ଆମେରିକା ଆଗରେ ମୁଣ୍ଡ ନୁଆଉଁନି ଇରାନ୍; Photograph: (OTV)
ମଧ୍ୟ ପ୍ରାଚ୍ୟରେ ସ୍ଥିତି ସଂଗୀନ। ଏୟାରପୋର୍ଟରୁ ଆବାସିକ ଅଞ୍ଚଳ, ସବୁଠି ମିସାଇଲ୍ ବର୍ଷୁଛି। ଏବେ ଯୁଦ୍ଧରେ ସବୁଠୁ ବଡ଼ ଟାର୍ଗେଟ ପାଲଟିଛି ତୈଳ ଭଣ୍ଡାର। ଇରାନର ଅର୍ଥନୀତିର ଶକ୍ତି କୁହାଯାଉଥିବା ତୈଳ ଡିପୋକୁ ଟାର୍ଗେଟ କରି ମିସାଇଲ୍ ମାଡ଼ କରିଛି ଇସ୍ରାଏଲ୍। ସେପଟେ ଯୁଦ୍ଧର ନବମ ଦିନରେ ଇରାନ୍ ବି ମୁହଁତୋଡ ଜବାବ ଦେଉଛି। ବୁର୍ଜ ଖଲିଫା ପରେ ଦୁବାଇର ମରିନା ଟାଓ୍ୱାରକୁ ଟାର୍ଗେଟ କରି କ୍ଷେପଣାସ୍ତ୍ର ମାଡ଼ କରିଛି।
କୁଏତର ଅନ୍ତର୍ଜାତୀୟ ବିମାନବନ୍ଦରରେ ତୈଳ ଟ୍ୟାଙ୍କର ଉପରେ ବି ଡ୍ରୋନ ଆକ୍ରମଣ କରିଛି ଇରାନ୍। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଇରାନର ସାମରିକ ଶକ୍ତି ଓ ସେଠାକାର ଶାସକ ଗୋଷ୍ଠୀର ସମ୍ପୂର୍ଣ୍ଣ ବିନାଶ ନହେବା ପର୍ଯ୍ୟନ୍ତ ଏହି ଯୁଦ୍ଧ ଶେଷ ହେବ ନାହିଁ। ଏଭଳି ସ୍ଥିତି ଲାଗି ରହିଲେ ଖୁବଶୀଘ୍ର ବିଶ୍ବ ତୃତୀୟ ବିଶ୍ବଯୁଦ୍ଧ ଦ୍ବାରରେ ଠିଆ ହୋଇଯିବ।
ରଣକ୍ଷେତ୍ର ପାଲଟିଛି ମଧ୍ୟପ୍ରାଚ୍ୟ । ଜଳୁଛି ତୈଳ ଡିପୋ, ଏୟାରପୋର୍ଟ ଛିନଛତ୍ର । ମିସାଇଲ୍ ମାଡ଼ରେ ଧ୍ୱଂସ ହେଉଛି ବିଲଡିଂ । ଏୟାରଷ୍ଟ୍ରାଇକରେ ଛାରଖାର ସାମରିକ ଘାଟି । ଦିନ ବଢ଼ିବା ସହ ଲମ୍ବୁଛି ଇରାନ୍ ଓ ଇସ୍ରାଏଲ୍ ଯୁଦ୍ଧ । ଭୟଙ୍କର ହେଉଛି ପଶ୍ଚିମ ଏସିଆ ସ୍ଥିତି । ତୈଳ ଡିପୋରୁ ନେଇ ଏୟାରପୋର୍ଟ ପର୍ଯ୍ୟନ୍ତ, ସବୁଠି କେବଳ ଧ୍ୱଂସର ଚିତ୍ର।
