BUS Photograph: (OTV)
ରାଜସ୍ଥାନ ଯୋଧପୁରରେ ଘଟିଛି ବଡ଼ ଅଘଟଣ । ଚଳନ୍ତା ବସରେ ଲାଗିଗଲା ନିଆଁ, ଜୀଅନ୍ତା ଜଳିଗଲେ ୨୦ ଯାତ୍ରୀ । ୧୯ ଜଣ ଘଟଣାସ୍ଥଳରେ ଦଗ୍ଧ ହୋଇଯାଇଥିବା ବେଳେ ଜଣେ ଡାକ୍ତରଖାନାରେ ଆଖି ବୁଜିଛନ୍ତି । ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ଅନୁମାନ କରାଯାଉଛି ।
ମିଳିଥିବା ସୂଚନା ଅନୁଯାୟୀ, ବସଟି ଜୟସୈଲମାରରୁ ଯୋଧପୁର ଯାଉଥିଲା । ବସରେ ମୋଟ ୫୭ ଜଣ ଯାତ୍ରୀ ଥିଲେ । ଘଟଣା ପରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ମହାତ୍ମା ଗାନ୍ଧୀ ହସ୍ପିଟାଲରେ ପହଞ୍ଚି ଆହତଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି । ଏଥିସହ ସମସ୍ତ ଆହତଙ୍କୁ ତୁରନ୍ତ ଚିକିତ୍ସା ସେବା ଯୋଗାଇ ଦେବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ ।
ସେପଟେ ରାଜସ୍ଥାନ ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି, ଚିହ୍ନଟ ହୋଇପାରୁନଥିବା ମୃତଦେହର ଡିଏନଏ ସାମ୍ପୁଲ ନିଆଯାଇ ଟେଷ୍ଟ କରାଯିବ । ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବ । କେମିତି ଓ କେଉଁ ପରିସ୍ଥିତିରେ ବସରେ ନିଆଁ ଲାଗିଲା ସେନେଇ ଫରେନସିକ ଟିମ୍ ଅନୁସନ୍ଧାନ ଚଳାଇଛନ୍ତି । ହେଲେ ପ୍ରାଥମିକ ତଦନ୍ତରୁ ଏହା ସର୍ଟସର୍କିଟ ଜନିତ ଅଗ୍ନିକାଣ୍ଡ ବୋଲି ସନ୍ଦେହ କରାଯାଉଛି ।
ସେହିପରି ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ସହାୟତା ରାଶି ଘୋଷଣା କରାଯାଇଛି। ଏଥି ସହ ଆହତଙ୍କ ଲାଗି ୫୦ ହଜାର ଟଙ୍କା ସହାୟତା ରାଶି ଘୋଷଣା ହୋଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/15/bus-2025-10-15-08-18-14.jpg)