/odishatv-khabar/media/post_attachments/uploadimage/library/16_9/16_9_0/night-curfew-1_1626255325.jpg)
night curfew 1
ମୁମ୍ବାଇ: ଆସନ୍ତାକାଲିଠାରୁ ମହାରାଷ୍ଟ୍ରରେ ଲାଗିବ କର୍ଫ୍ୟୁ। ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ଏହି ସମୟରେ କେବଳ ଜରୁରୀ ସେବା ଓ ସାମଗ୍ରୀକୁ ଛାଡ଼ି ଆଉ ସବୁ କିଛି ବନ୍ଦ ରହିବ। କେବଳ ଜରୁରୀ ସେବାରେ ଥିବା ଲୋକମାନେ ସାଧାରଣ ପରିବହନ ବ୍ୟବହାର କରିପାରିବେ ବୋଲି ସୂଚନା ମିଳିଛି। ଦେଶରେ କରୋନା ଭୟଙ୍କର ଭାବରେ ବୃଦ୍ଧି ପାଉଥିବା ବେଳେ ମହାରାଷ୍ଟ୍ରରେ ସ୍ଥିତି ଅଣାୟତ ହେଲାଣି। ଏହାକୁ ଦୃଷ୍ଟିରେ ରଖି ଆଜି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ବଡ଼ ଘୋଷଣା କରିଛନ୍ତି। ଅବଶ୍ୟ ମହାରାଷ୍ଟ୍ରରେ ସଂପୂର୍ଣ୍ଣ ଲକଡାଉନ ଲାଗୁ କରାଯାଇ ନାହିଁ। ହେଲେ ଲକଡାଉନ ଠାରୁ ଆହୁରି କଡ଼ା କଟକଣା ଲାଗୁ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ, କାଲି ରାତି ୮ଟାରୁ ସମଗ୍ର ମହାରାଷ୍ଟ୍ରରେ କର୍ଫ୍ୟୁ ଲାଗୁ ହେବ।
କରୋନାର ଅସମ୍ଭାଳ ରୂପକୁ ଦେଖି ଦେଶର ପ୍ରଥମ ରାଜ୍ୟ ଭାବେ ମହାରାଷ୍ଟ୍ରରେ ସବୁଠାରୁ ବଡ଼ କଟକଣା ଜାରି କରାଯାଇଛି। ପୂର୍ବରୁ ମହାରାଷ୍ଟ୍ର ସରକାର ନାଇଟ କର୍ଫ୍ୟୁ ଓ ୱିକଏଣ୍ଡ ଲକଡାଉନ ଜାରି କରିଥିଲେ। ତଥାପି ଦୈନିକ ସଂକ୍ରମଣ ୬୦ ହଜାର ତଳକୁ ଖସି ନଥିଲା। ପୂରା ମହାରାଷ୍ଟ୍ରରେ ଯିବା ଆସିବା ଉପରେ କଟକଣା ଲାଗୁ ହେବା ନେଇ ସୂଚନା ରହିଛି। କାଲି ରାତି ୮ଟାରୁ ପୂରା ମହାରାଷ୍ଟ୍ରରେ ୧୪୪ ଧାରା ମଧ୍ୟ ଲାଗୁ କରାଯିବ। ବିନା କାରଣରେ କେହି ବି ରାସ୍ତାକୁ ବାହାରି ପାରିବେ ନାହିଁ। କାଲି ଠାରୁ ୧୫ ଦିନ ଯାଏ ଏହି ନିୟମ ବଳବତ୍ତର ରହିବ। କର୍ଫ୍ୟୁ ବେଳେ ଇ-କର୍ମସ, ମେଡିକାଲ, ବ୍ୟାଙ୍କ ଓ ପେଟ୍ରୋଲ ପମ୍ପ ଖୋଲା ରହିବ ବୋଲି ସୂଚନାରହିଛି। ଗଣମାଧ୍ୟମ ପ୍ରତିନିଧିଙ୍କ ଯିବା ଆସିବାରେ କୌଣସି କଟକଣା ଲାଗୁ ହେବନାହିଁ। କରୋନା ଚେନ୍କୁ ଭାଙ୍ଗିବା ପାଇଁ ଏପରି କଟକଣା ଲାଗୁ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି।
ଗାଇଡ ଲାଇନ ଅନୁଯାୟୀ, କାଲି ରାତି ୮ଟାରୁ ରାସ୍ତା କଡ଼ରେ କେହି ବି ଛିଡ଼ା ହୋଇ ଖାଇପାରିବେ ନାହିଁ। ସେହିପରି ରେଷ୍ଟୁରାଣ୍ଟ ଗୁଡ଼ିକରେ କେବଳ ଟେକ୍ ହୋମ୍ ବ୍ୟବସ୍ଥା ଲାଗୁ ହେବ। କେବଳ ଜରୁରୀ ସେବା ଗୁଡ଼ିକ ସକାଳ ୭ଟାରୁ ରାତି ୮ଟା ମଧ୍ୟରେ କରାଯିବ। ରାସ୍ତା କଡ଼ର ଦୋକାନୀମାନେ ବ୍ୟବସାୟୀ କରିପାରିବେ। ହେଲେ ଏଠାରେ କେହି ବି ଛିଡ଼ା ହୋଇ ଖାଇପାରିବେ ନାହିଁ। ଜରୁରୀ ସେବାକୁ ଛାଡ଼ି ଆଉ ସମସ୍ତ ଅଫିସ ଓ ସର୍ବସାଧାରଣ ସ୍ଥାନ ୧୫ ଦିନ ପାଇଁ ସଂପୂର୍ଣ୍ଣ ବନ୍ଦ ରହିବ। ୧୪୪ ଧାରା ଲାଗୁ ହେଉଥିବାରୁ ଗୋଟିଏ ସ୍ଥାନରେ ୪ରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ ବୋଲି ସୂଚନା ରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)