Greta-Thunberg
ନୂଆଦିଲ୍ଲୀ: ଭାରତର ଚାଷୀ ଆନ୍ଦଳନକୁ ସମର୍ଥନ କରି ସ୍ୱିଡେନ୍ର ୧୮ ବର୍ଷିୟା ପରିବେଶବିତ୍ ଗ୍ରେଟା ଥନବର୍ଗ ଆନ୍ଦୋଳନ ସମ୍ପର୍କିତ ଏକ ଟୁଲ୍କିଟ୍ ଶେୟାର କରିବା ପରେ ମାମଲା ରୁଜୁ କରିଛି ଦିଲ୍ଲୀ ପୋଲିସ। ଏ ନେଇ ଦିଲ୍ଲୀ ପୋଲିସ ସ୍ପେଶାଲ କମିଶନର ପ୍ରବୀର ରଂଜନ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି।
ଟୁଲକିଟ୍ ଟୁଇଟ୍ ଜରିଆରେ ବିଷମଞ୍ଜି ବୁଣା ଯାଇଥିବା ଦିଲ୍ଲୀ ପୋଲିସ କହିଥିବା ବେଳେ ଏନେଇ ଦିଲ୍ଲୀ ସାଇବର ପୋଲିସ ପକ୍ଷରୁ ମାମଲାର ଯାଞ୍ଚ ପାଇଁ ଏତଲା ଦାୟର କରାଯାଇଛି। ଟୁଲକିଟ୍ ଟୁଇଟ୍ ସେୟାର କରିଥିବା ଲୋକଙ୍କୁ ଖୋଜିବାକୁ ତଦନ୍ତ ଆରମ୍ଭ କରାଯାଇଛି। ଟୁଇଟ୍ ଦ୍ୱାରା ଗୋଷ୍ଠୀ ବିବାଦ ସୃଷ୍ଟି ଉଦ୍ୟମ ହୋଇଥିବା ଦିଲ୍ଲୀ ପୋଲିସ ସାମ୍ବାଦିକ ସମ୍ମିଳନୀରେ କହିଛି। ତେବେ ନିର୍ଦ୍ଦିଷ୍ଟ କାହା ନାଁରେ ମାମଲା ହୋଇନି। ଟୁଲକିଟ୍ ସୃଷ୍ଟିକର୍ତ୍ତାଙ୍କୁ ଖୋଜା ଚାଲିଛି ବୋଲି ପ୍ରବୀର ରଞ୍ଜନ ସୂଚନା ଦେଇଛନ୍ତି।
ଭାରତରେ କୃଷକ ଆନ୍ଦୋଳନକୁ ନେଇ ଟ୍ୱିଟ୍ କରିଥିଲେ ସ୍ୱିଡେନ୍ର ୧୮ ବର୍ଷୀୟା ପରିବେଶବିତ ଗ୍ରେଟା ଥନବର୍ଗ। ଦିଲ୍ଲୀ ସୀମାରେ ଚାଲିଥିବା କୃଷକ ଆନ୍ଦୋଳନକୁ ସମର୍ଥନ କରି ଗ୍ରେଟା ଟ୍ୱିଟ୍ କରିବା ପରେ ତୁରନ୍ତ ଏହା ବିଶ୍ୱ ଲୋକଲୋଚନକୁ ଆସିଥିଲା। ଗ୍ରେଟାଙ୍କ ଟ୍ୱିଟ୍ ପରେ ଆମେରିକୀୟ ପପ୍ ସିଙ୍ଗର ରିହାନା ମଧ୍ୟ ଏନେଇ ଟ୍ୱିଟ୍ କରି କହିଥିଲେ ‘ଏନେଇ ଆଲୋଚନା ହେବା ଦରକାର।’
