Advertisment

Gold and Silver Prices Drops: ସୁନା-ରୁପା ଭାଉରେ ବ୍ରେକ୍, ଗୋଲ୍ଡ-ସିଲଭର୍ ସୁପର୍ କ୍ରାସ୍

ସୁନା-ରୁପା ଭାଉରେ ବ୍ରେକ୍। ଗୋଲ୍ଡ-ସିଲଭର୍ ସୁପର୍ କ୍ରାସ୍। ଦୁଇଦିନରେ ୮୦ ହଜାର କମିଲା ଚାନ୍ଦି। ୧୮ ହଜାର ଖସିଲାଣି ସୁନା। ୨୨ କ୍ୟାରେଟ୍ ସୁନା ଲକ୍ଷେ ୪୭ ହଜାର ୨୦୦କୁ ହ୍ରାସ। ୪ ଲକ୍ଷ ତଳକୁ ଖସିଲା ରୁପା। ଅସ୍ଥିର ଦରକୁ ନେଇ ଅଡ଼ୁଆରେ ଗ୍ରାହକ।

author-image
Pramod Behera
Gold and Silver Prices Drops

ସୁନା-ରୁପା ଭାଉରେ ବ୍ରେକ୍ Photograph: (OTV)

ରେକର୍ଡ ଭାଙ୍ଗି ହୁ ହୁ ହୋଇ ବଢୁଥିଲା, ଏବେ ଧାଏଁ ଧାଏଁ ଖସୁଛି। ଆକାଶ ଛୁଆଁ ସୁନା-ରୁପାରେ ଲାଗିଲା ଲଗାମ୍ । ଲଗାତାର ଦ୍ବିତୀୟ ଦିନରେ ଖସିଲା ଦାମ୍। ଆଜି ପୁଣି ସୁନା ପ୍ରାୟ ୮ ହଜାର ଓ ରୁପା କମିଛି ୫୫ ହଜାର ଟଙ୍କା। ୧୫ ବର୍ଷ ପରେ ସୁନା-ରୁପା ଦରରେ ଏଭଳି ରେକର୍ଡ ଦୈନିକ ହ୍ରାସକୁ ନେଇ ମଧ୍ୟବିତ୍ତ ଖୁସ୍। ତେବେ ଦର ଅସ୍ଥିର ରହୁଥିବାରୁ କେତେବେଳେ ସୁନା କିଣିବେ ତାକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଯାଇଛନ୍ତି।

Advertisment

ସୁନା-ରୁପା ଭାଉରେ ଶୁକ୍ରବାର ହାଲକା ଆଶ୍ୱସ୍ତି ମିଳିଥିଲା, ଶନିବାର ଆହୁରି ଖୁସି କରିଦେଲା। ସୁନାରୁପା ବଜାରରେ ସିରିଜ୍ ହ୍ରାସ। ଲଗାତାର ଦ୍ୱିତୀୟ ଦିନରେ ତଳମୁହାଁ ଦାମ୍। ଆଜି ଆହୁରି ୮ ହଜାର ୬୨୦ ଟଙ୍କା ଶସ୍ତା ହୋଇଛି ସୁନା । ୧୦ ଗ୍ରାମ ପିଛା ୨୪ କ୍ୟାରେଟ୍ ସୁନା ଏବେ ଖସିଆସିଛି ୧ ଲକ୍ଷ ୬୦ ହଜାର ୫୮୦ ଟଙ୍କାକୁ। 

ସେହିଭଳି, ୨୨ କ୍ୟାରେଟ୍ ସୁନା ଦରରେ ୭ ହଜାର ୯୦୦ ଟଙ୍କା କମି ଦାମ୍ କମିଛି ଲକ୍ଷେ ୪୭ ହଜାର ୨୦୦କୁ । ଏପଟେ ଦରବୃଦ୍ଧିରେ ଯେମିତି ରେକର୍ଡ କରୁଥିଲା, ସେମିତି ରେକର୍ଡ ହ୍ରାସ କରିଛି ରୁପା। ଗୋଟିଏ ଦିନରେ ରୁପା କେଜି ପିଛା ୫୫ ହଜାର ଟଙ୍କା କମିଛି । ଫଳରେ ୪ ଲକ୍ଷ ପାର୍ କରିଥିବା ରୁପା ସିଧା ଖସିଆସିଛି ୩ ଲକ୍ଷ ୫୦ ହଜାରକୁ। 

