Mahabharat Photograph: (OTV)
ଝିଅ ଜନ୍ମ କରି କାହିଁକି ସମସ୍ତଙ୍କୁ ପୁଅ ଜନ୍ମ ହୋଇଛି ବୋଲି କହୁଥିଲେ ରାଜା ଦ୍ରୁପଦ? ବିବାହ ପରେ ଶିଖଣ୍ଡିଙ୍କୁ ଛାଡ଼ି ତାଙ୍କ ପତ୍ନୀ କାହିଁକି ବାପା ଘରକୁ ଚାଲିଗଲେ? ଝିଅ ହୋଇ ଜନ୍ମ ହୋଇଥିବା ଶିଖଣ୍ଡି ପୁଣି ପୁଅ ହେଲେ କେମିତି? କାହିଁକି ଯକ୍ଷ ନାରୀ ହୋଇ ଜଙ୍ଗଲରେ ରହିଲେ? ଏଇ ସମସ୍ତ ପ୍ରଶ୍ନର ଉତ୍ତର ଜାଣିବାକୁ ପଢ଼ନ୍ତୁ ଆଜିର ଅଧ୍ୟାୟ ।
ମହାଦେବଙ୍କ ପାଖରୁ ଅମ୍ବା ବର ପାଇଲେ ସେ ତାଙ୍କ ପର ଜନ୍ମରେ ଭୀଷ୍ମଙ୍କ ମରଣର କାରଣ ହେବେ । ବର ପାଇଲା ପରେ ଅମ୍ବା ଭାବିଲେ ସେ ପାଇଥିବା ବରଟି ଯେତେ ଜଲଦି ସମ୍ଭବ ଫଳିବା ଦରକାର । ତେଣୁ ସେ ଯଥାଶୀଘ୍ର ପୁର୍ନଜନ୍ମ ନେବାକୁ ଅଗ୍ନିରେ ପ୍ରବେଶ କଲେ ।
ପାଞ୍ଚାଳ ଦେଶ ଓ ହସ୍ତିନାର ସମ୍ପର୍କ ଭଲ ନଥିଲା । ଭୀଷ୍ମଙ୍କ ପ୍ରତିହିଂସା ପାଳିବା ପାଇଁ ଦ୍ରୁପଦ ଶିବଙ୍କୁ ଉପାସନା କଲେ ଯେ ତାଙ୍କର ପୁଅଟିଏ ହେଉ । ଭଗବାନ ଶିବ ରାଜାଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ବର ପ୍ରଦାନ କରି କହିଲେ ରାଜା ତୁମର ପୁରୁଷ ଭାବ ଓ ନାରୀ ଭାବ ଥିବା ପୁଅଟିଏ ହେବ ।
କିଛିଦିନ ପରେ ରାଣୀ ଗର୍ଭବତୀ ହେଲେ ଓ ଯଥା ସମୟରେ କନ୍ୟା ସନ୍ତାନ ଜନ୍ମ ହେଲେ । ରାଜା ଓ ରାଣୀଙ୍କର ପୁତ୍ର ସନ୍ତାନ ଆଗରୁ ନଥିଲେ । ଦୁହେଁ ସବୁବେଳେ ପୁଅଟିଏ ହେଉ ବୋଲି ଚାହୁଁଥିଲେ । କନ୍ୟା ସନ୍ତାନ ଜନ୍ମ ହେଲାପରେ ମଧ୍ୟ ଆମର ପୁଅ ହେଲା ବୋଲି ଦୁହେଁ ପ୍ରଚାର କରିଦେଲେ ।
