ଯୁଦ୍ଧ ନିଆଁରେ ହୁତୁହୁତୁ ମଧ୍ୟପ୍ରାଚ୍ୟ Photograph: (OTV)
ହୁତୁହୁତୁ ହୋଇ ଜଳୁଛି ମଧ୍ୟପ୍ରାଚ୍ୟ ନିଆଁ। ଆମେରିକା ଘାଟିକୁ ଖୋଜିଖୋଜି ମାରୁଛି ଇରାନ୍ । ଦୁବାଇରେ US ଦୂତାବାସକୁ ମିସାଇଲ୍ ଆଟାକ୍ । ଇସ୍ରାଏଲ୍ ଉପରେ ବି ପ୍ରଚଣ୍ଡ ହମଲା । ଏପଟେ ଇରାନର ପରମାଣୁ କେନ୍ଦ୍ର ଉପରେ ଇସ୍ରାଏଲ ଓ ଆମେରିକାର ଆକ୍ରମଣ ଅଭିଯୋଗକୁ ନେଇ ବଢୁଛି ମହାବିନାଶ ଆଶଙ୍କା । ଏସବୁ ଭିତରେ ଖାମେନେଇଙ୍କ ନୂଆ ଉତ୍ତାରାଧିକାରୀ ଦାୟିତ୍ବ ନେବାକୁ ନେଇ ଜୋରଦାର ଚର୍ଚ୍ଚା ହେଉଥିବାବେଳେ ସିଧା ହତ୍ୟା ଧମକ ଦେଇଛି ଇସ୍ରାଏଲ୍ ।
ମହାବିନାଶ ଆଡ଼କୁ ମହାଯୁଦ୍ଧ। ମଧ୍ୟପ୍ରାଚ୍ୟରେ ଲାଗିଯିବ କି ପରମାଣୁ ଯୁଦ୍ଧ ? ଇରାନ ପରମାଣୁ କେନ୍ଦ୍ର ଉପରେ ଘନଘନ ବୋମାମାଡ଼ ! ଥାର୍ଡ୍ ୱେଭ୍ ଚେତାବନୀ ଦେଲେ ଟ୍ରମ୍ପ୍ । ଆକାଶରେ ଗର୍ଜୁଛି ମିସାଇଲ୍, ଚାରିଆଡ଼େ ଆତଙ୍କ-ଆର୍ତ୍ତଚିତ୍କାର। ପଞ୍ଚମ ଦିନରେ ଭୟଙ୍କର ମହାଯୁଦ୍ଧ। ନତାଞ୍ଜ ପରମାଣୁ କେନ୍ଦ୍ର ଉପରେ ଆମେରିକା ଓ ଇସ୍ରାଏଲ ମିଳିତ ଭାବେ ଆକ୍ରମଣ କରିଥିବା ଅଭିଯୋଗ ଆଣିଛି ଇରାନ୍ ।
ଏପଟେ ରକ୍ତମୁଖା ଇରାନ୍ ଟାର୍ଗେଟରେ ଇସ୍ରାଏଲର ସାମରିକ ମୁଖ୍ୟାଳୟ ଓ ବିଭିନ୍ନ ସ୍ଥାନରେ ଥିବା ଆମେରିକା ଘାଟି। ମଧ୍ୟପ୍ରାଚ୍ୟରେ ଥିବା ଆମେରିକା ଠିକଣାକୁ ଖୋଜିଖୋଜି ଟାର୍ଗେଟ୍ କରୁଛି । ଗତକାଲି ରିୟାଦ ପରେ ଆଜି ଦୁବାଇରେ ଆମେରିକା ଦୂତାବାସ ଉପରେ ବର୍ଷିଛି ଡ୍ରୋନ୍। ୟୁଏଇର ରିଫାଇନାରୀ ଉପରେ ବି ହୋଇଛି ମିସାଇଲ୍ ମାଡ଼ । ଇରାନ ପ୍ରତିଶୋଧ ନିଆଁରୁ ଇସ୍ରାଏଲ୍ ମଧ୍ୟ ବର୍ତ୍ତିନି।
ତେଲ ଅଭିଭ, ହାଇଫା ଓ ପୂର୍ବ ଜେରୁଜେଲମରେ ଭୟାବହ ଆକ୍ରମଣ। ଇସ୍ରାଏଲ ପ୍ରତିରକ୍ଷା ବାହିନୀର ମୁଖ୍ୟ ସାମରିକ ମୁଖ୍ୟାଳୟ କୁହାଯାଉଥିବା ହାକିରିଆ କମ୍ପ୍ଲେକ୍ସ ଉପରେ ଆକ୍ରମଣ କରିଥିବା ଇରାନ୍ ଦାବି କରିଛି । ଏପଟେ ଇସ୍ରାଏଲ ବି ଚୁପ୍ ବସିନି । ତେହରାନରେ ପୁଣି କରିଛି ଏୟାରଷ୍ଟ୍ରାଇକ୍ । ଟାର୍ଗେଟରେ ଇରାନର ସରକାରୀ କାର୍ଯ୍ୟାଳୟ, ସେନା ଓ ସୁରକ୍ଷା ସଂସ୍ଥା।