Advertisment

ଶୁକ୍ରବାର ଗୋଟିଏ ଦିନରେ ସୁନା ୯ ହଜାର ୬୫୦ ଓ ରୁପା କେଜି ପିଛା ୨୨ ହଜାର ଟଙ୍କା ଶସ୍ତା ହୋଇଥିଲା। ଯାହାକି ୧୫ ବର୍ଷରେ ରେକର୍ଡ ଦିନିକିଆ ହ୍ରାସ। ୨୦୧୩ ପରେ ଗୋଟିଏ ଦିନରେ ପ୍ରଥମ କରି ସୁନା-ରୁପା ମୂଲ୍ୟରେ ଏଭଳି ହ୍ରାସ ଦେଖିବାକୁ ମିଳିଛି। ତେବେ କେନ୍ଦ୍ର ବଜେଟ୍ ପୂର୍ବରୁ ଏଭଳି ଲଗାତର ଦର ହ୍ରାସ ମଧ୍ୟବିତ୍ତଙ୍କୁ ଖୁସି କରିଦେଇଛି । ତଳମୁହାଁ ଗ୍ରାଫ୍ ବିବାହ ଋତୁକୁ ମଧ୍ୟ ବେଶ୍ ସୁହାଉଛି । 

ଗତ ଗୁରୁବାର ବଜାରରେ ନିଆଁ ଲଗାଇଦେଇଥିଲା ସୁନା-ରୁପା । ଗୋଟିଏ ଦିନରେ ସୁନା ଏକାଥରକେ ୧୦ ହଜାର ବଢି ୨୪ କ୍ୟାରେଟ୍ ୧୦ ଗ୍ରାମ ପିଛା ପହଞ୍ଚିଥିଲା ୧ ଲକ୍ଷ ୭୮ ହଜାର ୮୫୦ ଟଙ୍କାରେ। ସେହିଭଳି ରୁପା କିଲୋ ପ୍ରତି ୨୫ ହଜାର ମହଙ୍ଗା ହୋଇ ୪ ଲକ୍ଷ ୨୫ ହଜାର ଟଙ୍କାକୁ ଉଠିଥିଲା । ଯାହା ଥିଲା ସର୍ବକାଳୀନ ରେକର୍ଡ। 

ତେବେ ଦୁଇ ଦିନରେ ରୁପା ମୂଲ୍ୟ ପ୍ରାୟ ୧୮ ପ୍ରତିଶତ ଏବଂ ୨୪ କ୍ୟାରେଟ୍ ସୁନା ଦରରେ ୧୦ ପ୍ରତିଶତରୁ ଅଧିକ ହ୍ରାସ ଘଟିଛି । ବିଶେଷଜ୍ଞଙ୍କ କହିବା ଅନୁସାରେ, ନିବେଶକ ମାନେ ଏବେ ପ୍ରଫିଟ୍ ବୁକ୍ ଅର୍ଥାତ ଲାଭ ଆଶାରେ ସୁନାରୁପା ବିକ୍ରି କରୁଥିବାରୁ ମୂଲ୍ୟ କମୁଛି। ସୁନା-ରୁପା ଆଧାରିତ ଇକ୍ୟୁଟି ଟ୍ରେଡ୍ ଫଣ୍ଡରେ ମଧ୍ୟ ବଡ଼ଧରଣର ହ୍ରାସ ଘଟିଛି। 

ତେବେ ସୁନା କିଣିବାର ଉଚିତ୍ ସମୟ କେବେ ? ଆଗକୁ ଦାମ୍ ଆହୁରି ଖସିବ ନା ପୁଣି ଦରରେ ନିଆଁ ଲାଗିବ ? ଗତ ୨୩ ତାରିଖଠୁ ଲଗାତାର ବଢୁଥିବା ସୁନା-ରୁପା ଦର ହ୍ରାସ ଲୋକଙ୍କୁ ସୁହାଉଥିବାବେଳେ ମୂଲ୍ୟ ଅସ୍ଥିର ରହୁଥିବାରୁ ଚିନ୍ତାରେ ପଡ଼ିଛନ୍ତି ଗ୍ରାହକ।

Gold Price Silver Price Gold Silver Price
Advertisment
Advertisment