Bangladesh Photograph: (OTV)
ବାଂଲାଦେଶରେ ହିଂସା ପରେ ହିନ୍ଦୁଙ୍କ ଉପରେ ବଢୁଛି ନିର୍ଯାତନା। ଦୁଇ ଦିନ ତଳେ ଜଣେ ହିନ୍ଦୁ ଯୁବକ ଦୀପୁଚନ୍ଦ୍ର ଦାସଙ୍କୁ ବୀଭତ୍ସ ହତ୍ୟା ପରେ ଭାରତରେ ବାଂଲାଦେଶ ବିରୋଧରେ ତୀବ୍ର ହେଉଛି ଅସନ୍ତୋଷ। ଦିଲ୍ଲୀରେ ବାଂଲାଦେଶ ହାଇକମିଶନରଙ୍କ କାର୍ଯ୍ୟାଳୟ ସମେତ ଦେଶର ବିଭିନ୍ନ ରାଜ୍ୟରେ ହିନ୍ଦୁଙ୍କ ସୁରକ୍ଷା ଓ କେନ୍ଦ୍ରର ହସ୍ତକ୍ଷେପ ଦାବିରେ ରାଜରାସ୍ତାକୁ ଓହ୍ଲାଇଥିଲେ ବିଶ୍ବ ହିନ୍ଦୁ ପରିଷଦ ଓ ଅନ୍ୟାନ୍ୟ ହିନ୍ଦୁ ସଂଗଠନ। ଦିଲ୍ଲୀ ସହ ଦେଶର ବିଭିନ୍ନ ସ୍ଥାନରେ ବିକ୍ଷୋଭ ହୋଇଛି। ଆଗକୁ ବାଂଲାଦେଶ ହିଂସା ବିସ୍ଫୋରକ ସ୍ଥିତି ସୃଷ୍ଟି କରିପାରେ।
ଦେଶର ବିଭିନ୍ନ ସ୍ଥାନରେ ବିଶ୍ବହିନ୍ଦୁ ପରିଷଦ ଓ ଅନ୍ୟ ହିନ୍ଦୁ ସଂଗଠନ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଦିଲ୍ଲୀରୁ ଜମ୍ମୁ...ପଶ୍ଚିମବଙ୍ଗରୁ ମଧ୍ୟପ୍ରଦେଶ... ପୁଣି ହାଇଦ୍ରାବାଦରୁ ସିଲିଗୁଡ଼ି। ସବୁଠି ବିରୋଧର ସ୍ବର, ପ୍ରତିବାଦର ନିଆଁ। ସେଭ୍ ହିନ୍ଦୁ ନାରା, ଭାରତୀୟଙ୍କୁ ସୁରକ୍ଷା ଦାବି। ଦୁଇ ଦିନ ତଳେ ବାଂଲାଦେଶରେ ହିନ୍ଦୁ ନେତା ଦୀପୁଚନ୍ଦ୍ର ଦାସଙ୍କୁ ବିଶୃଙ୍ଖଳକାରୀ ପିଟିପିଟି ମାରିଦେବା ପରେ ଗଛରେ ବାନ୍ଧି ଜାଳି ଦେଇଥିଲେ।
ଏହାର ପ୍ରତିବାଦରେ ଆଜି ଦେଶର ବିଭିନ୍ନ ସ୍ଥାନରେ ବାଂଲାଦେଶ ବିରୋଧରେ ଫୁଟି ବାହାରିଛି ଲୋକଙ୍କ ରାଗ। ଦିଲ୍ଲୀରେ ବାଂଲାଦେଶ ହାଇକମିଶନଙ୍କ ଅଫିସ ଆଗରେ ବିକ୍ଷୋଭ କରିଛନ୍ତି ବିଶ୍ବହିନ୍ଦୁ ପରିଷଦ ଓ ଅନ୍ୟ ହିନ୍ଦୁ ସଂଗଠନର ହଜାର ହଜାର ସଦସ୍ୟ। ୟୁନୁସ୍ ସରକାର ହୋସ୍ ମୈ ଆୟୋ, ହିନ୍ଦୁ ହତ୍ୟା ବନ୍ଦ କରୋ ନାରାରେ କମ୍ପିଥିଲା ରାଜରାସ୍ତା।
ଆନ୍ଦୋଳନକାରୀ ବିରାଟ ଶୋଭାଯାତ୍ରାରେ ହାଇକମିଶନରଙ୍କ ଅଫିସ ଅଭିମୁଖେ ଯିବା ବେଳେ ପୋଲିସ ଅଟକାଇବାରୁ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା। ସେପଟେ କୋଲକାତାରେ ବାଂଲାଦେଶ ଡେପୁଟୀ ହାଇକମିଶନଙ୍କ ଅଫିସ ଆଗରେ ବାଂଲା ବିରୋଧୀ ନାରା ସହ ହିନ୍ଦୁଙ୍କୁ ସୁରକ୍ଷା ଦାବିରେ ଜୋରଦାର ଆନ୍ଦୋଳନ ହୋଇଛି।
