BNP-WON-BANGLA-ELECTION Photograph: (OTV)
୧୮ ମାସର ଜେଲ
ଦେଶ ବାହାରେ ୧୭ ବର୍ଷ
ଲଣ୍ଡନରେ ରହିଲେ, ଢାକାରେ ଜିତିଲେ...
ବାଂଲାଦେଶ ବାଛିଛି ନୂଆ ଭାଗ୍ୟ ବିଧାତା।
ଦଙ୍ଗା, ପୋଡ଼ାଜଳା, ବିକ୍ଷୋଭ, ଆନ୍ଦୋଳନ, ଅସ୍ଥିର ରାଜନୈତିକ ସ୍ଥିତି ଭିତରେ ବାଂଲାଦେଶରେ ଗଠନ ହେବାକୁ ଯାଉଛି ନୂଆ ସରକାର। କଠୋରପନ୍ଥୀ ଜମାତ୍ ଉଲ୍ ଇସଲାମ୍ ର ସବୁ ସ୍ବପ୍ନକୁ ଚୁରମାର କରି କ୍ଷମତାକୁ ଆସିଛି ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି-BNP। ଖାଲି କ୍ଷମତାକୁ ନୁହେଁ ଏକକ ସଂଖ୍ୟା ଗରିଷ୍ଠ ଦଳ ଭାବେ ସବୁଠୁ ଆଗରେ ରହିଛି। ମୋଟ୍ ୨୯୯ ସିଟ୍ ଥିବା ବାଂଲାଦେଶ ସଂସଦରେ ପ୍ରାୟ ଦୁଇ ଶହ ସିଟକୁ କବଜା କରିଛି ବିଏନପି।
ଆଉ ବାଂଲାଦେଶର ନୂଆ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି ୬୦ ବର୍ଷୀୟ ତାରିକ୍ ରେହମାନ୍। ବାଂଲାଦେଶର ପୂର୍ବତନ ରାଷ୍ଟ୍ରପତି ଜିଆ ଉର୍ ରେହମାନ୍ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ପୁଅ ତାରିକ ଏବେ ଦେଶର ନୂଆ ବାଜିଗର୍। ଯିଏ ଆର୍ଥିକ ହେରଫେର ମାମଲାରେ ୧୮ ମାସ ଜେଲରେ ରହିବା ପରେ ୨୦୧୭ରେ ପଳାଇଥିଲେ ଲଣ୍ଡନ। ଦେଶରୁ ସିନା ଦୂରେଇ ଥିଲେ, କିନ୍ତୁ ଲଣ୍ଡନରୁ ଚାଲୁଥିଲା ଢାକା ପାଇଁ ଗୋଟି ଚାଳନା।
ସେଇଥିପାଇଁ ତ ଶେଖ୍ ହସିନା ବାଂଲାଦେଶ ଛାଡ଼ିବା ପରେ ଦେଶରେ ଦେଖାଦେଇଥିବା ଅସ୍ଥିରତା ଭିତରେ ଫେରିଥିଲେ ତାରିକ୍। ଡିସେମ୍ବରରେ ଫେରିଲେ ଆଉ ଏହାର ୫ ଦିନ ପରେ ମାଆ ଖାଲିଦା ଜିଆଙ୍କୁ ହରାଇଥିଲେ । ସବୁ କଳ୍ପନାଜଳ୍ପନାକୁ ଏଡ଼ାଇ ବିଏନପି ଦାୟିତ୍ବ ପାଇବାର କିଛି ଦିନ ପରେ ବଡ଼ ଭିକଟରୀ ଦେଖିଛି ଦଳ।
ବାଂଲାଦେଶରେ ସିନା ସରକାର ବଦଳିଲା କିନ୍ତୁ ଏହା ଉପରେ ଭାରତର ଥିଲା ନଜର। କାରଣ ହାସିନା ଦେଶ ଛାଡିବା ପରେ ନୂଆଦିଲ୍ଲୀ ଓ ଢାକା ମଧ୍ୟରେ ସମ୍ପର୍କ ଦିନକୁ ଦିନ ବିଗୁଡୁଥିଲା । ତାରିକଙ୍କୁ ବିପୁଳ ବିଜୟର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ଭାରତର ରହିଛି ଅନେକ ଆଶା
