/odishatv-khabar/media/post_attachments/uploadimage/library/16_9/16_9_0/job_1622528108.jpg)
job
ସାଧାରଣ ଲୋକଙ୍କ ପାଇଁ କାଳ ସାଜିଲା ମହାମାରୀ । ଅର୍ଥ ବ୍ୟବସ୍ଥାର ଅଣ୍ଟା ଭାଙ୍ଗିଦେଲା ଭାଇରସ୍ । ତାଜା ତଥ୍ୟ ଅନୁସାରେ କରୋନାର ଦ୍ୱିତୀୟ ଲହରୀ ପାଇଁ ଦେଶର ପାଖାପାଖି ଏକ କୋଟିରୁ ଅଧିକ ଲୋକ ବେକାର ହୋଇଯାଇଛନ୍ତି । ସେହିପରି କରୋନାର ପ୍ରଥମ ଲହରୀ ଠାରୁ ଆରମ୍ଭ କରି ଏବେ ସୁଦ୍ଧା ୯୭ ପ୍ରତିଶତ ପରିବାରର ଆୟ କମିଛି ।
ସେଣ୍ଟର ଫର୍ ଇଣ୍ଡିଆନ୍ ଇକୋନୋମିର ଚିଫ୍ ଏକଜିକ୍ୟୁଟିଭ୍ ମହେଶ ବ୍ୟାସ ସୋମବାର ଏହି ତଥ୍ୟ ଜାରି କରିଛନ୍ତି । ମେ ମାସରେ ବେକାରୀଙ୍କ ସଂଖ୍ୟା ୧୨ ପ୍ରତିଶତ ପର୍ଯ୍ୟନ୍ତ ପହଞ୍ଚି ସାରିଛି, ଯାହା ଏପ୍ରିଲରେ ୮ ପ୍ରତିଶତ ରହିଥିଲା । ଆଉ ଏହି ସମୟ ମଧ୍ୟରେ ପାଖାପାଖି ୧ କୋଟି ଲୋକଙ୍କ ପାଖରେ ରୋଜଗାରର ମାଧ୍ୟମ ନାହିଁ । କରୋନାର ଦ୍ୱିତୀୟ ଲହରୀ ଏହାର ପ୍ରମୁଖ କାରଣ । କିଛି ରାଜ୍ୟରେ ଅନଲକ୍ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ସ୍ଥିତିରେ ସାମାନ୍ୟ ସୁଧାର ଆସିବ ବୋଲି ଆଶା କରାଯାଉଛି ।
ଧୀରେ ଧୀରେ ସୁଧୁରିବ ସ୍ଥିତି
ମହେଶ ବ୍ୟାସ କହିିଛନ୍ତି ସଙ୍କଟ ମଧ୍ୟରେ ଯେଉଁ ଲୋକମାନେ ଚାକିରି ହରାଇଛନ୍ତି, ତାଙ୍କୁ ପୁଣି ଥରେ ଚାକିରି ମିଳିବା କଷ୍ଟକର ହୋଇପଡ଼ିଛି । ଅଳ୍ପ ଆୟ କରୁଥିବା ଲୋକଙ୍କ କ୍ଷେତ୍ରରେ ଶୀଘ୍ର ସୁଧାର ଆସିବାର ସମ୍ଭାବନା ରହିଛି । କିନ୍ତୁ ମୋଟା ବେତନରେ ଚାକିରି କରୁଥିବା ତଥା ଚାକିରି ଆଶାୟୀଙ୍କ ପାଇଁ ରୋଜଗାର ସନ୍ଧାନ କରିବା ସହଜ ନହୋଇପାରେ ।
ସୂଚନାଯୋଗ୍ୟ ୨୦୨୦ରେ ବେକାରୀ ହାର ୨୩.୫ ପ୍ରତିଶତ ପର୍ଯ୍ୟନ୍ତ ପହଞ୍ଚିଥିଲା । ସେତେବେଳେ ଲକଡାଉନରେ ଥିଲା ଦେଶ । କିନ୍ତୁ ଚଳିତ ବର୍ଷ କରୋନାର ଦ୍ୱିତୀୟ ଲହରୀ ଆସିବା ପରେ ବିଭିନ୍ନ ରାଜ୍ୟରେ ଧୀରେ ଧୀରେ କଟକଣା କଡ଼ାକଡ଼ି କରାଯାଇଥିଲା । ଗତ ବର୍ଷ ଲକଡାଉନ ପରେ ଆରମ୍ଭ ହୋଇଥିବା କାମ ପୁଣି ବନ୍ଦ ହୋଇଗଲା ।
ବେକାରୀ ହାର ୩ରୁ ୪ପ୍ରତିଶତ ପର୍ଯ୍ୟନ୍ତ ଥିଲେ ଅର୍ଥବ୍ୟବସ୍ଥା ଉପରେ ବିଶେଷ ପ୍ରଭାବ ପକାଇ ପାରିନଥାନ୍ତା । ସିଏମଆଇ ପକ୍ଷରୁ ପାଖପାଖି ୧୭.୫ ଲକ୍ଷ ପରିବାରକୁ ନେଇ ଏକ ସର୍ଭେ କରାଯାଇଥିଲା, ଯେଉଁଥିରେ ସେମାନଙ୍କ ଆୟକୁ ନେଇ ତଥ୍ୟ ଆସିଛି ।
CMIE ସଂଖ୍ୟା
କରୋନାର ଦ୍ୱିତୀୟ ଲହରୀରେ ବେକାରୀ ସଂଖ୍ୟା : ୧୦ ମିଲିୟନରୁ ଅଧିକ
ସହରୀ ବେକାରୀ ହାର (ମେ): ୧୪.୭୩%
ଗ୍ରାମୀଣ ବେକାରୀ ହାର (ମେ): ୧୦.୬୩%
ଦେଶବ୍ୟାପୀ ବେକାରୀ ହାର (ମେ): ୧୧.୯୦%
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)