/odishatv-khabar/media/post_attachments/uploadimage/library/16_9/16_9_0/Rohi-Machha-Desi-Biryani_1626780997.jpg)
Rohi Machha Desi Biryani
ଆପଣ ହାଇଦ୍ରାବାଦୀ ବିରିୟାନି, ଚିକେନ୍ ବିରିୟାନୀ, ମଟନ ବିରିୟାନି ଓ ଭେଜ୍ ବିରିୟାନୀ ଆଦି ନିଶ୍ଚୟ ଖାଇଥିବେ। ସବୁ ପ୍ରକାର ବିରିୟାନୀର ଟେଷ୍ଟ ମଧ୍ୟ ଅଲଗା ଅଲଗା ହୋଇଥାଏ। କିନ୍ତୁ ଆପଣ କେବେ ରୋହୀ ମାଛ ତିଆରି ଦେଶୀ ବିରିୟାନୀ ଖାଇଛନ୍ତି କି? ଏହି ବିରିୟାନୀର ପ୍ରସ୍ତୁତି ପ୍ରଣାଳୀ ଅନ୍ୟ ବିରିୟାନୀର ପ୍ରସ୍ତୁତି ପ୍ରଣାଳୀ ଠାରୁ ଟିକେ ଭିନ୍ନ। ଆଉ ସ୍ୱାଦରେ ମଧ୍ୟ ଏହା ଅଲଗା ହୋଇଥାଏ। ତେବେ ଆଜି ହିଁ ଏହି ଭିନ୍ନ ସ୍ୱାଦର ବିରିୟାନୀ ପ୍ରସ୍ତୁତ କରି ଏହାର ମଜା ନିଅନ୍ତୁ।
ଏହା ପ୍ରସ୍ତୁତ ପାଇଁ ଆବଶ୍ୟକ ସାମଗ୍ରୀ : ରୋହୀ ମାଛ, ବାସୁମତି ଚାଉଳ, ତେଲ, ଚାଉଳ ଚୂନା, ଟମାଟୋ, ଲୁଣ, ହଳଦୀ, ଅଦା, ପିଆଜ ରସୁଣ ପେଷ୍ଟ, ପୁଦିନା ପତ୍ର, ଡାଲ୍ଚିନି, ଗୁଜୁରାତି, ଅଳେଇଚ, ଲବଙ୍ଗ, ଅନାସୀ ଫୁଲ, ଗୋଲମରିଚ, ତେଜପତ୍ର, ଭଜା ପିଆଜ ଏବଂ ଜିରା।
ଆପଣ ରୋଷେଇ ଆରମ୍ଭ କରିବା ପୂର୍ବରୁ ଚାଉଳକୁ ଜଳରେ ଭିଜାଇ ତାକୁ ଏକ ପାତ୍ରକୁ ଛାଣି ରଖିବେ ଏବଂ ମାଛରେ ଲୁଣ ହଳଦୀ ଗୋଳାଇ ରଖିବେ।
ପ୍ରସ୍ତୁତି ପ୍ରଣାଳୀ :
୧- ପ୍ରଥମେ ଗ୍ୟାସ୍ରେ କଡ଼େଇ ବସାଇ ସେଥିରେ ଅଳ୍ପ ପାଣି ଦିଅନ୍ତୁ। ପାଣି ଫୁଟି ଆସିଲେ ସେଥିରେ ଅଳ୍ପ ଲୁଣ ପକାଇ ପୂର୍ବରୁ ଲୁଣ ହଳଦୀ ଗୋଳା ହୋଇଥିବା ମାଛଗୁଡ଼ିକୁ ପକାନ୍ତୁ।
୨-ଯେହେତୁ ଆମେ ବିରିୟାନୀ କରୁଛେ ମାଛରେ କଣ୍ଟା ଥିଲେ ଖାଇଲା ବେଳକୁ କଣ୍ଟା ପାଟିରେ ଲାଗି ପାରେ। କିନ୍ତୁ ଏହିପରି କଲେ ଆପଣ ମାଛରୁ ଅତି ସହଜରେ କଣ୍ଟା ଗୁଡ଼ିକୁ ବାହାର କରିପାରିବେ। ୪ରୁ ୫ ମିନିଟ୍ ପରେ ମାଛକୁ ବାହାର କରି ଏକ ପାତ୍ରରେ ରଖିଦିଅନ୍ତୁ।
