/odishatv-khabar/media/post_attachments/uploadimage/library/16_9/16_9_0/kolkata_1626254741.jpg)
kolkata
- ପୁଣି ରକ୍ତରଞ୍ଜିତ ହେଲା ବଙ୍ଗ ନିର୍ବାଚନୀ ମୈଦାନ
- ପଶ୍ଚିମବଙ୍ଗରେ ଫୁଟିଲା ଗୁଳି
- ୧୨୬ ନମ୍ବର ବୁଥରେ ୪ ଜଣଙ୍କ ମୃତ୍ୟୁକୁ ନେଇ ତେଜିଲା ରାଜନୀତି
- ପ୍ରଚାର ମୈଦାନରେ ମୁହାଁମୁହିଁ ମୋଦି-ଦିଦି
କୋଲକତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଅନୁଷ୍ଠିତ ହୋଇଛି ଚତୁର୍ଥ ପର୍ଯ୍ୟାୟ ଭୋଟ୍ ଗ୍ରହଣ। ୫ଟି ଜିଲ୍ଲାର ୪୪ ଟି ବିଧାନସଭା ଆସନ ପାଇଁ ମତଦାନ ହୋଇଥିବା ବେଳେ, ୩୭୩ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି ଭୋଟର୍। ତେବେ ଆଜି ମଧ୍ୟ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଓ ବିଶୃଙ୍ଖଳା ଭିତରେ ଭୋଟ୍ ହୋଇଥିବା ବେଳେ, କୋଚିହାରର ଶୀତଲକୁଚିରେ ଗୁଳି ବାଜି ୪ ଜଣଙ୍କ ମୃତ୍ୟୁକୁ ନେଇ ତେଜିଛି ରାଜନୀତି। ପୁଣି ପ୍ରଚାର ମୈଦାନରେ ପରସ୍ପର ଆଡକୁ ଦୋଷ ଫିଙ୍ଗିଛନ୍ତି ମୋଦି ଓ ମମତା।
ଫୁଟିଲା ଗୁଳି, ବୋହିଲା ରକ୍ତ। ବଙ୍ଗ ଲଢ଼େଇର ଚତୁର୍ଥ ଚରଣରେ ସୀମା ଟପିଲା ହିଂସା, ତାଣ୍ଡବ କଲା ମୃତ୍ୟୁ। କୋଚ୍ବିହାର ଜିଲ୍ଲା ସଂରକ୍ଷିତ ଆସନ ଶୀତଲକୁଚିରେ ଆଜି ପାଞ୍ଚ ଜଣଙ୍କ ଜୀବନ ଯାଇଛି। ୨୮୫ ନମ୍ବର ବୁଥରେ ପ୍ରଥମ ଥର ଭୋଟ୍ ଦେବାକୁ ଆସିଥିବା ଜଣେ ୧୮ ବର୍ଷୀୟ ଯୁବକ ଦୁର୍ବୃତ୍ତଙ୍କ ଗୁଳିରେ ପ୍ରାଣ ହରାଇଥିବା ବେଳେ, ୧୨୬ ନମ୍ବର ବୁଥରେ କେନ୍ଦ୍ରୀୟ ଫୋର୍ସ ଗୁଳିରେ ୪ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏହି ମାମଲା ତଦନ୍ତାଧୀନ ଥିବା ବେଳେ, କୋଚ୍ବିହାର ଏସପି କହିଛନ୍ତି ୩୦୦ରୁ ଅଧିକ ଲୋକ ବୁଥରେ ମୁତୟନ ସୁରକ୍ଷାକର୍ମୀଙ୍କୁ ହତିଆର ସହ ଆକ୍ରମଣ କରିଥିଲେ ଓ ରାଇଫଲ୍ ଛଡ଼ାଇବାକୁ ଚେଷ୍ଟା କରିଥିଲେ। ଘଟଣା ପରେ ନିର୍ବାଚନ କମିଶନ ୧୨୬ ନମ୍ବର ବୁଥରେ ଭୋଟ୍ ଗ୍ରହଣ ସ୍ଥଗିତ ରଖିଛନ୍ତି।
