/odishatv-khabar/media/media_files/2025/10/25/mahabharat-2025-10-25-16-19-50.jpg)
Mahabharat Photograph: (OTV)
କର୍ଣ୍ଣ ତାଙ୍କର ଅସ୍ତ୍ର ତ୍ୟାଗ କରି ଭୀଷ୍ମଙ୍କ କଥାରେ ଅଭିମାନ କରି ସଭାଗୃହ ଛାଡ଼ି ଚାଲିଯିବା ପରେ ରାଜା ଧୃତରାଷ୍ଟ୍ର, ବିଦୁର, ସଞ୍ଜୟ ଓ ଗାନ୍ଧାରୀ ଆଦି ଦୁର୍ଯ୍ୟୋଧନଙ୍କୁ ଯୁଦ୍ଧ ନକରିବାକୁ ଅନେକ ବୁଝାଇଲେ। କିନ୍ତୁ ଦୁର୍ଯ୍ୟୋଧନ ପୂର୍ବ ପରି ତାଙ୍କ ଜିଦରେ ଅଟଳ ରହିଲେ। କାହାରି କଥା କିଛି ଶୁଣିଲେନି ।
ସେପଟେ ସଞ୍ଜୟ ଦୂତ ଭାବରେ ଯାଇ ପାଣ୍ଡବମାନଙ୍କ ପାଖରୁ ଫେରିଆସିଲା ପରେ ଯୁଧିଷ୍ଠିର ତାଙ୍କ ଭାଇମାନଙ୍କ ସହ ବସି କୃଷ୍ଣଙ୍କ ସହ ବିଚାର କରୁଥା'ନ୍ତି । ଯୁଧିଷ୍ଠିର କହିଲେ, ‘ହେ କେଶବ! ରାଜା ଧୃତରାଷ୍ଟ୍ରଙ୍କ ବାର୍ତ୍ତା ତ ଶୁଣିଲ । ସେ ତାଙ୍କ ପୁଅମାନଙ୍କ ମନରେ ଦୁଃଖ ଦେବାକୁ ଚାହାଁନ୍ତି ନାହିଁ । କିନ୍ତୁ ଏପଟେ ଯୁଦ୍ଧକୁ ଟାଳି ଦେବାକୁ ଚାହାଁନ୍ତି । ଆମମାନଙ୍କୁ ଧାର୍ମିକ ବୋଲି କହି ନିଜ ପିଲାମାନଙ୍କ ସୁରକ୍ଷା ବ୍ୟବସ୍ଥା କରୁଛନ୍ତି । ସଞ୍ଜୟ ଯାହା କହିଲେ ତାହା ତ ଆଉ ମନରୁ କହିନଥିବେ । ହସ୍ତିନା ନରେଶ ଧୃତରାଷ୍ଟ୍ରଙ୍କ ମନର କଥା ହିଁ ଆମ ଆଗରେ ବ୍ୟକ୍ତ କଲେ ।
ହେ କେଶବ! ତୁମ ଠାରୁ ଆମର ପରମ ବନ୍ଧୁ ଆଉ କିଏ ଅଛି? କିଏ ବା ଏପରି ସମୟରେ ଆମକୁ ଉପଯୁକ୍ତ ପରାମର୍ଶ ଦେଇପାରିବ? ତେଣୁ ଏବେ ଆମେ କ'ଣ କରିବା କୁହ । ଧୃତରାଷ୍ଟ୍ରଙ୍କ କଥାରେ ଆମେ ଦୁଃଖ କଷ୍ଟରେ ବାର ବର୍ଷ ବନବାସ କଲୁ। ପୁଣି ବର୍ଷେ ଅଜ୍ଞାତ ବାସ କଲୁ । କିନ୍ତୁ ଏବେ ଲାଗୁଛି