Advertisment

World in Danger? ଅହଙ୍କାରରେ ଫାଟି ପଡ଼ୁଛନ୍ତି ଡୋନାଲ୍ଡ ଟ୍ରମ୍ପ, ଆମେରିକା ରାଷ୍ଟ୍ରପତିଙ୍କ ପାଇଁ ବିପଦରେ ବିଶ୍ୱ

ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ନିଜ ସ୍ୱାର୍ଥ ସାଧନ ନିମନ୍ତେ  ବିଶ୍ୱର ମହାଶକ୍ତି ବୋଲାଉଥିବା ଏ ଦେଶ ଅନେକ ଦେଶକୁ ଆକ୍ରମଣ କରିବା ସହ ଛଳନା କରି ନେତାଙ୍କୁ ଗାଦିଚ୍ୟୁତ କରିଛି । ଏପରି ପ୍ରୟାସରେ ଅନେକ ଥର ଲଜ୍ଜିତ ହୋଇଥିଲେ ସୁଦ୍ଧା ନିଜ ଭୁଲ ବୁଝିପାରୁନାହିଁ ।

Trump

Trump Photograph: (OTV)

Advertisment

ନୂଆବର୍ଷର ଆଗମନରେ ସାରା ବିଶ୍ୱ ଆନନ୍ଦରେ ଝୁମୁଥିବା ବେଳେ ଏକ ଅପ୍ରତ୍ୟାଶିତ ଘଟଣାକ୍ରମରେ ଆମେରିକୀୟ ସେନା ଭେନେଜୁଏଲା ଉପରେ ଅତର୍କିତ ଆକ୍ରମଣ କରି ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କ ସମେତ ତାଙ୍କ ପତ୍ନୀଙ୍କୁ ଅପହରଣ କରି ଆମେରିକା ନେଇ ଆସିଛନ୍ତି  । ସାରା ବିଶ୍ୱକୁ ଚକିତ କଲା ଭଳି ଏହି ଘଟଣାକୁ ନେଇ ପ୍ରଥମେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସଫେଇ ଦେବାକୁ ଚେଷ୍ଟା କରିଥିଲେ ।

Advertisment

ଭେନେଜୁଏଲାର ରାଷ୍ଟ୍ରପତିଙ୍କ ପୃଷ୍ଠପୋଷକତାରେ ନିଶାଦ୍ରବ୍ୟର ଚୋରାଚାଲାଣ ହେଉଛି ଓ ସେ ବେଆଇନ ଅର୍ଥ କାରବାରରେ ଲିପ୍ତ ଅଛନ୍ତି ବୋଲି ମିଛ ଅଭିଯୋଗ କରିଥିଲେ । ଏପରି ଗୁରୁତର ଅଭିଯୋଗ ପଛରେ କୌଣସି ପ୍ରକାର ସତ୍ୟତା ଥିଲେ ଆମେରିକା କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପୂର୍ବରୁ ମିଳିତ ଜାତିସଂଘ କିମ୍ବା ଆନ୍ତର୍ଜାତିକ ଅଦାଲତରେ ଅଭଯୋଗ କରିପାରିଥାଆନ୍ତା । ହେଲେ ସେପରି କିଛି ନକରି କୌଣସି ଦେଶର ରାଷ୍ଟ୍ରପତିଙ୍କୁ ଅପହରଣ କରିବା ଆଦୌ ଯୁକ୍ତିଯୁକ୍ତ ନୁହେଁ । ତେବେ ଏସବୁ ତ କେବଳ ବାହାନା, ଆକ୍ରମଣର ମୁଖ୍ୟ ଉଦ୍ଦେଶ୍ୟ ଭେନେଜୁଏଲାର ତୈଳ ସଂରକ୍ଷଣକୁ କବଜା କରିବା ବୋଲି କିଛି ସମୟ ମଧ୍ୟରେ ସ୍ପଷ୍ଟ ହୋଇଯାଇଛି ।

