/odishatv-khabar/media/post_attachments/uploadimage/library/16_9/16_9_0/Untitled-1_1625487768.jpg)
Untitled-1
ବେଙ୍ଗାଲୁରୁ: କରୋନାଭାଇରସ୍ ଲକଡାଉନ୍ ଯୋଗୁ ସାରା ଦେଶରେ ସ୍କୁଲ ଓ କଲେଜ୍ ମାସ ମାସ ଧରି ବନ୍ଦ ରହିଛି। ଏଭଳି ସ୍ଥିତିରେ ପିଲାଙ୍କର ପାଠପଢ଼ା ଟିଭି ଏବଂ ଅନଲାଇନ୍ କ୍ଲାସ୍ ମାଧ୍ୟମରେ ହେଉଛି। ଅନଲାଇନ୍ କ୍ଲାସ୍ ପାଇଁ ଅତ୍ୟାଧୁନିକ ଟିଭି ଓ ମୋଇବାଲର ଆବଶ୍ୟକତା ରହିଛି। ଯେଉଁମାନଙ୍କ ପାଖରେ ଏସବୁ ନାହିଁ, ସେମାନଙ୍କୁ ପାଠପଢ଼ାରେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ୁଛି। କିନ୍ତୁ ଜଣେ ମା' ନିଜ ପିଲାମାନଙ୍କର ପାଠପଢ଼ା ପାଇଁ ଏମିତି କାମ କରିଛନ୍ତି, ଯେଉଁଥି ପାଇଁ ତାଙ୍କୁ ଯେତେ ପ୍ରଶଂସା କରାଗଲେ ବି କମ୍ ହେବ।
ସେହି ଗରିବ ମା' ଜଣକ ନିଜ ପିଲାମାନଙ୍କର ପାଠପଢ଼ା ପାଇଁ ନିଜର ମଙ୍ଗଳସୂତ୍ରକୁ ବନ୍ଧକ ରଖିବାକୁ ବାଧ୍ୟ ହୋଇଛନ୍ତି। ମଙ୍ଗଳସୂତ୍ର ବନ୍ଧକ ରଖି ସେଥିରୁ ମିଳିଥିବା ଟଙ୍କାରୁ ମହିଳା ଜଣକ ନିଜ ପିଲାଙ୍କ ପାଇଁ ଟିଭି କିଣିଛନ୍ତି। କର୍ଣ୍ଣାଟକର ଗଡକ ଜିଲ୍ଲାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଗଡଗର ନାଗାନୁର ଗାଁରେ ରହୁଥିବା କସ୍ତୁରୀ ଚଲାବନୀ ନିଜର ପିଲାଙ୍କ ପାଠପଢ଼ା ପାଇଁ ଏକ ଟିଭି କିଣିବାକୁ ଚାହୁଁଥିଲେ, ଏଥିପାଇଁ ସେ ନିଜର ୧୨ ଗ୍ରାମ ସୁନା ବିଶିଷ୍ଟ ମଙ୍ଗଳସୂତ୍ରକୁ ବନ୍ଧକ ରଖିଛନ୍ତି। ପିଲାମାନେ ଯେପରି ଦୂରଦର୍ଶନରେ ପ୍ରସାରିତ ଅନଲାଇନ୍ କ୍ଲାସକୁ ଦେଖି ପାଠ ପଢ଼ିପାରିବେ, ସେଥିପାଇଁ ମହିଳା ଜଣକ ଏଭଳି କାମ କରିଛନ୍ତି।
ଯେତେବେଳେ ଏହି ଖବର ସ୍ଥାନୀୟ ତହସିଲଦାରଙ୍କ କାନରେ ପଡ଼ିଲା, ସେ ଏହାର ତଦନ୍ତ କରିବା ପାଇଁ ଅଧିକାରୀଙ୍କୁ ସେହି ଗାଁକୁ ପଠାଇଥିଲେ। ମାମଲା ବଢ଼ୁଥିବାର ଦେଖି ଯେଉଁ ବ୍ୟକ୍ତି ମଙ୍ଗଳସୂତ୍ର ବନ୍ଧକ ରଖିଥିଲା, ସେ ଏହାକୁ ଫେରାଇବା ରାଜି ହୋଇଗଲା। ଏପରିକି ସେ ମହିଳା ଜଣଙ୍କୁ କହିଲେ ଯେ ଯେତେବେଳେ ତୁମେ ଟଙ୍କା ଫେରନ୍ତ କରିବାକୁ ସକ୍ଷମ ହେବ, ସେତେବେଳେ ଫେରାଇବ।
ମାମଲା ସାମ୍ନାକୁ ଆସିବା ପରେ ସ୍ଥାନୀୟ ଲୋକେ ମହିଳାଙ୍କୁ ଟିଭି କିଣିବା ପାଇଁ ଟଙ୍କା ଯୋଗାଡ଼ କରିଥିଲେ। ଏପରିକି ସ୍ଥାନୀୟ କଂଗ୍ରେସ ବିଧାୟକ ଜମୀର ଅହମ୍ମଦ ୫୦ହଜାର ଟଙ୍କା ଏବଂ ରାଜ୍ୟ ମନ୍ତ୍ରୀ ସିପି ପାଟିଲ୍ ୨୦ହଜାର ଟଙ୍କା ଦାନ କରିଥିଲେ। ବିଧାୟକ ଓ ମନ୍ତ୍ରୀଙ୍କଠାରୁ ସହାୟତା ମିଳିବା ପରେ ଏବେ ପୂରା ପରିବାର ବହୁତ ଖୁସି ହୋଇଛନ୍ତି।
ଏ ନେଇ କସ୍ତୁରୀ କହିଛନ୍ତି, ଏବେ ମୋ ପିଲା ଦୂରଦର୍ଶନ ଦେଖି ପାଠ ପଢ଼ୁଛନ୍ତି। ଆମ ପାଖରେ ଟିଭି ନଥିବାରୁ ମୋ ପିଲାମାନେ ଅନ୍ୟମାନଙ୍କ ଘରକୁ ଯାଇ ପାଠ ପଢ଼ୁଥିଲେ। ଟିଭି ଦେଖି ପାଠପଢ଼ିବାକୁ ସ୍କୁଲ ଶିକ୍ଷକ କହିଥିଲେ। ଯେହେତୁ ଆମ ଘରେ ଟିଭି ନଥିଲା, ତେଣୁ ମୋ ପିଲାମାନଙ୍କର ଭବିଷ୍ୟତ ଅନ୍ଧକାରକୁ ଚାଲିଯିବ ବୋଲି ଲାଗିଲା। ଅନ୍ୟପକ୍ଷରେ ଟିଭି କିଣିବା ପାଇଁ ମୋତେ କେହିବି କରଜ ଦେଲେ ନାହିଁ। ତେଣୁ ମୁଁ ଭାବିଲି ମୋ ମଙ୍ଗଳସୂତ୍ରକୁ ବନ୍ଧକ ରଖି ଟିଭି କିଣିବି।
ସୂଚନାଯୋଗ୍ୟ, ଉକ୍ତ ମହିଳାଙ୍କ ସ୍ୱାମୀ ମୁତାପ୍ପା ଜଣେ ଦିନ ମଜୁରିଆ। କରୋନା କାରଣରୁ ତାଙ୍କୁ ବର୍ତ୍ତମାନ କୌଣସି କାମ ମିଳୁନାହିଁ। ତାଙ୍କର ଦୁଇଜଣ ପିଲା ଯଥାକ୍ରମେ ସପ୍ତମ ଓ ନବମ ଶ୍ରେଣୀରେ ଅଧ୍ୟୟନ କରୁଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)