SOCIAL MEDIA Photograph: (OTV)
ଆଜିର ଦିନରେ ସମସ୍ତେ ସୋସିଆଲ ମିଡିଆରେ ଆକ୍ଟିଭ । ନିଜର ପ୍ରତିଦିନର ଅପଡେଟ ଅନ୍ୟଙ୍କୁ ଦେବା ସହ ବନ୍ଧୁତା ପ୍ରେମ ସବୁକିଛି ସୋସିଆଲ ମିଡିଆରେ କରୁଛନ୍ତି । ଏହା ସହ ସୋସିଆଲ ମିଡିଆରୁ ଅନେକ ଗୁରୁତ୍ବପୂର୍ଣ୍ଣ ସୂଚନା ବି ମିଳୁଛି । ସୋସିଆଲ ମିଡିଆ ବିନା ବଞ୍ଚିବା ଆଜିର ସମୟରେ କାହା ପାଇଁ ବି ସମ୍ଭବ ହୋଇନପାରେ । କିନ୍ତୁ ଯଦି ଆପଣଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଡିଲିଟ କରିଦିଆଯାଏ ତେବେ କଣ କରିବେ ?
ଅଷ୍ଟ୍ରେଲିଆରେ ୧୬ ବର୍ଷରୁ କମ୍ ବୟସର ଶିଶୁମାନଙ୍କର ଫେସବୁକ୍ ଓ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ୪ ଡିସେମ୍ବରରୁ ହଟାଇ ଦିଆଯିବ। ଏହି ଦୁଇ ବଡ଼ ସୋସିଆଲ ମିଡିଆ ପ୍ଲାଟଫର୍ମର ପ୍ୟାରେଣ୍ଟ କମ୍ପାନୀ ମେଟା ଗୁରୁବାର (୨୦ ନଭେମ୍ବର) ଏହା ଘୋଷଣା କରିଛି। ଯେତେବେଳେ ଅଷ୍ଟ୍ରେଲିଆ ସରକାର ଶିଶୁମାନଙ୍କୁ ସୋସିଆଲ ମିଡିଆରୁ ଦୂରେଇ ରଖିବା ପାଇଁ ନୂଆ ଆଇନକୁ ଲାଗୁ କରିବାକୁ ପ୍ରସ୍ତୁତ ହେଉଛନ୍ତି, ଠିକ୍ ସେହି ସମୟରେ ଏହି ନିଷ୍ପତ୍ତି ନିଆଯାଇଛି।
୧୦ ଡିସେମ୍ବରରୁ ଅଷ୍ଟ୍ରେଲିଆରେ ଫେସବୁକ୍, ଇନଷ୍ଟାଗ୍ରାମ୍, ଟିକଟକ୍ ଆଇନ ଅନୁଯାୟୀ ୧୬ ବର୍ଷରୁ କମ୍ ବୟସର ସମସ୍ତ ୟୁଜର୍ସଙ୍କୁ ହଟାଇବାକୁ ବାଧ୍ୟତାମୂଳକ ହେବ। କମ୍ପାନୀଗୁଡିକ ନିଜେ ଏହି ୟୁଜର୍ସଙ୍କୁ ନିଜ ପ୍ଲାଟଫର୍ମରୁ ହଟାଇବେ ନହେଲେ ବହୁତ ବଡ଼ ଜୋରିମାନା ଦେବାକୁ ପଡ଼ିବ। ମେଟା କହିଛି ଯେ, ବ୍ୟାନ ଲାଗୁ ହେବା ପୂର୍ବରୁ ସେ କିଶୋରମାନଙ୍କୁ ନିଜ ପ୍ଲାଟଫର୍ମରୁ ହଟାଇବା ଆରମ୍ଭ କରିଦେବ।
ମେଟାର ବୟାନରେ କୁହାଯାଇଛି,“ ଅଷ୍ଟ୍ରେଲିଆର ୧୩-୧୫ ବର୍ଷ ବୟସର ଅଷ୍ଟ୍ରେଲିଆନ୍ ୟୁଜର୍ସଙ୍କୁ ସେମାନଙ୍କ ଇନଷ୍ଟାଗ୍ରାମ୍, ଥ୍ରେଡ୍ସ ଓ ଫେସବୁକ୍ର ଆକ୍ସେସ୍ ହରାଇବେ। ୪ ଡିସେମ୍ବର ଠାରୁ ନୂଆ ଅଣ୍ଡର-୧୬ ଆକାଉଣ୍ଟଗୁଡିକ ବ୍ଲକ୍ କରାଯିବ ଏବଂ ବର୍ତ୍ତମାନର ଆକାଉଣ୍ଟଗୁଡିକର ଆକ୍ସେସ୍ ବାତିଲ୍ କରାଯିବ। ୧୦ ଡିସେମ୍ବର ସୁଦ୍ଧା ସମସ୍ତ ଅଣ୍ଡର-୧୬ ଆକାଉଣ୍ଟ ହଟାଇ ଦିଆଯିବ।”