ରାଜା ଧୃତରାଷ୍ଟ୍ର କେବେବି ନିଜ ପୁଅମାନଙ୍କୁ କଷ୍ଟ ଦେଇ ଆମ ପ୍ରତି ନ୍ୟାୟ ବିଚାର କରିପାରିବେନି । ଦେଖ, ମାତ୍ର ପାଞ୍ଚଖଣ୍ଡ ଗାଁ ଦେବାକୁ ବି ସେମାନେ ରାଜି ନୁହଁନ୍ତି । ଆମେ ତ ଶାନ୍ତି କାମନା କରୁଛୁ । କୌଣସି ପ୍ରକାର ଯୁଦ୍ଧକୁ ଟାଳି ଦେବାକୁ ଚାହିଁଛୁ । କିନ୍ତୁ ନିଜର ଧନ, ସିଂହାସନ ଓ ଦେଶକୁ ଛାଡ଼ି ଆମେ କ୍ଷତ୍ରୀୟ ହୋଇବି କ'ଣ ବ୍ରାହ୍ମଣଙ୍କ ପରି ଭିକ୍ଷାବୃତ୍ତି କରି ଅବଶିଷ୍ଟ ଜୀବନ କାଟିବୁ? ଏହା କ'ଣ ସମ୍ଭବ କି?
ଦ୍ୱନ୍ଦ୍ୱରେ ପାଣ୍ଡବ
ଧୃତରାଷ୍ଟ୍ର ଆମର ପିତୃ ତୁଲ୍ୟ । ଆମ ପିତାଙ୍କର ବଡ଼ ଭାଇ ସେ । ସେ ସଞ୍ଜୟ ହାତରେ ଯେଉଁ ଆଦେଶ ବା ଅନୁରୋଧ କଲେ ତାହାକୁ ପ୍ରତ୍ୟାଖାନ କରିବା କ'ଣ ଧର୍ମର କାମ ହେବ? ଆମେ ଏବେ ବହୁତ ବଡ଼ ଧର୍ମ ସଙ୍କଟରେ ପଡିଯାଇଛୁ । କ'ଣ କରାଯିବା ଉଚିତ୍ ଓ କଣ କରାଯିବା ଉଚିତ ନୁହେଁ ବିଚାର କରି ପାରୁନୁ । ସେପଟେ ଧୃତରାଷ୍ଟ୍ରଙ୍କ ପାପିଷ୍ଠ ପୁତ୍ରମାନଙ୍କର ଇଚ୍ଛା ଯେ ଆମକୁ କିଛି ବି ଫେରାଇବେନି । ଏପଟେ ଆମେ ଯୁଦ୍ଧକୁ ଓହ୍ଲାଇଲେ କୁରୁକୁଳ ଧ୍ୱଂସ ହେଇଯିବ । ଯୁଦ୍ଧ ନକଲେ ଆମକୁ ଆମ ରାଜ୍ୟ ଫେରସ୍ତ ମିଳିବନି । ନିଜ ରାଜ୍ୟ ଫେରିପାଇବାକୁ ଯୁଦ୍ଧ କରି ଆମମାନେ ବି ଯଦି ନିହତ ହେବୁ ତାହା ବରଂ ଶ୍ରେୟସ୍କର ହେବ । କିନ୍ତୁ ଏମିତି ଆମ ରାଜ୍ୟକୁ ଆମେ ହାତଛଡା କରିପାରିବୁନି । ଆମର ରାଜ୍ୟ ମୂର୍ଚ୍ଛିବାକୁ ଇଚ୍ଛା ହେଉନାହିଁ କି ବଂଶ କ୍ଷୟ କରିବାକୁ ଇଚ୍ଛା ବି ହେଉନାହିଁ । ହେ ଜନାର୍ଦ୍ଦନ ଏବେ ମୋତେ କୁହ କେଉଁ ଉପାୟରେ ଆମେ ଧର୍ମ ଭ୍ରଷ୍ଟ ହେବୁ ନାହିଁ କି ରାଜ୍ୟଭ୍ରଷ୍ଟ ହେବୁ ନାହିଁ ।