ସେପଟେ ଇରାନକୁ ପୁଣି କଡ଼ା ଚେତାବନୀ ଶୁଣାଇ ଟ୍ରମ୍ପ କହିଛନ୍ତି- ପ୍ରଥମ ଦୁଇଟି ପ୍ରହାରରେ ଇରାନ୍ ଏକପ୍ରକାରର ସଫା ହୋଇଯାଇଛି । ତୁରନ୍ତ ପଛକୁ ନ ହଟିଲେ ଆଗକୁ ତୃତୀୟ ଲହର ଆସିବ। ୪ରୁ ୫ ସପ୍ତାହ ଭିତରେ ଯୁଦ୍ଧ ଶେଷ ହେବ ।
ଏପଟେ ଶ୍ରୀଲଙ୍କା ଉପକୂଳରେ ଇରାନୀୟ ଜାହାଜ ଉପରେ ବଡ଼ ଆକ୍ରମଣକୁ ନେଇ ହଇଚଇ। ସବମରିନ୍ ଜରିଆରେ ଆଟାକ୍ ପରେ ନିଖୋଜ ହୋଇଯାଇଛନ୍ତି କ୍ରୁଙ୍କୁ ମିଶାଇ ୧୦୧ ଜଣ ଯାତ୍ରୀ। ଆକ୍ରମଣକାରୀ ସବମରିନ୍ କେଉଁ ଦେଶର ସ୍ପଷ୍ଟ ହୋଇନଥିବାବେଳେ, ଷଡ଼ଯନ୍ତ୍ର ପଛରେ ଆମେରିକା ଥିବା ନେଇ ଅଭିଯୋଗ ଆଣିଛି ଇରାନ୍ ।
ଏସବୁ ଭିତରେ ବଦଳିଛି ଇରାନର ଶାସନ ଭାର। ପରବର୍ତ୍ତୀ ସର୍ବୋଚ୍ଚ ନେତା ଭାବେ ମୋଜତାବା ଖାମେନେଇ ଦାୟିତ୍ବ ନେଇଥିବାନେଇ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଥିବାବେଳେ ଏହାକୁ ଖଣ୍ଡନ କରିଛି ଇରାନ୍ । କୁହାଯାଉଛି ସୁରକ୍ଷା ଦୃଷ୍ଟିରୁ ଉତ୍ତରାଧିକାରୀ ଚୟନ ପ୍ରକ୍ରିୟାକୁ ଅତ୍ୟନ୍ତ ଗୁପ୍ତ ରଖାଯାଇଛି। ତେବେ ଖାମେନେଇଙ୍କ ଉତ୍ତରାଧିକାରୀଙ୍କୁ ନେଇ କଡ଼ା ପ୍ରତିକ୍ରିୟାଶୀଳ ହୋଇ ଇସ୍ରାଏଲ୍ କହିଛି, ନୂଆ ଉତ୍ତାରାଧିକାରୀ ଯିଏ ବି ହେଉନା କାହିଁକି- ଇସ୍ରାଏଲ ପାଇଁ ସେ ମୋଷ୍ଟ୍ ଟାର୍ଗେଟ୍। ଅନ୍ୟପଟେ ଅଧିକ ଭିଡ଼ ଆଶଙ୍କାରେ ଖାମେନେଇଙ୍କ ରାଜକୀୟ ଅନ୍ତିମ ସଂସ୍କାରକୁ ସ୍ଥଗିତ ରଖାଯାଇଛି ।
ଯୁଦ୍ଧ ଘନଘଟା ଭିତରେ ଆମେରିକାରେ ଟ୍ରମ୍ପଙ୍କ ବିରୋଧରେ ବଢୁଛି ଜନଅସନ୍ତୋଷ । ଇରାନ ଉପରେ ଆକ୍ରମଣକୁ କଟୁ ସମାଲୋଚନା କରିଛନ୍ତି ଆମେରିକୀୟ ନେତା। ଟ୍ରମ୍ପ ମିଛର ପାହାଡ଼ ଉପରେ ଛିଡ଼ା ହୋଇ ଅବୈଧ ଯୁଦ୍ଧ ଲଢୁଥିବା ଏବଂ ଗୋଟିଏ ରାଷ୍ଟ୍ରକୁ ଯୁଦ୍ଧ ମୁହଁକୁ ଠେଲିଦେଉଥିବା ଅଭିଯୋଗ ଆଣି ବର୍ଷିଛନ୍ତି ଡେମୋକ୍ରାଟ୍ ନେତା । ବିଶ୍ବର ଅନେକ ରାଷ୍ଟ୍ର ମଧ୍ୟ ଯୁଦ୍ଧକୁ ନେଇ ଚିନ୍ତାପ୍ରକାଶ କରିଛନ୍ତି। ଇରାନ ଉପରେ ଆକ୍ରମଣ ପାଇଁ ସାମରିକ ଘାଟି ଦେବାକୁ ନାଟୋ ଦେଶ ବି ଟ୍ରମ୍ପଙ୍କୁ ଅନୁମତି ଦେଇନାହାନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/03/04/iran-and-israel-exchange-massive-strikes-2026-03-04-20-19-33.jpg)