/odishatv-khabar/media/post_attachments/uploadimage/library/16_9/16_9_0/social-media_1622182883.jpg)
social media
ନୂଆଦିଲ୍ଲୀ : ମିଥ୍ୟା ଓ ଆପତ୍ତିଜନକ ମେସେଜ୍କୁ ରୋକିବା ଲାଗି କେନ୍ଦ୍ର ସରକାର ଆଣିଥିବା ନୂଆ ନିୟମ ଲାଗୁ ହୋଇଛି । ଦେଶର ଅଖଣ୍ଡତା, ସର୍ବଭୌମତ୍ୱ ଓ ସୁରକ୍ଷା, ବୈଦେଶିକ ସଂପର୍କ, ଆଇନଶୃଙ୍ଖଳା ସଂପର୍କିତ କିମ୍ବା ୫ ବର୍ଷ ବା ତଦୁର୍ଦ୍ଧ୍ୱ ଜେଲ ଦଣ୍ଡ ବ୍ୟବସ୍ଥା ଥିବା ଅପରାଧ ସଂପର୍କିତ ସୂଚନାକୁ ପ୍ରଥମେ ଅପଲୋଡ୍ କରିଥିବା ବ୍ୟକ୍ତିଙ୍କ ସଂପର୍କରେ ସରକାରଙ୍କୁ ତଥ୍ୟ ଦେବା ପାଇଁ ଗାଇଡଲାଇନରେ ନିର୍ଦ୍ଦେଶ ଦିଆଯାଇଛି । ସେହିପରି କୌଣସି ବ୍ୟକ୍ତିଙ୍କ ପୋଷ୍ଟକୁ ଡିଲିଟ୍ କରିବା ପୂର୍ବରୁ ସୋସିଆଲ ମିଡିଆ କଂପାନିଙ୍କୁ ଉଚିତ କାରଣ ସହ ପଦକ୍ଷେପ ସଂପର୍କରେ ସଂପୃକ୍ତ ବ୍ୟକ୍ତିଙ୍କୁ ଅବଗତ କରାଇବାରୁ ପଡିବ । ସୋସିଆଲ୍ ମିଡିଆ ଏବଂ ଓଟିଟି ପ୍ଲାଟଫର୍ମରେ ଆପତ୍ତିଜନକ ଓ ଅପରାଧିକ କାର୍ଯ୍ୟ କଳାପ ରୋକିବା ପାଇଁ ଲାଗୁ ସରକାର ଆଣିଥିବା ନୂଆ ଗାଇଡଲାଇନରେ ଏଭଳି ବ୍ୟବସ୍ଥା ରହିଛି ।
ସେହିପରି ବ୍ୟବହାରକାରୀ ଓ ପୀଡ଼ିତଙ୍କ ଅଭିଯୋଗର ଶୁଣାଣି ଲାଗି ଠୋସ୍ ବ୍ୟବସ୍ଥା କରିବାକୁ ପଡିବ । ଆପତ୍ତି ଗ୍ରହଣ ଓ ସମାଧାନ ପାଇଁ ସୋସିଆ ଲ ମିଡିଆ କଂପାନି ଗ୍ରିଭାନ୍ସ ଅଫିସର୍ ନିଯୁକ୍ତ କରିବେ । ଗ୍ରିଭାନ୍ସ ଅଫିସର୍ ୨୪ ଘଣ୍ଟା ଭିତରେ ଅଭିଯୋଗ ଗ୍ରହଣ କରିବା ସହ ୧୫ ଦିନ ଭିତରେ ତାର ସମାଧାନ କରିବେ । କୌଣସି ବ୍ୟକ୍ତିଙ୍କ ଅଶ୍ଳୀଳ, ପୂର୍ଣ୍ଣ କିମ୍ବା ଆଂଶିକ ଉଲଗ୍ନ, ସହବାସ ଅଥବା ନକଲି ଫଟୋ ବା ଭିଡିଓ ସଂପର୍କରେ ଅଭିଯୋଗ ଆସିଲେ ୨୪ ଘଣ୍ଟା ଭିତରେ ତାକୁ ଡିଲିଟ୍ କରିବାକୁ ହେବ । ନିୟମ ଅନୁପାଳନକୁ ସୁନିଶ୍ଚିତ କରିବା ଲାଗି ଜଣେ ଚିଫ୍ କମ୍ପ୍ଲାଏନ୍ସ ଅଫିସର୍, ସରକାରୀ ସଂସ୍ଥା ସହ ଦୈନିକ ୨୪ ଘଣ୍ଟା ଯୋଗାଯୋଗ ରକ୍ଷା ପାଇଁ ନୋଡାଲ୍ କଣ୍ଟାକ୍ଟ ପର୍ସନ୍, ଅଭିଯୋଗ ଗ୍ରହଣ ପାଇଁ ରେସିଡେଣ୍ଟ୍ ଗ୍ରିଭାନ୍ସ ଅଫିସର୍ ନିଯୁକ୍ତ କରିବେ । ଏମାନେ ସବୁ ଭାରତରେ ରହି କାର୍ଯ୍ୟ କରିବେ, ଅଭିଯୋଗ ଓ ପଦକ୍ଷେପ ସଂପର୍କରେ ମାସିକ କଂପ୍ଲାଏନ୍ସ ରିପୋର୍ଟ ପ୍ରକାଶ କରିବେ ।
