IMARAN KHAN Photograph: (OTV)
ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ନେଇ ଲାଗି ରହିଥିବା ବିବାଦ ଉପରୁ ଶେଷରେ ପରଦା ହଟିଛି। ୨୦୨୩ରୁ ଜେଲରେ ଥିବା ଇମ୍ରାନ ଖାନଙ୍କୁ ସେଠାରେ ନିର୍ଯାତନା ଦିଆଯାଉଛି ଓ ସେଠାରେ ତାଙ୍କର ମୃତ୍ୟୁ ହୋଇ ଯାଇଥିବା ଖବର ମଧ୍ୟ ପ୍ରକାଶ ପାଇଥିଲା। ଏପରି କି ଇମ୍ରାନ ଖାନଙ୍କୁ ଭେଟିବା ପାଇଁ କାହାକୁ ଅନୁମତି ମିଳୁ ନଥିବା ମଧ୍ୟ ଅଭିଯୋଗ ହୋଇଥିଲା।
ଏହା ବିରୋଧରେ ଇମ୍ରାନଙ୍କ ୩ ଭଉଣୀ ଓ ତାଙ୍କ ଦଳ ପିଟିଆଇ ବିକ୍ଷୋଭ ମଧ୍ୟ ପ୍ରଦର୍ଶନ କରିଥିଲା। ପଞ୍ଜାବ ପ୍ରଦେଶ ପୁଲିସ୍ ବିକ୍ଷୋଭକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ବେଳେ ଏବେ ଇମ୍ରାନଙ୍କୁ ନେଇ ଲାଗି ରହିଥିବା ଦ୍ୱନ୍ଦ୍ୱ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ଜେଲ କର୍ତ୍ତୃପକ୍ଷ।
ରାୱଲପିଣ୍ଡିର ଆଡିଆଲା ଜେଲ ପ୍ରଶାସନ ଶେଷରେ ଇମ୍ରାନ ଖାନଙ୍କୁ ନେଇ ପ୍ରକାଶ ପାଉଥିବା ଖବର ଉପରେ ପ୍ରତିକ୍ରିୟା ରଖିଛି। ଜେଲ ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ଇମ୍ରାନ ଖାନ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ସେ ଜେଲରେ ବନ୍ଦୀ ଜୀବନ ବିତାଉଛନ୍ତି। ପାକିସ୍ତାନ ତେହେରିକ୍-ଇ-ଇନସାଫ(ପିଟିଆଇ) ପକ୍ଷରୁ କରାଯାଇଥିବା ଅଭିଯୋଗକୁ ଜେଲ କର୍ତ୍ତୃପକ୍ଷ ଖଣ୍ଡନ କରିଛନ୍ତି।
ପାକିସ୍ତାନୀ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ରାୱଲପିଣ୍ଡି ଜେଲ ଅଧିକାରୀ ଗୋଟିଏ ବିବୃତିରେ କହିଛନ୍ତି ଯେ “ଆଡିଆଲା ଜେଲରୁ ତାଙ୍କ ସ୍ଥାନାନ୍ତର କରାଯାଇଥିବା ରିପୋର୍ଟରେ କୌଣସି ସତ୍ୟତା ନାହିଁ। ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ଜେଲରେ ତାଙ୍କୁ ସବୁ ପ୍ରକାରର ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି। ତାଙ୍କ ସ୍ୱାସ୍ଥ୍ୟକୁ ନେଇ ପ୍ରକାଶ ପାଉଥିବା ବିଭିନ୍ନ ଖବର ସଂପୂର୍ଣ୍ଣ ଭିତ୍ତିହୀନ। ଡାକ୍ତରୀ ଟିମ ତାଙ୍କ ସ୍ୱାସ୍ଥ୍ୟାବସ୍ଥାର ଯାଞ୍ଚ ନିୟମିତ କରୁଛନ୍ତି। ଜେଲରେ ପ୍ରୋଟକଲ ଅନୁସାରେ ଇମ୍ରାନ ଖାନଙ୍କ ଯତ୍ନ ନିଆଯାଉଛି।”
ଏକାଧିକ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୨୦୨୩ ଅଗଷ୍ଟ ମାସରୁ ଇମ୍ରାନ ଖାନ ଜେଲରେ ରହିଛନ୍ତି। ଏହାର ବର୍ଷକ ପୂର୍ବରୁ ଅର୍ଥାତ ୨୦୨୨ ମସିହା ଏପ୍ରିଲ ମାସରେ ଇମ୍ରାନ ଖାନ ଅନାସ୍ଥା ଭୋଟ ମାଧ୍ୟମରେ ଗାଦିଚ୍ୟୁତ ହୋଇଥିଲେ। ତାଙ୍କ ବିରୋଧରେ ଦୁର୍ନୀତି ଠାରୁ ଆରମ୍ଭ କରି ଅନେକ ମାମଲା ରହିଛି।
ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫଙ୍କ କହିବା କଥା ଯେ ଇମ୍ରାନ ଖାନ ଜେଲ ଭିତରେ ୫ ଷ୍ଟାର ସୁବିଧା ଉପଭୋଗ କରୁଛନ୍ତି। ତାଙ୍କୁ ପଞ୍ଚତାରକା ହୋଟେଲ ଭଳି ସେଠାରେ ଖାଦ୍ୟ ଯୋଗାଇ ଦିଆଯାଉଛି। ସେଠାରେ ସେ ପୂରା ଆରାମରେ ରହିଛନ୍ତି ବୋଲି ଆସିଫ କହିଛନ୍ତି।
ସେ କହିଛନ୍ତି, “ ଜେଲରେ ସେ ଯେଉଁ ଖାଦ୍ୟ ପାଉଛନ୍ତି ତା’ର ମେନ୍ୟୁ କୌଣସି ପଞ୍ଚତାରକା ହୋଟେଲ ଠାରୁ କମ ନୁହେଁ। ତାଙ୍କ ସେଲରେ ଗୋଟିଏ ଟିଭି ରହିଛି। ସେ ନିଜ ପସନ୍ଦର ଚ୍ୟାନେଲକୁ ଉପଭୋଗ କରୁଛନ୍ତି। ବ୍ୟାୟାମ କରିବାକୁ ମେସିନ ଯୋଗାଇ ଦିଆଯାଇଛି। ସେ ଡବଲ୍ ବେଡର ଗଦିରେ ଶୋଉଛନ୍ତି।”
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/28/imaran-khan-2025-11-28-13-08-00.jpg)