Advertisment

Destroying Youth Health: କାହିଁକି ରାତିରେ ଶୋଉନାହିଁ ଯୁବପିଢ଼ି ? ପାଗଳ କରିଛି ରିଲ୍‌ସ ...ହେଉଛି ଆପଣଙ୍କ କ୍ଷତି

ଆପଣ ଯଦି ରାତିରେ ବହୁ ସମୟ ଧରି ରିଲ୍‌ସ ଦେଖୁଛନ୍ତି ତାହେଲେ ହୋଇଯାଆନ୍ତୁ ସାବଧାନ ! କାରଣ ଏ ଅଭ୍ୟାସ ବିଲକୁଲ ଭଲ ନୁହେଁ । ବିଶେଷଜ୍ଞମାନେ କହୁଛନ୍ତି, ମଣିଷ ଶରୀରର ଏକ ପ୍ରାକୃତିକ ଘଡ଼ି ବା ଘଣ୍ଟା ଅଛି । ତାହା ହେଉଛି ସର୍କେଡିଆନ୍ ରିଦମ୍ ।

Destroying Youth Health

Destroying Youth Health Photograph: (OTV)

Advertisment

ରାତି ୧୨ଟା…ଘରର ଲାଇଟ୍‌ ଅଫ୍‌ ଆଉ ମୋବାଇଲର ସ୍କ୍ରିନ୍‌ ଅନ୍‌ । ଗୋଟିଏ ପରେ ଗୋଟିଏ ଭିଡ଼ିଓ । ଆଖିର ପତା ପଡ଼ୁନି କି ଆଙ୍ଗୁଳିକୁ ରେଷ୍ଟ ବି ନାହିଁ । ୧୨ଟା, ଗୋଟେ ପରେ କେତେବେଳେ ଦୁଇଟା ବାଜି ୩ଟା ହେବାକୁ ବସିଲାଣି ଜଣା ବି ପଡ଼ୁନି । କିନ୍ତୁ ନିଦ ମାଡ଼ୁନାହିଁ । ଏ ହେଉଛି ଆଜିକାଲିର ଯୁବପିଢ଼ି ବା ମୋବାଇଲରେ ରିଲ୍‌ସକୁ ଭଲ ପାଉଥିବା ମଣିଷଟିର କାହାଣୀ । 

Advertisment

ଆଜିକାଲି ରାତି ଆଉ ଶାନ୍ତ କି ନିରବ ନାହିଁ । ରାତିରେ ଯୋଉଠି ରାସ୍ତା ଜନଶୂନ୍ୟ, ସେଠି ଘରର ଚାରିକାନ୍ଥ ଭିତରେ ଆମେ ୟୁଟ୍ୟୁବ ସର୍ଟ, ଫେସ୍‌ବୁକ୍‌ ଓ ଇନଷ୍ଟାଗ୍ରାମ ରିଲ୍‌ସ ଦେଖିବାରେ ବ୍ୟସ୍ତ । ମୁଁ, ଆପଣ ଏବଂ ଅଧିକାଂଶ ଯୁବଗୋଷ୍ଠି ଏବେ ସେହି ନିଶାରେ । ମାତ୍ର କିଛି ସେକେଣ୍ଡର ଭିଡିଓର ବଶବର୍ତ୍ତୀ ହୋଇଯାଇଛନ୍ତି ଆମେ । ତେବେ ପ୍ରଶ୍ନ ଉଠୁଛି, ରାତିରେ ରିଲ୍‌ସ ଦେଖିବାର ଏହି ଅଭ୍ୟାସ, ଆମକୁ କୁଆଡ଼େ ନେଇଯାଉଛି ? 