ରାଜା ଓ ରାଣୀ ସେ କନ୍ୟାକୁ ପୁଅ ପରି ପାଳିବାକୁ ଲାଗିଲେ । ସେ ଦୁହିଁଙ୍କି ଛାଡ଼ିଦେଲେ ଅନ୍ୟ କେହି ଜାଣିପାରିଲେନି ରାଜାଙ୍କ ପୁଅ ପ୍ରକୃତରେ ଝିଅଟିଏ ବୋଲି। ପିଲାଟିର ନାମ ଦିଆଗଲା ଶିଖଣ୍ଡି । ଶିଖଣ୍ଡି ବାଣ ଓ ଅସ୍ତ୍ର ଚାଳନା ଶିଖିବାକୁ ଦ୍ରୋଣଙ୍କର ଶିଷ୍ୟ ହେଲେ ।
ଲୁଚେଇବା ଆଉ ସମ୍ଭବ ହେଲାନି
ଧିରେ ଧିରେ ଶିଖଣ୍ଡିଙ୍କର ବୟସ ବଢ଼ିଲା । ପୁଅ ପରି ବେଶ ପଡ଼ିଥିଲେ ବି ସେ ତ ଝିଅଟିଏ । ଯୌବନ ସମୟ ଆସିଲାରୁ ରାଜା ଓ ରାଣୀଙ୍କ ପକ୍ଷରେ ତାଙ୍କ ଝିଅର ପ୍ରକୃତ ରୂପ ଓ ସ୍ୱରୂପକୁ ଲୁଚେଇବା ଆଉ ସମ୍ଭବ ହେଲାନି । ରାଜା ଦିନେ ତାଙ୍କ ରାଣୀଙ୍କ ସହ ମନ୍ତ୍ରଣା କରି କହିଲେ ଏବେ କ'ଣ କରିବା? ଝିଅର ବିବାହ ବୟସ ହେଲାଣି । ମୁଁ ଶିବଙ୍କ କଥାକୁ ଲୁଚେଇ ରଖିଛି । ରାଣୀ କହିଲେ ଚାଲନ୍ତୁ ଶିଖଣ୍ଡିର ବିବାହ କରିଦେବା । ଶିବଙ୍କ କଥା ଅନୁସାରେ ବିବାହ ପରେ ସେ ନିଶ୍ଚୟ ଝିଅରୁ ପୁଅ ହେଇଯିବ ।
ପାଞ୍ଚାଳ ରାଜା ଦ୍ରୁପଦଙ୍କର ଖ୍ୟାତି ଥିଲା । ସେ ଯେତବେଳେ ତାଙ୍କ ପୁଅର ବିବାହ ପାଇଁ କନ୍ୟା ସନ୍ଧାନରେ ବାହାରିଲେ ସେତେବେଳେ ଅନେକ ରାଜା ସେମାନଙ୍କ କନ୍ୟାମାନଙ୍କର ବିବାହ ପ୍ରସ୍ତାବ ପଠାଇଲେ । ଶେଷରେ ଦଶାର୍ଣ୍ଣ ଦେଶର ହିରଣ୍ୟବର୍ମା ନାମକ ରାଜାଙ୍କ ସୁନ୍ଦରୀ ଝିଅ ସହ ଶିଖଣ୍ଡିଙ୍କର ବିବାହ ସମ୍ପନ୍ନ ହେଲା ।
ସତ କେବେ ଲୁଚି ରହେନି । ଖୁବ ଶୀଘ୍ର ଦଶାର୍ଣ୍ଣ ରାଜକୁମାରୀ ଜାଣିପାରିଲେ ତାଙ୍କ ସହ ମସ୍ତବଡ଼ ପ୍ରତାରଣା ହୋଇଛି । ବର ରୂପରେ ସେ ଯାହାକୁ ପାଇଛନ୍ତି ପ୍ରକୃତରେ ସେ ପୁରୁଷ ନୁହଁନ୍ତି । ଦୁଃଖ, ଲାଜ ଓ କ୍ରୋଧରେ ସେ ଆଉ ଦ୍ରୁପଦଙ୍କ ରାଜପ୍ରାସାଦରେ ନରହି ତୁରନ୍ତ ନିଜ ବାପଘରକୁ ଫେରିଗଲେ । ଦଶାର୍ଣ୍ଣ ଦେଶକୁ ଫେରିଆସିଲା ପରେ ସେ ତାଙ୍କ ବିଶ୍ୱସ୍ତ ସଖୀ ହାତରେ ପ୍ରକୃତ ସତ କଥା କ'ଣ ତାହା ଜଣାଇ ତାଙ୍କ ବାପା ରାଜା ହିରଣ୍ୟବର୍ମାଙ୍କ ପାଖକୁ ଖବର ପଠାଇଲେ ।
ପୁଅ କହି ଝିଅ ସହ ରାଜକୁମାରୀଙ୍କ ବିବାହ
ସତ କଥା ଶୁଣିଲା ପରେ ରାଜା ଭୀଷଣ ଭାବରେ ରାଗିଗଲେ ଓ ପାଞ୍ଚାଳ ଦେଶକୁ ଦ୍ରୁପଦଙ୍କ ପାଖକୁ ଦୂତ ପଠେଇଲେ । ଦୂତ ପାଞ୍ଚାଳ ଦେଶରେ ପହଞ୍ଚି କହିଲେ ଆପଣ ଆମ ଦେଶ ସାଙ୍ଗରେ ପ୍ରତାରଣା କରିଛନ୍ତି । ପୁଅ କହି ଗୋଟେ ଝିଅ ସହ ଆମ ରାଜକୁମାରୀଙ୍କ ବିବାହ ଦେଇଛନ୍ତି । ଏବେ ପ୍ରସ୍ତୁତ ରୁହନ୍ତୁ ଖୁବ ଶୀଘ୍ର ପ୍ରତିଶୋଧ ପାଇଁ ଦଶାର୍ଣ୍ଣ ଦେଶର ସୈନ୍ୟମାନେ ପାଞ୍ଚାଳ ଆକ୍ରମଣ କରିବେ । ଖୁବ ଶୀଘ୍ର ତୁମ ସମସ୍ତଙ୍କୁ ସଂହାର କରାଯିବ ।
ଦୂତ ପାଖରୁ ଧମକ ଶୁଣି ଦ୍ରୁପଦ କିନ୍ତୁ କିଛି ବି ପ୍ରତ୍ୟୁତ୍ତର ଦେଇ ପାରିଲେନି । ଧରା ପଡ଼ିଯାଇଥିବା ଚୋର ପରି ଚୁପ ରହିଲେ । କ'ଣ ବା କହିଥା'ନ୍ତେ ? ସେ ନିଜେ ତ ସତ କଥାଟି କ'ଣ ଜାଣିଥା'ନ୍ତି । ଦ୍ରୁପଦ ଜଣେ ଭୟାଳୁ ମଣିଷ ଥିଲେ । ଦଶାର୍ଣ୍ଣ ରାଜାଙ୍କ ଧମକ ଶୁଣି ସେ ଭୟ ପାଇ ନିଜ ରାଣୀଙ୍କ ପାଖରେ ପହଞ୍ଚି କହିଲେ ଏବେ କ'ଣ କରିବା? ଅପମାନିତ ଦଶାର୍ଣ୍ଣ ରାଜା ଖୁବ ଶୀଘ୍ର ପାଞ୍ଚାଳ ଆକ୍ରମଣ କରି ଆମକୁ ବିନାଶ କରିବେ ।
