Delhi Blast Photograph: (OTV)
ନଭେମ୍ବର ୧୦ ତାରିଖରେ ଦିଲ୍ଲୀ କାର ବିସ୍ଫୋରଣର (Delhi Blast) ତଦନ୍ତ କରୁଥିବା ଗୁଇନ୍ଦା ସଂସ୍ଥାଗୁଡ଼ିକ ତଦନ୍ତ ସମୟରେ ଏକ ବଡ଼ ଖୁଲାସା କରିଛନ୍ତି। ଲାଲକିଲ୍ଲା ବିସ୍ଫୋରଣ ଏବଂ ଫରିଦାବାଦରେ ଉଦ୍ଧାର ହୋଇଥିବା ବିସ୍ଫୋରକର ମାଷ୍ଟରମାଇଣ୍ଡ ଡାକ୍ତର ଉମର ଲାଲକିଲ୍ଲା ମେଟ୍ରୋ ଷ୍ଟେସନ ନିକଟରେ ହୁଣ୍ଡାଇ i20 ରେ ବିସ୍ଫୋରଣ କରିଥିଲା, ଯେଉଁଥିରେ ୧୫ ଜଣଙ୍କର ମୃତ୍ୟୁ ହୋଇଥିଲା। ତଦନ୍ତରେ ଜଣାପଡିଛି ଯେ ଆତ୍ମଘାତୀ ବିସ୍ଫୋରଣକାରୀ ଉମର ଉନ୍ ନବି ମୁଖ୍ୟ ଷଡ଼ଯନ୍ତ୍ରକାରୀ ଥିଲା ଏବଂ ଅଭିଯୁକ୍ତମାନେ ହରିୟାଣାର ଫରିଦାବାଦରୁ ମିଳିଥିବା ବିସ୍ଫୋରକ ବ୍ୟବହାର କରି ଜମ୍ମୁ ଓ କାଶ୍ମୀରରେ କିଛି ବଡ ଧରଣର ଆକ୍ରମଣ ପାଇଁ ଯୋଜନା କରୁଥିଲେ।
ଫରିଦାବାଦ ଆତଙ୍କବାଦୀ ମଡ୍ୟୁଲ୍ ସହିତ ଜଡିତ ଡକ୍ଟର ମୁଜାମ୍ମିଲ୍ ସ୍ୱୀକାର କରିଛନ୍ତି ଯେ ଉମର ନିଜକୁ 'ଆମୀର' ବୋଲି କହୁଥିଲା, ଯାହାର ଅର୍ଥ ରାଜକୁମାର, ସେନାପତି କିମ୍ବା ନେତା। ସେ ନିଜକୁ ଜଣେ ଉତ୍କୃଷ୍ଟ ଏବଂ ଜ୍ଞାନୀ ବୋଲି ଭାବୁଥିଲା। ତା’ର ଯେମିତି ବୁଦ୍ଧି ଆଉ କାହାର ସେମିତି ନାହିଁ। ଉମର ହିନ୍ଦୀ, ଉର୍ଦ୍ଦୁ, ଇଂରାଜୀ, ପାର୍ସୀ, ଆରବୀ, ମାଣ୍ଡାରିନ୍ (ଚୀନୀ) ଏବଂ ଫରାସୀ ସମେତ ନଅଟିରୁ ଅଧିକ ଭାଷା ଜାଣିଥିଲା।
ମୁଜାମ୍ମିଲ କହିଛି ଯେ, ଉମର ଡକ୍ଟର ଆଦିଲକୁ ଗୋଷ୍ଠୀର କୋଷାଧ୍ୟକ୍ଷ ଭାବରେ ମାନୁଥିଲା। ଉମର ନିରନ୍ତର ଧର୍ମ ବିଷୟରେ କଥା ହେଉଥିଲା ଉମରର କଥା ତଥ୍ୟ ଏବଂ ଗବେଷଣାରେ ପରିପୂର୍ଣ୍ଣ ଥିଲା।