ଯୁଧିଷ୍ଠିରଙ୍କ କଥା ଶୁଣି କୃଷ୍ଣ କହିଲେ, ‘ହେ ଧର୍ମରାଜ, କୌରବ ଓ ପାଣ୍ଡବ ଉଭୟ ପକ୍ଷର ହିତ ପାଇଁ ମୋତେ କୁରୁସଭାକୁ ଏବେ ଯିବାକୁ ହେବ । ଉଭୟ ପକ୍ଷ ମଧ୍ୟରେ ସନ୍ଧି ସ୍ଥାପନ କରିପାରିଲେ ମୋ ଦ୍ୱାରା ଗୋଟେ ଭଲ କାମ ହେଇପାରିଲା ବୋଲି ଆତ୍ମସନ୍ତୋଷ ଆସିବ । ଶାନ୍ତି ପ୍ରତିଷ୍ଠା ହେଇ ପାରିଲେ ସମସ୍ତଙ୍କ ପାଇଁ ମଙ୍ଗଳକର ହେବ ଓ ଅଯଥା ରକ୍ତପାତ ହେବନାହିଁ । ଧ୍ୱଂସମୁଖରୁ ସଂସାର ରକ୍ଷା ପାଇଯିବ ।’
ଯୁଧିଷ୍ଠିର କହିଲେ ‘ହେ ମାଧବ ତୁମେ କୁରୁସଭାକୁ ଯାଅ ବୋଲି ମୁଁ କହୁନାହିଁ । ମୁଁ ଜାଣିଛି ସେଠାକୁ ଯାଇ କିଛିବି ଲାଭ ହେବନି । କାରଣ ସେମାନେ ତୁମ କଥା କେବେବି ଶୁଣିବେ ନାହିଁ । ଦୁଷ୍ଟ ଦୁର୍ଯ୍ୟୋଧନ ତୁମ ପ୍ରତି ଖରାପ ବ୍ୟବହାର ପ୍ରଦର୍ଶନ କରିପାରେ । ହୁଏତ ଦ୍ରୋହ ଆଚରଣ କରିପାରେ । ତୁମର ଅପମାନ ପରେ ଆମର ରାଜ୍ୟଲାଭର କିଛି ବି ସୁଖ ରହିବନାହିଁ ।’
ଯୁଧିଷ୍ଠିରଙ୍କ ଆଶଙ୍କା ଶୁଣି କୃଷ୍ଣ କହିଲେ, ‘ହେ ଧର୍ମରାଜ! ମୁଁ ଦୁର୍ଯ୍ୟୋଧନର ମନ୍ଦ ବୁଦ୍ଧି ବିଷୟରେ ଜାଣେ । କିନ୍ତୁ ସେଠାରେ ଅନ୍ୟମାନେ ବି ଉପସ୍ଥିତ ଥିବେ। ମୋର ଇଚ୍ଛା ହେଲା କେହି ଯେପରି ନଭାବନ୍ତି ଯେ ଆମେ ଶାନ୍ତି ପାଇଁ ଶେଷ ଚେଷ୍ଟା କଲେ ନାହିଁ । ତାପରେ ଦୁର୍ଯ୍ୟୋଧନ ମୋ ପ୍ରତି ଦ୍ରୋହ ଆଚରଣ କରିବାକୁ ସାହସ କରିବେନି । ମୁଁ ଶାନ୍ତିଦୂତ ଭାବରେ କୁରୁସଭାକୁ ଯିବି । ମୋ ସୁରକ୍ଷା ନେଇ ନିଶ୍ଚିନ୍ତ ରୁହ । ସେମାନେ ମୋତେ ଅବା ତୁମ ପ୍ରତି କିଛି ଖରାପ ବ୍ୟବହାର ଯଦି ଦେଖାଇବେ, ତେବେ ତା'ର ପରାଭବ ସେଇଠି ସେମାନେ ସଙ୍ଗେ ସଙ୍ଗେ ଭୋଗ କରିବେ । ଜାଣିଥାଅ ମୋ କ୍ରୋଧ ଆଗରେ କେହିବି ଛିଡା ହେଇ ପାରିବେନି ।’