ଆପଣ ଯଦି ରାତିରେ ବହୁ ସମୟ ଧରି ରିଲ୍‌ସ ଦେଖୁଛନ୍ତି ତାହେଲେ ହୋଇଯାଆନ୍ତୁ ସାବଧାନ ! କାରଣ ଏ ଅଭ୍ୟାସ ବିଲକୁଲ ଭଲ ନୁହେଁ । ବିଶେଷଜ୍ଞମାନେ କହୁଛନ୍ତି, ମଣିଷ ଶରୀରର ଏକ ପ୍ରାକୃତିକ ଘଡ଼ି ବା ଘଣ୍ଟା ଅଛି । ତାହା ହେଉଛି ସର୍କେଡିଆନ୍ ରିଦମ୍ । ରାତି ହେଲେ ଆମ ଶରୀର ନିଦ ପାଇଁ ପ୍ରସ୍ତୁତ ହୋଇଥାଏ । କିନ୍ତୁ ମୋବାଇଲ୍ ସ୍କ୍ରିନ୍‌ରୁ ବାହାରୁଥିବା ନୀଳ ଆଲୋକ ଏହି ପ୍ରାକୃତିକ ପ୍ରକ୍ରିୟାକୁ ବାଧା ଦେଇଥାଏ । ଫଳରେ ମେଲାଟୋନିନ୍ ହରମୋନ୍ କମିଯାଏ ଆଉ ନିଦ ଆସେନାହିଁ । ଯାହାର ପ୍ରଭାବ ଆମ ଶରୀର ଉପରେ ପଡେ ।

Advertisment

ରିଲ୍ସ ଏକ ଭିଡିଓ ନୁହେଁ, ଏହା ଏକ ଡିଜାଇନ୍‌ ହୋଇଥିବା ଅଭ୍ୟାସ । ଅଟୋପ୍ଲେ, ଏଣ୍ଡଲେସ୍ ସ୍କ୍ରୋଲ୍, ଏବଂ ଆଲଗୋରିଦମ୍ ଏସବୁ ମିଶି ଆମ ମନକୁ ବାନ୍ଧି ରଖୁଛି । ଗୋଟିଏ ଭିଡିଓ ସରିଲେ ଆଉ ଗୋଟିଏ, ଏମିତି ସମୟ କେତେବେଳେ ବିତିଯାଉଛି ଜଣାପଡ଼ୁନି । ଏହି ଅଭ୍ୟାସ ସବୁଠାରୁ ଅଧିକ ଦେଖାଯାଉଛି ଯୁବପିଢ଼ି ଓ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ।

ରାତି ଚେଇଁ ରହି ରିଲ୍ସ ଦେଖିବାର ପ୍ରଥମ ପ୍ରଭାବ ପଡ଼ୁଛି ଶାରୀରିକ ସ୍ୱାସ୍ଥ୍ୟ ଉପରେ । ନିଦ ଅଭାବରେ ସକାଳେ ମୁଣ୍ଡବ୍ୟଥା, ଆଖି ପୋଡିବା, ଥକାପଣ, ଏବଂ କାର୍ଯ୍ୟକ୍ଷମତା କମିଯାଉଛି । ଦୀର୍ଘ ସମୟ ଧରି ଏହି ଅଭ୍ୟାସ ରହିଲେ ମୋଟାପା, ଡାଏବେଟିସ୍, ରକ୍ତଚାପ ଭଳି ସମସ୍ୟାର ଆଶଙ୍କା ମଧ୍ୟ ବଢ଼ୁଛି । ଡାକ୍ତରମାନେ ସଚେତନ କରୁଛନ୍ତି, ନିଦ୍ରାଯିବା କେବଳ ଆରାମ ନୁହେଁ, ଏହା ଶରୀର ପାଇଁ ଏକ ଆବଶ୍ୟକ ଚିକିତ୍ସା ।

