Mahashivratri Photograph: (OTV)
ଗୁରୁଦେବ ଶ୍ରୀ ଶ୍ରୀ ରବି ଶଙ୍କରଙ୍କ ସାନିଧ୍ୟରେ ପ୍ରସିଦ୍ଧ ଆର୍ଟ ଅଫ୍ ଲିଭିଙ୍ଗ ଆନ୍ତର୍ଜାତୀୟ କେନ୍ଦ୍ରରେ ମହାଶିବରାତ୍ରି ଉତ୍ସବରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା। ଆର୍ଟ ଅଫ୍ ଲିଭିଙ୍ଗର ୪୫ତମ ବାର୍ଷିକ ଶିବରାତ୍ରି ଉତ୍ସବରେ ଭକ୍ତମାନେ ମୂଳ ସୋମନାଥ ଜ୍ୟୋତିର୍ଲିଙ୍ଗର ଐତିହାସିକ ଅବଶେଷଗୁଡ଼ିଙ୍କର ଦର୍ଶନ ପାଇଥିଲେ।
ଦଶ ଲକ୍ଷରୁ ଅଧିକ ଭକ୍ତମାନଙ୍କର ଏକ ବିଶାଳ ସମୁଦାୟ, ବିଶ୍ୱ ଆଧ୍ୟାତ୍ମିକ ଗୁରୁ ଗୁରୁଦେବ ଶ୍ରୀ ଶ୍ରୀ ରବି ଶଙ୍କରଙ୍କ ଦ୍ୱାରା ପରିଚାଳିତ ଏକ ଶକ୍ତିଶାଳୀ ଧ୍ୟାନରେ ଗଭୀର ନିରବତାର ଅନୁଭବ କରିଥିଲେ। ପବିତ୍ର ମହାଶିବରାତ୍ରିର ପୁଣ୍ୟ ରାତ୍ରିରେ ସେ ଦିବ୍ୟ ପରମାନନ୍ଦରେ ଦୀପ୍ତିମାନ ହୋଇ ଭକ୍ତମାନଙ୍କୁ ଧ୍ୟାନରେ ନେଇଯାଉଥିବା ଏହି ଦୃଶ୍ୟ ସତରେ ଚକ୍ଷୁମନୋହର ଓ ଦେଖିବାଯୋଗ୍ୟ ଏକ ଅଦ୍ଭୁତ ଦୃଶ୍ୟ।
ଆର୍ଟ ଅଫ୍ ଲିଭିଙ୍ଗ ଆନ୍ତର୍ଜାତୀୟ କେନ୍ଦ୍ରରେ ଆୟୋଜିତ ଭବ୍ୟ ମହାଶିବରାତ୍ରି ଉତ୍ସବର ପରିସମାପ୍ତି ପରେ, ଦର୍ଶନାର୍ଥୀମାନେ ଆତ୍ମସ୍ପର୍ଶୀ ସଙ୍ଗୀତ, ଗୁରୁଦେବଙ୍କ ସାନିଧ୍ୟରେ ଗଭୀର ପରିବର୍ତ୍ତନଶୀଳ ଧ୍ୟାନ ଏବଂ ବେଦିକ ଅନୁଷ୍ଠାନର ଅନୁଭୂତି ସହ ଏକ ଅଦ୍ୱିତୀୟ ସନ୍ଧ୍ୟାର ସ୍ମୃତି ନେଇ ଫେରିଥିଲେ। ପବିତ୍ର ମନ୍ତ୍ରୋଚ୍ଚାରଣ ସମଗ୍ର ପରିବେଶକୁ ସକାରାତ୍ମକତା, ଆନନ୍ଦ ଓ ଉତ୍ସବମୟ ଭାବରେ ଭରିଦେଇଥିଲା।
ଗୁରୁଦେବ କହିଥିଲେ, “ମହାଶିବରାତ୍ରି ସେହି ସମୟ ଯେତେବେଳେ ଆତ୍ମା ପାର୍ଥିବ ଜଗତକୁ ଅତିକ୍ରମ କରି ଦିବ୍ୟତାର ଅନୁଭୂତି କରେ। ଶିବ ପ୍ରତ୍ୟେକ କଣିକାରେ ବିଦ୍ୟମାନ। ଆମର ଚେତନାର ସ୍ୱଭାବ ହେଉଛି ଶିବ। ଶିବରେ ଲୀନ ହେବା ହେଉଛି ଭକ୍ତି ଏବଂ ସମସ୍ତଙ୍କ ମଧ୍ୟରେ ଶିବଙ୍କୁ ଦେଖିବା ହେଉଛି ସେବା। ଯାହା ଅବିନାଶୀ, ସେ ଆମ ମଧ୍ୟରେ ଅଛି। ଏତିକି ଆସ୍ଥା ଥିଲେ ଆମେ ଆନନ୍ଦିତ ହେବା। ଜୀବନରେ କୌଣସି ଅଭାବ ରହିବ ନାହିଁ। ଏହା ବିଶ୍ୱାସ କରାଯାଏ ଯେ ଭକ୍ତି ଓ ପ୍ରେମ ସହ ଶିବରାତ୍ରିରେ ଅଂଶଗ୍ରହଣ କଲେ ସମସ୍ତ ଇଚ୍ଛା ସ୍ୱତଃ ପୂରଣ ହୋଇଥାଏ।” “ମହାକାଳ କିପରି ପ୍ରକଟ ହୁଅନ୍ତି? ସେ ଯୋଗୀମାନଙ୍କ ହୃଦୟରେ ଆଲୋକ ଭାବେ ଦୀପ୍ତିମାନ”, ବୋଲି ଗୁରୁଦେବ କହିଲେ।
ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ଥିଲା ପବିତ୍ର ରୁଦ୍ର ପୂଜା, ଭଗବାନ ଶିବଙ୍କ ମଙ୍ଗଳମୟ ରୁଦ୍ର ରୂପର ଉପାସନା ପାଇଁ ଏକ ଶକ୍ତିଶାଳୀ ବୈଦିକ ଅନୁଷ୍ଠାନ। ଏହି ପୂଜା ଶିବଙ୍କ ପରିବର୍ତ୍ତନଶୀଳ ଶକ୍ତିକୁ ଆହ୍ୱାନ କରେ, ଯାହା ନକରତ୍ମକତାର ବିଲୟ ଏବଂ ଉଚ୍ଚତର ଚେତନାର ଜାଗୃତିର ପ୍ରତୀକ। ପ୍ରାଚୀନ ବେଦମନ୍ତ୍ର ‘ଶ୍ରୀ ରୁଦ୍ରମ୍’ ଉପରେ ଆଧାରିତ ଏହି ଅନୁଷ୍ଠାନ ପରିବେଶକୁ ପବିତ୍ର କରେ, ସମୂହ ଚେତନାକୁ ଉନ୍ନତ କରେ ଏବଂ ବ୍ୟକ୍ତି ଓ ସମାଜ ପାଇଁ ଶାନ୍ତି, ସମୃଦ୍ଧି ଓ କଳ୍ୟାଣ ଆଣେ ବୋଲି ବିଶ୍ୱାସ। ରୁଦ୍ର ପୂଜା ଭାରତର ୧୫୦ଟି ସ୍ଥାନ ସହିତ କାନାଡା, ଦୁବାଇ, ଜର୍ମାନୀ ଇତ୍ୟାଦି ଦେଶରେ ମଧ୍ୟ ଆୟୋଜିତ ହୋଇଥିଲା।
ଆଶ୍ରମରେ ଉତ୍ସବ ଅଧିକ ବିଶେଷ ହୋଇଥିଲା, କାରଣ ଭକ୍ତମାନେ ନିକଟରେ ମିଳିଥିବା ମୂଳ ସୋମନାଥ ଜ୍ୟୋତିର୍ଲିଙ୍ଗର ଐତିହାସିକ ଅବଶେଷଙ୍କ ଦୁର୍ଲଭ ଦର୍ଶନ ପାଇଥିଲେ, ଯାହା ୧୦୨୬ ଖ୍ରୀଷ୍ଟାବ୍ଦରେ ମହମୁଦ ଗଜନୀଙ୍କ ଆକ୍ରମଣରେ ଧ୍ୱଂସ ହୋଇଥିବା ବୋଲି ବିଶ୍ୱାସ କରାଯାଏ।
ଶକ୍ତିଶାଳୀ ରୁଦ୍ରମ୍ ମନ୍ତ୍ରୋଚ୍ଚାରଣ, ବେଦିକ ଅନୁଷ୍ଠାନ ଏବଂ ଆତ୍ମସ୍ପର୍ଶୀ ସଙ୍ଗୀତ ରେ ବ୍ରାଜିଲ୍, ଆର୍ଜେଣ୍ଟିନା, ଭେନେଜୁଏଲା, ମାଲେସିଆ, ଥାଇଲ୍ୟାଣ୍ଡ, ବୁଲଗେରିଆ, ଆରବ ଦେଶମାନେ, ଚୀନ୍ ଓ ୟୁରୋପ, ଦକ୍ଷିଣ–ପୂର୍ବ ଏସିଆ, ମଧ୍ୟ ପୂର୍ବ ଇତ୍ୟାଦି ୫୦ଟି ଦେଶରୁ ଆସିଥିବା ଅତିଥିମାନେ ଏକ ଚେତନାରେ ନୃତ୍ୟ, ସଙ୍ଗୀତ ଓ ଧ୍ୟାନରେ ଲୀନ ହୋଇଥିଲେ।