ମଙ୍ଗଳବାର ରାତିରେ କୃଷକ ଆନ୍ଦୋଳନ ସମ୍ପର୍କରେ ପ୍ରଥମ ଟ୍ୱିଟ୍ କରିଥିଲେ ଗ୍ରେଟା। ଟ୍ୱିଟ୍ କରି ସେ ଲେଖିଥିଲେ “ ଭାରତରେ କୃଷକ ଆନ୍ଦୋଳନ ସହିତ ଆମେ ଏକଜୁଟ ହୋଇ ଛିଡ଼ା ହୋଇଛୁ।” ସିଏନ୍ଏନ୍ ନ୍ୟୁଜ୍ ଚ୍ୟାନେଲ୍ରେ କୃଷକ ଆନ୍ଦୋଳନ ଓ ଦିଲ୍ଲୀ ସୀମାରେ ଇଣ୍ଟର୍ନେଟ୍ ବ୍ୟାନ ସମ୍ପର୍କିତ ଏକ ଖବରକୁ ଶେୟାର କରିବା ସହିତ ଏମିତି ଟ୍ୱିଟ୍ କରିଥିଲେ ଗ୍ରେଟା। ଏହାପରେ ଆମେରିକା ପପ୍ ଆଇକନ ରିହାନା ମଧ୍ୟ ଏ ପ୍ରସଙ୍ଗ ଆଲୋଚନା ସାପେକ୍ଷା ବୋଲି ଲେଖି ଟ୍ୱିଟ୍ କରିଥିଲେ।
ଏହା ପରେ ପୁଣି ଦ୍ୱିତୀୟ ଟ୍ୱିଟ୍ କରିଥିଲେ ଗ୍ରେଟା, ଯେଉଁଥିରେ ଚାଷୀ ଆନ୍ଦୋଳନ ସମ୍ପର୍କିତ ସମ୍ପୂର୍ଣ୍ଣ ତଥ୍ୟ ସମ୍ବଳିତ ଏକ ଟୁଲ୍ କିଟ୍ ଥିଲା। ଟ୍ୱିଟ୍ କରି ଗ୍ରେଟା ଲେଖିଥିଲେ “ଯଦି ଆପଣ ସେମାନଙ୍କୁ ସାହାଯ୍ୟ କରିବାକୁ ଚାହୁଁଛନ୍ତି, ତେବେ ରାସ୍ତାରେ ଆନ୍ଦୋଳନରତ ଚାଷୀଙ୍କ ସମ୍ପର୍କିତ ଏହି ଅପ୍ଡେଟ୍ ତଥ୍ୟ ଜାଣି ରଖନ୍ତୁ।” ଏହାପରେ ପୁରୁଣା ତଥ୍ୟକୁ ଡିଲିଟ୍ କରିଦେଇଥିଲେ ଗ୍ରେଟା। ଟ୍ୱିଟ୍ କରିବା ସହିତ #StandWithFarmers #FarmersProtest ହ୍ୟାସ୍ ଟ୍ୟାଗ୍ ମଧ୍ୟ ଦେଇଥିଲେ।
ଏହାପରେ ଜାତି ଧର୍ମ ଆଧାରରେ ବିଭିନ୍ନ ଗୋଷ୍ଠୀ ମଧ୍ୟରେ ଶତ୍ରୁତା ବଢ଼ାଇବା ଓ ଅପରାଧିକ ଷଡ଼ଯନ୍ତ୍ର କରିବା ଅଭିଯୋଗରେ ଦିଲ୍ଲୀ ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି। ଧାରା ୧୫୩ ଏ (ଧର୍ମ, ଜାତି ଆଧାରରେ ବିଭିନ୍ନ ଗୋଷ୍ଠୀ ମଧ୍ୟରେ ଶତ୍ରୁତାକୁ ପ୍ରୋତ୍ସାହିତ କରିବା) ଏବଂ ଧାରା ୧୨୦ ବି (ଅପରାଧିକ ଷଡ଼ଯନ୍ତ୍ର) ଲଗାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Greta-Thunberg_1627366889.jpg)