/odishatv-khabar/media/post_attachments/uploadimage/library/16_9/16_9_0/nirbhaya-1_1626687700.jpg)
nirbhaya
ନୂଆଦିଲ୍ଲୀ : ଫାଶିର ଫାସରୁ ବର୍ତ୍ତି ପାରିବେନି ନିର୍ଭୟା ଦୋଷୀ । କାଏମ୍ ରହିଲା ଦୋଷୀ ଅକ୍ଷୟ ସିଂ ଠାକୁରର ଫାଶି ଦଣ୍ଡାଦେଶ। ୩ ଜଣିଆ ବିଚାରପତିଙ୍କୁ ନେଇ ଗଠିତ ସୁପ୍ରିମ୍କୋର୍ଟର ଖଣ୍ଡପୀଠ ଆଜି ଅକ୍ଷୟର ପୁନର୍ବିଚାର ପିଟିସନକୁ ଖାରଜ କରି କରିଦେଇଛନ୍ତି । ଏହାକୁ ବିରଳରୁ ବିରଳତମ ମାମଲା ବୋଲି ଦର୍ଶାଇ ଖଣ୍ଡପୀଠ କହିଛନ୍ତି । ପୂର୍ବରୁ ମାମଲାରେ ଟ୍ରାୟଲକୋର୍ଟ, ହାଇକୋର୍ଟ ଓ ସୁପ୍ରିମ୍କୋର୍ଟ ସଠିକ୍ ଫୈସଲା ଶୁଣାଇଛନ୍ତି। ଦୋଷୀଙ୍କ ପକ୍ଷରୁ ଦାଖଲ ଦଲିଲ୍ରେ କିଛି ନୂଆ ନାହିଁ । ତେଣୁ ମାମଲାର ପୁନର୍ବିଚାରର କୌଣସି ଆଧାର ନାହିଁ।
ଏପଟେ ଦୋଷୀ ଅକ୍ଷୟକୁ ଫାଶିର ଫନ୍ଦାରୁ ମୁକୁଳାଇବାକୁ ତା ଓକିଲଙ୍କ ପକ୍ଷରୁ ଜୋରଦାର ଉଦ୍ୟମ ବି ହୋଇଥିଲା । ଅକ୍ଷୟ ସପକ୍ଷରେ ଓକିଲ ଏ.ପି.ସିଂଙ୍କ ଦଲିଲ୍ ଥିଲା, ଅକ୍ଷୟକୁ ମିଥ୍ୟା ମାମଲାରେ ଫସାଇ ଦିଆଯାଇଛି,ଜାଲିଆତି କରି ତା ବିରୋଧରେ ମାମଲା ହୋଇଛି ,ସେ ନିର୍ଦ୍ଦୋଷ କିନ୍ତୁ ଗରିବ ବୋଲି ଫାଶି ଦଣ୍ଡ ମିଳିଛି। ଗଣମାଧ୍ୟମ, ରାଜନୈତିକ ଓ ଲୋକଙ୍କ ଚାପରେ ଅକ୍ଷୟକୁ ଦୋଷୀ ସାବ୍ୟସ୍ତ କରାଯାଇଛି। ଏପରିକି ଦେଶରେ ଅନ୍ୟ ଅନେକ ମାମଲାରେ ବହୁ ଦୋଷୀଙ୍କ ଫାଶି ବିଳମ୍ବ ହୋଇଚାଲିଥିଲା ବେଳେ ଏକ୍ଷେତ୍ରରେ ଏତେ ଜଲ୍ଦି କାହିଁକି ବୋଲି ପ୍ରଶ୍ନ କରିଥିଲେ? ମାମଲାର ମୁଖ୍ୟ ସାକ୍ଷୀ ଅମରିନ୍ଦର ପାଣ୍ଡେଙ୍କ ସାକ୍ଷ୍ୟର ବିଶ୍ୱସନୀୟତାକୁ ନେଇ ବି