Mojtaba Khamenei Photograph: (OTV)
ଜଳୁଛି ମଧ୍ୟପ୍ରାଚ୍ୟ। ଚାଲିଛି ଘମାଘୋଟ ଯୁଦ୍ଧ। ଗୋଟିଏ ପଟେ ଆକାଶରୁ ବର୍ଷୁଛି ଇସ୍ରାଏଲ-ଆମେରିକାର ମିସାଇଲ୍, ଅନ୍ୟପଟେ ଇରାନର ସର୍ବୋଚ୍ଚ ଗାଦିରେ ଦେଖାଦେଇଛି ବଡ଼ ପରିବର୍ତ୍ତନ। ଆମେରିକା ଓ ଇସ୍ରାଏଲର ମିଳିତ ଏୟାର-ଷ୍ଟ୍ରାଇକ୍ରେ ଇରାନର ସର୍ବୋଚ୍ଚ ନେତା ଅୟାତୁଲ୍ଲା ଅଲି ଖାମେନେଇଙ୍କ ମୃତ୍ୟୁ ପରେ ଦେଶର ମଙ୍ଗ ଧରିଛନ୍ତି ତାଙ୍କ ପୁଅ ମୁଜତବା ଖାମେନେଇ।
ହେଲେ ଏହି ନୂଆ ନେତୃତ୍ୱକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଇରାନବାସୀ। ଗାଦି ସମ୍ଭାଳୁ ସମ୍ଭାଳୁ ନିଜ ଦେଶରେ ହିଁ ମୁଜତବାଙ୍କୁ କରାଯାଉଛି ଜୋରଦାର ବିରୋଧ। ତେହେରାନର ଗଳିକନ୍ଦିରେ ଶୁଭୁଛି ଗୋଟିଏ ସ୍ୱର- "ମୁଜତବା ମୁର୍ଦ୍ଦାବାଦ୍!" ବାହାରେ ଶତ୍ରୁର ମିସାଇଲ୍, ଆଉ ଭିତରେ ଜନତାଙ୍କ ଆକ୍ରୋଶ। ଏବେ ଦ୍ୱିମୁଖୀ ସଙ୍କଟରେ ଇରାନ।
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓ ଏବେ ସାରା ବିଶ୍ୱକୁ ଚକିତ କରିଛି। ମାତ୍ର ୧୭ ସେକେଣ୍ଡର ଏହି ଭିଡିଓରେ ଇରାନୀ ମହିଳାଙ୍କ ସାହସ ଦେଖିବାକୁ ମିଳୁଛି । ମୁଜତବାଙ୍କୁ ସୁପ୍ରିମ ଲିଡର ଘୋଷଣା କରାଯିବା ପରେ “ମୁଜତବାଙ୍କ ମୃତ୍ୟୁ ହେଉ” ବୋଲି ନାରାବାଜିରେ ଫାଟି ପଡୁଛି ତେହେରାନ। ତାଙ୍କୁ ଚାରିଆଡୁ କରାଯାଉଛି ବିରୋଧ।
ସେପଟେ ଆମେରିକା ମଧ୍ୟ ଇରାନର ଏହି କ୍ଷମତା ହସ୍ତାନ୍ତରକୁ ନେଇ ଖପ୍ପା ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅସନ୍ତୋଷ ପ୍ରକାଶ କରିଛନ୍ତି। ଆମେ ଦେଖିବୁ କ'ଣ ହେଉଛି। ୱାଶିଂଟନର ଅନୁମୋଦନ ବିନା ଇରାନର ପରବର୍ତ୍ତୀ ନେତା ବହୁଦିନ ପର୍ଯ୍ୟନ୍ତ ତିଷ୍ଠି ରହିବେ ନାହିଁ ବୋଲି ଟ୍ରମ୍ପ ଧମକ ଦେଇଛନ୍ତି।
ଫେବୃଆରୀ ୨୮ ତାରିଖରେ ଆମେରିକା ଏବଂ ଇସ୍ରାଏଲ ମିଳିତ ଭାବରେ ଇରାନ ଉପରେ ଆକ୍ରମଣ କରିବା ପରେ ମଧ୍ୟପ୍ରାଚ୍ୟରେ ଏକ ବଡ଼ ସଙ୍କଟ ଦେଖାଦେଇଥିଲା। ଏହି ଆକ୍ରମଣରେ ୮୬ ବର୍ଷୀୟ ଅଲ୍ଲ ଖାମେନେଇ ଏବଂ ଅନେକ ଶୀର୍ଷ ଇରାନୀ ନେତାଙ୍କ ମୃତ୍ୟୁ ହୋଇଥିଲା। ଏହାର ଜବାବରେ ଇରାନ ଇସ୍ରାଏଲ ଏବଂ ଉପସାଗରୀୟ ଦେଶଗୁଡ଼ିକରେ ଥିବା ଆମେରିକୀୟ ସାମରିକ ଘାଟି ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରିଥିଲା।
ରିପୋର୍ଟ ଅନୁଯାୟୀ, ଏପର୍ଯ୍ୟନ୍ତ ଇରାନରେ ୧୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଛି। ଇସ୍ରାଏଲରେ ୧୨ ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଏହି ସଂଘର୍ଷରେ ଅତି କମରେ ୭ ଜଣ ଆମେରିକୀୟ ସୈନିକ ମଧ୍ୟ ପ୍ରାଣ ହରାଇଛନ୍ତି।
ବାପାଙ୍କ ମୃତ୍ୟୁର ବଦଲା ନେବାକୁ ମୁଜତବା ଏବେ ଆମେରିକୀୟ ସାମରିକ ଘାଟି ଉପରକୁ ମିସାଇଲ୍ ବର୍ଷା କରୁଛନ୍ତି। ୫୬ ବର୍ଷୀୟ ମୁଜତବା ଏହି ଯୁଦ୍ଧକୁ କେଉଁ ସୀମା ପର୍ଯ୍ୟନ୍ତ ନେବେ, ତାହା ଉପରେ ଏବେ ସାରା ବିଶ୍ୱର ନଜର। କାରଣ ଏହି ସଂଘର୍ଷ ଏବେ କେବଳ ଦୁଇ ଦେଶ ମଧ୍ୟରେ ସୀମିତ ନାହିଁ, ଏହା ଏକ ବିଶ୍ୱବ୍ୟାପୀ ଅର୍ଥନୈତିକ ଏବଂ ସାମରିକ ସଙ୍କଟରେ ପରିଣତ ହୋଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/03/09/mojtaba-khamenei-2026-03-09-12-36-44.jpg)