ଅସଲ କଥା ହେଲା ଭେନେଜୁଏଲାରେ ସର୍ବାଧିକ ଅଶୋଧିତ ତୈଳ ଗଚ୍ଛିତ ରହିଛି । ଆଉ ଏହି ଘଟଣା ପରେ ଏବେ ଭେନେଜୁଏଲାର ତେଲ ବିକ୍ରୟ କରିବ ଆମେରିକା ଏବଂ ଅନ୍ତରୀଣ ରାଷ୍ଟ୍ରପତିଙ୍କୁ ତାଙ୍କ ସହିତ ସହଯୋଗ କରିବାକୁ ପଡିବ ବୋଲି ଟ୍ରମ୍ପଙ୍କ ବକ୍ତବ୍ୟ ଦେଇଛନ୍ତି । ଏଥିରୁ ସ୍ପଷ୍ଟ ଆମେରିକା ରାଷ୍ଟ୍ରପତି କିପରି ଦାଦାଗିରି କରୁଥିବା । ସେ ଖୋଲାଖୋଲି ଭାବରେ ଜାତିସଂଘ ଏବଂ ଅନ୍ତର୍ଜାତୀୟ ନିୟମକୁ ଉଲ୍ଲଂଘନ କରୁଛନ୍ତି। ଗଣତନ୍ତ୍ରକୁ ଅଗ୍ରାଧିକାର ଦେଉଥିବା ନେଇ ଦାବି କରୁଥିବା ଆମେରିକା ଯେ କୌଣସି ଦେଶର ରାଷ୍ଟ୍ରପତିଙ୍କୁ ଅପହରଣ କରିବ ତାହା କଳ୍ପନା କରିବା କଷ୍ଟକର ଥିଲା, କିନ୍ତୁ ଟ୍ରମ୍ପଙ୍କ ନେତୃତ୍ୱରେ ଆମେରିକା ସେ ସମସ୍ତ ସୀମା ମଧ୍ୟ ଟପିସାରିଛି ।

Advertisment

ଆମେରିକା ପୂର୍ବରୁ ମଧ୍ୟ ଏପରି କାର୍ଯ୍ୟକଳାପରେ ଲିପ୍ତ ରହିଛି । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ନିଜ ସ୍ୱାର୍ଥ ସାଧନ ନିମନ୍ତେ  ବିଶ୍ୱର ମହାଶକ୍ତି ବୋଲାଉଥିବା ଏ ଦେଶ ଅନେକ ଦେଶକୁ ଆକ୍ରମଣ କରିବା ସହ ଛଳନା କରି ନେତାଙ୍କୁ ଗାଦିଚ୍ୟୁତ କରିଛି । ଏପରି ପ୍ରୟାସରେ ଅନେକ ଥର ଲଜ୍ଜିତ ହୋଇଥିଲେ ସୁଦ୍ଧା ନିଜ ଭୁଲ ବୁଝିପାରୁନାହିଁ । ଆମେରିକାକୁ ଭିଏତନାମରେ ମୁହଁତୋଡ଼ ଜବାବ ମିଳିଛି ।

ସେହିପରି ଆମେରିକା ଯେଉଁ ଉଦ୍ଦେଶ୍ୟ ନେଇ ଆଫଗାନିସ୍ତାନ, ଇରାକ ଓ ଲିବିୟାକୁ ଆକ୍ରମଣ  କରିଥିଲା  ସେପରି କିଛି ହାସଲ କରିପାରିନଥିଲା । ମୋଟାମୋଟି ଭାବରେ ଏହି ଦେଶଗୁଡ଼ିକରେ ଆମେରିକାର ଆକ୍ରମଣ ବିଫଳ ହୋଇଥିଲା । ହେଲେ ଆମେରିକାର ବିଫଳତାର ପରିଣାମ ଭୋଗୁଛନ୍ତି ଏହି ଦେଶର ଜନତା । ଏସବୁ ଦେଶରେ ଏବେ ଅସ୍ଥିରତା ଓ ଅଶାନ୍ତି ଲାଗିରହିଛି ।

