recipe Photograph: (OTV)
ପ୍ରାୟ ପ୍ରତି ଓଡ଼ିଆଙ୍କ ରୋଷେଇ ଘରେ ଆପଣ ବାଇଗଣ ନିହାତି ପାଇବେ । ଡାଲମା ହେଉ କି ଭଜା କି ସନ୍ତୁଳା ବାଇଗଣ ନିହାତି ଦରକାର । ନିରାମିଷ ବାରରେ ବାଇଗଣ ତ ନିହାତି ଦରକାର । ଏବେ ଚାଲିଛି ମାଣବଶା ଗୁରୁବାର । ଭାତ ଡାଲମା ସହ ବାଇଗଣ ଭଜା ତ ନିହାତି ହେଉଥିବ ଆପଣ ମାନଙ୍କ ଘରେ । ଆଜି ଆମେ ବାଇଗଣକୁ ନେଇ କିଭଳି ସହଜରେ ‘ଦହି ବାଇଗଣ’ ବନେଇ ପାରିବେ ତାର ରେସିପି କହୁଛୁ ।
କଣ କଣ ଦରକାର ?
ବାଇଗଣ, ରିଫାଇନ ତେଲ, ଶୁଖିଲା ଲଙ୍କା, ଲୁଣ, ଚିନି, ଭୁର୍ସୁଙ୍ଗ ପତ୍ର, ଫୁଟଣ, କଞ୍ଚା ଲଙ୍କା , ବସା ଦହି , ଭଜା ଜିରା ଗୁଣ୍ଡ ଓ ଲଙ୍କା ଗୁଣ୍ଡ
ପ୍ରସ୍ତୁତି ପ୍ରଣାଳୀ
ବାଇଗଣକୁ ଭଲ ଭାବରେ ଧୋଇ ଛୁରୀରେ ନିଜ ଇଚ୍ଛା ଅନୁଯାୟୀ ସାଇଜରେ କାଟି ଦିଅନ୍ତୁ । ବାଇଗଣରେ ଲୁଣ ଆଉ ହଳଦୀ ଗୋଳାଇ ଦଶ ମିନିଟ ଛାଡି ଦିଅନ୍ତୁ। ଅଳ୍ପ ଆଞ୍ଚରେ ରିଫାଇନ ତେଲକୁ ଗରମ କରି ସେଥିରେ ବାଇଗଣକୁ ଛାଣି ନିଅନ୍ତୁ। ଯଦି କମ ତେଲ କମ ଖାଇବା ପାଇଁ ଚାହୁଁଛନ୍ତି ତେବେ କଡେଇରେ ଭାଜି ଦିଅନ୍ତୁ।
ଗୋଟିଏ ପାତ୍ରରେ ଦହି ନେଇ ସେଥିରେ ସ୍ଵାଦ ଅନୁସାରେ ଲୁଣ ଓ ଚିନି ମିଶେଇ ଗୋଳେଇ ଦିଅନ୍ତୁ। ପରେ ସେଥିରେ ଭଜା ଜିରାଗୁଣ୍ଡ, ଲଙ୍କା ଗୁଣ୍ଡ, ଟିକି ଟିକି କଟା ହୋଇଥିବା କଞ୍ଚା ଲଙ୍କା ମିଶେଇ ଦିଅନ୍ତୁ। ଏଥର ଛଣା ହୋଇଥିବା ବାଇଗଣକୁ ସେଥିରେ ପକେଇ ଦିଅନ୍ତୁ।
ବାଇଗଣ ଯେମିତି ଦହିରେ ବୁଡ଼ି ରହିବ ସେଭଳି ପରିମାଣର ମିଶ୍ରଣ ବନେଇବେ ।
ଆଉ ଗୋଟିଏ କଡ଼େଇ ବସେଇ ସେଥିରେ ଅଳ୍ପ ତେଲ ପକାନ୍ତୁ। ତେଲ ଗରମ ହୋଇଗଲେ ଫୁଟଣ, ଶୁଖିଲା ଲଙ୍କା ଓ ଭୁର୍ସୁଙ୍ଗ ପତ୍ରର ଛୁଙ୍କ ପ୍ରସ୍ତୁତ କରି ଦହି ବାଇଗଣର ମିଶ୍ରଣ ଉପରେ ପକେଇ ଦିଅନ୍ତୁ । ଉପରେ ଭଜା ଜିରାଗୁଣ୍ଡ ଓ ଲଙ୍କାଗୁଣ୍ଡ ଛିଞ୍ଚି ଦିଅନ୍ତୁ। ତିଆରି ହେଇଗଲା ଦହି ବାଇଗଣ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/27/recipe-2025-11-27-15-33-58.jpg)