ଯୁଧିଷ୍ଠିର କହିଲେ, ‘ହେ ମାଧବ! ତୁମ ମନକୁ ଯାହା ଠିକ୍ ଲାଗୁଛି ତାହାହିଁ କର । ତୁମେ ଭଲରେ ଯାଇ ଶାନ୍ତି ସ୍ଥାପନା କରି ଭଲରେ ଫେରି ଆସ । ତୁମେ ଆମମାନଙ୍କୁ ଓ ଆମର ଶତ୍ରୁମାନଙ୍କୁ ଭଲରେ ଜାଣିଛ। ଯାହା ଦରକାର ଜାଣିଛ ଓ କ'ଣ କରିବାକୁ ହେବ ତାହା ବି ଜାଣିଛ । ଆମ ସମସ୍ତଙ୍କର ଯେଉଁଥିରେ ମଙ୍ଗଳ ହେବ ସେଇପରି ଉପଦେଶ ଦୁର୍ଯ୍ୟୋଧନକୁ ଦେବ । ଆମ ସମସ୍ତଙ୍କର ଇଚ୍ଛା ଧର୍ମ ଓ ଶାନ୍ତି ସ୍ଥାପନା ହେଉ ।’
କୃଷ୍ଣ କହିଲେ, ହଁ, ମୁଁ ସଞ୍ଜୟଙ୍କ କଥା ଶୁଣିଲି ଓ ତୁମ କଥା ବି ଶୁଣିଲି । ଉଭୟ ପକ୍ଷର ମନ ଭିତରର କଥା ମୁଁ ଜାଣିଛି । ତୁମେ ଧର୍ମକୁ ଆଶ୍ରୟ କରିଛ କିନ୍ତୁ କୌରବମାନେ ବୃଥା ଅହମିକା, ଈର୍ଷା, ଅସୂୟା ଓ ଶତ୍ରୁପଣରେ ବିଶ୍ୱାସ ରଖିଛନ୍ତି । ବିନା ଯୁଦ୍ଧରେ ଯାହା ମିଳିବ ତାକୁ ଗ୍ରହଣ କରିବା ଉଚିତ । କିନ୍ତୁ ପାଞ୍ଚଖଣ୍ଡି ଗାଁ ଦିଅ ବୋଲି ଭିକ୍ଷା ମାଗିବା ପରି କାମ କ୍ଷତ୍ରୀୟ କରିବା ଉଚିତ ନୁହେଁ । କ୍ଷତ୍ରୀୟମାନଙ୍କୁ ଭିକ୍ଷାକରି ବଞ୍ଚିବାକୁ ବାରଣ କରାଯାଇଛି । ତୁମକୁ ବରଂ ପରମ ବିକ୍ରମର ସହ ଶତ୍ରୁଙ୍କ ସହ ଯୁଦ୍ଧ କରିବାକୁ ହେବ । ପରିଣାମ ଯାହା ବି ହେଇପାରେ । ଯୁଦ୍ଧଭୂମିରେ ଜୟ ଓ ପରାଜୟ ଉଭୟ ବରଣୀୟ ।
