୁ ଜବତ କରି ବଡ଼ଚଣା ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏଥିସହ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଦୁର୍ଘଟଣା ଘଟାଇଥିବା ଗାଡ଼ି ସମ୍ପର୍କରେ କିଛି ସୂଚନା ମିଳିନି ।