/odishatv-khabar/media/post_attachments/uploadimage/library/16_9/16_9_0/paliamernt_1625366432.jpg)
paliamernt
ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ଚଳିତ ମାସ ୧୪ ତାରିଖରୁ ଆରମ୍ଭ ହେବ। ଏହା ଅକ୍ଟୋବର ୧ ତାରିଖ ପର୍ଯ୍ୟନ୍ତ ଚାଲିବ। ତେବେ ୧୮ ଦିନ ଧରି ଚାଲିବାକୁ ଥିବା ସଂସଦ ଅଧିବେଶନରେ କୌଣସି ଛୁଟି ରହିବ ନାହିଁ। ଅର୍ଥାତ୍ ଏଥର ଶନିବାର ଓ ରବିବାର ମଧ୍ୟ ଉଭୟ ଗୃହ ଚାଲୁରହିବ। କରୋନାକୁ ଆଖି ଆଗରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ଏହି ନିୟମ ଅନୁଯାୟୀ ପ୍ରତିଦିନ ପ୍ରଥମ ଚାରି ଘଣ୍ଟା ରାଜ୍ୟସଭା ଅଧିବେଶନ ଚାଲିବ ଏବଂ ପରବର୍ତ୍ତୀ ୪ ଘଣ୍ଟା ଲୋକସଭା ଚାଲିବ।
ହେଲେ ଲୋକସଭା ଅଧିବେଶନର ପ୍ରଥମ ଦିନ ଅର୍ଥାତ୍ ସେପ୍ଟେମ୍ବର ୧୪ ତାରିଖ ସକାଳ ୯ଟାରୁ ୧ଟା ପର୍ଯ୍ୟନ୍ତ ଚାଲିବ ଏବଂ ଦିନକ ପରେ ଅର୍ଥାତ୍ ସେପ୍ଟେମ୍ବର ୧୫ ତାରିଖ ଠାରୁ ଲୋକସଭା ଅଧିବେଶନ ଅପରାହ୍ଣ ୩ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଚାଲିବ। କରୋନା ଭାଇରସ୍ ସଙ୍କଟକୁ ଆଖି ଆଗରେ ରଖି ଲୋକସଭା ଓ ରାଜ୍ୟସଭାରେ କିଛିଟା ପରିବର୍ତ୍ତନ କରାଯାଇଛି। ଏଥର ସଂସଦ କାର୍ଯ୍ୟସୂଚୀରୁ ପ୍ରଶ୍ନକାଳକୁ ହଟାଇ ଦିଆଯାଇଛି, ଯାହାକୁ ନେଇ ବିରୋଧୀ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି।
ସଂସଦର ଅଧିବେଶନ ଆରମ୍ଭ ହେବାର ୭୨ ଘଣ୍ଟା ପୂର୍ବରୁ ସବୁ ସଦସ୍ୟଙ୍କର କରୋନା ଟେଷ୍ଟ କରାଯିବ। ସଂସଦର ସଦସ୍ୟଙ୍କ ସହ ସେମାନଙ୍କର କର୍ମଚାରୀଙ୍କର ମଧ୍ୟ କରୋନା ଟେଷ୍ଟ କରାଯିବ ବୋଲି କହିଛନ୍ତି ବାଚସ୍ପତି ଓମ୍ ବିର୍ଲା। ଏହାଛଡ଼ା ସବୁ ସାଂସଦଙ୍କର ପରିବାରଙ୍କର ମଧ୍ୟ କରୋନା ଟେଷ୍ଟ ହେବ। ଏହା ବ୍ୟତୀତ ସଂସଦ ଅଧିବେଶନ ସମୟରେ ମଧ୍ୟ ନିୟମିତ ଟେଷ୍ଟ କରାଯିବ। ସଂସଦର ଅଧିବେଶନ ଆରମ୍ଭ ହେବା ପୂର୍ବରୁ ସେଣ୍ଟ୍ରାଲ୍ ହଲ୍ ପାଇଁ ସମସ୍ତ ପାସକୁ ବାତିଲ୍ କରାଯାଇଛି।
ଅଧିବେଶନ ଚାଲିଥିବା ବେଳେ ସଂସଦ ପରିସରରେ ପ୍ରବେଶ ପଥରେ ଥର୍ମାଲ୍ ଗନ୍ ଏବଂ ଥର୍ମାଲ୍ ସ୍କାନର ଦ୍ୱାରା ତାପମାତ୍ରାର ଯାଞ୍ଚ କରାଯିବ। ଏହା ସହ ପୂରା ପରିସରରେ ବାଧ୍ୟତାମୂଳକ ଭାବେ କୋଭିଡ୍-୧୯ ଗାଇଡଲାଇନ୍ ପାଳନ କରାଯିବା ନେଇ କୁହାଯାଇଛି। ସଂସଦର ଅଧିବେଶନ ଚାଲିଥିବା ବେଳେ ଲୋକସଭା କିମ୍ବା ରାଜ୍ୟସଭାର ମିଡିଆକର୍ମୀଙ୍କ ସର୍ବାଧିକ ସଂଖ୍ୟା ୧୦୦ ରହିବ। ଏପରିକି ସବୁ ମିଡିଆକର୍ମୀଙ୍କର ମଧ୍ୟ କରୋନା ଟେଷ୍ଟ ହେବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)