Advertisment

ଭେନେଜୁଏଲା ଉପରେ ଆମେରିକା କରିଥିବା ଆକ୍ରମଣକୁ ଅନେକ ଦେଶ ନିନ୍ଦା କରିଛନ୍ତି । କିନ୍ତୁ ଆମେରିକାର ଶକ୍ତିକୁ ଦୃଷ୍ଟିରେ ରଖି ଅନେକ ଦେଶ ଡୋନାଲ୍ଡ ଟ୍ରମ୍ପଙ୍କ ସାମରିକ କାର୍ଯ୍ୟାନୁଷ୍ଠାନକୁ ସମର୍ଥନ କରିବାକୁ ବାଧ୍ୟ ହେଉଛନ୍ତି । ଆମେରିକା ଏକ ପ୍ରମୁଖ ଅର୍ଥନୈତିକ ଏବଂ ସାମରିକ ଶକ୍ତି ହୋଇଥିବାରୁ କୌଣସି ଦେଶ ଏକ ନିର୍ଦ୍ଦିଷ୍ଟ ସୀମା ବାହାରକୁ ଯାଇ ଏହାର  ବିରୋଧ କରିବା ସ୍ଥିତିରେ ନାହାନ୍ତି। ଟ୍ରମ୍ପ ଏହାର ସୁଯୋଗ ଉଠାଇ ମନମୁଖୀ ଶାସନ ଚଳାଇଛନ୍ତି। ତାଙ୍କର ଏପରି ବେଲଗାମ କାମ ପଛର ଆଉ ଏକ କାରଣ ହେଲା ଆମେରିକାକୁ ଚ୍ୟାଲେଞ୍ଜ କରିପାରୁଥିବା ଋଷ ଏବେ ୟୁକ୍ରେନ ସହ ଯୁଦ୍ଧରେ ଲିପ୍ତ ।  

ଭେନେଜୁଏଲା ଉପରେ ଆକ୍ରମଣ କରିବା ପରେ ସେ ଡେନମାର୍କର ଏକ ସ୍ୱାୟତ୍ତ ଅଞ୍ଚଳ ଗ୍ରୀନଲ୍ୟାଣ୍ଡକୁ ଆମେରିକାରେ ମିଶାଇବା ବିଷୟରେ କହୁଛନ୍ତି। ଗ୍ରୀନଲ୍ୟାଣ୍ଡ ହେଉଛି ବିଶ୍ୱର ସବୁଠାରୁ ବଡ଼ ଦ୍ୱୀପ। ଟ୍ରମ୍ପ ଏହି ବାହାନାରେ ଗ୍ରୀନଲାଣ୍ଡ ଉପରେ କବଜା କରିବା ପାଇଁ ଚାହାନ୍ତି । ଅନ୍ୟପକ୍ଷରେ ଗ୍ରୀନଲାଣ୍ଡ ଉପରେ ଉଭୟ ଋଷ ଓ ଚୀନର ମଧ୍ୟ ନଜର ରହିଛି । ଟ୍ରମ୍ପ ଯୁକ୍ତି ବାଢ଼ିଛନ୍ତି, ଆମେରିକୀୟଙ୍କ ସ୍ୱାର୍ଥକୁ ସୁରକ୍ଷା ଦେବା ପାଇଁ ଗ୍ରୀନଲ୍ୟାଣ୍ଡ ଆମେରିକାର ଅଂଶ ହେବା ଉଚିତ।

ଗ୍ରୀନଲ୍ୟାଣ୍ଡକୁ ଦଖଲ କରିବାକୁ ଷଡ଼ଯନ୍ତ୍ର

ପ୍ରଚୁର ଅବ୍ୟବହୃତ ପ୍ରାକୃତିକ ସମ୍ପଦରେ ଭରି ରହିଛି ଗ୍ରୀନଲ୍ୟାଣ୍ଡ । ଆଲାସ୍କାକୁ ଯେପରି ନିୟନ୍ତ୍ରଣରେ ରଖିଛି, ସେହିପରି ଗ୍ରୀନଲ୍ୟାଣ୍ଡକୁ ଦଖଲ କରିବାକୁ ଷଡ଼ଯନ୍ତ୍ର କରୁଛି ଆମେରିକା । ହେଲେ ସାମରିକ କାର୍ଯ୍ୟାନୁଷ୍ଠାନ ନୁହେଁ ବରଂ ଗ୍ରୀନଲ୍ୟାଣ୍ଡକୁ କିଣିବା କଥା କହୁଛନ୍ତି ଟ୍ରମ୍ପ  । ତେବେ ସେଠିକାର ଲୋକ ଏହାକୁ ବିରୋଧ କରୁଛନ୍ତି, କିନ୍ତୁ ଟ୍ରମ୍ପ ତାଙ୍କ ନିଷ୍ପତ୍ତିରେ ଅଟଳ । ସେ ଡେନମାର୍କ ସହ ୟୁରୋପୀୟ ଦେଶଗୁଡ଼ିକର ଅସନ୍ତୋଷ ବିଷୟରେ ମଧ୍ୟ ଚିନ୍ତିତ ନାହାଁନ୍ତି ।