ଏହି ଘଟଣାକୁ ନେଇ ତେଜିଛି ରାଜନୀତି। ୪ଜଣଙ୍କୁ ସିଆର୍ପିଏଫ୍ ଯବାନ ଗୁଳି କରିଥିବା ଏବଂ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଚକ୍ରାନ୍ତ ପ୍ରମାଣିତ ହୋଇଥିବା ଅଭିଯୋଗ କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଟିଏମ୍ସି ନିର୍ବାଚନ କମିଶନଙ୍କ ନିକଟରେ ଏନେଇ ଫେରାଦ ହେବା ସହ, ଆସନ୍ତା ୧୧ ତାରିଖରେ ରାଜ୍ୟବ୍ୟାପୀ ପ୍ରତିବାଦ ଡାକରା ଦେଇଛି। ଅପରପକ୍ଷରେ ପ୍ରଧାନମନ୍ତ୍ରୀ ମୋଦି ଆକ୍ଷେପ କରିଛନ୍ତି, ବିଜେପି ପ୍ରତି ଲୋକଙ୍କ ଆକୁଣ୍ଠ ସମର୍ଥନ ଦେଖି ବିଚଳିତ ଟିଏମ୍ସି ଗୁଣ୍ଡାମାନେ କେନ୍ଦ୍ରୀୟ ଫୋର୍ସକୁ ଆକ୍ରମଣ କରୁଛନ୍ତି। ଘଟଣାକୁ ନେଇ ସେ ଦୁଃଖ ପ୍ରକାଶ କରିବା ସହ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
କେବଳ ଏହି ଘଟଣା ନୁହେଁ, ହୁଗଳିରେ ବିଜେପି ନେତ୍ରୀ ଲକେଟ୍ ଚାଟାର୍ଜୀଙ୍କ କାର୍ ଉପରକୁ ଟିଏମ୍ସି କର୍ମୀ ପଥର ମାଡ଼ କରିଥିବା ଅଭିଯୋଗ ହୋଇଛି। ଏଭିତରେ ଆଜି ଚତୁର୍ଥ ପର୍ଯ୍ୟାୟରେ କୋଚ୍ବିହାର, ଆଲିପୁରଦୁଆର୍, ଆଂଶିକ ଦକ୍ଷିଣ ୨୪ ପ୍ରଗଣା, ହାଓ୍ୱଡ଼ା ଓ ହୁଗଳି ଜିଲ୍ଲାର ୪୪ଟି ଆସନରେ ଭୋଟ୍ ହୋଇଛି। ନିକଟରେ ଆଞ୍ଜିଓପ୍ଲାଷ୍ଟି କରାଇଥିବା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଭୋଟ୍ ଦେବାକୁ ଯିବା ବେଳେ, ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା।ସେପଟେ ସିଲିଗୁଡ଼ିରେ ପ୍ରଚାର ବେଳେ ଆଜି ପୁଣି ଶୁଣିବାକୁ ମିଳିଥିଲା ମୋଦିଙ୍କ ଦିଦି ଓ ଦିଦି ଡାକ, ତା ପୁଣି ଭିନ୍ନ ଭିନ୍ନ ଭଙ୍ଗୀରେ। ଆସନ୍ତା ମେ ୨ରେ ଜଣାପଡ଼ିବ ପଶ୍ଚିମବଙ୍ଗରେ ଖେଳ ହେଉଛି ନା ପରିବର୍ତ୍ତନ। ତେବେ ତା ପୂର୍ବରୁ ଆହୁରି ୧୫୯ଟି ବିଧାନସଭା ଆସନ ପାଇଁ ବାକି ଅଛି ୪ ପର୍ଯ୍ୟାୟ ଭୋଟ୍।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)