ନେଦରଲ୍ୟାଣ୍ଡର ୮୦ ବର୍ଷୀୟ ଆର୍ଟ ଅଫ୍ ଲିଭିଂ ଶିକ୍ଷକ ଆନ୍କେଇ, ଯିଏ ପ୍ରଥମ ଥର ପାଇଁ ଆଶ୍ରମକୁ ଆସିଥିଲେ, କହିଲେ, “ଏଠାର ପରିବେଶ ଅତ୍ୟନ୍ତ ଆନନ୍ଦମୟ। ଲୋକମାନେ ବହୁତ ଭଲ ,ସୁନ୍ଦର ଓ ସହଯୋଗୀ। ଗୁରୁଦେବଙ୍କୁ ପୂଜା ପାଇଁ ଆସିବାର ଦେଖି ମୋ ଆଖିରେ ଲୁହ ଆସିଗଲା। ସେହି ମୁହୂର୍ତ୍ତ ମୋ ପାଇଁ ଅତ୍ୟନ୍ତ ସୁଖଦ ଓ ପରିପୂର୍ଣ।” ରୁଷିଆର ଓଲ୍ଗା, ଯିଏ ୨୦ ବର୍ଷ ଧରି ଆର୍ଟ ଅଫ୍ ଲିଭିଂ ସହ ଜଡିତ, କହିଲେ, “ଏଠାକୁ ଆସିବା ମାନେ ଘରକୁ ଫେରିବା ଭଳି। ମୁଁ ଏଠାରେ ଉର୍ଜାବାନ ଏବଂ ସନ୍ତୁଷ୍ଟି ଅନୁଭବ କରୁଛି ଏବଂ ଏହି ଆନନ୍ଦକୁ ମୋ ଦେଶକୁ ନେଇ ଲୋକମାନଙ୍କ ସହ ବାଣ୍ଟିବି।” ପ୍ରଥମଥର ପାଇଁ ଆଶ୍ରମକୁ ଆସିଥିବା ଡଚ୍ ନାଗରିକ ଇଜାବେଲ୍ କହିଲେ, “ମୁଁ ତ ଏଠାକୁ ଅସୀମ ଭାବରେ ଭଲପାଏ। ପରିବେଶ ଭକ୍ତି ଓ ଉର୍ଜାରେ ପରିପୂର୍ଣ୍ଣ, ଚାରିପାଖରେ ଗଛ, ପଶୁପକ୍ଷୀ, ସଙ୍ଗୀତ ଓ ଗୁରୁଦେବଙ୍କ ଉପସ୍ଥିତି ଯେମିତି ଯାଦୁ କରିଦେଇଛି।”
ଦିନସାରା ୩ ଲକ୍ଷରୁ ଅଧିକ ମହାପ୍ରସାଦମ୍ ଭୋଜନର ବଣ୍ଟନ କରାଯାଇଥିଲା, ଯାହା ୧୫ ଟନ୍ରୁ ଅଧିକ ପନିପରିବା ବ୍ୟବହାର କରି ହଜାର ହଜାର ସେବକମାନେ ପ୍ରସ୍ତୁତ କରିଥିଲେ। ଏହି ଦିନ ଗୁରୁଦେବଙ୍କ ଉପସ୍ଥିତିରେ ୧୨ରୁ ଅଧିକ ବୈଦିକ ବିବାହ ଓ ଷଷ୍ଟୀ ପୂର୍ତ୍ତି ଉତ୍ସବ ସମ୍ପନ୍ନ ହେବା ସହିତ ଆଶ୍ରମର ପରିବେଶକୁ ଅଧୀକ ମଙ୍ଗଳମୟ କରିଥିଲା।
ଅଫଲାଇନ୍ କାର୍ଯ୍ୟକ୍ରମ ବ୍ୟତୀତ, ଏକ ରେକର୍ଡ ସୃଷ୍ଟି କରି ଏକ ଲକ୍ଷରୁ ଅଧିକ ଲୋକ ୧୨୦ ଟି ଦେଶରୁ ଲାଇଭ୍ ୱେବକାଷ୍ଟ ମାଧ୍ୟମରେ ଅନଲାଇନ୍ ଭାବେ ଉତ୍ସବରେ ଯୋଗଦେଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/16/mahashivratri-2026-02-16-09-13-41.jpg)