ଉଭୟ ଦେଶ ଭିତରେ ଥିବା ନିବିଡ଼ ସାଂସ୍କୃତିକ ଏବଂ ଐତିହାସିକ ସମ୍ପର୍କକୁ ମନେ ପକାଇ ତାରିକଙ୍କ ସହ ଟେଲିଫୋନରେ କଥା ବି ହୋଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ବର୍ଷ ବର୍ଷ ଧରି ବାଂଲାଦେଶ ସହ ଭାରତର ରହିଛି ପାଣି ଓ ବ୍ୟବସାୟର ସ୍ବର୍ଣ୍ଣିମ ସଂପର୍କ। ହେଲେ ମାସ କେଇଟା ହେବ ଏଥିରେ ପଡ଼ିଛି ଭଟ୍ଟା। ତେଣୁ ନୂଆ ‘ତାରିକ୍’ ସରକାର ଉପରେ ଭାରତର ରହିଛି ଅନେକ ଆଶା।
(୧) ଭାରତ ବିରୋଧୀ ଓ ବାଂଲାଦେଶର କଟ୍ଟରପନ୍ଥୀ ଶକ୍ତିଙ୍କ ଉପରେ ନିୟନ୍ତ୍ରଣ
(୨) ସଂଖ୍ୟାଲଘୁ ହିନ୍ଦୁ ଏବଂ ମନ୍ଦିରକୁ ସୁରକ୍ଷା। ଗଲା କିଛି ଦିନରେ ୧୬ରୁ ଅଧିକ ହିନ୍ଦୁଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ଯାହାକୁ ନେଇ ଭାରତ ସମେତ ସାରା ବିଶ୍ବ ଉଦବେଗ୍ ପ୍ରକାଶ କରିଛି।
(୩) ସୀମା ସୁରକ୍ଷା। ଉଭୟ ଦେଶ ଭିତରେ ୪ ହଜାର କିଲୋମିଟରରୁ ଅଧିକ ଲମ୍ବ ସୀମା ରହିଛି। ବାରମ୍ବାର ଅନୁପ୍ରବେଶକୁ ନେଇ ବିବାଦ ଲାଗି ରହିଛି।
(୪) ପୂର୍ବୋତ୍ତର ସହ କନେକ୍ଟିଭିଟି। ଉତ୍ତର-ପୂର୍ବ ରାଜ୍ୟରେ ସଡ଼କ, ରେଳ, ଜଳପଥରେ ଏହାର ରହିଛି ପ୍ରଭାବ।
(୫) ବ୍ୟବସାୟ ଓ ଅର୍ଥ ବ୍ୟବସ୍ଥା
ଦକ୍ଷିଣ ଏସିଆରେ ବାଂଲାଦେଶ ଭାରତର ବଡ଼ ବ୍ୟାବସାୟିକ ସହଯୋଗୀ। ପ୍ଲାଷ୍ଟିକରୁ କପଡ଼ା, ମୋବାଇଲଠୁ ସୋଲାର ଏନର୍ଜି। ଏମିତି ଅନେକ ବ୍ୟବସାୟରେ ଉଭୟ ଦେଶ ପରସ୍ପର ଉପରେ ନିର୍ଭର କରେ। ଦୁଇ ଦେଶ ଭିତରେ ବାର୍ଷିକ ପାଖାପାଖି ୧୫ ଆରବ ଡଲାରର କାରବାର ଚାଲିଛି। ଏମିତିକି ଭାରତୀୟ ମେସିନାରୀ, କପା, ଔଷଧ, ତୈଳର ବାଂଲାଦେଶରେ ପ୍ରବଳ ଚାହିଦା ଥିବାରୁ ନୂଆ ସରକାରଙ୍କ ଆଭିମୁଖ୍ୟ ବେଶ୍ ଗୁରୁତ୍ବବହନ କରେ।
ଖାଲି ଯେ, ସରକାର ବଦଳିଲା ତା ନୁହେଁ, ତାରିକଙ୍କ ସମ୍ମୁଖରେ କିଛି ପ୍ରମୁଖ ଚ୍ୟାଲେଞ୍ଜ ବି ରହିଛି।
(୧) ଚୀନ ଫ୍ୟାକ୍ଟର...ବାଂଲାଦେଶରେ ନିବେଶ ଓ ଇନ୍ଫ୍ରା ଷ୍ଟ୍ରକ୍ଚର ପରିଯୋଜନା ବଢ଼ାଇ ଚଲିଛି ଡ୍ରାଗନ୍, ତେଣୁ ଏହାକୁ ସନ୍ତୁଳିତ କରିପାରିବେ କି ତାରିକ୍?
(୨) ଭାରତର ମହତ୍ତ୍ବ...ସିନେମାଠୁ ଶିଳ୍ପ ସବୁଥିରେ ଭାରତ ସହ ସମ୍ପର୍କରେ ଥିବା ଦେଶ ସହ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିବା।
(୩) ଆଞ୍ଚଳିକ ସ୍ଥିରତା...ମାଆ ଖାଲିଦାଙ୍କ ସମୟରୁ ବାଂଲାଦେଶ ଦେଖିଥିବା ଅସ୍ଥିରତାକୁ ପ୍ରଶମିତ କରି ନୂଆ ବାଂଲାଦେଶ ଗଠନ କରିବା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/13/bnp-won-bangla-election-2026-02-13-21-25-04.jpg)