୩-ମାଛ ଥଣ୍ଡା ହେଲେ ସେଥିରୁ କଣ୍ଟାଗୁଡ଼ିକୁ ବାହାର କରିଦିଅନ୍ତୁ। ତା ପରେ ସେଥିରେ ଚାଉଳ ଚୂନା ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହା ପରେ କରେଇରେ ତେଲ ପକାଇ କରି ଚୂନା ଗୋଳା ହୋଇଥିବା ମାଛ ଗୁଡ଼ିକୁ ଛୋଟ ଛୋଟ ବଲ୍ ଭଳି କରି ଛାଣନ୍ତୁ।
୪-ଏବେ ଆଉ ଏକ ପ୍ୟାନ୍ ବସାଇ ସେଥିରେ ତେଲ ଗରମ କରନ୍ତୁ। ତା ପରେ ସେଥିରେ ଜିରା, ତେଜପତ୍ର, ଡାଲ୍ଚିନି, ଗୁଜୁରାତି, ଅଳେଇଚ, ଅନାସୀ ଫୁଲ, ଲବଙ୍ଗ ଏବଂ ଗୋଲମରିଚ ଇତ୍ୟାଦି ପକାନ୍ତୁ। ତା ପରେ ସେଥିରେ ଟମାଟୋ ପକାଇ ଅଳ୍ପ ଭାଜି ସାରିଲା ପରେ ଅଦା, ରସୁଣ, ଏବଂ ପିଆଜ ପେଷ୍ଟ ପକାଇ ଭଲରେ କଷନ୍ତୁ।
୫-ମସଲା ଭଲରେ କଷି ହେଲା ପରେ ସେଥିରେ ପୂର୍ବରୁ ଭିଜା ହୋଇଥିବା ଚାଉଳ ଏବଂ ସ୍ୱାଦ ଅନୁସାରେ ଲୁଣ ପକାଇ ଭଲ ଭାବେ ଗୋଳାଇଦିଅନ୍ତୁ। ଏହା ପରେ ସେଥିରେ ଆବଶ୍ୟକ ଅନୁସାରେ ପାଣି ଏବଂ ପୁଦିନା ପତ୍ର ପକାଇ ସିଝିବାକୁ ଘୋଡ଼ାଇ ଦିଅନ୍ତୁ।
୬-ବିରିୟାନୀରୁ ପାଣି ସୁଖି ଆସିଲେ ଦେଖିବେ ଭାତ ସିଝି ଯାଇଥିବ। ତା ପରେ ଏହା ଉପରେ ଜିରା, ଧନିଆ ଗୁଣ୍ଡ, ପୂର୍ବରୁ ଭଜା ହୋଇଥିବା ପିଆଜ ଏବଂ ଛଣା ହୋଇଥିବା ମାଛ ବଲ୍ ଗୁଡ଼ିକୁ ପକାନ୍ତୁ।
ତା’ପରେ ବିରିୟାନୀକୁ ଆଉ କିଛି ସମୟ ପାଇଁ ଘୋଡ଼ାଇ ଦିଅନ୍ତୁ। କିଛି ସମୟ ପରେ ପ୍ରସ୍ତୁତ ହୋଇଯିବ ଆପଣଙ୍କର ରୋହୀ ମାଛ ଦେଶୀ ବିରିୟାନି। ଏବେ ରୋହୀ ମାଛ ଦେଶୀ ବିରିୟାନୀକୁ ଏକ ପ୍ଲେଟ୍ରେ ବାହାର କରି ନିଜେ ଖାଇବା ସହ ଅନ୍ୟମାନଙ୍କୁ ମଧ୍ୟ ଖୁଆନ୍ତୁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)