/odishatv-khabar/media/media_files/2026/01/31/gold-and-silver-prices-drops-2026-01-31-19-54-05.jpg)
ସୁନା-ରୁପା ଭାଉରେ ବ୍ରେକ୍ Photograph: (OTV)
ରେକର୍ଡ ଭାଙ୍ଗି ହୁ ହୁ ହୋଇ ବଢୁଥିଲା, ଏବେ ଧାଏଁ ଧାଏଁ ଖସୁଛି। ଆକାଶ ଛୁଆଁ ସୁନା-ରୁପାରେ ଲାଗିଲା ଲଗାମ୍ । ଲଗାତାର ଦ୍ବିତୀୟ ଦିନରେ ଖସିଲା ଦାମ୍। ଆଜି ପୁଣି ସୁନା ପ୍ରାୟ ୮ ହଜାର ଓ ରୁପା କମିଛି ୫୫ ହଜାର ଟଙ୍କା। ୧୫ ବର୍ଷ ପରେ ସୁନା-ରୁପା ଦରରେ ଏଭଳି ରେକର୍ଡ ଦୈନିକ ହ୍ରାସକୁ ନେଇ ମଧ୍ୟବିତ୍ତ ଖୁସ୍। ତେବେ ଦର ଅସ୍ଥିର ରହୁଥିବାରୁ କେତେବେଳେ ସୁନା କିଣିବେ ତାକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଯାଇଛନ୍ତି।
ସୁନା-ରୁପା ଭାଉରେ ଶୁକ୍ରବାର ହାଲକା ଆଶ୍ୱସ୍ତି ମିଳିଥିଲା, ଶନିବାର ଆହୁରି ଖୁସି କରିଦେଲା। ସୁନାରୁପା ବଜାରରେ ସିରିଜ୍ ହ୍ରାସ। ଲଗାତାର ଦ୍ୱିତୀୟ ଦିନରେ ତଳମୁହାଁ ଦାମ୍। ଆଜି ଆହୁରି ୮ ହଜାର ୬୨୦ ଟଙ୍କା ଶସ୍ତା ହୋଇଛି ସୁନା । ୧୦ ଗ୍ରାମ ପିଛା ୨୪ କ୍ୟାରେଟ୍ ସୁନା ଏବେ ଖସିଆସିଛି ୧ ଲକ୍ଷ ୬୦ ହଜାର ୫୮୦ ଟଙ୍କାକୁ।
ସେହିଭଳି, ୨୨ କ୍ୟାରେଟ୍ ସୁନା ଦରରେ ୭ ହଜାର ୯୦୦ ଟଙ୍କା କମି ଦାମ୍ କମିଛି ଲକ୍ଷେ ୪୭ ହଜାର ୨୦୦କୁ । ଏପଟେ ଦରବୃଦ୍ଧିରେ ଯେମିତି ରେକର୍ଡ କରୁଥିଲା, ସେମିତି ରେକର୍ଡ ହ୍ରାସ କରିଛି ରୁପା। ଗୋଟିଏ ଦିନରେ ରୁପା କେଜି ପିଛା ୫୫ ହଜାର ଟଙ୍କା କମିଛି । ଫଳରେ ୪ ଲକ୍ଷ ପାର୍ କରିଥିବା ରୁପା ସିଧା ଖସିଆସିଛି ୩ ଲକ୍ଷ ୫୦ ହଜାରକୁ।
ଶୁକ୍ରବାର ଗୋଟିଏ ଦିନରେ ସୁନା ୯ ହଜାର ୬୫୦ ଓ ରୁପା କେଜି ପିଛା ୨୨ ହଜାର ଟଙ୍କା ଶସ୍ତା ହୋଇଥିଲା। ଯାହାକି ୧୫ ବର୍ଷରେ ରେକର୍ଡ ଦିନିକିଆ ହ୍ରାସ। ୨୦୧୩ ପରେ ଗୋଟିଏ ଦିନରେ ପ୍ରଥମ କରି ସୁନା-ରୁପା ମୂଲ୍ୟରେ ଏଭଳି ହ୍ରାସ ଦେଖିବାକୁ ମିଳିଛି। ତେବେ କେନ୍ଦ୍ର ବଜେଟ୍ ପୂର୍ବରୁ ଏଭଳି ଲଗାତର ଦର ହ୍ରାସ ମଧ୍ୟବିତ୍ତଙ୍କୁ ଖୁସି କରିଦେଇଛି । ତଳମୁହାଁ ଗ୍ରାଫ୍ ବିବାହ ଋତୁକୁ ମଧ୍ୟ ବେଶ୍ ସୁହାଉଛି ।
ଗତ ଗୁରୁବାର ବଜାରରେ ନିଆଁ ଲଗାଇଦେଇଥିଲା ସୁନା-ରୁପା । ଗୋଟିଏ ଦିନରେ ସୁନା ଏକାଥରକେ ୧୦ ହଜାର ବଢି ୨୪ କ୍ୟାରେଟ୍ ୧୦ ଗ୍ରାମ ପିଛା ପହଞ୍ଚିଥିଲା ୧ ଲକ୍ଷ ୭୮ ହଜାର ୮୫୦ ଟଙ୍କାରେ। ସେହିଭଳି ରୁପା କିଲୋ ପ୍ରତି ୨୫ ହଜାର ମହଙ୍ଗା ହୋଇ ୪ ଲକ୍ଷ ୨୫ ହଜାର ଟଙ୍କାକୁ ଉଠିଥିଲା । ଯାହା ଥିଲା ସର୍ବକାଳୀନ ରେକର୍ଡ।
ତେବେ ଦୁଇ ଦିନରେ ରୁପା ମୂଲ୍ୟ ପ୍ରାୟ ୧୮ ପ୍ରତିଶତ ଏବଂ ୨୪ କ୍ୟାରେଟ୍ ସୁନା ଦରରେ ୧୦ ପ୍ରତିଶତରୁ ଅଧିକ ହ୍ରାସ ଘଟିଛି । ବିଶେଷଜ୍ଞଙ୍କ କହିବା ଅନୁସାରେ, ନିବେଶକ ମାନେ ଏବେ ପ୍ରଫିଟ୍ ବୁକ୍ ଅର୍ଥାତ ଲାଭ ଆଶାରେ ସୁନାରୁପା ବିକ୍ରି କରୁଥିବାରୁ ମୂଲ୍ୟ କମୁଛି। ସୁନା-ରୁପା ଆଧାରିତ ଇକ୍ୟୁଟି ଟ୍ରେଡ୍ ଫଣ୍ଡରେ ମଧ୍ୟ ବଡ଼ଧରଣର ହ୍ରାସ ଘଟିଛି।
ତେବେ ସୁନା କିଣିବାର ଉଚିତ୍ ସମୟ କେବେ ? ଆଗକୁ ଦାମ୍ ଆହୁରି ଖସିବ ନା ପୁଣି ଦରରେ ନିଆଁ ଲାଗିବ ? ଗତ ୨୩ ତାରିଖଠୁ ଲଗାତାର ବଢୁଥିବା ସୁନା-ରୁପା ଦର ହ୍ରାସ ଲୋକଙ୍କୁ ସୁହାଉଥିବାବେଳେ ମୂଲ୍ୟ ଅସ୍ଥିର ରହୁଥିବାରୁ ଚିନ୍ତାରେ ପଡ଼ିଛନ୍ତି ଗ୍ରାହକ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)