India’s Skeleton Lake Photograph: (OTV)
ଭାରତର କଙ୍କାଳ ହ୍ରଦ... ରହସ୍ୟ, ରୋମାଞ୍ଚରେ ଭରା ଏକ ସ୍ଥାନ। ଦୂରରୁ ଦେଖିବାକୁ ଯେତିକି ସୁନ୍ଦର, ପାଖକୁ ଗଲେ ଏହାର ଦୃଶ୍ୟ ସେତିକି ଭୟାନକ, ଲୋମଟଙ୍କୁରା। ହ୍ରଦର ପାଣିରେ ଦେଖିବେ ଶହ ଶହ ନରକଙ୍କାଳ।
ଆମ ଦେଶରେ ଅନେକ ଅଦ୍ଭୁତ, ରୋମାଞ୍ଚକର ଓ ରହସ୍ୟମୟ ସ୍ଥାନ ରହିଛି, ଯାହାର ରହସ୍ୟ ଆଜି ଯାଏଁ ବି ଭେଦି ପାରିନାହାନ୍ତି ବୈଜ୍ଞାନିକ। ହିମାଳୟ କୋଳରେ ଦେବଭୂମି ଉତ୍ତରାଖଣ୍ଡରେ ରହିଛି ଏମିତି ଏକ ହ୍ରଦ, ଯେଉଁଥିରେ ଭର୍ତ୍ତି ହୋଇଛି ମାଳ ମାଳ ନରକଙ୍କାଳ। ପ୍ରାୟ ୬୦୦ରୁ ୮୦୦ ମଣିଷଙ୍କ ଖପୁରୀ, ହାଡ ଭାସୁଛି ଏହି ହ୍ରଦ ଜଳରେ । ଆଉ ଏ ରହସ୍ୟମୟ ହ୍ରଦର ନାଁ ‘ରୂପକୁଣ୍ଡ’।
ଚାମୋଲି ଜିଲ୍ଲାରେ ପ୍ରାୟ ୫ ହଜାର ମିଟର ଉଚ୍ଚତାରେ ରହିଛି ରୂପକୁଣ୍ଡ ହ୍ରଦ। ଏହି ସ୍ଥାନଟି ଏହାର ସୌନ୍ଦର୍ଯ୍ୟ ପାଇଁ ଯେତିକି ପ୍ରସିଦ୍ଧ, ତା'ଠାରୁ ଅଧିକ ପ୍ରସିଦ୍ଧ ଏଠାରେ ଥିବା ନର କଙ୍କାଳ ପାଇଁ। ଏହି କାରଣରୁ ରୂପକୁଣ୍ଡ ହ୍ରଦକୁ 'କଙ୍କାଳ ହ୍ରଦ' ମଧ୍ୟ କୁହାଯାଏ। ବର୍ଷର ଅଧିକାଂଶ ସମୟ ଏହି ହ୍ରଦର ପାଣି ଜମି ରହିଥାଏ। ଆଉ ପ୍ରତି ବର୍ଷ ବରଫ ତରଳିବା ପରେ ହ୍ରଦର ସ୍ୱଚ୍ଛ ପାଣିରେ ଓ ଏହାର ଚାରିପାଖରେ ବିଛେଇ ହୋଇ ପଡ଼ିଥିବା ମଣିଷ ହାଡ଼ ଓ ଖପୁରୀ ଦେଖିବାକୁ ମିଳେ, ଯାହା ଦେଖିବାକୁ ଅତ୍ୟନ୍ତ ଭୟଙ୍କର। ହେଲେ କାହାର ଓ କେଉଁଠୁ ଆସିଲେ ଏତେସଂଖ୍ୟକ ନର କଙ୍କାଳ ତାହା ଏବେ ବି ଏକ ବଡ଼ ରହସ୍ୟ। ଏ ଘଟଣା ହଜାରେ ବର୍ଷର, କାହାଣୀ ବି ହଜାରେ।
ଭିଡିଓ ଦେଖନ୍ତୁ:
୧୯୪୨ ମସିହାରେ ଜଣେ ବ୍ରିଟିଶ୍ ଫରେଷ୍ଟ ରେଞ୍ଜର ଏହି କଙ୍କାଳ ହ୍ରଦକୁ ଆବିଷ୍କାର କରିଥିଲେ। ଏହି ରହସ୍ୟମୟ ହ୍ରଦକୁ ନେଇ ବିଭିନ୍ନ କାହାଣୀ ଶୁଣିବାକୁ ମିଳେ। ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ଜାପାନୀ ସୈନିକମାନଙ୍କର ଏହି କଙ୍କାଳ ହୋଇଥିବା ପ୍ରଥମେ କୁହାଯାଉଥିଲା, ଯିଏକି ଯୁଦ୍ଧ ପାଇଁ ଏଠିକୁ ଆସିଥିଲେ ଓ ବରଫ ଝଡରେ ମରିଯାଇଥିଲେ। କିନ୍ତୁ ପରୀକ୍ଷଣ ପରେ ଏହି କଙ୍କାଳଗୁଡ଼ିକ ଆହୁରି ପୁରୁଣା ବୋଲି ଜଣାପଡିଲା।
୨୦୦୪ରେ ୟୁରୋପ ଓ ଭାରତୀୟ ବୈଜ୍ଞାନିକଙ୍କ ଏକ ଟିମ୍ ଏହି କଙ୍କାଳଗୁଡିକର କାର୍ବନ ଡେଟିଂ କରିଥିଲେ। ଯେଉଁଥିରୁ ଜଣାପଡିଲା ଏହି କଙ୍କାଳଗୁଡିକ ହଜାର ବର୍ଷରୁ ବି ଅଧିକ ପୁରୁଣା। କିଛି ଖପୁରୀରେ ଫାଟ ଥିଲା, ତେଣୁ ପଛପଟୁ ମୁଣ୍ଡରେ ଆଘାତ ଲାଗିବା ଯୋଗୁଁ ମୃତ୍ୟୁ ହୋଇଥିବାର ଅନୁମାନ କରାଗଲା।
ହେଲେ ଆଉ ଏକ ଅନୁସନ୍ଧାନରୁ ଜଣାପଡିଲା, ଏହି କଙ୍କାଳଗୁଡିକ ଭିନ୍ନ ଭିନ୍ନ ସମ୍ପ୍ରଦାୟର। ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା, ଏହି କଙ୍କାଳ ହ୍ରଦରେ କୌଣସି ପ୍ରକାର ଅସ୍ତ୍ରଶସ୍ତ୍ର ବା ହାତ ହତିୟାର ମିଳିନାହିଁ। ପ୍ରଶ୍ନ ଉଠୁଛି, ଭିନ୍ନ ଭିନ୍ନ ସ୍ଥାନରୁ ଲୋକମାନେ ଏହି ଦୁର୍ଗମ ସ୍ଥାନକୁ କାହିଁକି ଆସିଥିଲେ ଏବଂ ସେମାନଙ୍କର ମୃତ୍ୟୁ କିପରି ହେଲା। ଏଠି କିଛି ଯୁଦ୍ଧ କିମ୍ବା ଅନ୍ୟ କୌଣସି ଅଘଟଣ ଘଟିଥିବାର ବି ପ୍ରମାଣ ନାହିଁ। ଯେଉଁଥିପାଇଁ ଏହି ହ୍ରଦ ଏବେ ରହସ୍ୟମୟ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/26/india-skeleton-lake-2025-11-26-11-44-28.jpg)