/odishatv-khabar/media/post_attachments/uploadimage/library/16_9/16_9_0/collage-30_1626176742.jpg)
godda
ଗୋଡ୍ଡା : ମହଙ୍ଗା ପଡ଼ିଲା ଫେସବୁକ୍ ପ୍ରେମ । ପ୍ରେମିକ ସହ ସଂସାର ଗଢ଼ିବାର ସ୍ୱପ୍ନ ନେଇ ମା’ବାପାକୁ ପର କରିଆସିଥିଲେ ଯୁବତୀ । ହେଲେ ପ୍ରେମିକାକୁ ଦେଖିବା ମାତ୍ରେ ବିଧା ଗୋଇଠା ବର୍ଷାଇଲା ପ୍ରେମିକ । ଝାଡ଼ଖଣ୍ଡ ଗୋଡ୍ଡାର ରାଜରାସ୍ତାରେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଫେସବୁକ ଜରିଆରେ ପ୍ରେମ ହେବା ପରେ ପ୍ରେମିକକୁ ଦେଖାକରିବା ପାଇଁ ସବୁଦିନ ପାଇଁ ନିଜ ଘର ଛାଡ଼ି ପଳାଇ ଆସିଥିଲା ପ୍ରେମିକର ସହରକୁ । କିନ୍ତୁ ସଠାରେ ପହଞ୍ଚିବା ପରେ ପାଦ ତଳୁ ଯୁବତୀଙ୍କ ମାଟି ଖସିଗଲା । ବିଚ୍ ରାସ୍ତାରେ ନିଜ ପ୍ରେମର ଦ୍ୱାହି ଦେଉଥିବା ଯୁବତୀଙ୍କୁ ନିର୍ଦ୍ଧୁମ ମାଡ଼ ମାରି ଚାଲିଥିଲା ଅଭିଯୁକ୍ତ ପ୍ରେମିକ ଅଭିଷେକ କୁମାର । କେବଳ ଯେ ମାଡ଼ ମାରିଛି, ତା’ ନୁହଁ ପ୍ରେମିକା ଠାରୁ ନଗଦ ଦେଢ଼ ଲକ୍ଷ ଟଙ୍କା ସୁନାଗହଣା ନେଇ ଚମ୍ପଟ ମାରିଛି ।
ଯୁବତୀଙ୍କ ଘର ଝାଡ଼ଖଣ୍ଡ ସିମଡେଗାରେ ହୋଇଥିବା ବେଳେ ସେ ମୁମ୍ବାଇରେ ଚାକିରି କରନ୍ତି । ପ୍ରେମ ପାଇଁ ସୁଦୂର ମୁମ୍ବାଇରୁ ଝାଡ଼ଖଣ୍ଡ ଆସିଥିଲେ ଯୁବତୀ । ପ୍ରେମିକକୁ ବିବାହ କରି ସୁଖଦୁଃଖର ସଂସାର ଗଢ଼ିବେ ବୋଲି କେତେ ଆଶା ନେଇ ଧାଇଁ ଆସିଥିଲେ । ନୂଆ ପରିବାର ପାଇ ବାକି ଜୀବନ ହସଖୁସିରେ କଟିବ । ତିନି ବର୍ଷ ପୂର୍ବେ ଫେସବୁକରେ ଏକ ଲାଇକରୁ ଉଭୟଙ୍କ ମଧ୍ୟରେ ବନ୍ଧୁତା ଆରମ୍ଭ ହୋଇଥିଲା । ଆଉ ତା’ପରେ ନମ୍ବର ଦିଆନିଆ, ପରେ ତାହା ପ୍ରେମରେ ପରିଣତ ହୋଇଥିଲା । ତେବେ ଯୁବତୀ ଜଣକ ଜୀବନ ଦେଇ ଭଲପାଉଥିବା ବେଳେ ପ୍ରେମିକ, ପ୍ରେମିକାର ଚାକିରି ଓ ଟଙ୍କା ଉପରେ ଆଖି ରଖିଥିଲା । ଫେସବୁକ ପ୍ରେମିକାକୁ ପ୍ରେମ ଜାଲରେ ଛନ୍ଦି ଟଙ୍କା ଆଦାୟ କରିବା ପାଇଁ ଚାହୁଁଥିଲା । ତେବେ ପ୍ରେମିକର ଚାଲ ବିଷୟରେ ଅଜଣା ଥିଲେ ନିରୀହ ଯୁବତୀ ।
