Advertisment

ଆଜିର ଅନୁଚିନ୍ତା: ସମସ୍ତଙ୍କ ଜୀବନରେ ଦୁଃଖ ଆସେ, ହେଲେ ଦୁଃଖ ଚିରସ୍ଥାୟୀ ନୁହେଁ

(ଓମ୍‌ ପ୍ରକାଶ ସାହୁ) ଆପଣ ଭଗବାନଙ୍କୁ ଭୁଲ୍‌ ବୁଝୁଛନ୍ତି କି ? କାହିଁକି ? ସେ ଅନ୍ୟମାନଙ୍କୁ ଭଲରେ ରଖି ଆପଣଙ୍କୁ ଦୁଃଖରେ ରଖିଛନ୍ତି ବୋଲି? ଯଦି ଏମିତି ଭାବୁଛନ୍ତି ତା ହେଲେ ଆପଣ ଭୁଲ କରୁଛନ୍ତି। କାରଣ ଏହା ସତ୍ୟ ଯେ ଭଗବାନ ଆପଣଙ୍କୁ ଭଲ ପା’ନ୍ତି। ନ ହେଲେ ସେ ଆପଣଙ୍କୁ ଜୀବନରୂପୀ ଏକ ଅଦେଖା ରତ୍ନ ଦେଇଛନ୍ତି କାହିଁକି? ଭଗବାନଙ୍କ ବ୍ୟତୀତ ଆପଣଙ୍କୁ ଏହି ଅମୂଲ୍ୟ ରତ୍ନ ଆଉ କେହି ଦେଇପାରିବେ ନାହିଁ। […]

ଆଜିର ଅନୁଚିନ୍ତା: ସମସ୍ତଙ୍କ ଜୀବନରେ ଦୁଃଖ ଆସେ, ହେଲେ ଦୁଃଖ ଚିରସ୍ଥାୟୀ ନୁହେଁ

ଆଜିର ଅନୁଚିନ୍ତା

Advertisment
(ଓମ୍‌ ପ୍ରକାଶ ସାହୁ)

ଆପଣ ଭଗବାନଙ୍କୁ ଭୁଲ୍‌ ବୁଝୁଛନ୍ତି କି ?

କାହିଁକି ?

ସେ ଅନ୍ୟମାନଙ୍କୁ ଭଲରେ ରଖି ଆପଣଙ୍କୁ ଦୁଃଖରେ ରଖିଛନ୍ତି ବୋଲି?

ଯଦି ଏମିତି ଭାବୁଛନ୍ତି ତା ହେଲେ ଆପଣ ଭୁଲ କରୁଛନ୍ତି। କାରଣ ଏହା ସତ୍ୟ ଯେ ଭଗବାନ ଆପଣଙ୍କୁ ଭଲ ପା’ନ୍ତି। ନ ହେଲେ ସେ ଆପଣଙ୍କୁ ଜୀବନରୂପୀ ଏକ ଅଦେଖା ରତ୍ନ ଦେଇଛନ୍ତି କାହିଁକି?

Advertisment

ଭଗବାନଙ୍କ ବ୍ୟତୀତ ଆପଣଙ୍କୁ ଏହି ଅମୂଲ୍ୟ ରତ୍ନ ଆଉ କେହି ଦେଇପାରିବେ ନାହିଁ।

ଭଗବାନ ସେହିମାନଙ୍କୁ ଭଲ ପା’ନ୍ତି ଯେଉଁମାନେ ଦୁଃଖ ସହିପାରିବେ ଓ ଅନ୍ୟମାନଙ୍କ ପାଇଁ ଉଦାହରଣ ହୋଇପାରିବେ। ତେଣୁ ଆପଣ ତାଙ୍କୁ ଭୁଲ୍‌ ନ ବୁଝି ଆଜି ତାଙ୍କୁ ଧନ୍ୟବାଦ ଦିଅନ୍ତୁ ଏବଂ ପ୍ରାର୍ଥନା କରନ୍ତୁ ଆପଣ ମୋତେ ଯେଉଁ ଉଦ୍ଦେଶ୍ୟରେ ଜନ୍ମ ଦେଇଛନ୍ତି ସେହି ଉଦ୍ଦେଶ୍ୟ ପୂରଣ ହେଉ।

