Tropical-Storm-Fung-wong Photograph: (OTV)
ପୁଣି ଡରାଇଲାଣି ଆଉ ଗୋଟିଏ ମହାବାତ୍ୟା। ସମୁଦ୍ର ମଧ୍ୟରେ ବଳ ଗୋଟାଇ ମାଡ଼ି ଆସୁଛି ଉପକୂଳକୁ। ଯାହାର ଡରରେ ଥର ଥର ହୋଇ କମ୍ପିଲାଣି ଦକ୍ଷିଣ ଏସୀୟ ଦେଶ ଫିଲିଫାଇନ୍ସ। କାରଣ ମାତ୍ର କିଛି ଦିନ ତଳେ ଫିଲିଫାଇନ୍ସରେ ଶକ୍ତିଶାଳୀ ଟାଇଫୁନ୍ 'କାଲମେଗି' ବିଧ୍ବଂସ ରଚିଥିଲା। ଏହାର ପ୍ରଭାବରେ ୧୧୪ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଲକ୍ଷ ଲକ୍ଷ ଲୋକ ବାସଚ୍ୟୁତ ହୋଇଥିଲେ। ଏହି କ୍ଷୟକ୍ଷତିରୁ ଦେଶ ଅଣ୍ଟା ସଳଖି ନଥିବା ବେଳେ ସମୁଦ୍ର ଭିତରେ ସୃଷ୍ଟି ହୋଇଛି ଆଉ ଗୋଟିଏ ଦାନବ। ପଶ୍ଚିମ ପ୍ରଶାନ୍ତ ମହାସାଗରରେ ସକ୍ରିୟ ଥିବା ଏହି ବାତ୍ୟାର ଫଙ୍ଗ-ୱଙ୍ଗ ଦ୍ରୁତ ଗତିରେ ଫିଲିପାଇନ୍ସ ଉପକୂଳ ଆଡକୁ ଆସୁଛି।
ଫିଲିପାଇନ୍ସର ପାଣିପାଗ ସଂସ୍ଥା PAGASA ଅନୁଯାୟୀ, ବର୍ତ୍ତମାନ ଫଙ୍ଗ-ୱଙ୍ଗ ଏକ ସାମୁଦ୍ରିକ ଛଡ଼ ଅବସ୍ଥାରେ ଅଛି। କିନ୍ତୁ ଏହା ଆସନ୍ତା ୨୪ରୁ ୪୮ ଘଣ୍ଟା ମଧ୍ୟରେ ତୀବ୍ର ହେବ ଏବଂ ସୁପର ଟାଇଫୁନ୍ ବର୍ଗରେ ପହଞ୍ଚିପାରେ। ଯାହା ଫଳରେ ଏହାର ନାମ ‘ଉୱାନ’ ହୋଇଯିବ। ଏବଂ କ୍ରମଶଃ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ୧୦ ତାରିଖ ସୋମବାର ଏହା ଉତ୍ତର ଲୁଜୋନ୍ ଅଞ୍ଚଳରେ ସ୍ଥଳଭାଗ ଛୁଇଁବ ବୋଲି ଆଶା କରାଯାଉଛି।
ବର୍ତ୍ତମାନ, ଫଙ୍ଗ-ୱଙ୍ଗର କେନ୍ଦ୍ରରେ ଘଣ୍ଟା ପ୍ରତି ୭୫ କିମି ବେଗରେ ପବନ ବହୁଛି। ଆଗାମୀ ସମୟରେ ଏହା ୯୦ କିମି/ଘଣ୍ଟାରେ ପହଞ୍ଚିବ। ଆଉ ପାଣିପାଗ ବିଜ୍ଞାନୀମାନେ ପୂର୍ବାନୁମାନ କରିଛନ୍ତି ଯେ, ସ୍ଥଳଭାଗ ଛୁଇଁବା ପରେ ଝଡ଼ ଆହୁରି ତୀବ୍ର ହୋଇପାରେ। ତେବେ ଏହା କେତେ ମାରାତ୍ମକ ହେବ ଏବେ କହିବା ମୁସ୍କିଲ। କିନ୍ତୁ ଅନୁମାନ କରାଯାଉଛି ସ୍ଥଳଭାଗ ଛୁଇଁବା ପରେ ଏହା ପ୍ରଭାବରେ ଘଣ୍ଟାପ୍ରତି ୧୮୭ କିମି ବେଗରେ ପବନ ବହିପାରେ। ଏହାଛଡ଼ି ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା, ପବନ, ବନ୍ୟା ଏବଂ ଭୂସ୍ଖଳନର ଆଶଙ୍କାରେ ରହିଛି।
ତେଣୁ ଫିଲିପାଇନ୍ସ ଉପକୂଳବର୍ତ୍ତୀ ବାସିନ୍ଦାମାନଙ୍କୁ ତୁରନ୍ତ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଆସିଛି। ଏହାଛଡ଼ା ସମୁଦ୍ର କାର୍ଯ୍ୟକଳାପକୁ ଏଡାଇବା ଏବଂ ପାଣିପାଗ ଅପଡେଟ୍ ସହିତ ସତର୍କ ରହିବାକୁ ଅନୁରୋଧ କରାଯାଇଛି। ଘୂର୍ଣ୍ଣିଝଡ଼ କଲମାଏଗି ଦ୍ୱାରା ହୋଇଥିବା କ୍ଷୟକ୍ଷତି ଏପର୍ଯ୍ୟନ୍ତ ଠିକ ହୋଇନାହିଁ। ତେଣୁ ମାଡ଼ି ଆସୁଥିବା ସମ୍ଭାବ୍ୟ ବିପର୍ଯ୍ୟୟକୁ ମୁକାବିଲା କରିବାକୁ ଅଣ୍ଟା ଭିଡ଼ିଛି ଫିଲିପାଇନ୍ସ ପ୍ରଶାସନ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/08/tropical-storm-fung-wong-2025-11-08-12-00-16.jpg)