Advertisment

ସେହିଭଳି ରାତିରେ ରିଲ୍‌ସ ଦେଖିବାର ପ୍ରଭାବ ଆମ ମାନସିକ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପଡ଼ୁଛି । ଅତ୍ୟଧିକ ରିଲ୍ସ ଦେଖିବା ଧ୍ୟାନ ଶକ୍ତି କମୁଛି ।  ମନ ଧୀରେଧୀରେ ଗଭୀର ଚିନ୍ତା ଓ ଧୈର୍ଯ୍ୟ ହରାଉଛି । କେତେକ ମାମଲାରେ ଏହା ଏନଜାଇଟି, ଡିପ୍ରେସନ୍‌ ଓ ଲୋଲନିନେସ୍‌ କୁ (anxiety, depression ଓ loneliness) ମଧ୍ୟ ବଢ଼ାଇ ଦେଉଛି । ସବୁଠୁ ପଡ଼ କଥା ରିଲ୍ସ‌ର ଚକଚକିଆ ଜୀବନ ସହିତ ନିଜ ଜୀବନକୁ ତୁଳନା କରି ନିଜ ମନରେ ଅସନ୍ତୋଷ ଜନ୍ମ ନେଉଛି ।

ସେହିପରି ଛାତ୍ରଛାତ୍ରୀମାନଙ୍କ ଜୀବନରେ ଏହାର ପ୍ରଭାବ ଅଧିକ ଗମ୍ଭୀର । ରାତି 2ଟା–3ଟା ପର୍ଯ୍ୟନ୍ତ ଚେଇଁ ରହିବାର ଅର୍ଥ, ସକାଳେ କ୍ଲାସ୍‌ରେ ଢୋଳେଇବା, ପଢ଼ାରେ ମନ ନ ଲାଗିବା, ମେମୋରି ଦୁର୍ବଳ ହୋଇଯିବା । ପରୀକ୍ଷାର ଫଳାଫଳ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ୁଛି । 

କାର୍ଯ୍ୟଜୀବୀ ଲୋକଙ୍କ ପାଇଁ ମଧ୍ୟ ଏହି ରିଲ୍ସ ଆଦତ ନିରାପଦ ନୁହେଁ । ନିଦ ଅଭାବରେ ଅଫିସ୍‌ରେ କାମର ଗୁଣମାନ କମୁଛି, ଭୁଲ୍ ବଢ଼ୁଛି ଏବଂ କେତେକ ମାମଲାରେ କାର୍ଯ୍ୟସ୍ଥଳରେ ଦୁର୍ଘଟଣା ମଧ୍ୟ ଘଟୁଛି । 

ସାମାଜିକ ଦୃଷ୍ଟିକୋଣରୁ ଦେଖିଲେ, ରାତିର ରିଲ୍ସ ମନୁଷ୍ୟକୁ ଏକାକୀ କରୁଛି । ଆଜି ଆମେ ଗୋଟିଏ ଘରେ ଥିଲେ ମଧ୍ୟ, ପରିବାର ଲୋକମାନେ ନିଜ ନିଜ ସ୍କ୍ରିନ୍‌ରେ ବ୍ୟସ୍ତ । କଥାବାର୍ତ୍ତା କମୁଛି, ସମ୍ପର୍କ ଦୂର୍ବଳ ହେଉଛି । ରାତିର ନିରବତାରେ ମୋବାଇଲ୍ ଥିଲେ ମଧ୍ୟ, ମନ ଖାଲି ଲାଗୁଛି ।

ବିଶେଷଜ୍ଞମାନେ ସଚେତନ କରୁଛନ୍ତି ରିଲ୍ସ ଖରାପ ନୁହେଁ, କିନ୍ତୁ ସମୟ ଏବଂ ସୀମା ନ ଥିଲେ ଏହା ନିଶା ହୋଇଯାଏ । Digital discipline, screen time limit, ଏବଂ night mode ଭଳି ଉପାୟ ଗ୍ରହଣ କଲେ ଏହାକୁ ନିୟନ୍ତ୍ରଣ କରାଯାଇପାରେ । ରାତିରେ ନିଦକୁ ପ୍ରାଥମିକତା ଦେବା ଉଚିତ । ଶେଷରେ କହିବାକୁ ଗଲେ, ରାତିର 3ଟା ପର୍ଯ୍ୟନ୍ତ ରିଲ୍ସ ଦେଖିବା ଏକ ସାଧାରଣ ଅଭ୍ୟାସ ନୁହେଁ, ଏହା ଏକ ବଦଅଭ୍ୟାସ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