ଏଠାରେ ଜାପାନର ଏକ ସୁନ୍ଦର ଗଳ୍ପ ପଢ଼ନ୍ତୁ। ଆଉ ନୂଆ ଜୀବନ ଆରମ୍ଭ କରନ୍ତୁ।

କିକୁ ନାମରେ ଜଣେ ବ୍ୟକ୍ତି କିରାଣି ଚାକିରିଟିଏ କରିଥିଲେ। ତାଙ୍କ ମାଲିକ ତାଙ୍କର ବ୍ୟବସାୟର ସମସ୍ତ ଦାୟିତ୍ୱ ତାଙ୍କ ଉପରେ ନ୍ୟସ୍ତ କରିଥିଲେ। କିକୁ ସଚ୍ଚୋଟ ଓ କାମିକା ଥିବାରୁ ବ୍ୟବସାୟୀଙ୍କର ଅତି ପ୍ରିୟ ଥିଲେ। ବ୍ୟବସାୟ ମଧ୍ୟ ଭଲ ଚାଲୁଥିଲା। କିନ୍ତୁ କିଛିଦିନ ମଧ୍ୟରେ ବ୍ୟବସାୟୀ ଜଣକ ତାଙ୍କର ବ୍ୟବସାୟର ଅର୍ଥ ଖରାପ ବାଟରେ ବିନିଯୋଗ କରିବାରେ ଲାଗିଲେ। ପ୍ରତିଦିନ ସେ ବେଶ୍ୟାଳୟ ଯାଇ ନୂଆ ନୂଆ ଝିଅମାନଙ୍କ ସହ ରାତି କଟାଇଲେ, ମଦ ପିଇଲେ। ଧୀରେ ଧୀରେ ବ୍ୟବସାୟରେ କ୍ଷତି ହେବାରେ ଲାଗିଲା। ବ୍ୟବସାୟରେ କ୍ଷତି ହେବାରୁ କିକୁଙ୍କୁ ବ୍ୟବସାୟୀ ଜଣଙ୍କ ଚାକିରିରୁ ବାହାର କରିଦେଲେ। କିକୁଙ୍କୁ ସେତେବେଳ ୪୦ ବର୍ଷ ବୟସ।

Advertisment

ଏହି ସମୟ ତାଙ୍କ ପାଇଁ ଏକ ଜଟିଳ ସମୟ ଥିଲା। ନୂଆ ଚାକିରିଟିଏ ଖୋଜିବା ତାଙ୍କ ପାଇଁ ସହଜ ନ ଥିଲା। ତାଙ୍କ ପରିବାରର ଆର୍ଥିକ ସ୍ଥିତି ଖରାପ ହୋଇଗଲା। ଏହି ସମୟରେ ତାଙ୍କ ପତ୍ନୀ ଝିଅକୁ ଧରି ଘରଛାଡ଼ି ଚାଲିଗଲେ। କିକୁ ତାଙ୍କ ଝିଅକୁ ଭାରି ଭଲ ପାଉଥିଲେ। ଝିଅ ତାଙ୍କଠାରୁ ଅଲଗା ହୋଇଯିବା ପରେ ସେ ଆହୁରି ଭାଙ୍ଗିପଡ଼ିଲେ।