ଟ୍ରମ୍ପଙ୍କ ଅହଂକାର ତାଙ୍କ ବକ୍ତବ୍ୟରୁ ସ୍ପଷ୍ଟ ବାରି ହୋଇଯାଉଛି । ତାଙ୍କ କହିବା ଅନୁସାରେ ଆମେରିକୀୟଙ୍କ ସ୍ୱାର୍ଥ ପାଇଁ ଅନ୍ତର୍ଜାତୀୟ ନିୟମ ଏବଂ ନିୟମର କୌଣସି ମୂଲ୍ୟ ନାହିଁ । ଏହା ଏକ ଏକଛତ୍ରବାଦୀ ଆଭିମୁଖ୍ୟ। ଆମେରିକାର ଅର୍ଥନୀତି ସଙ୍କଟ ଦେଇ ଗତି କରୁଥିବାରୁ ଟ୍ରମ୍ପ ଏପରି ଆକ୍ରମଣାତ୍ମକ ରଣନୀତି ଗ୍ରହଣ କରୁଛନ୍ତି । ଅର୍ଥନୀତିକୁ ଟ୍ରାକକୁ ଆଣିବା ପାଇଁ ଆମେରିକାକୁ ଆସୁଥିବା ସାମଗ୍ରୀ ଉପରେ ସେ ମନଇଚ୍ଛା ଟାରିଫ ଲଗାଉଛନ୍ତି ।

ଡଲାରର ପ୍ରାଧାନ୍ୟ ହ୍ରାସ ପାଉଥିବାରୁ ଟ୍ରମ୍ପ ହତାଶ

ନୂଆ ଟାରିଫ ନୀତି ଯୋଗୁଁ ଆମେରିକାର ଆୟ ବୃଦ୍ଧି ହେଉଥିବା କଥା ସେ କହିଛନ୍ତି । ହେଲେ ସତ୍ୟ ଏହାର ଠିକ ଓଲଟା । ଧୀରେ ଧୀରେ ଡଲାରର ପ୍ରାଧାନ୍ୟ ହ୍ରାସ ପାଉଥିବାରୁ ଟ୍ରମ୍ପ ମଧ୍ୟ ହତାଶ ହେଉଛନ୍ତି । ୧୯୭୦ରେ ସାଉଦି ଆରବ ସହିତ ଆମେରିକାର ଆମେରିକା ତୈଳ ବାଣିଜ୍ୟ ନେଇ ଚୁକ୍ତି କରିଥିଲା, ଆଉ ସେହି ସମୟରୁ ହିଁ ଡଲାରର ପ୍ରାଧାନ୍ୟ ବୃଦ୍ଧି ପାଇବା ଆରମ୍ଭ ହୋଇଥିଲା। ହେଲେ ଏବେ ଧୀରେ ଧୀରେ ଡଲାର ପ୍ରଭାବ ହ୍ରାସ ପାଇବାରେ ଲାଗିଛି । କାରଣ ବିଶ୍ୱର ଅନେକ ଦେଶ ଏବେ ଡଲାର ବ୍ୟତୀତ ଅନ୍ୟ ମୁଦ୍ରାରେ ବାଣିଜ୍ୟ କରୁଛନ୍ତି ।

ଋଷ, ଭେନେଜୁଏଲା, ଇରାନ ଏବଂ ଅନେକ ଦେଶ ଡଲାର ପରିବର୍ତ୍ତେ ଅନ୍ୟ ମୁଦ୍ରାରେ ସେମାନଙ୍କର ତେଲ ବିକ୍ରି କରୁଛନ୍ତି। ଆମେରିକାରର ବ୍ୟବହାରରେ ଅତିଷ୍ଠ ହୋଇ ଅନେକ ଦେଶ ଅନ୍ୟ ମୁଦ୍ରାରେ ବାଣିଜ୍ୟ କରିବାର ଉପାୟ ଖୋଜୁଛନ୍ତି, ଯେଉଁଥି ପାଇଁ ଟ୍ରମ୍ପ ରକ୍ତଚାଉଳ ଚୋବାଉଛନ୍ତି  । ଧମକଚମକ ଦେଇ ଡଲାରରେ ବାଣିଜ୍ୟ କରିବାପାଇଁ ଚିନ୍ତା କରୁଛନ୍ତି ଟ୍ରମ୍ପ, ହେଲେ ବିପରୀତ ଫଳ ଦେଖି ସେ ସହ୍ୟ କରିପାରୁନାହାନ୍ତି ।

