Advertisment

ବିବାହ୍ୟୁକ୍ତି

ପବିତ୍ର ମନ୍ତ୍ରର ତାଳେତାଳେ ଭେଟ ହୁଅନ୍ତି  ଅଜଣା ପକ୍ଷୀ ହଳେ, ସାଥିରେ ପହିଲି ପ୍ରେମର କଅଁଳ ଡେଣା ଯୋଡିଏ !   ସାଖିଥାଏ ସାତଦିପ , ଆଠକଳସ, ମାଟିବେଦୀ, ହୋମକୁଣ୍ଡ, ବାହାମୁକୁଟ, ହାତଗଣ୍ଠି ଦଶଦିଗପାଳ… ସାଖିଥାଏ ବ୍ରାହ୍ମଣର ହୋମମନ୍ତ୍ର ମଙ୍ଗଲମ ଭଗବାନ…

author-image
Pramod Behera
ବିବାହ୍ୟୁକ୍ତି

Untitled-1

ପବିତ୍ର ମନ୍ତ୍ରର ତାଳେତାଳେ

ଭେଟ ହୁଅନ୍ତି  ଅଜଣା ପକ୍ଷୀ ହଳେ,

ସାଥିରେ ପହିଲି ପ୍ରେମର କଅଁଳ ଡେଣା ଯୋଡିଏ !

ସାଖିଥାଏ ସାତଦିପ , ଆଠକଳସ, ମାଟିବେଦୀ, ହୋମକୁଣ୍ଡ,

ବାହାମୁକୁଟ, ହାତଗଣ୍ଠି ଦଶଦିଗପାଳ…

ସାଖିଥାଏ ବ୍ରାହ୍ମଣର ହୋମମନ୍ତ୍ର

ମଙ୍ଗଲମ ଭଗବାନ ଵିଷ୍ଣୁ , ମଙ୍ଗଲମ ଗରୁଡ଼ଧ୍ଵଜ

ମଙ୍ଗଲମ ପୁଣ୍ଡରିକାକ୍ଷ, ମଙ୍ଗଲମ ତନୋ ହରି…

ସାଖିଥାଏ ଖଇ କଉଡ଼ି ସହ ପବିତ୍ର ଅନଳ !

ଆରମ୍ଭହୁଏ ଘର ଗଢ଼ା, ପ୍ରେମ-ପ୍ରତିଶ୍ରୁତି କୁଟା କାଠିର,

ନଥାଏ ଭୟ ଯହିଁ ବିଜୁଳି ବର୍ଷା ଶୀତ ଅବା ପ୍ରଚଣ୍ଡ ଗ୍ରୀଷ୍ମର ।

ଦୁଇ ପ୍ରେମ ପକ୍ଷୀ ଉଡ଼ିବୁଲନ୍ତି

ଅନନ୍ତ ଆକାଶ, ଅକ୍ଷୟ ସମୁଦ୍ର!

ବୁଝିଥାଏ ପ୍ରେମପକ୍ଷୀ

ଯୁଦ୍ଧ ଥିଲେ ମୃତ୍ୟୁ, ମୋହ ଥିଲେ ମୁକ୍ତି

କାମନା ଓ ପ୍ରେମର ସୂତ୍ରରେ ମଣିଷ ତ ଆଜୀବନ ବନ୍ଧା !

ସବୁଲାଗେ ନୂଆନୂଆ

ଜୀବନ ଯୌବନ

ଅବ୍ୟକ୍ତ ସେ ରହସ୍ୟମୟ ତୃପ୍ତି

ବିଶ୍ୱାସରେ ବିଶ୍ୱାସ, ନିଶ୍ୱାସରେ ନିଶ୍ୱାସ

ଧୀରେ ଧୀରେ ଗାଢ଼ ହୁଏ ସମ୍ପର୍କର ରଙ୍ଗ

ଓଠରେ ଓଠ ମିଶି ଗଢ଼ାହୁଏ ନୂଆ ଏକ ପୃଥ୍ୱୀ !

ସାଥେ ଥିଲେ ସାଥିଟିଏ ଗୋଟେ ଜନ୍ମ ପଡଇ ନିଅଂଟ

ସାତ ଜନ୍ମ, ସହସ୍ର ଯୁଗ  ପାଇଁ କଥା ଦିଆନିଆ ।

ବିବାହତ ଅଲେଖା କବିତା ଆଉ ଅସରା ଗପର ହାଟ ।

ସାଥିରେ ଥିଲେ ସାଥିଟିଏ ଆତଙ୍କର ଆକର୍ଷଣ ବି ମିଠା ମିଠା,

ଅମାବାସ୍ୟାର ଅନ୍ଧାରରେ ଗୋଟାପଣେ ପୂର୍ଣ୍ଣମୀର ଅନୁଭବ !

ସ୍ୱପ୍ନସବୁ ଢେଉହେଇ ଆସେ

ଦୁଃଖ ବି ରଜନୀଗନ୍ଧା ପରି ମହମହ ବାସେ !

ନା ଦିନ ସରେ ନା ରାତି ସରେ

ଭଲଲାଗେ ଖାଲଢ଼ିପ ପାହାଡ଼ ଝରଣା ନଈ,

ଶୂନ୍ୟତା-ପୂର୍ଣ୍ଣତା ସବୁ ଏକାକାର

ଘଞ୍ଚ ଜଙ୍ଗଲଠୁ ବି ଶାଗୁଆ ଦିଶେ ଯେତେସବୁ ତୁଛ ମରୁଭୂଇଁ !

ମାପିହୁଏନା ସଂସାରର ବ୍ୟାସ କି ବ୍ୟାସାର୍ଦ୍ଧ

ସମୟର ଅକ୍ଷାଂଶ ଦ୍ରାଘିମା।

ଜିତିବାଠୁ ବେଶିବେଶି ଭଲଲାଗେ ହାରିବାଟା ଏଠି !

ଦୁଇ ଦେହ ଏକ ମନ ଏକ ସ୍ପନ୍ଦନ

ମହୁଠାରୁ ମିଠା ଯେତେସବୁ ମାନ ଅଭିମାନ  ।

ବିବାହଟା ଆଉ କ’ଣ କି

ନିର୍ଭରତାର ମାଟିକୁ ବିଶ୍ୱାସର ଚେରରେ

ପରସ୍ପର ଆଜନ୍ମ ଜାବୁଡ଼ି ଧରିବାର

ଗୋଟେ ଯାହା ମଧୁର ସମ୍ମୋହନ ।

publive-image

ରିତାଞ୍ଜଳି ମହାରଣା

ପଳାଶୁଣି, ଭୁବନେଶ୍ୱର

Advertisment
Advertisment