ଚାକିରି ହରାଇବା ପରେ ପିଲାପିଲି ଅଲଗା ହୋଇଯିବା କିକୁଙ୍କୁ ମାନସିକ ସ୍ତରରେ ଆହୁରି ଆଘାତ ଦେଲା।  ଏହି ସମୟରେ ସେ କ’ଣ କରିବେ ବୁଝି ନ ପାରି ସମୁଦ୍ରକୂଳକୁ ପଳାଇଗଲେ ଓ ସମୁଦ୍ରକୁ ଚାହିଁ  ରହିଲେ। ତାଙ୍କ ଆଖିରୁ ଧାର ଧାର ଲୁହ ବୋହି ଚାଲିଥାଏ ଆଉ ସବୁତକ ଲୁହ ତାଙ୍କ ଓଠ ପିଇଯାଉଥାଏ। ଭୋକ ଶୋଷ ସବୁ କିଛି ହଜିଯାଇଥିଲା କିକୁଙ୍କର। ଏହି ଅବସ୍ଥାରେ ସମୁଦ୍ରକୂଳରେ ରାତି ପାହିଗଲା।

Advertisment

ଆଉ ପରେ ଯାହା ହେଲା ତାହା ପଢ଼ନ୍ତୁ

ସକାଳୁ ସକାଳୁ କିକୁ ବିପରୀତ ଦିଗରେ ଦେଖିଲେ ଉଦିତ ସୂର୍ଯ୍ୟ। ସୂର୍ଯ୍ୟଙ୍କୁ ଦେଖିବା ପରେ ସତେ ଯେମିତି ତାଙ୍କ ଭାଙ୍ଗି ପଡ଼ିଥିବା ମନରେ ହଠାତ୍ ନୂଆ ଶକ୍ତି ସଂଚାର ହୋଇଥିଲା। ସେ ମନେ ମନେ ଭାବିଥିଲେ ସୂର୍ଯ୍ୟଙ୍କଠାରୁ କେହି ଅଧିକ ଶକ୍ତିଶାଳୀ ନାହାନ୍ତି। ସେ ସକଳ ଶକ୍ତିର ଆଧାର। ତଥାପି ବି ସେ ପ୍ରତିଦିନ ଅନ୍ଧାରକୁ ସାମ୍ନା କରୁଛନ୍ତି। ତେଣୁ ସେ ମଧ୍ୟ ତାଙ୍କ ଜୀବନରେ ଆସିଥିବା ଅନ୍ଧକାରକୁ ହଟାଇବେ। ସେ ଧନ୍ୟବାଦ ଦେଲେ ସର୍ବଶକ୍ତିମାନ ଈଶ୍ୱରଙ୍କୁ ଆଉ ସୂର୍ଯ୍ୟଙ୍କୁ ମଧ୍ୟ।

ଦୁଇ ଦିନ ଖାଇ ନ ଥିବାରୁ ପେଟ ପୋଡ଼ିଯାଉଥାଏ। ସେ ସମୁଦ୍ର କୂଳେ କୂଳେ ଚାଲିଲେ। କିଛି ବାଟ ଗଲା ପରେ ଦେଖିଲେ ଏକ ବଡ଼ ମାଛଟିଏ ସମୁଦ୍ରବାଲିରେ ମରିପଡ଼ିଛି। ସେ ଉକ୍ତ ମାଛକୁ ନେଇ ସମୁଦ୍ରକୂଳରୁ ଫେରିଗଲେ ଘରକୁ। ଭାବିଲେ ପଚା ମାଛରୁ ଆରମ୍ଭ କରିବି ନୂଆ ଜୀବନ।

