/odishatv-khabar/media/post_attachments/uploadimage/library/16_9/16_9_0/govinda_1626251733.jpg)
bjp
ଦିଶପୁର: ଆସାମ ଓ ପଶ୍ଚିମବଂଗ ବିଧାନସଭା ନିର୍ବାଚନ ପାଇଁ ବିଜେପି ଏହାର ଷ୍ଟାର ପ୍ରଚାରକ ତାଲିକା ଜାରି କରିଛି। ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ୪୦ ଜଣିଆ ତାଲିକା ଘୋଷଣା କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ସହ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏହି ତାଲିକାରେ ସାମିଲ୍ ହୋଇଛନ୍ତି। ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମଧ୍ୟ ଏହି ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ପାଇଛନ୍ତି।
ପଶ୍ଚିମବଂଗର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରାଯାଇଛି। ଏଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଜୁଏଲ ଓରାମ ଓ ନିକଟରେ ବିଜେପିରେ ସାମିଲ ହୋଇଥିବା ମିଥୁନ ଚକ୍ରବର୍ତ୍ତୀଙ୍କ ନାଁ ରହିଛି। ତେବେ ନିର୍ବାଚନ ଯେତିକି ଯେତିକି ପାଖେଇ ଆସୁଛି, ରାଜନୀତି ମଧ୍ୟ ସେତିକି ସେତିକି ସରଗରମ ହେଉଛି।
ଆସାମ ବିଧାନସଭା ନିର୍ବାଚନ ପାଇଁ ମାର୍ଚ୍ଚ ୧୦ରେ ପ୍ରାର୍ଥୀ ଘୋଷଣା କରିଛି ବିଜେପି। ପ୍ରଥମ ଦଫାରେ ୭୦ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ୱଲ ମଜୁଲି ଆସନରୁ ପ୍ରାର୍ଥୀ ହୋଇଥିବା ବେଳେ ହେଭିେଓ୍ୱଟ ହିମନ୍ତ ବିଶ୍ୱଶର୍ମା ଜାଲୁକବାରିରୁ ପ୍ରାର୍ଥୀ ହେବେ। କେନ୍ଦ୍ରୀୟ ନିର୍ବାଚନ ସମିତିର ବୈଠକ ପରେ ପ୍ରାର୍ଥୀ ଚୂଡ଼ାନ୍ତ କରାଯାଇଥିଲା। ଏଥର ଆସାମ ଗଣ ପରିଷଦ ଓ UPPL ସହିତ ମେଣ୍ଟ କରି ବିଜେପି ନିର୍ବାଚନ ଲଢୁଛି। ଆସାମ ଗଣ ପରିଷଦ ଭାଗରେ ୨୬ଟି ଓ UPPL କୁ ୮ଟି ଆସନ ମିଳିଛି।
ଅପରପଟେ ବିଜେପିକୁ ଚ୍ୟାଲେଞ୍ଜ ଦେଇ ଏଥର ନନ୍ଦିଗ୍ରାମରୁ ବିଧାନସଭା ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ନିଜର ପାରମ୍ପରିକ ସିଟ୍ ଭବାନୀପୁର ବଦଳରେ ମମତା ଏଥର ନନ୍ଦିଗ୍ରାମରୁ ଲଢ଼ିବେ। ଏଠାକାର ବିଧାୟକ ଥିଲେ ହେଭିେଓ୍ୱଟ ଶୁଭେନ୍ଦୁ ଅଧିକାରୀ। ଆଗରୁ ମମତାଙ୍କ ଖାସ୍ ଅନୁଗତ ଥିବା ଶୁଭେନ୍ଦୁ ଏବେ ଶିବିର ପରିବର୍ତ୍ତନ କରି ବିଜେପିରେ ଯୋଗ ଦେଇଛନ୍ତି। ତେଣୁ ସିଧାସଳଖ ଶୁଭେନ୍ଦୁ ଓ ବିଜେପିକୁ ଚ୍ୟାଲେଞ୍ଜ ଦେଇ ନନ୍ଦିଗ୍ରାମରୁ ଲଢ଼ିବେ ବୋଲି ଆଗରୁ ମମତା ଘୋଷଣା କରିଥିଲେ।
ସେପଟେ ପଶ୍ଚିମବଙ୍ଗ ରାଜନୀତି ମଇଦାନକୁ ଓହ୍ଲାଇବନି ଉଦ୍ଧବଙ୍କ ଶିବସେନା। ବରଂ ନିର୍ବାଚନ ଯୁଦ୍ଧ ଜିତିବା ପାଇଁ ମମତା ବାନାର୍ଜୀଙ୍କୁ ସମର୍ଥନ ଦେବ। ଏନେଇ ଗତ ମାର୍ଚ୍ଚ ୫ ତାରିଖରେ ଶିବସେନା ପକ୍ଷରୁ ଘୋଷଣା କରାଯାଇଛି। ଦଳ ପଶ୍ଚିମବଙ୍ଗ ନିର୍ବାଚନ ଲଢ଼ିବନି ବରଂ ମମତା ବାନାର୍ଜୀଙ୍କୁ ସମର୍ଥନ ଦେବ ବୋଲି ଶିବସେନା ଘୋଷଣା କରିଛି। ମମତାଙ୍କୁ ରିୟଲ ରୟାଲ ବେଙ୍ଗଲ ଟାଇଗ୍ରୀସ ବୋଲି କହିବା ସହିତ ସମର୍ଥନ ଜଣାଇଛି ଶିବସେନା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)