ସରକାରୀ ତଥ୍ୟ ଅନୁଯାୟୀ, ଅଷ୍ଟ୍ରେଲିଆରେ ପ୍ରାୟ ୩,୫୦,୦୦୦ ଜଣ ୧୩-୧୫ ବର୍ଷ ବୟସର ଇନଷ୍ଟାଗ୍ରାମ୍ ୟୁଜର୍ସ ଏବଂ ପ୍ରାୟ ୧,୫୦,୦୦୦ ଜଣ ଫେସବୁକ୍ ୟୁଜର୍ସ ଅଛନ୍ତି । ଯଦି କୌଣସି ଆକାଉଣ୍ଟକୁ ଭୁଲ୍ରେ ଅଣ୍ଡର-୧୬ ଭାବି ବନ୍ଦ କରାଯାଏ, ତେବେ ସେହି ୟୁଜର୍ସ “ଭିଡିଓ ସେଲ୍ଫି” ମାଧ୍ୟମରେ କିମ୍ବା ସରକାର ଜାରି କରିଥିବା ଆଇଡି ଦେଖାଇ ବୟସ ଯାଞ୍ଚ କରାଇ ଆକାଉଣ୍ଟ ପୁନଃ ଆକ୍ଟିଭ କରିପାରିବେ।
ଯଦି ସରକାରଙ୍କ କଥା ନ ମାନନ୍ତି…
ମେଟା ଗୁରୁବାର ଦିନ ପୁନର୍ବାର ଅଷ୍ଟ୍ରେଲିଆ ସରକାରଙ୍କ ଏହି ଆଇନ ପ୍ରତି ନିଜର ଚିନ୍ତା ପ୍ରକାଶ କରିଛି। କହିଛି, “ଅଷ୍ଟ୍ରେଲିଆ ସରକାରଙ୍କ ସହ ଆମେ ବୟସ ଅନୁଯାୟୀ ନିରାପଦ ଅନଲାଇନ୍ ଅଭିଜ୍ଞତା ସୃଷ୍ଟି କରିବାର ଲକ୍ଷ୍ୟକୁ ସମର୍ଥନ କରୁଛୁ । କିନ୍ତୁ ଯୁବ ପିଢିଙ୍କୁ ସେମାନଙ୍କ ସାଙ୍ଗମାନେ ଓ ସମୁଦାୟ ଠାରୁ ବିଚ୍ଛିନ୍ନ କରିଦେବା ଏହାର ସମାଧାନ ନୁହେ।” ଆଇନ ଉଲ୍ଲଂଘନ କଲେ ସୋସିଆଲ ମିଡିଆ କମ୍ପାନୀଗୁଡିକୁ ୪୯.୫ ମିଲିୟନ ଅଷ୍ଟ୍ରେଲିଆନ୍ ଡଲାର (ପ୍ରାୟ ୨୮୩ କୋଟି ଟଙ୍କା) ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡ଼ିପାରେ।
ଏବେ ନ୍ୟୁଜିଲାଣ୍ଡ ଓ ନେଦରଲ୍ୟାଣ୍ଡର ପାଳି
ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର ଲକ୍ସନ ଶିଶୁମାନଙ୍କୁ ସୋସିଆଲ ମିଡିଆରୁ ଦୂରେଇ ରଖିବା ପାଇଁ ସେହିଭଳି ଆଇନ ଆଣିବାକୁ ଯାଉଛନ୍ତି। ସେହିପରି ନେଦରଲ୍ୟାଣ୍ଡ ସରକାର ଚଳିତ ବର୍ଷ ଅଭିଭାବକମାନଙ୍କୁ ପରାମର୍ଶ ଦେଇଛନ୍ତି ଯେ, ୧୫ ବର୍ଷରୁ କମ୍ ବୟସର ପିଲାମାନଙ୍କୁ ଟିକଟକ୍ ଓ ସ୍ନାପଚାଟ୍ ଭଳି ସୋସିଆଲ ମିଡିଆ ଆପ୍ ବ୍ୟବହାର କରିବାକୁ ଦିଅନ୍ତୁ ନାହିଁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/21/social-media-2025-11-21-19-47-06.jpg)