/odishatv-khabar/media/post_attachments/uploadimage/library/16_9/16_9_0/Telangana-CM-_1623740039.jpg)
Telangana-CM
- କରୋନା କାଳରେ କେସିଆରଙ୍କ୍ ଦାମୀ କାର୍ ଗିଫ୍ଟ
- ଅତିରିକ୍ତ ଜିଲ୍ଲାପାଳ ମାନଙ୍କୁ ଦେଇଛନ୍ତି କିଆ କାର୍ଣ୍ଣିଭାଲ୍
- ପ୍ରାୟ ୧୧ କୋଟି ଟଙ୍କାରେ କିଣିଛନ୍ତି ୩୨ଟି ଲକଜୁରୀ କାର୍
- ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ନେଇ ତେଜିଛି ରାଜନୀତି
ହାଇଦ୍ରାବାଦ୍: କରୋନା ମହାମାରୀ ଯୋଗୁଁ କେବଳ ଜୀବନ ସଂକଟରେ ପଡ଼ିଛି ତା ନୁହେଁ, ଅର୍ଥନୀତିକୁ ବି ସଂକଟ ଘାରିଛି। ବହୁ ଲୋକଙ୍କ ରୋଜଗାରର ପନ୍ଥା ଠପ୍ ପଡ଼ିଛି, ସରକାରଙ୍କ ରାଜସ୍ୱ ଆଦାୟ ବି କମିଛି। ଏଭଳି ଦୁଃସ୍ଥିତି ବେଳେ ବିବାଦ ସୃଷ୍ଟି କରିଛି ତେଲେଙ୍ଗାନା ସରକାରଙ୍କ ଏକ ନିଷ୍ପତ୍ତି। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ନିଜ ରାଜ୍ୟର ୩୨ଜଣ ଉପଜିଲ୍ଲାପାଳଙ୍କୁ ଲକଜୁରୀ SUV କିଆ କାର୍ଣ୍ଣିଭାଲ୍ ଦେଇଛନ୍ତି। ଏହାକୁ ଘୋର ବିରୋଧ କରିଛନ୍ତି ବିଜେପି ଓ କଂଗ୍ରେସ।
କରୋନା କାଳରେ କେସିଆରଙ୍କ କାର୍ ଗିଫ୍ଟ। ଏମିତି ସେମିତି କାର୍ ନୁହେଁ, ନୂଆ ଦାମୀ ଲକଜୁରୀ କିଆ କାର୍ଣ୍ଣିଭାଲ୍ କାର୍ କିଣିଛନ୍ତି ଅତିରିକ୍ତ ଜିଲ୍ଲାପାଳ ମାନଙ୍କ ପାଇଁ। ପ୍ରାୟ ୧୧ କୋଟି ଟଙ୍କା ଖର୍ଚ୍ଚ କରି ଅତିରିକ୍ତ ଜିଲ୍ଲାପାଳଙ୍କ ବ୍ୟବହାର ପାଇଁ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ୩୨ଟି ଲକଜୁରୀ କାର୍ କିଣିବା ପରେ, ତେଜିଛି ତେଲେଙ୍ଗାନା ରାଜନୀତି। ମହାମାରୀ ବେଳେ ସ୍ୱାସ୍ଥ୍ୟ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଅର୍ଥ ବିନିଯୋଗ ନକରି, IAS ଅଫିସରଙ୍କ ପାଇଁ କେସିଆରଙ୍କ୍ କାର୍ ନିଷ୍ପତ୍ତିକୁ ଉଭୟ ବିଜେପି ଓ କଂଗ୍ରେସ ଦାୟିତ୍ୱହୀନ ବ୍ୟୟ ବୋଲି କହିଛନ୍ତି।