ଇସ୍ରାଏଲର ଶକ୍ତିଶାଳୀ ଏୟାରଫୋର୍ସ ଓ ଇରାନର ବାଲିଷ୍ଟିକ ମିସାଇଲ୍ ମଧ୍ୟରେ ଚାଲିଛି ଘମାଘୋଟ ଲଢ଼େଇ। ସବୁଠାରୁ ବଡ଼ ଟାର୍ଗେଟ୍ ପାଲଟିଛି ତୈଳ ଡିପୋ। ଇରାନ ଅର୍ଥନୀତିର ମେରୁଦଣ୍ଡ କୁହାଯାଉଥିବା ଅଏଲ୍ ରିଫାଇନାରୀଗୁଡ଼ିକ ଉପରେ ଇସ୍ରାଏଲ୍ ଏବେ ନିଶାନା ଲଗାଇଛି। ଆକାଶମାର୍ଗରୁ ଆକ୍ରମଣରେ ତୈଳ ଡିପୋ।
ସେପଟେ ରକ୍ତମୁଖା ଇରାନ୍ ଥମୁନି। ଆମେରିକାର ଚେତାବନୀ ପରେ ଆହୁରି ଭୟଙ୍କର ହମଲା କରୁଛି। ଉପସାଗରୀୟ ପଡୋଶୀ ଦେଶ ଉପରେ ଘନ ଘନ ଆଟାକ୍ କରି ଖୋଲା ଚ୍ୟାଲେଞ୍ଜ ଦେଉଛି। ଜଳ ହେଉ କି ଆକାଶ ମାର୍ଗ, ସବୁଆଡୁ ଘେରିବାକୁ ଚେଷ୍ଟା କରୁଛି ଇରାନର ରିଭୋଲ୍ୟୁସନାରୀ ଗାର୍ଡ। ବୁର୍ଜ ଖଲିଫା ପରେ ଦୁବାଇର ମରିନା ଟାଓ୍ୱାରକୁ ଟାର୍ଗେଟ କରି ମାଡ଼ କରିଛି ମିସାଇଲ।
ସୋସିଆଲ ମିଡିଆରେ ଭାଇରାଲ୍ ଭିଡିଓରେ ଟାୱାରରୁ ପ୍ରବଳ ଧୂଆଁ ବାହାରୁଥିବା ଦେଖାଯାଉଛି। ପ୍ରାୟ ୯୦ ମହଲା ବିଶିଷ୍ଟ ଏହି କୋଠାକୁ ମରିନାର ସବୁଠୁ ଆକର୍ଷଣୀୟ ଅଞ୍ଚଳ ମଧ୍ୟରୁ ଗୋଟିଏ ବୋଲି କୁହାଯାଏ। ସେଠାରେ ବହୁ ସଂଖ୍ୟକ ବିଦେଶୀ ନାଗରିକ, ପ୍ରଫେସନାଲ ଓ ନିବେଶକ ବାସ କରନ୍ତି। ସେହିପରି କୁଏତର ଅନ୍ତର୍ଜାତୀୟ ବିମାନବନ୍ଦରରେ ତୈଳ ଟ୍ୟାଙ୍କର ଉପରେ ବି ଡ୍ରୋନ ଯୋଗେ ଆକ୍ରମଣ କରିଛି।
ଖାଲି ତୈଳ ଡିପୋ ନୁହେଁ, ଯୋଗାଯୋଗ ବିଚ୍ଛିନ୍ନ କରିବା ପାଇଁ ଏୟାରପୋର୍ଟଗୁଡ଼ିକୁ ମଧ୍ୟ ଛାଡୁନାହାନ୍ତି। ଇରାନର ପ୍ରମୁଖ ବିମାନବନ୍ଦରଗୁଡ଼ିକରେ ବାରମ୍ବାର ବିସ୍ଫୋରଣ ଶୁଣିବାକୁ ମିଳୁଛି। ଏୟାରକ୍ରାଫ୍ଟ ଯେପରି ଉଡ଼ାଣ ଭରିପାରିବେ ନାହିଁ, ସେଥିପାଇଁ ରନୱେଗୁଡ଼ିକୁ ଧ୍ୱଂସ କରାଯାଉଛି। ଅନ୍ୟପଟେ ଇସ୍ରାଏଲର ସୁରକ୍ଷା କବଚ ଆଇରନ୍ ଡୋମକୁ ଭେଦ କରିବା ପାଇଁ ଇରାନ୍ ମଧ୍ୟ ଶତାଧିକ ଡ୍ରୋନ୍ ଏବଂ ମିସାଇଲ୍ ମାଡ଼ କରୁଛି।