ରାଜା ଓ ରାଣୀଙ୍କ ଯୁଦ୍ଧ ଅପେକ୍ଷା ଅପବାଦକୁ ବେଶି ଭୟ ଥାଏ । ଏବେ ପୁରା ସଂସାର ଜାଣିବ ଦଶାର୍ଣ୍ଣ ରାଜା କାହିଁକି ପାଞ୍ଚାଳ ଦେଶ ଆକ୍ରମଣ କରିଛନ୍ତି । ଶିଖଣ୍ଡି ସବୁ ଜାଣୁଥା'ନ୍ତି । ଜାଣୁଥା'ନ୍ତି ତାଙ୍କରି ପାଇଁ ଏବେ ତାଙ୍କ ବାପା ଓ ମା ଲୋକଲଜ୍ୟା ସାଙ୍ଗରେ ଯୁଦ୍ଧକୁ ସାମ୍ନା କରିବେ । ତେଣୁ ଶିଖଣ୍ଡି କାହାକୁ କିଛି ନକହି ଚୁପ ଚାପ ଜଙ୍ଗଲକୁ ବାହାରି ଗଲେ । ଶିଖଣ୍ଡି ମନସ୍ଥ କରି ଯାଇଥା'ନ୍ତି ସେ ଜଙ୍ଗଲରେ ତପସ୍ୟା କରି ସିଦ୍ଧି ପ୍ରାପ୍ତ କରି ପୁରୁଷ ଶରୀର ଧାରଣ କରିବେ ଅଥବା ଆତ୍ମହତ୍ୟା କରିବେ ।
ଶିଖଣ୍ଡି ଜଙ୍ଗଲରେ ପ୍ରବେଶ କଲେ । ସେ ଜଙ୍ଗଲରେ ସ୍ଥୁଣାକର୍ଣ୍ଣେ ନାମରେ ଜଣେ ଯକ୍ଷ ବାସ କରୁଥା'ନ୍ତି । ଯକ୍ଷ ଭୟରେ ସେ ଜଙ୍ଗଲକୁ କେହି ଯାଉନଥା'ନ୍ତି । ଜଙ୍ଗଲ ଭିତରେ ଶିଖଣ୍ଡି ଗୋଟେ ପୁରୁଣା ଘର ଦେଖିଲେ । ଘର ଚାରିପାଖରେ ଉଚ୍ଚା ପାଚେରୀ ସାମ୍ନାରେ ତୋରଣ ଥିଲା । ଘର ଭିତରେ ଧୂଆଁ ଭର୍ତ୍ତି ଥିଲା । ଶିଖଣ୍ଡି ସେଇ ଘରେ ପ୍ରବେଶ କରି ନଖାଇ ନପିଇ ତପସ୍ୟା କରିବାକୁ ଲାଗିଲେ ।
ସ୍ଥୁଣାକର୍ଣ୍ଣେ ଯକ୍ଷ ସବୁ ଦେଖୁଥା'ନ୍ତି । ଦିନେ ସେ ଶିଖଣ୍ଡିଙ୍କ ଆଗରେ ପ୍ରକଟ ହୋଇ ପଚାରିଲେ କ'ଣ ପାଇଁ ନଖାଇ ନପିଇ ନିଜ ଶରୀରକୁ କ୍ଷୀଣ କରି ତପସ୍ୟା କରୁଛ? ତୁମ ମନରେ କ'ଣ ଅଛି ମୋତେ କୁହ । ମୁଁ ଜଣେ ଯକ୍ଷ ଓ କୁବେରଙ୍କ ଅନୁଚର । ତୁମକୁ ବର ଦେବାର ସାମର୍ଥ୍ୟ ମୋର ଅଛି । ତୁମେ ବର ଭାବରେ ଯାହା ମାଗିବାର ଅଛି ମୋତେ ମାଗିପାର । ଶିଖଣ୍ଡି କହିଲେ ଏଇଟା ଗୋଟେ ଅସାଧ୍ୟ କାମ ତୁମେ ତାହା ପୂରା କରିପାରିବନି । ଯକ୍ଷ ବାର ବାର ପଚାରିଲାରୁ ଶିଖଣ୍ଡି ତାଙ୍କ ମନର କଥା କହିଲେ । ସମସ୍ତ ବୃତ୍ତାନ୍ତ ଗୋଟି ଗୋଟି ଯକ୍ଷଙ୍କୁ ଶୁଣାଇଲେ । ତାପରେ କହିଲେ ଯଦି ବର ଦେଇପାରିବ ତେବେ ମୋତେ ପୁରୁଷ କରିଦିଅ ।