ଠିକ୍ ସେତିକିବେଳେ ଜଣେ ଲୋକ ତାଙ୍କର ଏକ ନେଉଳକୁ ଧରି ବୁଲୁଥିଲେ। ନେଉଳଟି କ’ଣ ଖାଇବ ଭାବି ଭାବି ତା’ ପାଇଁ ଖାଦ୍ୟ ଖୋଜୁଥିବା ବେଳେ ତାଙ୍କ ନଜର ପଡ଼ିଥିଲା କିକୁଙ୍କ ଉପରେ। ସେ କିକୁଙ୍କଠାରୁ ମାଛଟିକୁ କିଣିବାକୁ କହିଥିଲେ। କିକୁ ତାଙ୍କୁ ମାଛଟିକୁ ବିକ୍ରି କରିଦେଲେ। ମାଛଟି ବଦଳରେ ତାଙ୍କୁ ସେ ୫ଟି ଜାପାନୀ ମୁଦ୍ରା ଦେଲେ। କିକୁ ସେଇ ୫ଟି ମୁଦ୍ରାରୁ ଗୋଟିଏ ମୁଦ୍ରା ଖର୍ଚ୍ଚ କରି ଖାଇଲେ ଓ ଅନ୍ୟ ୪ଟି ମୁଦ୍ରାରେ କିଛି ପରିବା କିଣି ନିଜ ଘରକୁ ଫେରିଗଲେ। ଉକ୍ତ ପରିବାକୁ ଧରି ସେ ପାଖ ଗାଁରେ ଫେରି ବ୍ୟବସାୟରେ କଲେ। ତାଙ୍କର ସବୁ ପରିବା ବିକ୍ରି ହୋଇଗଲା। ଏମିତି ପ୍ରତିଦିନ ସେ ପରିବା ବ୍ୟବସାୟ କରି ଲାଭାଂଶରୁ କିଛି ଅଂଶ ତାଙ୍କ ଶ୍ୱଶୁରଙ୍କ ପାଖକୁ ଛଦ୍ମନାମରେ ପଇସା ପଠାଇଲେ। କାରଣ ଏହା ଥିଲା ତାଙ୍କର କର୍ତ୍ତବ୍ୟ। କିକୁ ପ୍ରତିଦିନ ଈଶ୍ୱରଙ୍କୁ ପ୍ରାର୍ଥନା କରୁଥିଲେ ଓ ନିଜ ସଂସାର ଭଲରେ ରଖିଥିବାରୁ ଧନ୍ୟବାଦ ଦେଉଥିଲେ।

ଦିନ ପରେ ଦିନ ବିତିଲା। କିନ୍ତୁ ସେମାନେ ଫେରିଲେ ନାହିଁ। ହେଲେ କିକୁଙ୍କର ବିଶ୍ୱାସ ଥିଲା ଯେ ପତ୍ନୀ ନିଶ୍ଚିତ ଫେରିବେ। କିଛି ମାସ ମଧ୍ୟରେ କିକୁ ବ୍ୟବସାୟରୁ ଭଲ ଆୟ କଲେ। ପ୍ରାୟ ୬ ମାସ ପରେ ତାଙ୍କର ବ୍ୟବସାୟକୁ ସେ ବଢ଼ାଇଲେ ଓ ସେଥିରେ ତାଜା ଫଳ ମିଶାଇଲେ। ବର୍ଷକ ମଧ୍ୟରେ ତାଙ୍କର ବ୍ୟବସାୟ ୧୦ ଗୁଣ ହୋଇଗଲା। କିଛି ବର୍ଷ ମଧ୍ୟରେ ତାହା ଶହେ ଗୁଣ ହୋଇଗଲା। ତାଙ୍କର ଆର୍ଥିକ ଅଭାବ ଦୂର ହୋଇଗଲା।

ଇତି ମଧ୍ୟରେ ତାଙ୍କ ଝିଅର ଉଚ୍ଚତର ଶିକ୍ଷା ପାଇଁ ବୟସ ହୋଇସାରିଥିଲା। ଝିଅକୁ ଅପେକ୍ଷା କରି ବାପା ଭାବେ ତାଙ୍କ ମନ ଉଦ୍‌ବେଳିତ ହେଉଥିଲେ ମଧ୍ୟ ସେ ନିଜ ପତ୍ନୀ ବିରୋଧରେ କୌଣସି ଆଇନଗତ ଆଶ୍ରୟ ନେଲେ ନାହିଁ, ବରଂ ପ୍ରାର୍ଥନା କରି ଚାଲିଲେ।