ସେ ପ୍ରଶ୍ନ ଉଠାଇଥିଲେ । ଜବାବରେ ସରକାରୀପକ୍ଷର ଓକିଲ ତୁଷାର ମେହେଟ୍ଟାଙ୍କ ଯୁକ୍ତି ଥିଲା ଦୋଷୀ ଅକ୍ଷୟ କୌଣସି ପରିସ୍ଥିତିରେ ବି ସହାନୁଭୂତିର ହକ୍ଦାର ନୁହେଁ । ଏହା ମାନବିକତା କାନ୍ଦିଲା ଭଳି ଅପରାଧ । ଏଭଳି ଦୋଷୀଙ୍କୁ ଜନ୍ମଦେଇ ଈଶ୍ୱର ବି ପଶ୍ଚାତାପ କରୁଥିବେ । ତେଣୁ ଦୋଷୀଙ୍କୁ ମୃତ୍ୟୁଦଣ୍ଡ ହିଁ ମିଳିବା ଉଚିତ୍ ବୋଲି ଯୁକ୍ତି ଦର୍ଶାଇଥିଲେ । ସଲିସିଟର ଜେନେରାଲ୍ ତୁଷାର ମେହଟା ଉଭୟ ପକ୍ଷଙ୍କ ଯୁକ୍ତି ପରେ କୋର୍ଟ ଅକ୍ଷୟର ପୁନର୍ବିଚାର ଆବେଦନକୁ ଖାରଜ କରିଦେଇଥିଲେ।
ସୁପ୍ରିମ୍କୋର୍ଟଙ୍କ ରାୟ ପରେ ଦୋଷୀଙ୍କୁ ଫାଶି ପାଇଁ ଏବେ ରାସ୍ତା ସଫା , ହେଲେ ଏବର୍ଷ ନୁହେଁ କାରଣ ଦୋଷୀଙ୍କ ବିରୋଧରେ ଡେଥ୍ଓ୍ୱାରେଣ୍ଟ ଜାରି ପାଇଁ ପାତିଆଲା ହାଉସ୍କୋର୍ଟରେ ହେବାକୁ ଥିବା ଶୁଣାଣି ଘୁଞ୍ଚିଯାଇଛି । ପରବର୍ତ୍ତୀ ଶୁଣାଣି ପାଇଁ ଜାନୁଆରୀ ୭କୁ ତାରିଖ ଧାର୍ଯ୍ୟ ହୋଇଛି । ଅର୍ଥାତ୍ ଦୋଷୀଙ୍କ ପାଖରେ ଏବେ ଆହୁରି ୨୦ ଦିନର ସମୟ ଯାହାକୁ ନେଇ ତୀବ୍ର ନିରାଶାବ୍ୟକ୍ତ କରିବା ସହ କୋର୍ଟ ରୁମ୍ ବାହାରେ କାନ୍ଦି ପକାଇଛନ୍ତି ନିର୍ଭୟାଙ୍କ ମା।
ସେପଟେ ଅକ୍ଷୟ ସିଂର ରିଭ୍ୟୁ ପିଟିସନ୍ ଖାରଜ ହେବା ପରେ ଏହା ବିରୋଧରେ କ୍ୟୁରେଟିଭ୍ ପିଟିସନ୍ ଦାଖଲ କରାଯିବ ବୋଲି ତା ଓକିଲ ସୂଚନା ଦେଇଛନ୍ତି । ସେହିପରି ଦୋଷୀ ପକ୍ଷରୁ ରାଷ୍ଟ୍ରପତିଙ୍କ ପାଖରେ ରାଜକ୍ଷମା ଆବେଦନ ପାଇଁ କୋର୍ଟଙ୍କୁ ୩ ସପ୍ତାହର ଆବେଦନ ହୋଇଥିଲେ ବି କୋର୍ଟ ଏଥିପାଇଁ ୧ ସପ୍ତାହ ସମୟ ଦେଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)