ଯକ୍ଷ ସ୍ଥୁଣାକର୍ଣ୍ଣେ ଟିକେ ଅସୁବିଧାରେ ପଡ଼ିଗଲେ । କହିଲେ ବାବୁ ତୁମକୁ ମୁଁ ସମ୍ପୂର୍ଣ୍ଣ ପୁରୁଷ କରିପାରିବନି। କିନ୍ତୁ ତୁମେ କାମ ଶେଷ ହେଲା ଯାଏଁ ଅର୍ଥାତ୍ ତୁମ ପତ୍ନୀ ଓ ଶ୍ୱଶୁରଙ୍କ ଆଗରେ ପ୍ରମାଣ ଦେଲାଯାଏଁ ମୋର ପୁରୁଷପଣକୁ ଦେଇ ପାରିବି। ତୁମେ ତୁମ କାମ ସରିଲା ଯାଏଁ ପୁରୁଷ ରହିବ, ମୁଁ ନାରୀ ହୋଇ ରହିବି । ତୁମ କାମ ସରିଲେ ତୁମେ ମୋତେ ମୋ ପୁରୁଷପଣ କିନ୍ତୁ ଫେରେଇ ଦେବ । ଯଥା ସମୟରେ ଫେରି ଆସିବାର ମୋତେ ପ୍ରତିଶୃତି ତୁମକୁ ଦେବାକୁ ହେବ ।
ଶିଖଣ୍ଡି ଏବେ ଯକ୍ଷ କଥାରେ ଖୁସିରେ ରାଜି ହୋଇଗଲେ । କହିଲେ, ହେ ଯକ୍ଷ ! ମୁଁ ଶପଥ କରି କହୁଛି କାର୍ଯ୍ୟ ସିଦ୍ଧି ପରେ ମୁଁ ନିଶ୍ଚୟ ଫେରିଆସି ତୁମ ପୁରୁଷତ୍ୱ ତୁମକୁ ଫେରାଇଦେବି । ତାପରେ ଯକ୍ଷ ନାରୀ ହୋଇଗଲେ ଓ ଶିଖଣ୍ଡି ଯକ୍ଷଙ୍କର ତେଜଦୀପ୍ତ ପୁରୁଷ ରୂପ ଧାରଣ କରି ନିଜ ଦେଶକୁ ଫେରି ଆସିଲେ ।
ଶିଖଣ୍ଡି ଦେଶକୁ ଫେରି ପିତା ଦ୍ରୁପଦଙ୍କୁ ସବୁ କଥା କହିଲେ । ରାଜା ଦ୍ରୁପଦ ଆଉ ଡେରି ନକରି ଦଶାର୍ଣ୍ଣ ନରେଶଙ୍କ ପାଖକୁ ଖବର ପଠାଇଲେ । କହିଲେ, ରାଜା ତୁମେ ଭୁଲ୍ ଖବର ପାଇଛ । କେହି ଜଣେ ମିଛରେ ମୋ ପୁଅ ବିଷୟରେ ତୁମକୁ ଭୁଲ୍ କଥା କହିଛି । ମୋ ପୁଅ ପାଞ୍ଚାଳ ରାଜକୁମାର ଶିଖଣ୍ଡି ଜଣେ ପୁରୁଷ । ପାଞ୍ଚାଳ ଆକ୍ରମଣ କରିବାକୁ ପ୍ରସ୍ତୁତ ହେଉଥିବା ଦଶାର୍ଣ୍ଣ ରାଜା ଖବର ପାଇଲା ପରେ ପ୍ରକୃତ ସତ୍ୟାସତ୍ୟ ଜାଣିବାକୁ ଶିଖଣ୍ଡିଙ୍କ ପାଖକୁ କିଛି ସୁନ୍ଦରୀ ରମଣୀଙ୍କୁ ପଠାଇଲେ । ସେମାନେ ଫେରିଯାଇଁ କହିଲେ, ହେ ମହାରାଜ ପାଞ୍ଚାଳ ରାଜକୁମାର ନାରୀ ନୁହନ୍ତି, ପ୍ରକୃତରେ ଜଣେ ପୁରୁଷ । ଆପଣଙ୍କୁ କେହି ଜଣେ ଭୁଲ୍ ଖବର ଦେଇଛି । ରାଜା ହିରଣ୍ୟବର୍ମା ନିଜ କନ୍ୟା ଉପରେ ବିରକ୍ତ ହେଲେ ଓ କନ୍ୟାକୁ ବହୁତ ଉପଢୌକନ ସହ ପାଞ୍ଚାଳ ପଠେଇଲେ ।
ସେପଟେ ଜଙ୍ଗଲ ଭିତରେ ନାରୀ ରୂପ ଧରି ଯକ୍ଷ ଶିଖଣ୍ଡିଙ୍କ ରାସ୍ତାକୁ ଅନେଇ ବସିଥା'ନ୍ତି । ସେତିକିବେଳେ ଯକ୍ଷରାଜ କୁବେର ଦିନେ ସ୍ଥୁଳକର୍ଣ୍ଣ ରହୁଥିବା ଜଙ୍ଗଲକୁ ଭ୍ରମଣ ପାଇଁ ଆସିଥା'ନ୍ତି । ଜଙ୍ଗଲ ଭିତରେ ବୁଲୁ ବୁଲୁ କୁବେର ଆସି ସ୍ଥୁଳକର୍ଣ୍ଣଙ୍କ ଘର ପାଖରେ ପହଞ୍ଚିଲେ । କୁବେର ଆସିଛନ୍ତି ଜାଣି ବି ସ୍ଥୁଳକର୍ଣ୍ଣ ଲାଜରେ ବାହାରକୁ ବାହାରି ଯକ୍ଷରାଜଙ୍କୁ ସ୍ୱାଗତ କଲେନି ।
ସ୍ଥୁଳକର୍ଣ୍ଣଙ୍କ ବ୍ୟବହାର କୁବେରଙ୍କୁ ଉପେକ୍ଷା ପରି ମନେ ହେଲା ତେଣୁ ସେ ଭୟଙ୍କର ଭାବରେ ରାଗି ଗଲେ । ସ୍ଥୁଳକର୍ଣ୍ଣଙ୍କ ଜଙ୍ଗଲରୁ ଫେରିଯାଇ ପ୍ରକୃତ ସତ୍ୟାସତ୍ୟ ଜାଣିବାକୁ କୁବେର ତାଙ୍କର କିଛି ଅନୁଚରଙ୍କୁ ପଠାଇଲେ । ଅନୁଚରମାନେ ପ୍ରକୃତ କାରଣ ଜାଣି ସାରି ଯେତବେଳେ କୁବେରଙ୍କୁ ଅବଗତ କରାଇଲେ, ସେତବେଳେ କୁବେର ଆହୁରି ରାଗି ଗଲେ ଓ ଅଭିଶାପ ଦେଇ କହିଲେ ସେ ସ୍ଥୁଳକର୍ଣ୍ଣ ଯେମିତି ନାରୀ ହୋଇ ଅଛି ସେମିତି ହିଁ ରହୁ ।