ବିଜେପି ମୁଖପାତ୍ର କ୍ରିଷ୍ଣା ସାଗର ରାଓ ବ୍ୟୁରୋକ୍ରାଟଙ୍କୁ ସନ୍ତୁଷ୍ଟିକରଣ ପାଇଁ ଏଭଳି ରାଜସ୍ୱ ବ୍ୟୟ କରାଯାଇଛି ବୋଲି ଅଭିଯୋଗ କରିବା ସହ ମୁଖ୍ୟମନ୍ତ୍ରୀ ସେମାନଙ୍କ ଠାରୁ କଣ ଆଶା ରଖିଛନ୍ତି ବୋଲି ପଚାରିଛନ୍ତି। କୋଭିଡ୍ ଲକଡାଉନ୍ ଯୋଗୁଁ ବ୍ୟାପକ ରାଜସ୍ୱ ହାନି ଘଟିଛି ଏବଂ ସରକାର ଅଧିକ ଋଣ ଉଠାଇବାକୁ ଚାହୁଁଛନ୍ତି ବୋଲି ଅର୍ଥମନ୍ତ୍ରୀ ହରିଶ ରାଓ କହୁଥିବା ବେଳେ, ରାଜକୋଷରୁ ଏଭଳି କାର୍ ପାଇଁ ୧୧ କୋଟି ଟଙ୍କା ଖର୍ଚ୍ଚ କେତେ ଯୁକ୍ତିଯୁକ୍ତ ବୋଲି ସେ ପ୍ରଶ୍ନ କରିଛନ୍ତି। ତେଣୁ ଏହି ନିଷ୍ପତ୍ତି ପ୍ରତ୍ୟାହାର କରି ସେହି ଟଙ୍କାରେ ଗରିବଙ୍କୁ ମାଗଣା ଚିକିତ୍ସା ଓ ହସ୍ପିଟାଲରେ ବେଡ୍ ସଂଖ୍ୟା ବୃଦ୍ଧି କରିବାକୁ ଦାବି କରିଛନ୍ତି କ୍ରିଷ୍ଣା ସାଗର।
ସେପଟେ କଂଗ୍ରେସ ମୁଖପାତ୍ର ଶ୍ରବଣ ଡାସୋଜୁ ଅଭିଯୋଗ କରିଛନ୍ତି, କେସିଆର୍ ସରକାର ତେଲେଙ୍ଗାନାକୁ ଏକ ବଳକା ରାଜ୍ୟରୁ ୪୦ ହଜାର କୋଟି ଟଙ୍କା ଋଣଗ୍ରସ୍ତ ରାଜ୍ୟରେ ପରିଣତ କରିଛନ୍ତି। ଏବେ ଆର୍ଥିକ ସଂକଟ ଶୀର୍ଷରେ ଥିବା ବେଳେ, ଉପଜିଲ୍ଲାପାଳଙ୍କ ସରକାରୀ କାର୍ ଥାଉ ଥାଉ ପୁଣି ନୂଆ କାର୍ କଣ ଦରକାର ଥିଲା ବୋଲି ପଚାରିଛନ୍ତି। ଏଥିସହ କାର୍ କଂପାନୀ ସହ ସରକାରଙ୍କ ଅନୈତିକ ଡିଲ୍ ଥାଇପାରେ ବୋଲି ଆଶଙ୍କା କରିଛନ୍ତି ଶ୍ରବଣ।
ଗତକାଲି ପ୍ରଗତି ଭବନରେ ଉପଜିଲ୍ଲାପାଳମାନଙ୍କ ସହ ସମୀକ୍ଷା ବୈଠକ କରିଥିଲେ। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଏହି ବୈଠକ ସରିବା ପରେ ଉପଜିଲ୍ଲାପାଳଙ୍କୁ ସର୍ପରାଇଜ୍ ଦେଇଥିଲେ। କେସିଆର୍ ପ୍ରଗତି ଭବନ ପାର୍କିଂ ଲଟରେ ରଖାଯାଇଥିଲା ୩୨ଟି ଚକାଚକ୍ କିଆ କାର୍ଣ୍ଣିଭାଲ୍ କାର୍। ଏହି ପ୍ରତ୍ୟେକ କାରର ଦାମ୍ ୨୫ରୁ ୩୦ ଲକ୍ଷ ଟଙ୍କା ହେବ। ତେବେ କେବଳ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଉନ୍ନୟନ କାର୍ଯ୍ୟ ଦାୟିତ୍ୱରେ ଥିବା ଅତିରିକ୍ତ ଜିଲ୍ଲାପାଳଙ୍କୁ ଏହି କାର୍ ଦିଆଯାଇଛି ବୋଲି ସୂଚନା ମିଳିଛି।
ହାଇ-ଏଣ୍ଡ୍ SUV କିଆ କାର୍ଣ୍ଣିଭାଲ୍ ଗୋଟାକର ଦାମ୍ ୨୫ରୁ ୩୦ ଲକ୍ଷ ଟଙ୍କା ହେବ। ଇନ୍-ବିଲ୍ଟ ଇଣ୍ଟରନେଟ୍ ଓ ଓ୍ୱାଇଫାଇ ସହ ମୋବାଇଲ୍ ଭିଡିଓ କନ୍ଫରେନ୍ସ ସୁବିଧା ବି ରହିଛି ଏହି କାରରେ। ସେପଟେ ସାମାଜିକ କର୍ମୀଙ୍କ ସୂଚନା ଅନୁସାରେ, ରାଜ୍ୟରେ ୪ କୋଟି ଲୋକଙ୍କ ପାଇଁ ରହିଛି ମାତ୍ର ୬୫୦ଟି ୧୦୮ ଆମ୍ବୁଲାନ୍ସ। ଅର୍ଥାତ୍ ପ୍ରତି ୬୦ ହଜାର ଜଣଙ୍କ ପାଇଁ ଗୋଟିଏ ୧୦୮ ଆମ୍ବୁଲାନ୍ସ ରହିଛି। ଗୋଟିଏ ଆମ୍ବୁଲାନ୍ସର ଦାମ୍ ପ୍ରାୟ ୧୫-୧୬ ଲକ୍ଷ ଟଙ୍କା, ଅର୍ଥାତ୍ ହାରାହାରି ଗୋଟିଏ କିଆ କାର୍ ବଦଳରେ କିଣାଯାଇ ପାରିଥାନ୍ତା ୨ଟି ୧୦୮ ଆମ୍ବୁଲାନ୍ସ। ତେଣୁ ପ୍ରଶ୍ନ ଉଠୁଛି, ରାଜ୍ୟ ଦୁଇ ଦୁଇଥର କୋଭିଡ୍ ପାହାର ଖାଇସାରିଥିବା ବେଳେ ଏବଂ ଆଗକୁ ତୃତୀୟ ଲହର ଆଶଙ୍କା ଥିବା ବେଳେ, ଉପଜିଲ୍ଲାପାଳଙ୍କ ପାଇଁ ଏଭଳି ଦାମୀ କାର୍ କିଣା କେତେ ଯୁକ୍ତିଯୁକ୍ତ? ତେବେ ଟିଆରଏସ ନେତା କ୍ରିଶଙ୍କ୍ କହିଛନ୍ତି, ଏହା ରାଜ୍ୟର ବିକାଶରେ ସହାୟକ ହେବ। ବିରୋଧୀ ମାନେ ସବୁ ଛୋଟ ଛୋଟ କଥାକୁ ରାଜନୀତୀକରଣ କରୁଛନ୍ତି ବୋଲି ସେ କହଛନ୍ତି।
ପୂର୍ବରୁ ତେଲେଙ୍ଗାନା ସରକାର ଅଫିସରମାନଙ୍କୁ ଟୟୋଟା ଇନୋଭା କ୍ରିଷ୍ଟା ଓ ପୋଲିସକୁ ଟୟୋଟା ଫରଚ୍ୟୁନର ଗାଡ଼ି ପ୍ରଦାନ କରିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)