କିଛି ଦିନ ପରେ ତାଙ୍କ ଶ୍ୱଶୁର ଅର୍ଥ ପଠାଉଥିବା ସନ୍ଦେହ କରି ତାଙ୍କ ଜ୍ୱାଇଁଙ୍କ ପାଖକୁ ଗଲେ ଓ ଯାହା ଦେଖିଲେ ବିଶ୍ୱାସ କରିପାରି ନ ଥିଲେ। ସେ ତାଙ୍କୁ କ୍ଷମା ମାଗିଲେ ଓ ନିଜ କର୍ତ୍ତବ୍ୟ ସମ୍ପାଦନ କରୁଥିବାରୁ କୃତଜ୍ଞତା ଜ୍ଞାପନ କଲେ। କିକୁ ସତ୍‌ମନରେ ଥିଲେ, ସେ କିନ୍ତୁ ଓଲଟା ତାଙ୍କ ଶ୍ୱଶୁରଙ୍କୁ ଧନ୍ୟବାଦ ଦେଲେ ଯେ ସେ ତାଙ୍କ ସ୍ତ୍ରୀ ପିଲାଙ୍କୁ ଭଲରେ ରଖିଛନ୍ତି। କିକୁଙ୍କ ମନରେ ରାଗ କି ଧନୀ ହୋଇଯିବାରୁ ଅହଂକାର ମଧ୍ୟ ନ ଥିଲା। ସେ ଶ୍ୱଶୁରଙ୍କୁ ତାଙ୍କର ଝିଅକୁ ଫେରାଇଦେବାକୁ ନିବେଦନ କଲେ।

ଜ୍ୱାଇଁଙ୍କ ନମ୍ରତା ଓ ଧୈର୍ଯ୍ୟ ପାଖରେ ନତମସ୍ତକ ହେଲେ ତାଙ୍କ ଶ୍ୱଶୁର। ସେ ତାଙ୍କର ସମସ୍ତ ସମ୍ପତ୍ତି କିକୁଙ୍କ ଝିଅ ନାମରେ ହସ୍ତାନ୍ତର କରି ଦସ୍ତାବିଜ୍‌ କିକୁଙ୍କ ପ୍ରଦାନ କଲେ ଓ ପର ଦିନ ଝିଅ, ନାତୁଣୀକୁ ନେଇ କିକୁଙ୍କ ସାକ୍ଷାତ କରାଇଲେ।  କିକୁଙ୍କ ପତ୍ନୀ ତାଙ୍କ ଭୁଲ୍‌ ଓ ଅହଂକାର ପାଇଁ କିକୁଙ୍କୁ କ୍ଷମା ମାଗିଲେ। କିକୁଙ୍କ ସଂସାର ପୁଣି ଥରେ ହସିଉଠିଲା।

ଏହି ଗଳ୍ପର ସାରମର୍ମ ହେଉଛି ......

ଧୈର୍ଯ୍ୟ ପାଖରେ ସବୁ କିଛି ହାର ମାନିଯାଏ। କିକୁ ସମସ୍ତ ବିପଦକୁ ଧୈର୍ଯ୍ୟର ସହ ସାମ୍ନା କରିଥିଲେ ଓ ଶେଷରେ ଧୈର୍ଯ୍ୟର ହିଁ ଜିତାପଟ ହୋଇଥିଲା।

ସମସ୍ତଙ୍କ ଜୀବନରେ ଦୁଃଖ ଆସେ। ହେଲେ ଏହା ଚିରସ୍ଥାୟୀ ହୋଇ ରହିପାରେନା। କାରଣ ବିଧିର ବିଧାନ ହିଁ ତାହା। ଦୁଃଖ ବିନା ପ୍ରକୃତ ସୁଖକୁ ଅନୁଭବ କରିହୁଏ ନାହିଁ। ଅନ୍ଧାର ବିନା ଆଲୋକର ବି ମାନେ ନାହିଁ। ସଂସାରରେ ବଞ୍ଚିବାକୁ ହେଲେ ଆପଣଙ୍କ ବିପଦକୁ ବି ସାମ୍ନା କରିବାକୁ ପଡ଼ିବ ହିଁ ପଡ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