atma-nirvar-bharat
ନୂଆଦିଲ୍ଲୀ: କରୋନା ମାଡ଼ରେ ଦୋହଲି ଯାଇଥିବା ଦେଶର ଅର୍ଥବ୍ୟବସ୍ଥାକୁ ଟ୍ରାକ୍କୁ ଫେରାଇବାର ଚ୍ୟାଲେଞ୍ଜ ଭିତରେ ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବର୍ଷ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ସଂସଦରେ ଉପସ୍ଥାପିତ କରିଛନ୍ତି ଆୟବ୍ୟୟ ଅଟକଳ। ଯେଉଁଥିରେ ଛଅଟି ପିଲାର୍ ଉପରେ ସବୁଠୁ ଅଧିକ ଗୁରୁତ୍ୱ ଦେଇଛନ୍ତି। ଯାହା ମଧ୍ୟରେ ସର୍ବେଗ୍ରେ ରହିଛି ସ୍ୱାସ୍ଥ୍ୟ, କୃଷି ଓ ଭିତ୍ତିଭୂମି କ୍ଷେତ୍ର ନିର୍ମଳାଙ୍କ ବଜେଟ୍ ପେଡ଼ିରୁ ସବୁଠୁ ବଡ଼ ଘୋଷଣାକ୍ରମେ ଦେଶରେ ମିଶନ ପୋଷଣ ୨.୦ର ଶୁଭାରମ୍ଭର ସୂଚନା ମିଳିଛି।
କେବଳ ସ୍ୱାସ୍ଥ୍ୟ କଲ୍ୟାଣ ପାଇଁ ପ୍ରାୟ ୨.୨୩ଲକ୍ଷ କୋଟି ଖର୍ଚ୍ଚ ହେବ। PM ଆତ୍ମନିର୍ଭର ସ୍ୱାସ୍ଥ୍ୟ ଯୋଜନା ପାଇଁ ୬୪ ହଜାର ୧୮୦ କୋଟିର ବ୍ୟୟ ବରାଦ ହୋଇଥିବା ବେଳେ ୧୭ ହଜାର ଗ୍ରାମ୍ୟ ସ୍ୱାସ୍ଥ୍ୟ କେନ୍ଦ୍ର ଓ ୧୧ ହଜାର ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ୱେଲନେସ୍ ସେଣ୍ଟର ନିର୍ମାଣ ହେବ। ସେହିପରି କରୋନାରୁ ମିଳିଥିବା ଅନୁଭୂତିକୁ ଆଧାର କରି ସବୁ ଜିଲ୍ଲାରେ ଇଣ୍ଟିଗ୍ରେଟେଡ୍ ପବ୍ଲିକ୍ ହେଲ୍ଥ ଲାବ୍ ପ୍ରତିଷ୍ଠା ସହ ନାସ୍ନାଲ ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ୍କୁ ଆହୁରି ସୁଦୃଢ କରିବା ସହ ଏହାର ଆଉ ୫ଟି ଆଞ୍ଚଳିକ ଶାଖା ଖୋଲିବାକୁ ସ୍ଥିର କରାଯାଇଛି। ସେହିପରି କୋଭିଡ ଟିକା ପାଇଁ ୩୫ ହଜାର ୪୦୦ କୋଟି ବ୍ୟୟ ବରାଦ ରହିଛି।
ସେହିପରି ନୂଆ କୃଷି ବିଲ୍କୁ ସୁଫଳ ମିଳିବାର ସୂଚନା ଦେଇ ଅର୍ଥମନ୍ତ୍ରୀ ଏଥର ଚାଷୀ ଋଣ ବାବଦରେ ୧୬.୫ଲକ୍ଷ କୋଟିର ବ୍ୟବସ୍ଥା ହୋଇଥିବା କହିଥିଲେ। ଏଥିସହ ନ୍ୟାସନାଲ ଏଗ୍ରିକଲଚର ମାର୍କେଟ୍ରେ e-NAAM ଅନ୍ତର୍ଗତ ୧ହଜାର ଅଧିକ ମଣ୍ଡି ଖୋଲାଯିବ ବୋଲି କହିଥିଲେ। ସେହିପରି ଚଳିତ ଆର୍ଥିକ ବର୍ଷରେ ସହରାଞ୍ଚଳ ଜଳଜୀବନ ମିଶନରେ ୨.୮୭ ଲକ୍ଷ କୋଟି ଖର୍ଚ୍ଚ ହେବ ଏବଂ ଏଥିରେ ୨.୮୬ କୋଟି ଘରକୁ ସାମିଲ କରାଯିବ ବୋଲି ସୀତାରମଣ କହିଥିଲେ।
ସେହିପରି ସ଼ଡକ ମନ୍ତ୍ରଣାଳୟକୁ ୧.୧୮ ଲକ୍ଷ କୋଟି ଆବଣ୍ଟନ ହୋଇଥିବା ବେଳେ ଅତିରିକ୍ତ ୧୧,୦୦୦ କିମି NH କରିଡର୍ ନିର୍ମାଣ ପାଇଁ ଲକ୍ଷ୍ୟ ରହିଥିବା ଅର୍ଥମନ୍ତ୍ରୀ କହିଥିଲେ। ତେବେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ତାମିଲନାଡୁ, ପଶ୍ଚିମବଙ୍ଗ, ଆସାମ ଓ କେରଳରେ ଜାତୀୟ ରାଜପଥ ନିର୍ମାଣ ଲାଗି ବିପୁଳ ଅର୍ଥ ବରାଦ କରାଯାଇଛି। ତାମିଲନାଡୁ ପାଇଁ ୧.୦୩ ଲକ୍ଷ କୋଟି, କେରଳ ପାଇଁ ୬୫ ହଜାର କୋଟି, ପଶ୍ଚିମବଙ୍ଗ ଲାଗି ୨୫ ହଜାର କୋଟି ଓ ଆସାମ ପାଇଁ ୩୪ ହଜାର କୋଟିର ବ୍ୟୟବରାଦ ହୋଇଛି।
