/odishatv-khabar/media/post_attachments/uploadimage/library/16_9/16_9_0/who_1623115664.jpg)
who
ନୂଆଦିଲ୍ଲୀ : ତୁରନ୍ତ କଟକଣା କୋହଳ କରିବା ନିଷ୍ପତ୍ତି ଉପରେ ବିଚାର କରିବା ଜରୁରୀ । ସଂକ୍ରମଣ କମୁଥିବାରୁ ଶୀଘ୍ର ପ୍ରତିବନ୍ଧକ ହଟାଇବା ବିପଦକୁ ଖୋଲାଖୋଲି ଆମନ୍ତ୍ରଣ କରିବା ସହ ସମାନ । ଭାରତରେ କରୋନା ପ୍ରତିବନ୍ଧ କୋହଳ କରୁଥିବା ବେଳେ ଏପରି ଚେତାବନୀ ଦେଇଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ । ସେ କହିଛନ୍ତି, ଡେଲଟା ଭାରିଏଣ୍ଟ ସମେତ ଅନ୍ୟ ଭାରିଏଣ୍ଟର ଦ୍ୱାରା ବୃଦ୍ଧି ପାଉଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରତିବନ୍ଧ ହଟାଇବା ବିପଜ୍ଜନପ ସାବ୍ୟସ୍ତ ହୋଇପାରେ । ଯେଉଁମାନେ ଏବେ ସୁଦ୍ଧା କରୋନା ଭ୍ୟାକ୍ସିନ ନେଇନାହାନ୍ତି, ସେମାନଙ୍କ ପାଇଁ ଏହା ଅଧିକ ବିପଦପୂର୍ଣ୍ଣ ହେବ । ଦେଶରେ ଦୁଇ ମାସ ଧରି କରୋନାର ଦ୍ୱିତୀୟ ଲହରୀ ସହ ଲଢ଼େଇ କରିବା ପରେ ଏବେ ଧୀରେ ଧୀରେ ସଂକ୍ରମଣ ସାମାନ୍ୟ ହେଉଛି । ଏହାକୁ ଦୃଷ୍ଟିରେ ରଖି କିଛି ରାଜ୍ୟରେ କରୋନା କଟକଣା କୋହଳ କରାଯାଉଛି । ଅନ୍ୟ କିଛି ରାଜ୍ୟରେ ଏବେ ବି ପ୍ରତିବନ୍ଧକ ବଳବତ୍ତର ରହିଛି ।
ଏହାପୂର୍ବରୁ ମଧ୍ୟ ଡବ୍ଲ୍ୟୁଏଚଓ କରୋନାର ଡେଲଟା ଭାରିଏଣ୍ଟ୍ ପାଇଁ ଭାରତକୁ ସତର୍କ କରାଇଥିଲା । ଭାରତରେ ସର୍ବପ୍ରଥମେ ଚିହ୍ନଟ ହୋଇଥିବା B.1.617ର ତିନୋଟି ଭାରିଏଣ୍ଟ ମଧ୍ୟରୁ ଗୋଟିଏ ଏବେ ଚିନ୍ତାର କାରଣ ସାଜିଥିବା କହିଥିଲା WHO । B.1.617.2 ଭାରିଏଣ୍ଟ୍ ଭୟ ସୃଷ୍ଟି କରୁଥିବା ବେଳେ ସବୁଠାରୁ ଅଧିକ ସଂକ୍ରାମକ । ଭାଇରସର ଅବଶିଷ୍ଟ ଦୁଇ ଭାରିଏଣ୍ଟର ସଂକ୍ରମଣ କ୍ଷମତା ତୁଳନାତ୍ମକ ଭାବେ କମ୍ । ମିଳିତ ଜାତିସଂଘର ସ୍ୱାସ୍ଥ୍ୟ ଏଜେନ୍ସି ଦ୍ୱାରା ପ୍ରକାଶିତ ତଥ୍ୟ ଅନୁସାରେ B.1.617.2 ର ସଂକ୍ରମଣର ବୃଦ୍ଧି ହାର ଉପରେ ନଜର ରଖାଯାଇଛି । ଏହି କାରଣରୁ ଅନେକ ଦେଶରେ ସଂକ୍ରମଣର ବୃଦ୍ଧି ଘଟୁଥିବା ଜଣାପଡ଼ିଛି । ଏହି ଭାରିଏଣ୍ଟ ଉପରେ ନଜର ରଖିବା ଓ ଏହା ଉପରେ ଅଧ୍ୟୟନ କରିବାକୁ ପ୍ରାଥମିକତା ଦେଉଛି ଡବ୍ଲୁଏଚଓ ।
ଭାରତର ଦ୍ୱିତୀୟ ଲହରୀ ପାଇଁ ଡେଲଟା ଭାରିଆଣ୍ଟ ଦାୟୀ । INSACOG ଏବଂ NCDC ଅଧ୍ୟୟନରୁ ଏକଥା ଜଣାପଡ଼ିଛି । ଭାରତରେ ଚିହ୍ନଟ ହୋଇଥିବା ପ୍ରଥମ କରୋନା ଭାରିଏଣ୍ଟର ନାମ ଡେଲଟା’ । ଭାରତରେ ୨୦୨୦ ଅକ୍ଟୋବର ୨୦ରେ ମିଳିଥିବା B.1.617.2 G/452R.V3 ଭାରିଏଣ୍ଟର ନାମ ଡେଲ୍ଟା ଭାରିଏଣ୍ଟ ରଖାଯାଇଛି । ଭାତରେ ଚିହ୍ନଟ ହୋଇଥିବା ଦ୍ୱିତୀୟ ଷ୍ଟେନ(B.1.617.1)ର ନାମ କପ୍ପା ରଖାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)