/odishatv-khabar/media/post_attachments/uploadimage/library/16_9/16_9_0/riya-1_1625352227.jpg)
riya
ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ସାମ୍ନାକୁ ଆସିଲା ତାଙ୍କ ବାନ୍ଧବୀ ତଥା ଅନ୍ୟତମ ଅଭିଯୁକ୍ତ ରିୟା ଚକ୍ରବର୍ତ୍ତୀଙ୍କ ଡ୍ରଗ୍ସ ଲିଙ୍କ୍। NCB ଜେରାରେ ସତ ଓଗାଳିଛନ୍ତି ରିୟା। ରିୟାଙ୍କ ଡାଇରେକ୍ଟ ଡ୍ରଗ୍ସ ଲିଙ୍କ୍ ନେଇ ଏବେ ତଥ୍ୟ ସାମ୍ନାକୁ ଆସିଛି। ଭାଇ ସୌଭିକଙ୍କ ଜରିଆରେ ସେ ସୁଶାନ୍ତଙ୍କ ପାଇଁ ଡ୍ରଗ୍ସ କିଣୁଥିଲେ। NCB ଜେରାରେ ରିୟା ଏହିସବୁ ସତ ମାନିଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି।
ପ୍ରଥମ ହାଜିରାରେ ରିୟାଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋର ୫ ଜଣିଆ ଟିମ୍ ୬ ଘଣ୍ଟା ଧରି ଗୁଡ଼େଇତୁଡ଼େଇ ପ୍ରଶ୍ନ କରିଥିଲେ। ଆସନ୍ତାକାଲି ପୁଣି ତାଙ୍କୁ ହାଜର ହେବାକୁ ସମନ କରିଛି ଏନସିବି। ଆଜି ରିୟା ଚକ୍ରବର୍ତ୍ତୀଙ୍କୁ ବ୍ୟକ୍ତିଗତ ଭାବେ ଜେରା ହୋଇଥିବା ବେଳେ ବ୍ୟୁରୋ ଆସନ୍ତାକାଲି ଭାଇ ସୌଭିକ୍ ଓ ବନ୍ଧୁ ସାମୁଏଲ୍ ମିରାଣ୍ଡାଙ୍କ ସହ ସାମ୍ନାସାମ୍ନି ଜେରା କରିପାରେ।
ମାମଲାରେ ଏବେ ସୁଦ୍ଧା NCB ୮ଜଣଙ୍କୁ ଗିରଫ କରିଥିବା ବେଳେ ରିୟାଙ୍କ ଉପରେ ବି ଝୁଲୁଛି କି ଗିରଫଦାରିର ଖଣ୍ଡା? ଏନେଇ ରିୟାଙ୍କ ଓକିଲ, ଖବର ସରବରାହ ସଂସ୍ଥା ଏଏନଆଇକୁ କହିଛନ୍ତି, ରିୟା ଗିରଫ ହେବାକୁ ପ୍ରସ୍ତୁତ। ସେଥିପାଇଁ ସେ ଆଗୁଆ ଜାମିନ ଆବେଦନ କରିନାହାନ୍ତି। ଯଦି କାହାକୁ ପ୍ରେମ କରିବା ପାପ, ତେବେ ସେ ପ୍ରେମର ପରିଣାମ ବି ଭୋଗିବେ।
ଅନ୍ୟପକ୍ଷରେ ସୁଶାନ୍ତଙ୍କ ଘରୋଇ ସହାୟକ ଦୀପେଶ ସାୱନ୍ତକୁ ନେଇ ବି NCB ଚାଞ୍ଚଲ୍ୟକର ଖୁଲାସା କରିଛି। ଦୀପେଶ ଡ୍ରଗ୍ ସିଣ୍ଡିକେଟର ଜଣେ ସକ୍ରିୟ ସଦସ୍ୟ। ଏଥିରେ ହାଇ-ସୋସାଇଟି ଓ ଡ୍ରଗ୍ ସପ୍ଲାଏରଙ୍କ ସମ୍ପୃକ୍ତି ରହିଛି। ଦୀପେଶର ବୟାନ ଓ ଜବତ ଡିଜିଟାଲ୍ ଏଭିଡେନ୍ସ ଆଧାରରେ ଏହା ସ୍ପଷ୍ଟ ହୋଇଥିବା ଏନସିବି କହିଛି। ଗତକାଲି ଗିରଫ ହୋଇଥିବା ଦୀପେଶଙ୍କୁ ୯ ତାରିଖ ଯାଏ ରିମାଣ୍ଡରେ ନେଇ ଅଧିକ ଖୋଳତାଡ଼ କରାଯାଉଛି।
ସେପଟେ ସୌଭିକ ଚକ୍ରବର୍ତ୍ତୀଙ୍କ ସୂଚନାକୁ ଭିତ୍ତି କରି ବ୍ୟୁରୋ ପକ୍ଷର ମୁମ୍ବାଇର ୬ରୁ ଅଧିକ ସ୍ଥାନରେ ଚଢ଼ାଉ ହୋଇଛି। ଅନ୍ୟପକ୍ଷରେ ୨୪ ଘଣ୍ଟାରୁ ଅଧିକ ସମୟ ଧରି ହାଜତରେ ରଖିବା ନେଇ ଦୀପେଶଙ୍କ ଓକିଲଙ୍କ ଅଭିଯୋଗ ପରେ ଏନସିବିକୁ ଜବାବ ମାଗିଛନ୍ତି କୋର୍ଟ।
ଅପରପକ୍ଷରେ ସିବିଆଇ ମଧ୍ୟ ମାମଲାର ତଦନ୍ତକୁ ଆଗକୁ ବଢ଼ାଇବା ସହ ଆଜି ଦ୍ୱିତୀୟ ଥର ପାଇଁ ସୁଶାନ୍ତଙ୍କ ଭଉଣୀ ମିତୁ ସିଂଙ୍କୁ ଜେରା କରିଛି। ଏଥିସହ ସୁଶାନ୍ତଙ୍କ ଟ୍ୟାଲେଣ୍ଟ୍ ମ୍ୟାନେଜର ଉଦୟ ସିଂ ଗୌରି ଏବଂ ସୁଶାନ୍ତ ମୃତଦେହକୁ ବ୍ୟବଚ୍ଛେଦ ପାଇଁ କୁପର୍ ହସ୍ପିଟାଲକୁ ନେଇଥିବା ଆମ୍ବୁଲାନ୍ସର ଡ୍ରାଇଭରଙ୍କୁ ମଧ୍ୟ ଡିଆରଡିଓ ଗେଷ୍ଟ ହାଉସକୁ ଡକାଇ ଜେରା କରିଛି କେନ୍ଦ୍ରୀୟ ତଦନ୍ତ ସଂସ୍ଥା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)