/odishatv-khabar/media/post_attachments/uploadimage/library/16_9/16_9_0/VOTING_1626175309.jpg)
VOTING
ପଶ୍ଚିମବଙ୍ଗ ଓ ଆସାମ ବିଧାନସଭା ନିର୍ବାଚନରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଜାରି ରହିଛି । ପଶ୍ଚିମବଙ୍ଗରେ ସକାଳ ୯ଟା ୩୦ ସୁଦ୍ଧା ୧୪.୩ ପ୍ରତିଶତ ମତଦାନ ହୋଇଛି ବୋଲି ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ମତଦାନ ବେଳେ କେତେକ ସ୍ଥାନରେ ସାମାନ୍ୟ ହିଂସା ଦେଖିବାକୁ ମିଳିଛି । ଭୋଟିଂ ବେଳେ ପୂର୍ବ ମେଦିନିପୁର ଜିଲ୍ଲାର ଭଗବାନପୁର ନିର୍ବାଚନମଣ୍ଡଳୀ ସତସତମଲ ବୁଥରେ ହିଂସାକାଣ୍ଡ ହୋଇଛି । ମତଦାନ ବେଳେ ଗୁଳିକାଣ୍ଡ ହେବାରୁ ୨ ଜଣ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି । ତୃଣମୂଳ କଂଗ୍ରେସ ସମର୍ଥକମାନେ ବୁଥରେ ଆତଙ୍କରାଜ ଚଳାଇଥିବା ଅଭିଯୋଗ କରିଛନ୍ତି ।
ପୂର୍ବ ମେଦିନିପୁର ଜିଲ୍ଲା ବିଜେପି ସଭାପତି ଅନୁପ ଚକ୍ରବର୍ତ୍ତୀ ଏପରିକି କେତେକ ବୁଥରେ ଟିଏମସି ସମର୍ଥକ ମାସ୍କ ଓ ସାନିଟାଇଜର ଦେବା ନାଁରେ ଭୋଟରଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଥିବା ବିଜେପି ନେତା ଅଭିଯୋଗ କରିଛନ୍ତି । ଏନେଇ ବିଜେପିର ଏକ ପ୍ରତିନିଧି ଦଳ ମଧ୍ୟାହ୍ନରେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିବେ ବୋଲି ସୂଚନା ଦେଇଛନ୍ତି। ଅନ୍ୟ ପକ୍ଷରେ ଶାଳବଣି ଗରଭେଟା ଆସନର ଟିଏମସି ପ୍ରାର୍ଥୀ ସୁଶାନ୍ତ ଘୋଷଙ୍କୁ ରାସ୍ତାରେ ଗୋଡ଼ା ଗୋଡ଼ାଇ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ପଶ୍ଚିମବଙ୍ଗର ଆଜି ୩୦ଟି ଆସନରେ ୨୧ ଜଣ ମହିଳାଙ୍କ ସମେତ ୧୯୧ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେଉଛି । ପୁରୁଲିଆ ଜିଲ୍ଲାର ୯ଟି, ପୂର୍ବ ମେଦିନିପୁର ଜିଲ୍ଲାର ୭, ପଶ୍ଚିମ ମେଦିନିପୁର ଜିଲ୍ଲାର ୬, ଝାରଗ୍ରାମ ଓ ବାଙ୍କୁରା ଜିଲ୍ଲାରୁ ୪ଟି ଲେଖାଏ ଆସନରେ ପାଇଁ ମତଦାନ ହେଉଛି ।
ସେହିପରି ଆସାମରେ ଆଜି ସକାଳ ୯ଟା ୩୦ ସୁଦ୍ଧା ୧୦ ଦଶମିକ ୨ ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି । ମୋଟ୍ ୧୨୬ଟି ଆସନ ମଧ୍ୟରୁ ଆଜି ୪୭ଟି ଆସନରେ ମତଦାନ ହେଉଛି । ନିର୍ବାଚନ ମଇଦାନରେ ୨୬୪ଜଣ ପ୍ରାର୍ଥୀ ଅଛନ୍ତି । ମତଦାନକୁ ସୁରୁଖୁରୁରେ କରିବା ପାଇଁ ୧୨ଟି ଜିଲ୍ଲାରେ ୧୧ ହଜାର ୫୩୭ଟି ବୁଥ୍ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ସୋନିତପୁର, ବିଶ୍ୱନାଥ, ନଗା, ଗୋଲଘାଟ, ଜୋରହାଟ, ମଜୁଲି, ଶିବସାଗର, ଚରାଇଦେଓ, ଲକ୍ଷିମପୁର, ଧେମାଜି, ଦିବ୍ରୁଗଡ଼ ଓ ତିନିସୁକିଆ ଜିଲ୍ଲାରେ ମତଦାନ ହେଉଛି । ସୁରକ୍ଷା ପାଇଁ ଉପଯୁକ୍ତ ପରିମାଣର ସିଏପିଏଫ୍ ଯବାନ ମୁତୟନ କରାଯାଇଛି । କରୋନା କଟକଣାକୁ ଦୃଷ୍ଟିରେ ରଖି ବୁଥ୍ ସଂଖ୍ୟାକୁ ବଢ଼ାଇ ଦିଆଯାଇଛି । ଗୋଟିଏ ବୁଥରେ ସର୍ବାଧିକ ଏକ ହଜାର ଭୋଟର ଭୋଟ୍ ଦେବାକୁ ବ୍ୟବସ୍ଥା ହୋଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)