riots
ନୂଆଦିଲ୍ଲୀ: ଦିଲ୍ଲୀରେ ଟ୍ରାକ୍ଟର ରାଲି ଆନ୍ଦୋଳନ ନାଁରେ ଉତ୍ପାତ ଓ ଅସଭ୍ୟ ଆଚରଣ ଦେଖାଇଲେ ଚାଷୀ। ପବିତ୍ର ସାଧାରଣତନ୍ତ୍ର ଦିବସରେ ବିଶ୍ୱର ସର୍ବବୃହତ ଗଣତନ୍ତ୍ରର ଗରିମାର ସାଂଘାତିକ ଉଲଙ୍ଘନ କଲେ। ଯେଉଁ ଲାଲକିଲାରେ କେବଳ ଦେଶର ଅଖଣ୍ଡତାର ପରିଚୟର ପ୍ରତୀକ ତ୍ରିରଙ୍ଗା ଉଡ଼େ, ସେ ଐତିହାସିକ ସ୍ଥାନକୁ କବ୍ଜା କରି ଆଜି ଏମିତି ଢଙ୍ଗରେ ଆନ୍ଦୋଳନ ନାଁରେ ବିକ୍ଷୋଭକାରୀ ଉଡ଼ାଇଲେ। ସେଠି ନିଜ ଝଣ୍ଡା ଏମିତିକି ଦେଇଥିବା ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ପ୍ରତିଶ୍ରୁତିର ଧଜ୍ଜିଆ ଉଡ଼ାଇ ତଲଓ୍ୱାର, ଲାଠି ଓ ପଥର ମାଡ଼ କରି ସୃଷ୍ଟି କରିଛନ୍ତି ହିଂସା।
ବାରମ୍ବାର କେନ୍ଦ୍ର ସରକାରଙ୍କ ସହ ଆଲୋଚନାକୁ ଫଳପ୍ରଦ ହେବାକୁ ନଦେଇ ନୂଆ କୃଷି ଆଇନ୍ର ସମ୍ପୂର୍ଣ୍ଣ ପ୍ରତ୍ୟାହାର ଦାବିରେ ଯୁଦ୍ଧ ଦେହିଂ ଡାକରା ଦେଇଥିବା କୃଷକ ସଂଗଠନଙ୍କ ଆଜି ପରି ପବିତ୍ର ଗଣତନ୍ତ୍ର ଦିବସରେ ଏଭଳି ଅମାନବୀୟ ଉପଦ୍ରବକୁ ଦେଖି ସ୍ତବ୍ଧ ହୋଇଛି। ସାରା ଦେଶ ଶାନ୍ତିପୂର୍ଣ୍ଣ ଟ୍ରାକ୍ଟର ରାଲି ପାଇଁ ଅନୁମତି ନେଇ କିଭଳି ରାଜଧାନୀ ଦିଲ୍ଲୀରେ ଦିନ ତମାମ ଆତଙ୍କ ଖେଳାଇ ଥିଲେ ତାହା ଦେଖି ତାଜୁବ୍ ହୋଇଛନ୍ତି ଦେଶବାସୀ। ଦୀର୍ଘ ସମୟର ଘମାସାନ ପରେ ଆନ୍ଦୋଳନକାରୀଙ୍କୁ ଘଉଡ଼ାଇବାକୁ ସୁରକ୍ଷାକର୍ମୀଙ୍କୁ ଲାଠି ଚାର୍ଜ ବି କରିବାକୁ ପଡ଼ିଥିଲା।
ପୂର୍ବ ନିଷ୍ପତ୍ତି ମୁତାବକ ଆଜି ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ହିଁ ଆନ୍ଦୋଳନରତ ଚାଷୀଙ୍କୁ ପ୍ରସ୍ତାବିତ ଟ୍ରାକ୍ଟର ରାଲି ପାଇଁ ଅନୁମତି ମିଳିଥିଲା। ଟିକ୍ରି, ସିଂଘୁ ଓ ଗାଜିପୁର ସୀମାରୁ ଦିଲ୍ଲୀ ପାଖକୁ ଆସି ପୁଣି ସ୍ୱସ୍ଥାନକୁ ଫେରିଯିବାକୁ ରୁଟ୍ ଚାଟ୍ ବି ଦିଆଯାଇଥିଲା। ତେବେ ସକାଳ ୮ଟାରେ ଏସବୁ ସ୍ଥାନରୁ ବାହାରିଥିବା ରାଲି ସହର ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। ତେବେ ଗାଜିପୁର ସୀମାରୁ ବାହାରିଥିବା ରାଲି ଆଇଟିଓରେ ପହଞ୍ଚି ସହର ଭିତରକୁ ପ୍ରବେଶ ଉଦ୍ୟମବେଳେ ଘଟିଥିଲା ତୁମୁଳକାଣ୍ଡ। ପୋଲିସ୍ ସେମାନଙ୍କୁ ଅଟକାଇବାରୁ ମୁହାଁମୁହିଁ ହୋଇଥିଲେ ଚାଷୀ-ସୁରକ୍ଷାକର୍ମୀ।
