ramvilash
ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ରାମବିଲାସ ପାଶଓ୍ୱାନଙ୍କ ଦେହାନ୍ତ ହୋଇଛି। ୭୪ ବର୍ଷ ବୟସରେ ଆଖି ବୁଜିଛନ୍ତି ଏଲ୍ଜେପି ନେତା ତଥା ମୋଦି ସରକାରର ମନ୍ତ୍ରୀ ରାମବିଳାସ ପାଶୱାନ। ଦେହାନ୍ତ ନେଇ ସୂଚନା ଦେଇଛନ୍ତି ତାଙ୍କ ପୁଅ ଚିରାଗ ପାଶଓ୍ୱାନ। ଚିରାଗ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି।
ସେ ଟ୍ୱିଟ୍ କରି ଲେଖିଛନ୍ତି " ବାପା ଏବେ ଆପଣ ଏ ଦୁନିଆରେ ନାହାନ୍ତି ସତ କିନ୍ତୁ ମୁଁ ଜାଣିଛି ଆପଣ ଯେଉଁଠି ବି ଥିବେ ସବୁବେଳେ ମୋ ସହିତ ରହିଥିବେ।"
ଦିଲ୍ଲୀର ଏକ ହସ୍ପିଟାଲ୍ରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ଲୋକ ଜନଶକ୍ତି ପାର୍ଟିର ପ୍ରତିଷ୍ଠାତା ରାମବିଲୀସଙ୍କର ଶନିବାର ଏକ ହାର୍ଟସର୍ଜରି ହୋଇଥିଲା। ସେବେଠାରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନଥିଲା। ସେ ଦିଲ୍ଲୀର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।
ରାମବିଲାସ ଦୀର୍ଘ ୫୦ ବର୍ଶ ହେବ ଭାରତୀୟ ରାଜନୀତିରେ ସକ୍ରିୟ ଥିଲେ। ସେ ଜଣେ ଟାଣୁ ଦଳିତ ନେତା ଭାବେ ସାରା ଦେଶରେ ଜଣାଶୁଣା। ୨୦୧୪ଠାରୁ ମୋଦି ସରକାରରେ ମନ୍ତ୍ରୀ ଥିଲେ ରାମବିଲାସ। ବର୍ତ୍ତମାନ କେନ୍ଦ୍ରର ମୋଦି ସରକାରରେ ଖାଦ୍ୟ ଯୋଗାଣ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଉଥିଲେ।
ଜଣେ ଟାଣୁଆ ନେତା ଭାବେ ରାମବିଲାସ ଲୋକସଭାକୁ ୮ ଥର, ରାଜ୍ୟସଭାକୁ ଥରେ ନିର୍ବାଚିତ ହୋଇଥିଲେ।
ରାମବିଲାସ କିଛି ସପ୍ତାହ ହେବ ହୃତ୍ପିଣ୍ଡଜନିତ ସମସ୍ୟା ନେଇ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ। ସେଠାରେ ତାଙ୍କର ହାର୍ଟ ସର୍ଜରି ବି ହୋଇଥିଲା। ଆଉ ୭୪ ବର୍ଷରେ ଆଖି ବୁଜିଛନ୍ତି ଏହି ଟାଣୁଆ ଦଳିତ ନେତା।
ତାଙ୍କ ବିୟୋଗରେ ଭାରତୀୟ ରାଜନୀତୀ ଜଗତରେ ଶୋକର ଛାୟା ଖେଳିଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, କଂଗ୍ରେସ ନେତା କପିଲ ସିବଲ, କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏବଂ ଅନେକ ବଡ଼ ବଡ଼ ନେତା ଦୁଃଖ ପ୍ରକାଶ କରିବା ସହିତ ତାଙ୍କ ପରିବାର ସମବେଦନା ଜଣାଇଛନ୍ତି।
ପ୍ରଧାନମନ୍ତ୍ରି ଟ୍ୱିଟ୍ କରି ଲେଖିଛନ୍ତି " ମୁଁ ଅବାକ ହୋଇଯାଇଛି, ଆମେ ଦେଶରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଗଲା, ତା ବୋଧ୍ହୁଏ ଆଉ କେବେ ପୂରଣ ହୋଇପାରିବନି। ରାମବିଳାସଙ୍କ ବିୟୋଗ ମୋ ପାଇଁ ଏକ ବ୍ୟକ୍ତିଗତ କ୍ଷତି, ମୁଁ ମୋର ଜଣେ ବନ୍ଧୁ ଜଣେ ଅତ୍ୟନ୍ତ ମୂଲ୍ୟବାନ ସହକର୍ମୀ ଓ ଏଭଳି ଜଣେ ବ୍ୟକ୍ତିଙ୍କୁ ହରାଇଲି ଯିଏ ପ୍ରତ୍ୟେକ ଗରିବଙ୍କୁ ସମ୍ମାନର ସହିତ ଜିଇଁବା ପାଇଁ ପ୍ରେରଣା ଦେଉଥିଲେ।"