ଟ୍ରମ୍ପ୍ ନିକଟରେ ଏକ ବିଲ୍ ମଞ୍ଜୁର କରିଛନ୍ତି । ବିଲ ଅନୁସାରେ, ରୁଷରୁ ତେଲ କିଣୁଥିବା ଦେଶଗୁଡ଼ିକ ଉପରେ ୫୦୦ ପ୍ରତିଶତ ଶୁଳ୍କ ଲାଗୁ ହେବ। ଏହି ଦେଶଗୁଡ଼ିକ ମଧ୍ୟରେ ଚୀନ୍, ଭାରତ ଏବଂ ବ୍ରାଜିଲ୍ ଅଛନ୍ତି । ଟ୍ରମ୍ପଙ୍କ ଅନୁସାରେ ରୁଷରୁ ତେଲ କିଣୁଥିବା ଦେଶଗୁଡ଼ିକ ରୁଷକୁ ୟୁକ୍ରେନ ବିରୋଧରେ ଯୁଦ୍ଧ ଜାରି ରଖିବାରେ ସାହାଯ୍ୟ କରୁଛନ୍ତି। ତେବେ ଯଦି ରୁଷରୁ ତେଲ କିଣୁଥିବା ଦେଶଗୁଡ଼ିକ ଉପରେ ୫୦୦ ପ୍ରତିଶତ ଶୁଳ୍କ ଲାଗୁ ହୁଏ, ତେବେ ଏହା ଭାରତ ସମେତ ଅନ୍ୟ ଦେଶମାନଙ୍କ ପାଇଁ ଅସୁବିଧା ସୃଷ୍ଟି କରିବ । ଟ୍ରମ୍ପ୍ ପୂର୍ବରୁ ଭାରତ ଉପରେ ସର୍ବାଧିକ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିସାରିଛନ୍ତି।

ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜଣେ ମହାନ ନେତା ଏବଂ ତାଙ୍କର ବନ୍ଧୁ ବୋଲି କୁହନ୍ତି । ହେଲେ ସମୟ ସମୟରେ ତାଙ୍କ ବିରୋଧରେ ଅପମାନଜନକ ଭାଷା ବ୍ୟବହାର କରିବାକୁ ପଛାନ୍ତି ନାହିଁ। ମୋଦି ତାଙ୍କ ସ୍ୱେଚ୍ଛାଚାରିତା ଆଗରେ ମୁଣ୍ଡ ନୁଆଁଇବାକୁ ରାଜି ନହେବାରୁ ସେ ଏପରି କରୁଥିବା ସ୍ପଷ୍ଟ ଜଣାପଡ଼ୁଛି । ଟ୍ରମ୍ପ ତାଙ୍କ ସ୍ୱେଚ୍ଛାଚାରିତା ମାଧ୍ୟମରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପ୍ରତିଷ୍ଠିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ଭାଙ୍ଗିବାକୁ ଉଦ୍ୟମ କରୁଛନ୍ତି । ତାଙ୍କର ସ୍ୱେଚ୍ଛାଚାରିତା ଯୋଗୁଁ ଜାତିସଂଘ ଅପ୍ରାସଙ୍ଗିକ ହୋଇଯାଇଛି। ବୁଦ୍ଧିଜୀବୀମାନେ ତାଙ୍କୁ ଅନେକ ଥର ଚେତାବନୀ ଦେବା ସତ୍ତ୍ୱେ ସେ କାହା କଥା ଶୁଣିବାକୁ ନାରାଜ । ସେ କ୍ଷମତାରୁ ଯିବାପରେ ନୀରିହ ଆମେରିକୀୟମାନେ ଏହାର ଦୁଷ୍ପରିଣାମ ଭୋଗିବେ ବୋଲି କୁହାଯାଉଛି । 

American President Donald Trump
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