vijay-mallya-nirav-modi-mehul-choksi-1624430475
ନୂଆଦିଲ୍ଲୀ: ମାଲ୍ୟା, ନିରବ ମୋଦି ଓ ଚୋକସିଙ୍କ ଠାରୁ ଜବତ ୯ ହଜାର କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ବ୍ୟାଙ୍କକୁ ହସ୍ତାନ୍ତର କରିଛି ଇଡି । ବିଭିନ୍ନ ବ୍ୟାଙ୍କକୁ ୩ ଜଣ ଯାକ ଠକିଥିବା ଅର୍ଥର ଏହା ୪୧ ପ୍ରତିଶତ ବୋଲି କୁହାଯାଇଛି । ଏନଫୋର୍ସମେଣ୍ଟ ଡିରେକ୍ଟୋରେଟ୍ ପକ୍ଷରୁ ଟ୍ୱିଟ୍ କରି ଦିଇାଯାଇଥିବା ସୂଚନା ଅନୁସାରେ, ପଳାତକ ଘୋଷିତ ବିଜୟ ମାଲ୍ୟା, ନିରବ ମୋଦି ଏବଂ ମେହୁଲ ଚୋକସି ବିଭିନ୍ନ ବ୍ୟାଙ୍କକୁ ପ୍ରାୟ ୨୨ ହଜାର ୫୮୫ କୋଟିରୁ ଅଧିକ ଟଙ୍କା ଠକିଛନ୍ତି । ତାହା ମଧ୍ୟରୁ ୧୮ ହଜାର ୧୭୦ କୋଟି ଟଙ୍କାର ସମ୍ପତ୍ତି ଜବତ କରାଯାଇଛି । ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟରେ ୩ ଜଣଙ୍କ ଠାରୁ ସିଜ୍ ହୋଇଥିବା ଏହି ସମ୍ପତି ମଧ୍ୟରୁ ୯ ହଜାର ୩୭୧ କୋଟି ଟଙ୍କାର ସମ୍ପତ୍ତି ବିଭିନ୍ନ ବ୍ୟାଙ୍କକୁ ହସ୍ତାନ୍ତର କରାଯାଇଛି । ତେବେ ଆଗକୁ ଏଭଳି ଟଙ୍କା ଫେରସ୍ତ ଜାରି ରହିବ ବୋଲି ବିଭାଗ ପକ୍ଷରୁ କୁହାଯାଉଛି ।
ତେବେ ଗତ କିଛି ଦିନ ହେବ ମେହୁଲ ଚୋକ୍ସି ଚର୍ଚ୍ଚାରେ ରହିଛନ୍ତି । ନିଜ ଗାର୍ଲଫ୍ରେଣ୍ଡ ସହ ରୋମାଣ୍ଟିକ୍ ଡେଟ୍ରେ ଯାଇଥିବା ବେଳେ ସେ ଧରାପଡ଼ିଥିଲେ । ଡୋମିନିକା ପୋଲିସ ତାଙ୍କୁ ଗିରଫ କରିଥିଲା । ସେ ଆଣ୍ଟିଗୁଆର ନାଗରିକତ୍ୱ ନେଇ ସେଠାରେ ବସବାସ କରି ଆସୁଥିଲେ । ତେବେ ଗାର୍ଲ ଫ୍ରେଣ୍ଡ ସହ ଡେଟ୍ରେ ଯାଇ ଧରାପଡ଼ିଛନ୍ତି । ତାଙ୍କୁ ଭାରତ ଫେରାଇ ଆଣିବା ପାଇଁ ଏକ ସ୍ୱତନ୍ତ୍ର ଟିମ୍ ଡୋମିନିକା ଯାଇଛି ।
ତେବେ ମେହୁଲ ଚୋକ୍ସୀ ଡୋମିନିକାରେ ଗିରଫ ହେବା ପରେ ଜାମିନ ପାଇଁ ଆବେଦନ କରିଥିଲେ ମଧ୍ୟ ସେଥିରେ ବିଫଳ ହୋଇଚନ୍ତି । ଡୋମିନିକା କୋର୍ଟ ତାଙ୍କ ଜାମିନ ଖାରଜ କରି ଦେଇଛନ୍ତି ।
ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କର ଋଣ ଖିଲାପକାରୀ ହିରା ବ୍ୟବସାୟୀ ନୀରବ ମୋଦି ଓ ମେହୁଲ ଚୋକ୍ସିଙ୍କ ବିରୋଧରେ ୨୦୧୮ରେ ଜାମିନ ବିହୀନ ଗିରଫ ପରୱାନା(ଏନ୍ବିଡବ୍ଲ୍ୟୁ) ଜାରି ହୋଇଥିଲା । ସିବିଆଇର ଏହି ଆବେଦନକୁ ମୁମ୍ବାଇରେ ସ୍ୱତନ୍ତ୍ର ସିବିଆଇ ଅଦାଲତ୍ ମଞ୍ଜୁର କରିବା ପରେ ଉଭୟଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି ହୋଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/vijay-mallya-nirav-modi-mehul-choksi-1624430475_1624505157.jpg)