ଏ କଥା ସ୍ଥୁଳକର୍ଣ୍ଣ ଜାଣିଲା ପରେ ଦୁଃଖରେ ଭାଙ୍ଗି ପଡ଼ିଲେ । ଅଭିଶାପରୁ ମୁକ୍ତି ପାଇବାକୁ ବ୍ୟାକୁଳ ହୋଇ ପ୍ରାର୍ଥନା କରିବାକୁ ଲାଗିଲେ । ସ୍ଥୁଳକର୍ଣ୍ଣଙ୍କ ପ୍ରାର୍ଥନାରେ କ୍ରୋଧ ଶାନ୍ତ କରି କୁବେର କହିଲେ, ଏବେ ଆଉ ଅଭିଶାପ ଫେରାଇ ହେବନି । ଏତିକି ହୋଇପାରିବ ଯେ ଶିଖଣ୍ଡିଙ୍କ ମୃତ୍ୟୁ ପର୍ଯ୍ୟନ୍ତ ତୁମକୁ ନାରୀ ଭାବରେ ଓ ଶିଖଣ୍ଡିଙ୍କୁ ପୁରୁଷ ଭାବରେ ରହିବାକୁ ହେବ । ତାପରେ ଯାଇଁ ତୁମେ ତୁମ ପୁରୁଷ ରୂପ ଫେରି ପାଇବ ।
କିଛିଦିନ ପରେ ଦେଇଥିବା ପ୍ରତିଶୃତିକୁ ପାଳନ କରି ଶିଖଣ୍ଡି ଦିନେ ଯକ୍ଷ ରହୁଥିବା ସେ ଜଙ୍ଗଲକୁ ଫେରି ଆସିଲେ । ସେ ଆଦୌ ଜାଣିନଥିଲେ ଏହା ଭିତରେ ଏତେ କଥା ଘଟିଯାଇଛି । ଯକ୍ଷ ସ୍ଥୁଳକର୍ଣ୍ଣଙ୍କ ପାଖରୁ ସବୁ କଥା ଶୁଣିଲା ପରେ ତାଙ୍କର ଆଶ୍ଚର୍ଯ୍ୟର ସୀମା ରହିଲାନି । ମୃତ୍ୟୁ ପର୍ଯ୍ୟନ୍ତ ଏବେ ସେ ପୁରୁଷ ଭାବରେ ରହିପାରିବେ ବୋଲି ଜାଣି ଖୁସି ହୋଇଗଲେ । ତାଙ୍କୁ ପୁରୁଷ ଦେହ ଦେଇଥିବା ଯକ୍ଷ ସ୍ଥୁଳକର୍ଣ୍ଣ, ଯକ୍ଷ ରାଜା କୁବେର ଓ ମହାଦେବଙ୍କୁ ସେ ତାଙ୍କ ଅନ୍ତରରୁ ପ୍ରଣତି ଓ କୃତଜ୍ଞତା ଜଣାଇଲେ ।
ଶିଖଣ୍ଡିଙ୍କ ଜନ୍ମ ବୃତ୍ତାନ୍ତ କହିସାରିଲା ପରେ ପିତାମହ ଭୀଷ୍ମ ଦୁର୍ଯ୍ୟୋଧନଙ୍କୁ ଚାହିଁ କହିଲେ, ହେ କୁରୁଶ୍ରେଷ୍ଠ ମୁଁ ଶିଖଣ୍ଡିଙ୍କ ଜନ୍ମ ବୃତ୍ତାନ୍ତ ଜାଣିଛି । ପ୍ରଥମେ ଜଣେ ନାରୀ ଭାବରେ ଓ ପରେ ଘଟଣାକ୍ରମରେ ପୁରୁଷ ରୂପ ଧାରଣ କରିଥିବା ଶିଖଣ୍ଡିକୁ ମୁଁ କେବେବି ଅସ୍ତ୍ର ନିକ୍ଷେପ କରି ସଂହାର କରିପାରିବି ନାହିଁ । ସ୍ତ୍ରୀ ହତ୍ୟା ଦୋଷରେ ମୁଁ ଦୋଷୀ ହେବି ନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/30/mahabharat-2025-12-30-17-10-29.jpg)