/odishatv-khabar/media/post_attachments/uploadimage/library/16_9/16_9_0/rajnath-2_1625321913.jpg)
rajnath
ନୂଆଦିଲ୍ଲୀ: ଲଦାଖ ସ୍ଥିତି ନେଇ ରାଜ୍ୟସଭାରେ ବିବୃତି ରଖିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ବିବୃତି ରଖି ଦେଶବାସୀଙ୍କୁ ଆଶ୍ୱସନା ଦେଇଛନ୍ତି ଯେ, ଦେଶର ଅଖଣ୍ଡତା ରକ୍ଷା କରିବାକୁ ସରକାର ସଂପୂର୍ଣ୍ଣ ପ୍ରତିଜ୍ଞାବଦ୍ଧ। ଏହାସହ ଦେଶର ମସ୍ତକ ନଇଁବାକୁ ଦେବୁନି ବୋଲି ସେ କହିଛନ୍ତି। ଭାରତୀୟ ଯବାନ କୌଣସି ବି ପରିସ୍ଥିତିର ସାମ୍ନା କରିବାକୁ ପୂରା ପ୍ରସ୍ତୁତ ରହିଛନ୍ତି। ଆଉ ସାରା ଦେଶ ଆମ ଯବାନଙ୍କ ସହ ଅଛନ୍ତି ବୋଲି ରାଜନାଥ କହିଛନ୍ତି।
ଏହାସହ ମସ୍କୋରେ ସେପ୍ଟେମ୍ବର ୪ରେ ହୋଇଥିବା ବୈଠକରେ ଚୀନ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଭାରତର ଆଭିମୁଖ୍ୟ ସ୍ପଷ୍ଟ ଭାବେ ଜମାଇ ଦିଆଯାଇଛି। ଏହାସହ ରାଜନାଥ ଆହୁରି କହିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତ ଓ ଚୀନ ମଧ୍ୟରେ ଥିବା ସୀମା ବିବାଦ ସମାଧାନ ହୋଇନାହିଁ। ଭାରତୀୟ ସୀମାରେଖାକୁ ଚୀନ ଏଯାବତ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହେଁ। ସୀମା ଏଯାଏ ନିର୍ଦ୍ଦିଷ୍ଟ ଭାବେ ନିର୍ଦ୍ଧାରିତ ହୋଇନାହିଁ ବୋଲି ଚୀନ କହୁଛି ବୋଲି ରାଜନାଥ ତାଙ୍କ ବିବୃତିରେ କହିଛନ୍ତି।
ରାଜନାଥ ସୂଚନା ଦେଇ କହିଛନ୍ତି ଯେ, ଲଦାଖରେ ଚୀନ ଭାରତର ୩୮ ହଜାର ବର୍ଗ କିମି ଅଞ୍ଚଳ କବଜା କରି ରଖିଛି। ୯୦ ହଜାର ବର୍ଗ କିମି ଅଞ୍ଚଳକୁ ନିଜର ବୋଲି ଚୀନ କହିଆସୁଛି। ତେବେ ଏଲଏସିରେ ଶାନ୍ତି ଓ ସ୍ଥିରତା ରଖିବା ପାଇଁ ଉଭୟ ଦେଶ ଚୁକ୍ତି କରିଥିଲେ ବି ଚୀନ୍ ଏହାକୁ ସମ୍ମାନ ଦେଉନାହିଁ। ତା'ଛଡ଼ା ଚୀନର କହିବା ଓ କରିବା ଭିତରେ ବହୁତ ଅନ୍ତର ଥିବା କହିଛନ୍ତି ରାଜନାଥ।
ଏଲଏସିରେ ଦେଖାଦେଇଥିବା ଅସ୍ଥିରତା ଦ୍ୱିପାକ୍ଷିକ ସଂପର୍କ ଉପରେ କୁପ୍ରଭାବ ପକାଇବ। ଗତ ଏପ୍ରିଲ ମାସଠାରୁ ସୀମାରେ ଚୀନ ସେନା ଓ ଅସ୍ତ୍ରଶସ୍ତ୍ର ବଢ଼ାଇ ଚାଲିବା ସହ ଅସ୍ଥିରତା ସୃଷ୍ଟି ପାଇଁ ଚୀନ ପକ୍ଷରୁ ବାରମ୍ବାର ଚେଷ୍ଟା କରାଯାଇଛି। ହେଲେ ଆମ ସେନାର ସମୟୋଚିତ ପଦକ୍ଷେପ ଯୋଗୁଁ ଚୀନକୁ ତାରି ଭାଷାରେ ଜବାବ ଦିଆଯାଇଛି ବୋଲି ରାଜନାଥ ଜୋର ଦେଇ କହିଛନ୍ତି।
ତେବେ ଏଲଏସିରେ ଅସ୍ଥିରତାକୁ ଭାରତ କେବେ ବି ବରଦାସ୍ତ କରିବ ନାହିଁ ବୋଲି କଡ଼ା ଭାଷାରେ କହିଛନ୍ତି ରାଜନାଥ। ଦେଶକୁ ସୁରକ୍ଷା ଦେବାକୁ ଆମେ ମଧ୍ୟ ସୀମାରେ ଅଧିକ ସେନା ମୁତୟନ କରିଛୁ। ତା ସହିତ ଏଲ୍ଏସି ପାଖରେ ସେନାର ଗମନାଗମନ ସୁବିଧା ପାଇଁ ବିଆରଓ ପକ୍ଷରୁ ରାସ୍ତାଘାଟ କରାଯାଉଛି। ଦେଶ ପାଇଁ ଯେତେ ବଡ଼ ଓ କଡ଼ା ପଦକ୍ଷେପ ନେବାକୁ ହେବ ସେଥିଲାଗି ସରକାର କେବେ ବି ପଛେଇବେନି ବୋଲି ରାଜନାଥ କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)