ହେ ଯୁଧିଷ୍ଠିର ଯିଏ ଭୀଷ୍ମ, ଦ୍ରୋଣ, ଧୃତରାଷ୍ଟ୍ର, ମହାତ୍ମା ବିଦୂର ଆଦିଙ୍କ ଆଗରେ, ଭରାସଭାରେ ତୁମକୁ କପଟ ପଶାରେ ପରାସ୍ତ କରିବାକୁ ଲାଜ କଲାନି, ସେହି ଦୁରାଚାରୀ, ଦୁଷ୍ଟ ବୁଦ୍ଧି ଦୁର୍ଯ୍ୟୋଧନ ପ୍ରତି କଦାପି କୋମଳ ମନୋଭାବ ଆଣନାହିଁ । ସେ ହତ ହେବାକୁ ଯୋଗ୍ୟ । ତଥାପି ଆମେ ନିଶ୍ଚୟ ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରଥମେ ଚେଷ୍ଟା କରିବା । କିନ୍ତୁ କିଛି ଫଳ ନମିଳିଲେ ତୁରନ୍ତ ଯୁଦ୍ଧ ପାଇଁ ପ୍ରସ୍ତୁତ ହେବାକୁ ହେବ ।’ ଶ୍ରୀକୃଷ୍ଣଙ୍କ କଥା ପରେ ସେଠାରେ ଉପସ୍ଥିତ ଥିବା ଭୀମସେନ କହିଲେ, ‘ହେ କେଶବ ଶେଷ ଥର ପାଇଁ ସନ୍ଧି ପାଇଁ ଚେଷ୍ଟା କରାଯାଉ । ଦୁର୍ଯ୍ୟୋଧନଙ୍କ ଅନୁଗତ ହେବାକୁ ଆମେ ବରଂ ରାଜି ଅଛୁ, କିନ୍ତୁ ଯୁଦ୍ଧରେ କୁରୁକୁଳ ସମ୍ପୂର୍ଣ୍ଣ ଧ୍ୱଂସ ନହେଉ । ଯେକୌଣସି ଉପାୟରେ ଦୁର୍ଯ୍ୟୋଧନଙ୍କ କ୍ରୋଧକୁ ଶାନ୍ତ କରନ୍ତୁ । ଭାଇ ଭାଇଙ୍କ ଭିତରେ ସଦ୍ଭାବନା ପ୍ରତିଷ୍ଠା ହେଉ । ଆମେ ସମସ୍ତେ ଶାନ୍ତି ଚାହୁଁ ।’
ଅର୍ଜୁନ ଓ ନକୁଳ ଭୀମଙ୍କ କଥାକୁ ସମର୍ଥନ କଲେ
ସବୁବେଳେ କୌରବ ମାନଙ୍କ ସହ ଯୁଦ୍ଧ କରିବାକୁ ଆଗଭର ହେଉଥିବା ଭୀମସେନଙ୍କ ଭିତରେ ଶାନ୍ତି କାମନା ଦେଖି କୃଷ୍ଣ ମନେ ମନେ ହସିଲେ ।
କିନ୍ତୁ ସହଦେବ ଅଲଗା କଥା କହିଲେ । କହିଲେ, ‘ହେ ମାଧବ! ମୋ ଭାଇମାନେ ଶାନ୍ତି ପ୍ରତିଷ୍ଠା କଥା କହିଲେ। କିନ୍ତୁ ମୋର କହିବାର କଥା ହେଲା ତୁମେ ଏପରି କିଛି କରିବ ନାହିଁ । ମୋର ଅନୁରୋଧ ଯେକୌଣସି ଉପାୟରେ ଯୁଦ୍ଧ କରିବାକୁ ତୁମେ ବରଂ ଚେଷ୍ଟା କରିବ। ଦୁର୍ଯ୍ୟୋଧନ ଯଦି ତାଙ୍କ ପକ୍ଷରୁ କୌଣସି କାରଣରୁ ଶାନ୍ତି ସନ୍ଧି କରିବାକୁ ଚାହିଁବେ, ତଥାପି ତୁମେ ଯୁଦ୍ଧର ବ୍ୟବସ୍ଥା କରିକି ଆସିବ । ସେମାନେ ଦ୍ରୌପଦୀକୁ ଯେପରି ଅପମାନିତ କରିଛନ୍ତି କେବଳ ସେଇଥିପାଇଁ ସେମାନଙ୍କ ସହ ଯୁଦ୍ଧ କରାଯିବା ଉଚିତ୍।’
ସହଦେବଙ୍କ ପ୍ରସ୍ତାବକୁ ସାତ୍ୟକୀ ସମର୍ଥନ ଜଣାଇଲେ
ସେତିକି ବେଳକୁ ନିଜର କେଶ ମୁକୁଳା କରି ସେଠାରେ ଦ୍ରୌପଦୀ ଆସି ପହଞ୍ଚିଲେ ଓ କୃଷ୍ଣଙ୍କୁ କହିଲେ, ‘ହେ ସଖା! ମୁଁ ଶୁଣିଲି ତୁମେ କ'ଣ ଶାନ୍ତି ଦୂତ ହେଇ ହସ୍ତିନା ଯାଉଛ। ଯିବା ପୂର୍ବରୁ ମୋର ପ୍ରିୟ ସଖା ଭାବରେ ମୋ ମନ କଥା ଥରେ ଶୁଣିକରି ଯାଅ । ମୁଁ ରାଜା ଦ୍ରୁପଦଙ୍କ ଝିଅ ଓ ଧୃଷ୍ଟଦ୍ୟୁମ୍ନଙ୍କ ଭଉଣୀ । ରାଜା ପଣ୍ଡୁଙ୍କର ବୋହୂ ମୁଁ। ପାଣ୍ଡବ ପାଞ୍ଚଭାଇଙ୍କ ଔରସରୁ ମୁଁ ପାଞ୍ଚଜଣ ବୀରପୁତ୍ରଙ୍କୁ ଜନ୍ମ ଦେଇଛି । ମୋ ଦୁର୍ଭାଗ୍ୟକୁ ମୁଁ ଭରା କୁରୁସଭାରେ ଅପମାନିତ ଲାଞ୍ଛିତ ହେଇଛି । ସେଦିନ କଥା ମୁଁ କେବେବି ଭୁଲି ପାରିବିନି । ଦୁଷ୍ଟ ଦୁଃଶାସନ ସେଦିନ ମୋର ଯେଉଁ କେଶକୁ ଆକର୍ଷଣ କରି ମୋତେ ସଭାସ୍ଥଳକୁ ନେଇଯାଇଥିଲା ସେ କେଶକୁ ମୁଁ ଏବେବି ମୁକୁଳା ରଖିଛି । ଏବେ ତୁମେ ପାଣ୍ଡବ ଭାଇମାନଙ୍କ ପାଇଁ ପାଞ୍ଚଖଣ୍ଡ ଗାଁ ମାଗିବାକୁ ଯାଉଛ। ଗାଁ ପାଇ ସେମାନେ ଶାନ୍ତିରେ ରହିଯିବେ । କିନ୍ତୁ ମୋ ଅପମାନର ପ୍ରତିଶୋଧ କିଏ ନେବ? ଯଦି ମୋତେ ଅପମାନିତ ଲାଞ୍ଛିତ କରି ଦୁର୍ଯ୍ୟୋଧନ ଓ ତା'ର ପାପିଷ୍ଠ ଭାଇମାନେ ବଞ୍ଚିରହିଲେ ତେବେ ଅର୍ଜୁନଙ୍କ ଧନୁ ଓ ଭୀମଙ୍କ ଗଦା ଧିକ୍କାର ଯୋଗ୍ୟ ।’
ଦ୍ରୌପଦୀ କହୁଥା'ନ୍ତି ଓ କାନ୍ଦୁଥା'ନ୍ତି । କହୁଥା'ନ୍ତି ‘ଯଦି ପାଣ୍ଡବ ପାଞ୍ଚଭାଇ ମୋର ଅପମାନର ପ୍ରତିଶୋଧ ନନେଇ କୌରବମାନଙ୍କ ପାଖରୁ ପାଞ୍ଚଖଣ୍ଡ ଗାଁ ଭିକ୍ଷା ମାଗି ଶାନ୍ତିରେ ରହିପାରିବେ, ତେବେ ମୋ ପାଇଁ ମୋ ବୁଢ଼ା ବାପା, ମୋ ଭାଇ ସହ ମିଶି କୌରବମାନଙ୍କ ସହ ନିଶ୍ଚୟ ଯୁଦ୍ଧ କରିବେ । ଯଦି ସେ ମନା କରିବେ ତେବେ ମୋ ପୁଅମାନେ ଯୁଦ୍ଧ କରିବେ। ଗଲା ତେର ବର୍ଷ ଧରି ମୋ ଅପମାନକୁ ମୁଁ ନିଜ ଭିତରେ ଚାପି ରଖି ଅପେକ୍ଷା କରିଥିଲି ଯେ, କେବେ ମୋର ବୀର ସ୍ୱାମୀମାନେ ମୋର ଅପମାନର ଉପଯୁକ୍ତ ପ୍ରତିଶୋଧ ନେବେ । କିନ୍ତୁ ଏବେ ଦେଖୁଛି ସେମାନେ ତ ଶାନ୍ତି ପ୍ରତିଷ୍ଠା ପାଇଁ ବ୍ୟାକୁଳ ।’
ଦ୍ରୌପଦୀ କାନ୍ଦିବାକୁ ଲାଗିଲେ
ସଖୀ ଦ୍ରୌପଦୀଙ୍କ କାନ୍ଦ ଦେଖି କୃଷ୍ଣ ବ୍ୟସ୍ତ ହେଇ କହିଲେ, ‘ହେ ପାଞ୍ଚାଳୀ! ତୁମେ ଅଯଥାରେ କାନ୍ଦୁଛ । ମୁଁ ଭଲରେ ଜାଣିଛି ଦୁର୍ଯ୍ୟୋଧନ କେବେବି କୌଣସି ଶାନ୍ତି ପ୍ରସ୍ଥାବରେ ରାଜି ହେବନି । ଯୁଦ୍ଧ ନିଶ୍ଚୟ ହେବ । ଅର୍ଜୁନ ଓ ଭୀମ ତୁମକୁ ଯେଉଁ କଥା ଦେଇଥିଲେ ଅବଶ୍ୟ ରକ୍ଷା କରିବେ । ଦେଖିବ ପୂରା କୌରବକୁଳ ଧ୍ୱଂସ ପାଇବ । ମୁଁ ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରୟାସ କଲିନାହିଁ ବୋଲି କେହି ଯେପରି ନକୁହନ୍ତି ସେଥିପାଇଁ ମୋତେ ଥରେ ହସ୍ତିନା ଯିବାକୁ ପଡିବ ।
ତୁମେ ନିଶ୍ଚିନ୍ତରେ ରୁହ, କିଛିବି ହେଇପାରେ କିନ୍ତୁ ଯୁଦ୍ଧ ନିଶ୍ଚୟ ହେବ। ମୁଁ ଚାହେଁ ଶାନ୍ତି ପ୍ରତିଷ୍ଠା ହେଉ କିନ୍ତୁ ସେ ଶାନ୍ତି ଯୁଦ୍ଧ ପରର ଶାନ୍ତି ହେଉ ।’
ଦ୍ରୌପଦୀ ତାଙ୍କ ଆଖିର ଲୁହକୁ ଅଟକାଇବୁ ଚେଷ୍ଟା କରି କୃଷ୍ଣଙ୍କୁ ଚାହିଁଲେ । କୃଷ୍ଣଙ୍କ ଓଠ ଧାରରେ ଧାରେ ହସ ଖେଳୁଥିଲା । ସେ ହସର ଅର୍ଥ ଦ୍ରୌପଦୀ ବୁଝିପାରିଲେନି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)