ଇରାନକୁ ଶକ୍ତିହୀନ କରିବାକୁ ଆରବ ଦେଶର ବିଭିନ୍ନ ଏୟାରବେସରୁ ରକେଟ୍ ଓ ମିସାଇଲ୍ ମାଡ଼ କରୁଛି ଆମେରିକା। ଯୁଦ୍ଧପୋତରୁ ବି ହମଲା କରୁଛି। ଆମେରିକା ଇରାନର ଏୟାରବେସ୍, କ୍ଷେପଣାସ୍ତ୍ର ଘାଟି, ଅଣ୍ଡରଗ୍ରାଉଣ୍ଡ ମିସାଇଲ୍ ଆଡ୍ଡାକୁ ଛାରଖାର କରୁଥିବା ଦାବି କରି ଆସୁଛି। ତଥାପି ମାନୁନି ଇରାନ୍। କେଉଁଠୁ ଓ କିଭଳି ଶାଣିତ ହମଲା କରୁଛି ତାକୁ ନେଇ ସାରା ବିଶ୍ବ ବି ସ୍ତବ୍ଧ।
ଆଜି ପର୍ଯ୍ୟନ୍ତ ଯୁଦ୍ଧରେ UAEକୁ ଟାର୍ଗେଟ କରି ଇରାନ୍ ୨୩୮ଟି ବାଲିଷ୍ଟିକ ମିସାଇଲ୍ ଓ ୧୪୨୨ଟି ଡ୍ରୋନ ପଠାଇଛି। ଅଧିକାଂଶ କ୍ଷେପଣାସ୍ତ୍ର ଓ ଡ୍ରୋନକୁ ରୋକିଯାଇଥିବା ବେଳେ କିଛି ଟାର୍ଗେଟ ହିଟ୍ କରିଥିବା କହିଛି UAE। ସେହିପିର ଆମେରିକା ଓ ଇସ୍ରାଏଲର ଆକ୍ରମଣ ଯୋଗୁଁ ଇରାନର ପ୍ରାୟ ୧୦ ହଜାରରୁ ଅଧିକ ଘର ମାଟିରେ ମିଶିଥିବା ଇରାନ ଦାବି କରିଛି।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଇରାନର ସାମରିକ ଶକ୍ତି ଓ ସେଠାକାର ଶାସକ ଗୋଷ୍ଠୀର ସମ୍ପୂର୍ଣ୍ଣ ବିନାଶ ନହେବା ପର୍ଯ୍ୟନ୍ତ ଏହି ଯୁଦ୍ଧ ଶେଷ ହେବ ନାହିଁ। ସେପଟେ ମୁଣ୍ଡ ନଇଁବା ସ୍ଥିତିରେ ବି ନାହିଁ ଇରାନ୍। ସାରା ବିଶ୍ୱ ଏବେ ଶାନ୍ତି ପାଇଁ ନିବେଦନ କରୁଥିଲେ ବି ପ୍ରତିଶୋଧର ନିଆଁ କମିବାର ନାଁ ନେଉନାହିଁ। ଏମିତି ଚାଲିଲେ ବିଶ୍ୱ ଖୁବଶୀଘ୍ର ତୃତୀୟ ବିଶ୍ୱଯୁଦ୍ଧର ଦ୍ୱାରଦେଶରେ ଛିଡ଼ା ହୋଇଯିବ। ଯାହାର ପ୍ରଭାବ କେବଳ ମଧ୍ୟପ୍ରାଚ୍ୟ ନୁହେଁ ବରଂ ସମଗ୍ର ବିଶ୍ୱର ଅର୍ଥନୀତି ଓ ଶାନ୍ତି ଉପରେ ପଡ଼ିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/03/08/iran-israel-war-escalates-across-middle-east-2026-03-08-20-03-50.jpg)