hath-rash
ଲକ୍ଷ୍ନୌ: ହାଥରସର ୧୯ ବର୍ଷୀୟା ଦଳିତ ଯୁବତୀ ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇଥିବା ୪ ଅଭିଯୁକ୍ତଙ୍କ ସପକ୍ଷରେ ପଞ୍ଚାୟତ ବସାଇଲେ ଉଚ୍ଚ ବର୍ଗର ଲୋକେ। ଦୁଷ୍କର୍ମ ଅଭିଯୋଗରେ ଗିରଫ ଓ ପୋଲିସ କଷ୍ଟୁଡିରେ ଥିବା ଅଭିଯୁକ୍ତଙ୍କ ପାଇଁ ନ୍ୟାୟ ଦାବି କରି ଶୁକ୍ରବାର ଏମାନେ ଧାରଣା ପ୍ରଦର୍ଶନ କରିଛନ୍ତି। ରାଜ୍ୟ ସରକାର ଗଠନ କରିଥିବା ଏସ୍ଆଇଟି ଟିମ୍ ପକ୍ଷପାତ ନ କରି ଏହାର ସଠିକ୍ ତଦନ୍ତ କରିବା ପାଇଁ ସେମାନେ ଦାବି କରିଛନ୍ତି। ଜଣେ ଧାରଣାକାରୀ କହିଛନ୍ତି, ଯଦି ଏହି ୪ ଜଣ ଦୋଷୀ ସାବ୍ୟସ୍ତ ହେବେ, ତେବେ ସେମାନଙ୍କୁ ଦଣ୍ଡ ମିଳିବା ଦରକାର। ନିର୍ଦ୍ଦୋଷୀ ଦଣ୍ଡ ନ ପାଉ ଓ ଦୋଷୀଙ୍କୁ ଛଡ଼ା ନ ଯାଉ ବୋଲି ସେ କହିଛନ୍ତି।
ପୀଡ଼ିତାଙ୍କ ଘର ଠାରୁ ମାତ୍ର ୫ କିମି ଦୂର ବୋଲଗାଡି ଗାଁରେ ଏହି ପଞ୍ଚାୟତ ବସିଥିଲା। ଏଥିରେ ସାମିଲ ହୋଇଥିବା ସମସ୍ତ ସଦସ୍ୟ ଗିରଫ ଅଭିଯୁକ୍ତଙ୍କ ସପକ୍ଷରେ ଥିବା କୁହାଯାଉଛି। କିଛି ରାଜନୈତିକ ଦଳ ନିଜର ସ୍ୱାର୍ଥ ପାଇଁ ଏହି ଘଟଣାକୁ ରାଜନୀତିକରଣ କରୁଛନ୍ତି। ଯଦି ପୀଡ଼ିତାଙ୍କ ଭାଇ ଓ ମା'ଙ୍କୁ ପ୍ରଶ୍ନ ପଚରାଯାଏ, ତେବେ ସତ ପଦାକୁ ଆସିବ ବୋଲି ପଞ୍ଚାୟତ କହିଛି। ରାଜନେତାମାନେ ଘଟଣାକୁ ଓଲଟପାଲଟ କରୁଛନ୍ତି, ପୋଲିସ ଠିକ୍ ଯାଞ୍ଚ କରୁଛି। ଘଟଣାରେ ସିବିଆଇ ତଦନ୍ତ ହେବା ଦରକାର ବୋଲି ପଞ୍ଚୟତ ବୈଠକର ଜଣେ ସଦସ୍ୟ କହିଛନ୍ତି। ଅନ୍ୟପଟେ ବାଲମିକି ସମ୍ପ୍ରଦାୟର ଲୋକେ ପୀଡ଼ିତାଙ୍କୁ ନ୍ୟାୟ ଦେବା ପାଇଁ ଉତ୍ତର ପ୍ରଦେଶର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
ଗତକାଲି ଉତ୍ତରପ୍ରଦେଶ ଏଡିଜି(ଲ’ ଆଣ୍ଡ ଅର୍ଡର) ପ୍ରଶାନ୍ତ କୁମାର ପୀଡ଼ିତାଙ୍କ ଫୋରେନ୍ସିକ ରିପୋର୍ଟ ଓ ଶବବ୍ୟବଚ୍ଛେଦ ରିପୋର୍ଟର ସୂଚନା ଦେଇଥିଲେ। ରିପୋର୍ଟ ଅନୁସାରେ, ପୀଡ଼ିତାଙ୍କୁ ଦୁଷ୍କର୍ମ କରାଯାଇ ନାହିଁ, ଏହା ଏକ ସୁପରିକଳ୍ପିତ ଷଡ଼ଯନ୍ତ୍ର ବୋଲି ସେ କହିଥିଲେ। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟରେ ପୀଡ଼ିତାଙ୍କ ମେରୁଦଣ୍ଡରେ ଆଘାତ ଲାଗିବା ସହିତ ଗଳାରେ କିଛି ଚିହ୍ନ ଥିବା କୁହାଯାଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/hath-rash_1625276868.jpg)