ଚାଷୀ ନେତାଙ୍କ ସହ ଆଲୋଚନା ଅନୁସାରେ ଅନୁମତି ଦିଆଯାଇଥିଲା। ଚାଷୀ ନେତାଙ୍କୁ ବିଶ୍ୱାସକୁ ନେଇ ଟ୍ରାକ୍ଟର ରାଲି ଅନୁମତି ଦେଇଥିଲୁ। ମାତ୍ର ରାଲି ବେଳେ ପୋଲିସ ଉପରକୁ ଟ୍ରାକ୍ଟର ମଡାଇବାକୁ ଉଦ୍ୟମ ହେଲା। ଆନ୍ଦୋଳନକାରୀଙ୍କ ସଂଖ୍ୟା ବହୁତ ଥିବାରୁ ଧସେଇ ପଶି ଆସିଲେ। ଆନ୍ଦୋଳନକାରୀଙ୍କୁ ଦିଲ୍ଲୀ ଛାଡ଼ି ଚାଲିଯିବାକୁ ଅପିଲ କରୁଛୁ।
-ଶାଳିନୀ ସିଂ, ଜଏଣ୍ଟ ପୋଲିସ କମିଶନର
ଏହି ମୁହାଁମୁହିଁ ସ୍ଥିତିବେଳେ ଚାଷୀଙ୍କ ଉଗ୍ର ଆଚରଣରେ ଦୀନ ଦୟାଲ ଉପାଧ୍ୟାୟ ମାର୍ଗରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ସହରର ବିଭିନ୍ନ ସ୍ଥାନରେ ଅନେକ ସୁରକ୍ଷାକର୍ମୀ ମଧ୍ୟ ଆହତ ହୋଇଛନ୍ତି। ସେପଟେ ଟ୍ରାକ୍ଟର ରାଲି ବେଳେ ହିଂସାକୁ ନେଇ ଭାରତ କିଷାନ ସଂଘର ନେତା ରାକେଶ ଟିକାୟତ ପ୍ରତିକ୍ରିୟା ରଖି କହିଛନ୍ତି ରାଜନୈତିକ ଦଳର ଲୋକେ ଚାଷୀ ଆନ୍ଦୋଳନ ଭଣ୍ଡୁର କରିବାକୁ ଉଦ୍ୟମ କରୁଛନ୍ତି। ତାସହ ହିିସଂକାଣ୍ଡ ଘଟାଇଥିବା ଲୋକ ଆମ ଲୋକ ନୁହଁନ୍ତି ବୋଲି ବି କହିଛନ୍ତି ଟିକାୟତ।
ଦିଲ୍ଲୀରେ ଯାହା ଘଟିଲା କେହି ସମର୍ଥନ କରିବେନି। ମାତ୍ର ଏହା ପଛର କାରଣକୁ କେହି ଅଣଦେଖା କରିବା ଅନୁଚିତ। ଯେଉଁମାନେ ଶାନ୍ତିରେ ବସି ରହିଥିଲେ ଦାବି ପୂରଣ ନ ହେବାରୁ କ୍ଷୁବ୍ଧ ହେଲେ।ସରକାର ପରିପକ୍ୱତା ଦେଖାଇ ସଠିକ୍ ନିଷ୍ପତ୍ତି ନେବା ଦରକାର। ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବା କେନ୍ଦ୍ର ସରକାରଙ୍କ କାର୍ଯ୍ୟ।
-ଶରଦ ପାୱାର, କଂଗ୍ରେସ ନେତା
ସେପଟେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଆଜିର ଘଟଣାରେ ପ୍ରତିକ୍ରିୟା ରଖି ନିଜ ଟ୍ୱିଟ୍ରେ ଲେଖିଛନ୍ତି। ହିଂସା କୌଣସି ସମସ୍ୟାର ସମାଧାନର ବାଟ ନୁହେଁ। ଆଘାତ ଯାହାକୁ ବି ଲାଗୁ ସେ ଆମ ଦେଶର ନାଗରିକ। ତେବେ ଦେଶ ହିତ ପାଇଁ କୃଷି ଆଇନ ପ୍ରତ୍ୟାହାର ପାଇଁ ଦାବି କରିଛନ୍ତି ରାହୁଲ୍। ତେବେ ପୁରା ଘଟଣାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ବିଧିବଦ୍ଧ ପ୍ରତିକ୍ରିୟା ଆସିନାହିଁ। ତେବେ ଗଣତନ୍ତ୍ର ଦିବସ ଭଳି ଏକ ପବିତ୍ର ଦିନରେ ଦାବି ହାସଲ ପାଇଁ ଚାଷୀଙ୍କ ଏଭଳି ଅଗଣତାନ୍ତ୍ରିକ ପନ୍ଥାକୁ କିନ୍ତୁ ସହଜରେ ଗ୍ରହଣ କରିପାରି ନାହାନ୍ତି ଦେଶବାସୀ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/riots_1626330872.jpg)