ସତେ ଯେମିତି ଚାହିଁ ବସିଥିଲା ଜମ ! ଏକାବେଳକେ ନେଲା ୧୦ ଜଣଙ୍କ ଜୀବନ...

ମୃତ ୧୦ ଜଣଙ୍କ ମଧ୍ୟରୁ ୮ ଜଣ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ । ଅନ୍ୟ ଦୁଇ ଜଣ ମେଡିକାଲ ଯିବା ରାସ୍ତାରେ ଜୀବନ ହାରିଥିଲେ ।

Accident

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ୧୦ ଜଣଙ୍କ ଜୀବନ ଗଲା । ଜଣେ ଗୁରୁତର । ବୁଧବାର ଏଭଳି ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଅହମଦାବାଦ୍‌-ଭଦୋଦରା ଏକ୍ସପ୍ରେସ୍‌ ୱେରେ । ଏକ କାର ଓ ଟ୍ରଲର ଟ୍ରକ ମଧ୍ୟରେ ଜୋରଦାର ଧକ୍କା ହୋଇଛି ।

ରାସ୍ତାରେ ଟ୍ରଲର ଟ୍ରକ୍‌ଟି ଯାଉଥିବା ବେଳେ ଏକ ଦ୍ରୁତଗାମୀ କାର ପଛରୁ ଧକ୍କା ଦେଇଥିଲେ । ଏମିତିକି ଟ୍ରଲର ଟ୍ରକ ଭିତରେ ପଶିଯାଇଥିଲା କାର । ଯାହାଫଳରେ କାର୍‌ରେ ଥିବା ୧୦ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି । କାର୍‌ଟି ଭଦୋଦରାରୁ ଅହମଦାବାଦ୍ ଅଭିମୁଖେ ଯାଉଥିଲା । ଏନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି ।

 

 

ତେବେ ଦୁର୍ଘଟଣା ଖବରପାଇ ଘଟଣାସ୍ଥଳରେ ତୁରନ୍ତ ଦୁଇଟି ଆମ୍ବୁଲାନ୍ସ ପହଞ୍ଚିଥିଲା । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲା । ସେଠାରେ ୧୦ ଜଣଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ଡାକ୍ତର ଓ ଅନ୍ୟ ଜଣେ ଗୁରୁତର ଥିବା କହିଥିଲେ । ତେବେ ମୃତ ୧୦ ଜଣଙ୍କ ମଧ୍ୟରୁ ୮ ଜଣ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ । ଅନ୍ୟ ଦୁଇ ଜଣ ମେଡିକାଲ ଯିବା ରାସ୍ତାରେ ଜୀବନ ହାରିଥିଲେ ।

 

ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରେ ପ୍ରବଳ ଭିଡ଼ ଜମା ହୋଇଥିଲା । ରାସ୍ତାରେ ଟ୍ରାଫିକ୍ ଜାମ୍ ହୋଇଥିଲା । ଅନ୍ୟପଟେ ଶବଗୁଡ଼ିକୁ ପୋଲିସ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ କରିଛି ।