ଭାରତ ପିଠିରେ ଛୁରି ଭୁସିଛି ବାଂଲାଦେଶ। ଯାହା ପାଇଁ ସ୍ୱାଧୀନତା ପାଇଲା ତାକୁ ହିଁ ଦେଇଛି ଧୋକ୍କା। ଶତ୍ରୁ ଦେଶ ସହ ମିଶି ଭାରତର ଚାହିଁଛି ଅମଙ୍ଗଳ। ଏବେ ବାଙ୍ଗଲା ନିର୍ବାଚନ ଲେଖିବ ସମ୍ପର୍କର ଭାଗ୍ୟ !
କଥା ୧୯୭୧ ମସିହାର, ଯେତେବେଳେ ଏବେକାର ବାଙ୍ଗଲାଦେଶ ପାକିସ୍ତାନର ଏକ ଅଂଶ ଥିଲା। ହେଲେ ପାକିସ୍ତାନୀ ସେନାର ଅତ୍ୟାଚାରରେ ଅତିଷ୍ଠ ହୋଇ ଢାକାରୁ ବାଂଲାଦେଶ ସୃଷ୍ଟି ପାଇଁ ଆସିଥିଲା ଡାକରା। ସେହି ସମୟରେ ଲକ୍ଷ ଲକ୍ଷ ଶରଣାର୍ଥୀ ଭାରତର ସୀମାରେ ପ୍ରବେଶ କରିଥିଲେ ଯାହା ଜାତୀୟ ସୁରକ୍ଷା ପାଇଁ ବଡ଼ ବିପଦ ସୃଷ୍ଟି କରିଥିଲା। ହେଲେ ତତକାଳୀନ ଭାରତୀୟ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ସେମାନଙ୍କୁ ଆଶ୍ରୟ ଦେବା ସହ, ବାଙ୍ଗଲାଦେଶକୁ ସ୍ୱାଧୀନ କରିବାରେ ମୁକ୍ତି ବାହିନୀକୁ ସମର୍ଥନ କରିଥିଲେ। ଭାରତ ସହାୟତାରେ ପାକିସ୍ତାନ ପରାସ୍ତ ହେବା ସହ ବାଂଲାଦେଶର ଅଭ୍ୟୁଦୟ ହୋଇଥିଲା। ଆଉ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଗାଦିରେ ବସିଥିଲେ ଆୱାମୀ ଲିଗ ନେତା ଶେଖ ମୁଜିବୁର ରହମାନ। ଭାରତ ପ୍ରତି ତାଙ୍କ ବ୍ୟକ୍ତିଗତ ସମ୍ମାନ ଭାରତ-ବାଙ୍ଗଲାଦେଶ ବନ୍ଧୁତାର ମୂଳଦୁଆ ପକାଇଥିଲା।
ତେବେ ୧୯୭୫ ମସିହାରେ ଏକ ସାମରିକ ବିଦ୍ରୋହରେ ମୁଜିବୁର ଏବଂ ତାଙ୍କ ପରିବାରର ଅଧିକାଂଶ ସଦସ୍ୟଙ୍କୁ ହତ୍ୟା କରାଯାଇଥିଲାI ପରେ ୧୯୯୦ ମସିହା ପର୍ଯ୍ୟନ୍ତ ବାଙ୍ଗଲାଦେଶରେ ସେନା ଶାସନ ଚାଲିଥିଲା। ପରେ ୧୯୯୧-୧୯୯୬ ମସିହା ପର୍ଯ୍ୟନ୍ତ BNPର ଖାଲେଦା ଜିଆ ବାଙ୍ଗଲାଦେଶରେ ଶାସନ କରିଥିଲେ। ୧୯୯୬ ମସିହାରେ ଶେଖ ମୁଜିବୁର ରହମାନଙ୍କ ଝିଅ ତଥା ଆୱାମୀ ଲିଗର ଶେଖ ହାସିନା ନିର୍ବାଚନ ଜିତି କ୍ଷମତା ଦଖଲ କରିଥିଲେ। ହେଲେ ୨୦୦୭ ମସିହାରେ ଏକ ସାମରିକ ସମର୍ଥିତ ବିଦ୍ରୋହ ପରେ ଖାଲିଦା ଓ ହସିନାଙ୍କୁ ଜେଲ ଯିବାକୁ ପଡିଥିଲା। ପରେ ୨୦୦୮ ମସିହାରେ ପୁନର୍ବାର ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଆଉ ଶେଖ୍ ହାସିନା ବହୁମତ ସହିତ ପୁଣି କ୍ଷମତାକୁ ଫେରିଥିଲେ। ଆଉ ପରବର୍ତ୍ତୀ ଏକୁଟିଆ ୧୫ ବର୍ଷ ଧରି ବାଙ୍ଗଲାଦେଶରେ ଶାସନ କରିଥିଲେ। ଶେଖ୍ ହସିନାଙ୍କ ୨୦୦୯ରୁ ୨୦୨୪ ପ୍ରଯ୍ୟନ୍ତ କରିଥିବା ଦୀର୍ଘ ଶାସନ କାଳକୁ ଭାରତ-ବାଂଲାଦେଶ ସମ୍ପର୍କର "ସୁବର୍ଣ୍ଣ ଯୁଗ" କୁହାଯାଏ। ଏହି ସମୟରେ ବାଣିଜ୍ୟ, ପ୍ରତିରକ୍ଷା ଏବଂ ଜଳ ବଣ୍ଟନ ଭଳି ପ୍ରସଙ୍ଗରେ ଘନିଷ୍ଠ ଭାବରେ ସହଯୋଗ କରିଥିଲେ। ଏପରିକି ଶେଖ ହସିନା ଭାରତକୁ ନିଜର ସବୁଠାରୁ ବିଶ୍ବସ୍ତ ସହଯୋଗୀ ବୋଲି କହୁଥିଲେ।
