Bangladesh-Violence Photograph: (OTV)
ବୋମା ପକାଇ ଆଉ ଜଣକୁ ମାରିଦେଲେ... । ଭାରତ ବିରୋଧୀ ଛାତ୍ରନେତା ଓସମାନ ହାଦିର ହତ୍ୟାକୁ ବିରୋଧ କରି ବାଂଲାଦେଶରେ ଲାଗି ରହିଥିବା ହିଂସା ଅଧିକ ତୀବ୍ର ହେବାରେ ଲାଗିଛି । କାଲି ସନ୍ଧ୍ୟାରେ ବାଂଲା ରାଜଧାନୀର ମୋଗବଚାର ଅଞ୍ଚଳରେ ଘଟିଛି ଏକ ଭୟଙ୍କର ବୋମା ବିସ୍ଫୋରଣ ।
ଦୁର୍ବୃତ୍ତମାନେ ସେଠି ଗୋଟିଏ ଫ୍ଲାଏଓଭରରୁ ତଳକୁ ବୋମା ପକାଇଥିଲେ । ବୋମା ସିଧା ଆସି ଜଣେ ଯୁବକଙ୍କ ମୁଣ୍ଡରେ ପଡିବା ପରେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଆଉ ଏହି ଘଟଣା ପରେ ବାଂଲାଦେଶରେ ପୁଣି ତେଜିଛି ହିଂସା । ହେଲେ କିଏ ଓ କାହିଁକି ଘଟାଉଛି ଏହି ହିଂସାକାଣ୍ଡ ? ହାଦିକୁ ମାରି କିଏ ଅଶାନ୍ତ କରିଛି ବାଂଲାଦେଶ ? କିଏ ହିନ୍ଦୁ ବିରୋଧୀ ହିଂସା ଉସକାଉଛି ?
ନିର୍ବାଚନ ରୋକିବାକୁ ଷଡଯନ୍ତ୍ର
ଓସମାନ ହାଦିର ହତ୍ୟାକୁ ନେଇ ଆନ୍ଦୋଳନକାରୀ ଭାରତ ଓ ହିନ୍ଦୁଙ୍କୁ ଟାର୍ଗେଟ୍ କରୁଥିବା ବେଳେ, ଏହି ହତ୍ୟାକାଣ୍ଡ ପଛର ପୋଲ୍ ଖୋଲିଛନ୍ତି ଖୋଦ୍ ହାଦିର ବଡଭାଇ ଓମାର ହାଦି । ୟୁନୁସ୍ ସରକାର ବିରୋଧରେ ବଡ଼ ଅଭିଯୋଗ ଆଣିଛନ୍ତି ସେ । ଓମାର ଖୋଲାଖୋଲି କହିଛନ୍ତି- ତାଙ୍କ ଭାଇ ଓସମାନ ହାଦିର ହତ୍ୟା, ଆସନ୍ତା ନିର୍ବାଚନ ରୋକିବାକୁ ଏକ ଷଡଯନ୍ତ୍ର ।
ଫେବ୍ରୁଆରୀରେ ବାଂଲାଦେଶ ନିର୍ବାଚନ ହେବାକୁ ଥିବାବେଳେ ଏହାକୁ ଟାଳିବାକୁ ୟୁନୁସ୍ ସରକାରଙ୍କ ଏକ ଗୋଷ୍ଠୀ ତାଙ୍କ ଭାଇକୁ ହତ୍ୟା କରାଇଛନ୍ତି । ସେ କୌଣସି ବିଦେଶୀ ଗୋଷ୍ଠୀ ଆଗରେ ମୁଣ୍ଡ ନ ନୁଆଁଇବାରୁ ତାଙ୍କୁ ହତ୍ୟା କରାଯାଇଛି । ଆଉ ଏବେ ଏହି ଘଟଣାକୁ ମୁଦ୍ଦା କରି ନିର୍ବାଚନ ବନ୍ଦ କରିବାକୁ ଚାହୁଁଛନ୍ତି ।
ହେଲେ ଏଠି ପ୍ରଶ୍ନ ଉଠିଛି, କିଏ ସେ ବିଦେଶୀ ଗୋଷ୍ଠୀ ? ହାଦି ହତ୍ୟା, ନିର୍ବାଚନ ରୋକିବା ଓ ବାଂଲାଦେଶରେ ଭାରତ ବିରୋଧୀ ସ୍ୱର ତେଜିବା ଏକ ଷଡଯନ୍ତ୍ର କି ?
ଡିସେମ୍ବର ୧୨ରେ ଢାକା ବିଜୟନଗର ଅଞ୍ଚଳରେ ଓସମାନ ହାଦିକୁ ଗୁଳିମାଡ ହୋଇଥିଲା । ସେ ଇ-ରିକ୍ସାରେ ନିର୍ବାଚନ ପ୍ରଚାର ପାଇଁ ଯିବାବେଳେ ବାଇକ୍ରେ ଆସି ଗୁଳି କରିଥିଲେ ଦୁଇ ଜଣ ଦୁର୍ବୃତ୍ତ ।
ପରେ ଡିସେମ୍ବର ୧୮ରେ ସିଙ୍ଗାପୁରରେ ଚିକିତ୍ସାଧୀନ ଅବସ୍ଥାରେ ତା'ର ମୃତ୍ୟୁ ହୋଇଥିଲା । ଆଉ ହାଦିର ମୃତ୍ୟୁ ପରଠୁ ବାଂଲାଦେଶରେ ତେଜିଥିଲା ଭାରତ ବିରୋଧୀ ହିଂସା । ହତ୍ୟାକାରୀମାନେ ହାଦିକୁ ମାରି ଭାରତ ପଳାଇଥିବା ଅଭିଯୋଗ କରି ଲଙ୍କାକାଣ୍ଡ ଘଟାଇଥିଲେ ହଜାର ହଜାର ସମର୍ଥକ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/25/bangladesh-violence-2025-12-25-17-10-25.jpg)