ତେବେ ବିହାର ନିର୍ବାଚନକୁ ଆଉ ମାତ୍ର କିଛି ଦିନ ବାକିଥିବା ବେଳେ ଏଲ୍ଜେପି ପାଇଁଁ ଏଭଳି ଦୁଃଖ ଖବର ଆସିଛି। ସୂଚନା ଥାଉକି, ବିହାର ନିର୍ବାଚନରେ ଦଳ ପାଶୱାନଙ୍କ ଏନ୍ଡିଏରୁ ଯାଇ ଏକାକୀ ନିର୍ବାଚନ ଲଢ଼ିବ ବୋଲି ନିଷ୍ପତ୍ତି ନେଇଛି। ବିହାର ନୀତୀଶଙ୍କ ନେତୃତ୍ୱକୁ ବିରୋଧ କରି ରାଜ୍ୟରେ ଏନ୍ଡିଏ ସହିତ ମେଣ୍ଟ ଭାଙ୍ଗିଥିଲେ ବି କେନ୍ଦ୍ରରେ ଏନ୍ଡିଏ ସହିତ ରହିବ ବୋଲି ଘୋଷଣା କରିଥିଲେ ଦଳର ନେତା ଚିରାଗ ପାସ୍ୱାନ।
ରାମବିଳାସ ବିୟୋଗରେ ଶୋକ
ରାମବିଲାସ ପାଶଓ୍ୱାନଙ୍କ ଦେହାନ୍ତରେ ବହୁ ବିଶିଷ୍ଟ ନେତା ଶୋକ ବ୍ୟକ୍ତ କରିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟ୍ୱିଟ୍ କରି କହିଛନ୍ତି ଯେ ଦେଶ ଜଣେ ଦୂରଦର୍ଶୀ ନେତାଙ୍କୁ ହରାଇଲା। ସେ ସଂସଦର ଜଣେ କ୍ରିୟାଶୀଳ ଓ ଲମ୍ବା ସମୟ ଧରି କାର୍ଯ୍ୟ କରିଥିବା ସଦସ୍ୟ ଥିଲେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରିବା ସହ ଦେଶରେ ସୃଷ୍ଟିହୋଇଥିବା ଶୂନ୍ୟସ୍ଥାନ କେବେ ବି ପୂରଣ ହୋଇପାରିନାହିଁ ବୋଲି ଟ୍ୱିଟ୍ କରିଛନ୍ତି। ରାମବିଲାସ ପାଶଓ୍ୱାନଙ୍କ ଦେହାନ୍ତ ମୋ ପାଇଁ ବ୍ୟକ୍ତିଗତ କ୍ଷତି। ମୁଁ ଜଣେ ବନ୍ଧୁ ଓ ସହଯୋଗୀ ହରାଇଲି ବୋଲି ମୋଦି କହିଛନ୍ତି।
ରାମବିଲାଶଙ୍କ ପରଲୋକରେ ଶୋକ ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ରାଜନୀତିରେ ଜଣେ ଅଭିଜ୍ଞ ଓ ଲୋକପ୍ରିୟ ନେତା ଥିଲେ ବୋଲି କହିଛନ୍ତି ନବୀନ। ପାସଓ୍ୱାନଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ।
କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ମଧ୍ୟ ରାମବିଲାସଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି ଯେ ରାମବିଲାସ ଜଣେ ଲୋକ ପ୍ରିୟ ଜନ ନେତା ଥିଲେ। ସେ ସମାଜର ନିମ୍ନସ୍ତରରେ ଥିବା ଲୋକଙ୍କ ପାଇଁ ଲଢ଼େଇ କରୁଥିଲେ।
ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମଧ୍ୟ ଗଭୀର ଶୋକ ପ୍ରକାଶ କରିଛନ୍ତି। ରାମବିଲାଶ ପାସଓ୍ୱାନ ତାଙ୍କ ଲମ୍ବା ରାଜନୈତିକ ଜୀବନରେ ଗରିବ ଓ ନିମ୍ନସ୍ତରରେ ଥିବା ଲୋକଙ୍କ ପାଇଁ କାର୍ଯ୍ୟ କରିଥିଲେ ବୋଲି ବୈଜୟନ୍ତ ଟ୍ୱିଟ୍ କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/ramvilash_1625252567.jpg)