ଜମ୍ମୁରେ ଡୋଗ୍ରା ଫ୍ରଣ୍ଟ ଓ ହାଇକୋର୍ଟ ବାର ଆସୋସିଏସନ୍, ମଧ୍ୟପ୍ରଦେଶ ଓ ହାଇଦ୍ରାବାଦରେ ବି ଦେଖିବାକୁ ମିଳିଥିଲା ହିନ୍ଦୁଙ୍କୁ ନିର୍ଯାତନାର ନିଆଁ। ପ୍ରଦର୍ଶନକାରୀମାନେ ୟୁନୁସ୍ ସରକାରଙ୍କଠାରୁ କ୍ଷମା ପ୍ରାର୍ଥନା ଓ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଦାବି କରିଛନ୍ତି।
ବାଂଲାଦେଶରେ ହିନ୍ଦୁଙ୍କ ପ୍ରତି ନିର୍ଯାତନାକୁ ନେଇ ରାଜ୍ୟରେ ବି ବିରୋଧ ପ୍ରଦର୍ଶନ କରିଛନ୍ତି ହିନ୍ଦୁ ସଂଗଠନ। ଜଗତସିଂହପୁରରେ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସେହିପରି ହିନ୍ଦୁଙ୍କ ଉପରେ ଅତ୍ୟାଚାରକୁ ବିରୋଧ କରିଛି ଭଦ୍ରକ ହିନ୍ଦୁ ସମାଜ। ବାଂଲାଦେଶରେ ହିନ୍ଦୁଙ୍କୁ ସୁରକ୍ଷା, ଭାରତ ବର୍ଷରୁ ବାଂଲାଦେଶୀଙ୍କୁ ବିତାଡିତ କରିବାକୁ ଦାବି କରିଛନ୍ତି।
ଇନକିଲାବ ମଞ୍ଚ ମୁଖପାତ୍ର ତଥା ଭାରତର କଟ୍ଟର ବିରୋଧୀ ଛାତ୍ର ନେତା ଓସମାନ ହାଦିଙ୍କୁ ହତ୍ୟା ପରେ ବାଂଲାଦେଶରେ ବଢୁଛି ଅଶାନ୍ତି। ଗୋଟିଏ କୋଣରୁ ଅନ୍ୟ କୋଣକୁ ବ୍ୟାପୁଛି ହିଂସା। ଗତକାଲି ଆଉ ଜଣେ ଛାତ୍ର ନେତାଙ୍କୁ ଗୁଳିମାଡ଼ ପରେ ସ୍ଥିତି ଆହୁରି ବିଗିଡ଼ିଛି। ବାଂଲାଦେଶରେ ହିଂସା ଆଗକୁ ଆହୁରି ବିସ୍ଫୋରକ ସ୍ଥିତି ସୃଷ୍ଟି କରିପାରେ। ଅନ୍ୟପଟେ ବାଂଲାଦେଶ ଦୂତାବାସର ସୁରକ୍ଷାକୁ ନେଇ ଭାରତକୁ ସମନ କରିଥିଲା ବାଂଲାଦେଶ। ଆଜି ଢାକାରେ ଅବସ୍ଥାପିତ ଭାରତୀୟ ହାଇକମିଶନର ପ୍ରଣୟ ବର୍ମାଙ୍କୁ ବାଂଲାଦେଶ ବୈଦେଶିକ ମନ୍ତ୍ରଣାଳୟ ସମନ୍ କରିଥିଲା। ବାଂଲାଦେଶରେ ଭାରତ ବିରୋଧୀ ହିଂସା ତେଜିବା ସହ ଦୁଇ ରାଷ୍ଟ୍ର ମଧ୍ୟରେ ସମ୍ପର୍କ ଆହୁରି ତିକ୍ତ ହୋଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/24/bangladesh-2025-12-24-08-55-25.jpg)