ଓଟିଟି ପ୍ଲାଟଫର୍ମ, ନିଉଜ୍ ପବ୍ଲିଶର୍ ଓ ଡିଜିଟାଲ୍ ମିଡିଆ ପାଇଁ ତ୍ରିସ୍ତରୀୟ ଅଭିଯୋଗ ନିବାରଣ ବ୍ୟବସ୍ଥା ସହ ସ୍ବ-ନିୟନ୍ତ୍ରଣ ଉପରେ ଗୁରୁତ୍ୱ ଦିଆ ଯାଇଛି । ଓଟିଟି ପ୍ଲାଟଫର୍ମ ନିଜ ଭିଡିଓକୁ ଦର୍ଶକଙ୍କ ବୟସ ଅନୁସାରେ ୫ଟି ବର୍ଗରେ ବିଭକ୍ତ କରିବେ । ସେଗୁଡିକ ହେଉଛି ୟୁନିଭର୍ସାଲ୍ ବା U, ୭, ୧୩ ଓ ୧୬ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ UA ଏବଂ ପ୍ରାପ୍ତ ବୟସ୍କଙ୍କ ପାଇଁ A, ଏଥିସହ ୧୩ ଓ ତଦୁର୍ଦ୍ଧ ବୟସ୍କଙ୍କ ପାଇଁ ଉଦ୍ଦିଷ୍ଟ କଣ୍ଟେଣ୍ଟ୍ ପାଇଁ ପ୍ୟାରେଣ୍ଟାଲ୍ ଲକ୍ ଏବଂ A ଶ୍ରେଣୀ ଭିଡିଓ ଲାଗି ବୟସ ଯାଞ୍ଚ ବ୍ୟବସ୍ଥା ରହିବ ।
ଡିଜିଟାଲ୍ ମିଡିଅଆ ପ୍ରେସ୍ କାଉନ୍ସିଲ ଅଫ୍ ଇଣ୍ଡିଆ ର ସାମ୍ବାଦିକ ଆଚାର ସଂହିତା ଏବଂ କେବୁଲ୍ ଟେଲିଭିଜନ୍ ନେଟ୍ଓ୍ୱର୍କସ୍ ରେଗୁଲେସନ୍ ଆକ୍ଟ ଅଧୀନସ୍ଥ ପ୍ରୋଗ୍ରାମ୍ କୋଡ୍ ପାଳନ କରିବେ । ତ୍ରିସ୍ତରୀୟ ଅଭିଯୋଗ ସମାଧାନ ବ୍ୟବସ୍ଥାରେ, ପ୍ରକାଶନ ସଂସ୍ଥାମାନେ ନିଜସ୍ବ ଗ୍ରିଭାନ୍ସ ରିଡ୍ରେସାଲ୍ ଅଫିସର୍ ନିଯୁକ୍ତ କରିବେ ଏବଂ ସେମାନେ ୧୫ ଦିନ ଭିତରେ ଅଭିଯୋଗ ସଂପର୍କରେ ପଦକ୍ଷେପ ନେବେ, ୧୫ ଦିନରେ ସମାଧାନ ହୋଇନଥିବା ଅଭିଯୋଗର ଶୁଣାଣି ପାଇଁ ଏକ ବା ଏକାଧିକ କମିଟି ଗଠନ କରାଯିବ । ସେଥିରେ ସର୍ବାଧିକ ୬ ଜଣ ସଦସ୍ୟ ରହିବେ ଏବଂ ଜଣେ ସୁପ୍ରିମକୋର୍ଟ ବା ହାଇକୋର୍ଟ ଜଜ୍ ଅଥବା ଜଣେ ବିଶିଷ୍ଟ ବ୍ୟକ୍ତି ଏହାର ମୁଖ୍ୟ ରହିବେ ତୃତୀୟ ସ୍ତରରେ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଏଥିପାଇଁ ଏକ ଆନ୍ତଃ ବିଭାଗୀୟ କମିଟି ଗଠିତ ହେବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)