ଡକ୍ଟର ଉମର ମୁଜାମିଲ୍, ଆଦିଲ, ଶାହିନ ଏବଂ ମୁଫତି ଇରଫାନଙ୍କ ନିକଟରେ ପ୍ରାୟତଃ ଦାବି କରୁଥିଲା ଯେ ତା କାର୍ଯ୍ୟ ଧର୍ମ ଦ୍ୱାରା ପରିଚାଳିତ। ଦେଶର ବାତାବରଣ ଖରାପ ହେଉଛି, ତେଣୁ ଏକ ନରସଂହାର ହୋଇପାରେ। ସେ ଜୁଲାଇ ୨୦୨୩ ମେୱାଟ-ନୁହ ହିଂସା ଏବଂ ମାର୍ଚ୍ଚ ୨୦୨୩ ଭିୱାନୀରେ ନାସିର-ଜୁନୈଦ ହତ୍ୟା ମାମଲା ଦ୍ୱାରା ପ୍ରଭାବିତ ହୋଇଥିଲା। ଧାରା ୩୭୦ ରଦ୍ଦ ହେବା ପରଠାରୁ ସେ ଜମ୍ମୁ ଏବଂ କାଶ୍ମୀରରେ ସୁରକ୍ଷା ବାହିନୀ ପ୍ରତି ଗଭୀର ଘୃଣା ସୃଷ୍ଟି କରିଥିଲା। ଏହି ଗୋଷ୍ଠୀ ଫରିଦାବାଦରେ ଗଚ୍ଛିତ ବିସ୍ଫୋରକ ସାମଗ୍ରୀକୁ ଜମ୍ମୁ ଏବଂ କାଶ୍ମୀରକୁ ନେଇ ସେଠାରେ କିଛି ବଡ ଆକ୍ରମଣ କରିଥାନ୍ତା।
ଏହି ଆତଙ୍କୀ ମୋଡ୍ୟୁଲ ଗ୍ରୁପରେ ମୁଜାମ୍ମିଲ, ଉମର, ଆଦିଲ, ଶାହିନ ଏବଂ ମୁଫତି ଇରଫାନ ଥିଲେ। ଉମର ସବୁଠାରୁ ବୁଦ୍ଧିମାନ ଏବଂ ସକ୍ରିୟ ଥିବାରୁ ସେ ଲିଡର୍ ଥିଲା। ସେ ମାଣ୍ଡାରିନ୍ ଭାଷାରେ ଏକ ଚାଟିଂ ଗ୍ରୁପ୍ ତିଆରି କରିଥିଲା। ଯେଉଁଥିରେ କେବଳ ମାଣ୍ଡାରିନ୍ ଭାଷାରେ ହିଁ ଚାଟିଂ ହେଉଥିଲା। ଉମର ଛଅ ମାସ ମଧ୍ୟରେ ମାଣ୍ଡାରିନ୍ (ଚୀନୀ) ଭାଷା ଶିଖିଥିଲା ଏବଂ କଥାବାର୍ତ୍ତା ପାଇଁ ଚୀନୀ ଭାଷା ବ୍ୟବହାର କରୁଥିଲା।
ଉମର ଏବଂ ଆଦିଲ ପୂର୍ବରୁ ସିନିୟର ଏବଂ ଜୁନିଅର ଥିଲେ। ମୁଜାମ୍ମିଲ ଅଲ୍ ଫଲାହ ବିଶ୍ୱବିଦ୍ୟାଳୟରେ ଡକ୍ଟର ଶାହିନକୁ ଭେଟିଥିଲା ଏବଂ ପରେ ୨୦୨୩ ମସିହାରେ ଉଭୟ ବିବାହ କରିଥିଲେ। ମୁଜାମ୍ମିଲ ସାଉଦି ଆରବରେ ଜଣେ ଆସିଷ୍ଟାଣ୍ଟ ପ୍ରଫେସର ଥିଲା ଏବଂ ମଡ୍ୟୁଲ୍ ପାଇଁ ପ୍ରାୟ ୨୫ ଲକ୍ଷ ଟଙ୍କା ଦେଇଥିଲା।