ଏହାରି ଭିତରେ ପ୍ରେମିକା ଠାରୁ ଟଙ୍କା ପାଇବା ଲୋଭରେ ମୁମ୍ବାଇ ପହଞ୍ଚି ଯାଇଥିଲା ଧୋକ୍କାବାଜ ପ୍ରେମିକ । ଆଉ ସେଠାରେ ଉଭୟେ ଜନ୍ମ ଜନ୍ମର ସାଥି ହେବା ପାଇଁ କଥା ଦିଆନିଆ ହୋଇଥିଲେ । କିଛି ଦିନ ମାୟାନଗରୀ ମୁମ୍ବାଇରେ କଟାଇବା ପରେ ବିବାହ କରିବା ପାଇଁ କହିଥିଲେ ଯୁବତୀ । ଏଥିମଧ୍ୟରେ ଯୁବତୀ ଜଣକ ନିଜ କଷ୍ଟଅର୍ଜିତ ଟଙ୍କାରେ ପ୍ରେମିକକୁ ଏକ ବାଇକ୍ କିଣି ଉପହାର ମଧ୍ୟ ଦେଇଥିଲେ । ତେବ ବିବାହ କରିବା ପାଇଁ ଗତ ଶୁକ୍ରବାର ଦିନ ଯୁବତୀ ମୁମ୍ବାଇରୁ ଆସି ପାଟଣା ପହଞ୍ଚିଥିଲେ । ଆଉ ତା’ରେ ଝାଡ଼ଖଣ୍ଡ ପହଞ୍ଚିବା ପରେ ପ୍ରେମିକର ଅସଲ ରୂପ ଜଣାପଡ଼ିଥିଲା । ଫେସବୁକରେ ହୋଇଥିବା ପ୍ରେମିକାକୁ ଖୁସିରେ ସ୍ୱାଗତ କରିବା ପରିବର୍ତ୍ତେ ତାଙ୍କୁ ଉପରେ ଗୋଇଠା, ଥାପଡ଼, ମୁଥ ବର୍ଷା କରିଥିଲା ପ୍ରେମିକ । ଯୁବତୀ ଜଣକ ଯୁବକଙ୍କ ସହ ଯିବାପାଇଁ ଆକୁଳ ନିବେଦନ କରୁଥିଲେ । କିନ୍ତୁ ଅଭିଯୁକ୍ତ ପ୍ରେମିକ ମନରେ ଟିକିଏ ବି ଦୟା ନଥିଲା । ବିଚ୍ ରାସ୍ତାରେ ଯୁବତୀଙ୍କୁ ମାରି ଚାଲିଥିଲା ।
ଆଉ ଏହି ସମୟରେ ସେହି ରାସ୍ତା ଦେଇ ଯାଉଥିବା ଲୋକେ ଯୁବତୀଙ୍କୁ ରକ୍ଷା କରିଥିଲେ । ତେବେ ଅଭିଯୁକ୍ତ ଅଭିଷେକ ଏହା ସ୍ୱାମୀ ସ୍ତ୍ରୀଙ୍କ ବ୍ୟକ୍ତିଗତ ମାମଲା କହି ଲୋକକୁ ଯିବାକୁ କହିଥିଲା । ତେବେ କିଛି ଲୋକଙ୍କର ସନ୍ଦେହ ହେବାରୁ ସେମାନେ ପୋଲିସକୁ ଫୋନ୍ କରିଥିଲେ । ସେପଟେ ପୋଲିସ ଆସିବା ପୂର୍ବରୁ ଘଟଣାସ୍ଥଳରୁ ଫେରାର ମାଲିଥିଲା ଅଭିଯୁକ୍ତ ।
ଖବର ପାଇଁ ଗୋଡ୍ଡା ନଗର ଥାନାର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରି ଥାନା ନେଇଯାଇଥିଲା । ଆଉ ଯୁବତୀଙ୍କ ବୟାନ ଆଧାରରେ ଫେରାର ଅଭିଯୁକ୍ତ ଅଭିଷେକକୁ କିଛି ଘଣ୍ଟା ମଧ୍ୟରେ ଗିରଫ କରାଯାଇଛି । ଏହାସହ ଅଭିଯୁକ୍ତ ପ୍ରେମିକ ଠାରୁ ନଗଦ ଦେଢ଼ ଲକ୍ଷ ଟଙ୍କା ଓ ସମସ୍ତ ସୁନା ଗହଣ ଜବତ କରିଛି । ଯୁବତୀଙ୍କ ଅଭିଯୋଗ ଆଧାରରେ ଏବେ ଥାନାରେ ମାମଲା ରୁଜୁ କରାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)