/odishatv-khabar/media/post_attachments/uploadimage/library/16_9/16_9_0/supreme-court_1622264951.jpg)
supreme-court
ନୂଆଦିଲ୍ଲୀ : ସ୍ୱାମୀଙ୍କ ସମ୍ପର୍କୀୟଙ୍କୁ ବିନା କାରଣରେ ଫସାଇବା ଉଚିତ ନୁହେଁ । ଯୌତୁକ ହତ୍ୟା ମାମଲାରେ ଅଭିଯୁକ୍ତଙ୍କ ବୟାନ୍ ରେକର୍ଡ କରୁଥିବାବେଳେ ଅନେକ ସମୟରେ ଟ୍ରାଏଲ କୋର୍ଟ ଦ୍ୱାରା ଗମ୍ଭୀରତା ନଦେଖାଇବା ନେଇ ଚିନ୍ତା ପ୍ରକଟ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ବେଳେବେଳେ ସ୍ୱାମୀଙ୍କ ପରିବାର ସଦସ୍ୟ ଏପରି ମାମଲାରେ ଅନାବଶ୍ୟକ ଭାବରେ ଟାଣି ହୋଇଆସନ୍ତି । ଏହାସହ ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି, ଯୌତୁକ ହତ୍ୟା ମାମଲାର ଯାଞ୍ଚ ବେଳେ ବୋହୂକୁ ଜାଳିଦେବା ଏବଂ ଯୌତୁକ ଦାବି କରିବା ଭଳି ସାମାଜିକ ଅପବ୍ୟବହାରକୁ ରୋକିବା ପାଇଁ ଆଇନଗତ ଉଦ୍ଦେଶ୍ୟକୁ ବିଚାରକୁ ନିଆଯିବା ଉଚିତ୍ ।
ପ୍ରଧାନ ବିଚାରପତି ଏନ.ଭି ରମଣ ଏବଂ ଜଷ୍ଟିସ ଅନିରୁଦ୍ଧ ବୋଷଙ୍କ ଏକ ଖଣ୍ଡପୀଠ କହିଛନ୍ତି, ଦଣ୍ଡ ପ୍ରକ୍ରିୟା ସଂହିତାର ଧାରା -୩୧୩ ଅନୁଯାୟୀ ଅନେକ ଥର ଅଭିଯୁକ୍ତକୁ ପଚରାଉଚରା ନକରି ବୟାନ୍ ରେକର୍ଡ କରାଯାଏ । ଏକ ଯୌତୁକ ହତ୍ୟା ମାମଲାର ଶୁଣାଣି ସମୟରେ ଏପରି କହିଛନ୍ତି ଶୀର୍ଷ ଅଦାତଲ । ସୁପ୍ରିମକୋର୍ଟ ଅଭିଯୁକ୍ତ ସ୍ୱାମୀ ସତବୀର ସିଂ ଏବଂ ଶାଶୁ ଘର ଲୋକଙ୍କୁ ଆତ୍ମହତ୍ୟା ପାଇଁ ଉସକାଇବା (ଧାରା ୩୦୬) ଅପରାଧରେ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । କିନ୍ତୁ ଧାରା ୩୦୪ ବି ଯୌତୁକ ଅପରାଧରେ ସତବୀର ସିଂଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଏହାପୂର୍ବରୁ ହରିୟାଣାର ଟ୍ରାଏଲ୍ କୋର୍ଟ ଓ ହରିୟାଣାର ଏବଂ ପଞ୍ଜାବର ହାଇକୋର୍ଟ ସମସ୍ତଙ୍କୁ ଧାରା ୩୦୪ ବି ଏବଂ ଧାରା ୩୦୬ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରିଥିଲେ । ଜୁଲାଇ ୧୯୯୪ରେ ବିବାହ କରିଥିଲେ ସତବୀର ସିଂ ଏବଂ ଜୁଲାଇ ୧୯୯୫ରେ ପତ୍ନୀ ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିଥିଲେ ।
ଧାରା ୩୧୩ ଅନୁଯାୟୀ ଦାଖଲ ହେଉଥିବା ଅଭିଯୁକ୍ତଙ୍କ ବୟାନକୁ କେବଳ ପ୍ରକ୍ରିୟାଗତ ଔପଚାରିକତା ଭାବରେ ବିବେଚନା କରାଯିବା ଉଚିତ ନୁହେଁ ବୋଲି ସୁପ୍ରିମକୋର୍ଟ ତାଙ୍କ ରାୟରେ କହିଛନ୍ତି । ଧାରା -୩୩୧ ଅନୁସାରେ ଅଭିଯୁକ୍ତଙ୍କୁ ତାଙ୍କ ବିରୋଧରେ ସଂଗ୍ରହ ହୋଇଥିବା ଆପତ୍ତିଜନକ ତଥ୍ୟ ଉପରେ ସ୍ପଷ୍ଟୀକରଣ ଦେବାର ଅଧିକାର ପ୍ରଦାନ କରେ । ତେଣୁ କୋର୍ଟ ଅଭିଯୁକ୍ତଙ୍କୁ ନିରପେକ୍ଷତା ଏବଂ ସତର୍କତାର ସହିତ ପ୍ରଶ୍ନ କରିବା ଉଚିତ୍।
ଯୌତୁକ ହତ୍ୟା ସଙ୍କଟ ସମ୍ପର୍କରେ ସମସ୍ତେ ଅବଗତ । ଦେଶରେ ଦିନକୁ ଦିନ ଯୌତୁକ ହତ୍ୟା ମାମଲା ବଢ଼ି ବଢ଼ି ଚାଲିଛି । ସୁପ୍ରିମକୋର୍ଟ କହିଛନ୍ତି, ବେଳେ ବେଳେ ସ୍ୱାମୀଙ୍କ ପରିବାରର ସେହି ଲୋକମାନେ ଫସି ଯାଆନ୍ତି, ଯେଉଁମାନେ ଏପରି ଅପରାଧରେ ସକ୍ରିୟ ନଥାନ୍ତି । ଏପରିସ୍ଥଳେ ଅଦାଲତ ସତର୍କତା ଅବଲମ୍ବନ କରବା ଉଚିତ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)