ରେଳ ମନ୍ତ୍ରଣାଳୟକୁ ୧.୭ ଲକ୍ଷ କୋଟିର ଅର୍ଥ ବରାଦ କରାଯାଇଛି। ସହରାଞ୍ଚଳରେ ପବ୍ଲିକ୍ ବସ୍ ଟ୍ରାନ୍ସପୋର୍ଟ ପାଇଁ ୧୮ ହଜାର କୋଟିର ବ୍ୟୟ ବରାଦ କରାଯାଇଛି। ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକ୍ରମେ ସ୍ୱେଚ୍ଛାକୃତ ଗା଼ଡି ସ୍କ୍ରାପିଂ ପଲିସିର ଆରମ୍ଭ ସୀତାରମଣ ଘୋଷଣା କରିଛନ୍ତି। ଯେଉଁଥିରେ ୨୦ ବର୍ଷର ପୁରୁଣା ବ୍ୟକ୍ତିଗତ ଗାଡି ଓ ୧୫ ବର୍ଷର ପୁରୁଣା ବ୍ୟାବସାୟିକ ଗା଼ଡି ସ୍କ୍ରାପିଂ ପଲିସିରେ ସାମିଲ ହେବ। ଯାହାଦ୍ୱାରା ପ୍ରଦୂଷଣ ହାର ୨୫ ପ୍ରତିଶତ ହ୍ରାସ ପାଇବ, ତୈଳ ଆମଦାନୀ କମିବ ଏବଂ ପ୍ରଦୂଷଣମୁକ୍ତ ଗାଡିର ବିକ୍ରି ବୃଦ୍ଧିରେ ସହାୟକ ହେବ ବୋଲି ନିର୍ମଳା କହିଛନ୍ତି। କ୍ଲିନ ଏୟାର ବା ସ୍ୱଚ୍ଛ ବାୟୁ ପାଇଁ ୨ ହଜାର ୨୧୭ କୋଟି ଖର୍ଚ୍ଚ କରାଯିବାକୁ ଲକ୍ଷ୍ୟ ରହିଛି।
ଏସବୁ ବ୍ୟତୀତ ଏଥର ବଜେଟ୍ରେ ଆଗାମୀ ୩ ବର୍ଷରେ ୭ଟି ଇନ୍ଭେଷ୍ଟମେଣ୍ଟ ଟେକ୍ସଟାଇଲ୍ ପାର୍କ କରାଯିବାକୁ ଘୋଷଣା ହୋଇଛି। ତାସହ ଉଜ୍ଜ୍ୱଳା ଯୋଜନାର ସଂପ୍ରସାରଣ ଅନ୍ତର୍ଗତ ୧କୋଟି ନୂଆ ହିତାଧିକାରୀଙ୍କୁ ଯୋଡ଼ାଯିବା ସହ ଆସନ୍ତା ତିନି ବର୍ଷରେ ସିଟି ଗ୍ୟାସ୍ ଡିଷ୍ଟ୍ରିବ୍ୟୁସନ୍ ନେଟ୍ଓ୍ୱର୍କରେ ଆହୁରି ଶହେ ଜିଲ୍ଲାକୁ ସାମିଲ କରାଯିବ।
ସେହିପରି ୨୦୨୨ରେ LIC ପାଇଁ IPO ଆଣିବାକୁ ସ୍ଥିର ହୋଇଥିବାବେଳେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଗୁଡ଼ିକୁ ସରକାର ୨୦ ହଜାର କୋଟି ଯୋଗାଇ ଦେବେ। ଅନ୍ୟପକ୍ଷରେ ଏବର୍ଷ ଆରମ୍ଭ ହେବାକୁ ଥିବା ଡିଜିଟାଲ୍ ଜନଗଣନା ଲାଗି ଚଳିତ ବଜେଟ୍ରେ ଅର୍ଥମନ୍ତ୍ରୀ ୩ ହଜାର ୭୬୮ କୋଟିର ବ୍ୟୟବରାଦ କରିଛନ୍ତି। ତେବେ ସବୁଥର ଭଳି ବହି-ଖାତା ବଦଳରେ ଏଥର ଟ୍ୟାବ୍ରେ ବଜେଟ ଉପସ୍ଥାପନ ସହ ପ୍ରଥମ ଥର ଲାଗି ସରକାର ଏହାକୁ ପେପରଲେସ କରିଛନ୍ତି।
ସେହିପରି ଲେହରେ ଏକ ସେଣ୍ଟ୍ରାଲ ୟୁନିଭର୍ସିଟି ସ୍ଥାପନ ସହ ଦେଶର ବିଭିନ୍ନ ପ୍ରାନ୍ତର ଆଦିବାସୀ ଅଞ୍ଚଳରେ ୭୫୦ ଏକଲବ୍ୟ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ହୋଇଥିବା ସୀତାରମଣ ଘୋଷଣା କରିଛନ୍ତି। ବଜେଟ୍ରେ ଶିକ୍ଷାକୁ ଅର୍ଥମନ୍ତ୍ରୀ ବେଶ୍ ଗୁରୁତ୍ୱ ଦେଇଥିବା କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ୍ ନିଶଙ୍କ କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/atma-nirvar-bharat_1626331045.jpg)