lebanon-attck
ବେରୁଟ: ଲେବାନନର ରାଜଧାନୀ ବେରୁଟରେ ଭୟଙ୍କର ବିସ୍ଫୋରଣ କାରଣ କହିଛନ୍ତି ଲେବାନନ ପ୍ରଧାନମନ୍ତ୍ରୀ ହସନ ଦିଆବ। ବେରୁଟ୍ ବିମାନ ବନ୍ଦରର ୱାରେହାଉସ୍ରେ ୨,୭୫୦ ଟନ୍ ଆମୋନିୟମ୍ ନାଇଟ୍ରେଟ୍ ରଖାଯାଇଥିଲା। ଯାହା ଗତକାଲି ସନ୍ଧ୍ୟାରେ ଭୟଙ୍କର ବିସ୍ଫୋରଣ ହୋଇଛି ବୋଲି କହିଛନ୍ତି ଲେବାନବ ପ୍ରଧାନମନ୍ତ୍ରୀ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ବିନା କୌଣସି ସତର୍କତା ଅବନମ୍ବନ ନ କରି ଦୀର୍ଘ ୬ ବର୍ଷ ହେଲା ଏତେ ମାତ୍ରାରେ ଆମୋନିଆ ନାଇଟ୍ରେଟ୍ ରଖିବା ଗ୍ରହଣୀୟ ନୁହେଁ। ପ୍ରତିରକ୍ଷା ପରିଷଦର ବୈଠକରେ ଲେବାନନ ପ୍ରଧାନମନ୍ତ୍ରୀ ଏପରି କହିଥିବା ଜଣେ ସରକାରୀ ପ୍ରବକ୍ତା କହିଛନ୍ତି। ଏହା କ୍ଷମଣୀୟ ନୁହେଁ, ଏହାକୁ ଗୁରୁତ୍ୱର ସହ ନିଆଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ଗତକାଲି ସନ୍ଧ୍ୟା ବେଳେ ଲେବନନର ରାଜଧାନୀରେ ହୋଇଥିଲା ଗୋଟିଏ ପରେ ଗୋଟିଏ ଭୟଙ୍କର ବିସ୍ଫୋରଣ। ବିସ୍ଫୋରଣର ମାତ୍ରା ଏତେ ଥିଲା ଯେ, ବେରୁଟ ଠାରୁ ୨୪୦ କିଲୋମିଟର ଦୂର ସମୁଦ୍ର ଆରପଟେ ଥିବା ଅନ୍ୟ ଏକ ଦେଶ ସାଇପ୍ରସକୁ ଶବ୍ଦ ଶୁଭିଥିଲା। ଏହି ଭୟଙ୍କର ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୭୩ ଜଣ ପ୍ରାଣ ହରାଇଲେଣି। ହଜାର ହଜାର ଲୋକ ଆହତ ହୋଇଛନ୍ତି।
ବିସ୍ଫୋରଣ ଏତେ ତୀବ୍ର ଥିଲା ଯେ ବେରୁଟରେ ଭୂମିକଂପ ସୃଷ୍ଟି କରିଥିଲା। ଏହାର ମାତ୍ରା ୩.୫ ମାଗ୍ନିଟ୍ୟୁଟ୍ ଥିଲା। ବିସ୍ଫୋରଣ ପରେ ଆକାଶରେ ଧଳା ଛତୁ ଭଳି ଧୁଆଁ ବଳୟ ସୃଷ୍ଟି ହୋଇଥିଲା। ଏହାର କିଛି ମିନିଟ ପରେ ଆଉ ଏକ ବଡ଼ ଧରଣର ବିସ୍ଫୋରଣ ହୋଇଥିଲା। ଏଥିରେ ଲାଲ୍ ରଙ୍ଗର ଧୂଆଁ ଆକାଶକୁ ଉଠିଥିଲା। ବନ୍ଦର ନଗରୀ ସଂପୂର୍ଣ୍ଣ ଥରି ଉଠିଥିଲା। ସହରର ଅଧିକାଂଶ କୋଠା କ୍ଷତିଗ୍ରସ୍ତ ହୋଇଛି। ସପିଂ ମଲ୍, ଗୀର୍ଜାଘର ବହୁମାତ୍ରାରେ ପ୍ରଭାବିତ ହୋଇଛି। ରାସ୍ତାରେ ଯାଉଥିବା କାର୍ ମଧ୍ୟ ଭାଙ୍ଗିରୁଜି ଯାଇଛି। ବନ୍ଦର ନଗରୀରେ ଖାଲି ଭଙ୍ଗା କାଚ, ଲୁହା ଓ ପ୍ଲାଷ୍ଟିକ ସାମଗ୍ରୀ ବିଛୁଡ଼ି ହୋଇ ପଡ଼ିଛି।
ତେବେ ଲେବାନନ ବିସ୍ଫୋରଣରେ ଶୋକ ବ୍ୟକ୍ତ କରି ଦୁବାଇର ବୁର୍ଜ ଖଲିଫା ବିଲ୍ଡିଂକୁ ଲେବାନନ୍ ଜାତୀୟ ପତାକା ରଙ୍ଗରେ ରଙ୍ଗୀନ କରାଯାଇଥିଲା। ଏଭଳି ଏକ ବିପତ୍ତିରେ ବୁର୍ଜ ଖଲିଫା ଲେବାନନ ସହ ଥିବା ନେଇ ବାର୍ତ୍ତା ଦେଇଛି। ସେହିପରି ଇଜିପ୍ଟର ପିରାମିଡକୁ ମଧ୍ୟ ଲେବାନନ ଜାତୀୟ ପତାକା ରଙ୍ଗରେ ରଙ୍ଗୀନ କରାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/lebanon-attck_1625471853.jpg)