ହେଲେ ୨୦୨୪ ପରଠାରୁ ଏହି ସମ୍ପର୍କରେ ପଡ଼ିଥିଲା ଭଟ୍ଟା। କାରଣ ଏହି ସମୟରେ ବାଙ୍ଗଲାଦେଶରେ ଆରମ୍ଭ ହୋଇଥିଲା ବିଶାଳ ଛାତ୍ର ଆନ୍ଦୋଳନ। ପରିସ୍ଥିତି ଏପରି ହୋଇଥିଲା ଯେ ଦେଶ ଛାଡ଼ି ପଳାୟନ କରିଥିଲେ ଶେଖ୍ ହାସିନା। ଏହାପରେ ମହମ୍ମଦ ୟୁନୁସଙ୍କ ନେତୃତ୍ବରେ ବାଙ୍ଗାଲାଦେଶରେ ଏକ ଅନ୍ତରୀଣ ସରକାର ଗଠନ ହେଲା। ଆଉ ସେବେଠାରୁ ଭାରତ ସହ ବାଙ୍ଗଲାଦେଶର ସମ୍ପର୍କ ତିକ୍ତତାର ଚରମ ସୀମାରେ ପହଞ୍ଚିଛି। ଭାରତ ପାଇଁ ବାଙ୍ଗଲାଦେଶର ସୃଷ୍ଟି, ସେକଥାକୁ ଭୁଲି ଭାରତର ଶତ୍ରୁ ଚୀନ ଏବଂ ପାକିସ୍ତାନର ନିକଟତର ହୋଇଥିଲା ୟୁନୁସ ସରକାର। ଏପରିକି ଭାରତର ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକ ନେଇ ୟୁନୁସଙ୍କ ମନ୍ତବ୍ୟ ଉତ୍ତେଜନାକୁ ଆହୁରି ବୃଦ୍ଧି କରି ଥିଲା।
ବର୍ତ୍ତମାନ ବାଂଲାଦେଶରେ ଅନୁଷ୍ଠିତ ହେଉଛି ସଂସଦୀୟ ନିର୍ବାଚନ। ପ୍ରାୟ ୧୨୭ ନିୟୁତ ଭୋଟର ୨୯୯ ଆସନ ପାଇଁ ମତଦାନ କରିଛନ୍ତି। ତେଣୁ ନିର୍ବାଚନ ଫଳାଫଳ ହିଁ ଭାରତ- ବାଂଲାଦେଶର ଭବିଷ୍ୟତର ନିର୍ମାଣ କରିବ। ଯଦି BNP ଏବଂ ଜମାତ-ଏ-ଇସଲାମିକ ନେତୃତ୍ୱରେ ହୋଇଥିବା ୧୧-ଦଳୀୟ ମେଣ୍ଟ କ୍ଷମତାକୁ ଆସେ, ତେବେ ଏହା ବିଶ୍ୱାସ କରାଯାଉଛି ଯେ ସେମାନେ ସ୍ଥିର ଏବଂ ସକାରାତ୍ମକ ଭାରତ-ବାଂଲାଦେଶ ସମ୍ପର୍କ ପାଇଁ କାମ କରିବେ, କାରଣ ଜମାତ-ଏ-ଇସଲାମିର ମୁଖ୍ୟ ମଧ୍ୟ କହିଛନ୍ତି ଯେ ସେମାନେ ଭାରତକୁ ଏକ "ନିକଟତମ ଏବଂ ପ୍ରାଥମିକ ପଡ଼ୋଶୀ" ବିବେଚନା କରନ୍ତି ଏବଂ ସମ୍ପର୍କକୁ ମଜବୁତ କରିବାକୁ ଚାହାଁନ୍ତି। ଏହାଛଡ଼ା ଏହା ସୀମା ସୁରକ୍ଷା, ବାଣିଜ୍ୟ, ଶକ୍ତି ଏବଂ ରୋହିଙ୍ଗ୍ୟା ଅନୁପ୍ରବେଶ, ସଂଖ୍ୟାଲଘୁଙ୍କୁ ସୁରାକ୍ଷା ଭଳି ପ୍ରସଙ୍ଗରେ ଦୁଇଦେଶ ଏକାଠି କାମ କରିପାରିବେ। ତେଣୁ ଏହି ନିର୍ବାଚନର ଫଳାଫଳ କେବଳ ଢାକା ରାଜନୀତିକୁ ପ୍ରଭାବିତ କରିବ ନାହିଁ ବରଂ ଦକ୍ଷିଣ ଏସିଆରେ ଶକ୍ତି, ବାଣିଜ୍ୟ ଏବଂ ସୁରକ୍ଷା ସହଯୋଗର ସନ୍ତୁଳନକୁ ମଧ୍ୟ ପ୍ରଭାବିତ କରିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/13/bangladesh-election-pkg-2026-02-13-19-30-01.jpg)