ଉମର ଏବଂ ମୁଜାମ୍ମିଲ ଶେଷରେ ଆଫଗାନିସ୍ତାନ କିମ୍ବା ସିରିଆ ଯିବାକୁ ଯୋଜନା କରିଥିଲେ। ଏହା ପୂର୍ବରୁ, ଉମର ଏବଂ ଅନ୍ୟ ଜଣେ ସହଯୋଗୀ ଉନ୍ନତ ତାଲିମ ପାଇଁ ତୁର୍କୀ ଯାଇଥିଲେ, ଯେଉଁଠାରେ ସେମାନେ କେବଳ ଉକାସା ଭଳି କୋଡ୍ ନାଁ ଦ୍ୱାରା ଚିହ୍ନିତ ହ୍ୟାଣ୍ଡଲରମାନଙ୍କୁ ଭେଟିଥିଲେ।
ଉମର ଅଲ୍ ଫଲାହ ବିଶ୍ୱବିଦ୍ୟାଳୟରେ ବିସ୍ଫୋରକ ପରୀକ୍ଷା କରିଥିଲା
୨୦୨୩ ମସିହାରେ, ଉମର ଏବଂ ଆଦିଲ ଏକ ଲାଲ ଇକୋସ୍ପୋର୍ଟ କାର ବ୍ୟବହାର କରି ନୁହ-ମେୱାଟରୁ ସାର କିଣିବା ଆରମ୍ଭ କରିଥିଲେ ଏବଂ ଏହାକୁ ଅଲ ଫାଲାହ ଏବଂ ଅନ୍ୟାନ୍ୟ ସ୍ଥାନରେ ଥିବା ସେମାନଙ୍କ ଘରେ ରଖିଥିଲେ। ଡାକ୍ତର ବୋଲି ସେମାନଙ୍କୁ ଯାଞ୍ଚ କରାଯାଉ ନଥିଲା। ଉମର ଅଲ ଫଲାହ ବିଶ୍ୱବିଦ୍ୟାଳୟରେ ନିଜ ରୁମ୍ ଭିତରେ ବିସ୍ଫୋରକ ପରୀକ୍ଷଣ ମଧ୍ୟ କରୁଥିଲା। ଏହି ସମୟ ମଧ୍ୟରେ ସେ ସର୍ବଦା ହାରିସନଙ୍କ ଡାକ୍ତରୀ ପାଠ୍ୟପୁସ୍ତକ ନିଜ ପାଖରେ ରଖୁଥିଲା। ଉମରର ଫ୍ଲାଟରେ ବିସ୍ଫୋରକ ସାମଗ୍ରୀର ତାପମାତ୍ରା ବଜାୟ ରଖିବା ପାଇଁ ଏକ ଡିପ୍ ଫ୍ରିଜର ରଖିଥିଲା। ଏଥିସହ ତା’ ସୁଟକେସରେ ସବୁବେଳେ ବୋମା ତିଆରି ଉପାଦାନ ମଧ୍ୟ ରଖୁଥିଲା। ତଦନ୍ତକାରୀମାନେ ଜାଣିବାକୁ ପାଇଛନ୍ତି ଯେ ବିସ୍ଫୋରକ ପ୍ରସ୍ତୁତ କରିବାରେ ସାଧାରଣତଃ ନେଲ୍ ପଲିସ୍ ରିମୁଭର (ଆସିଟୋନ୍) ଏବଂ ପାଉଡର ଚିନି ବ୍ୟବହାର କରାଯାଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/27/delhi-blast-2025-11-27-12-09-01.jpg)