PANCHUKA Photograph: (OTV)
କାଲିଠୁ ପଞ୍ଚୁକ । ଏଣେ ଆଜିଠୁ ଅସମ୍ଭାଳ ଭିଡ଼ । ବ୍ୟାରିକେଡ୍ ଭର୍ତ୍ତି, ବଡ଼ଦାଣ୍ଡରେ ଘଣ୍ଟା ଘଣ୍ଟା ଧରି ଲାଇନରେ ଭକ୍ତଙ୍କ ଅପେକ୍ଷା । ଯେହେତୁ କାଲିଠୁ ଧର୍ମମାସ କାର୍ତ୍ତିକର ଶେଷ ପର୍ବ ପଞ୍ଚୁକ। ତେଣୁ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କର ହେବ ସ୍ବତନ୍ତ୍ର ବେଶ। କାଲି ପ୍ରଥମ ଦିନରେ ଶ୍ରୀଜୀଉମାନେ ଲକ୍ଷ୍ମୀ ନାରାୟଣ ବା ଠିଆ କିଆ ବେଶରେ ବିଭୂଷିତ ହେବେ। ରବିବାର ଥିବାରୁ ପଞ୍ଚୁକ ଆରମ୍ଭରେ ଭକ୍ତଙ୍କ ସଂଖ୍ୟା ଆଶାତୀତ ବଢ଼ିବା ସମ୍ଭାବନା ରହିଛି। ତେଣୁ ତାକୁ ଦେଖି ବଡ଼ ତୟାରି କରିଛନ୍ତି ଶ୍ରୀମନ୍ଦିର ଓ ପୁରୀ ଜିଲ୍ଲା ପ୍ରଶାସନ।
ଭକ୍ତଙ୍କ ଭିଡ଼ ନିୟନ୍ତ୍ରଣ ପାଇଁ ବଡ଼ଦାଣ୍ଡରେ ଜଗନ୍ନାଥ ବଲ୍ଳଭଠାରୁ କରାଯାଇଛି ଲମ୍ବା ବ୍ୟାରିକେଡ଼। ପୂର୍ବ ନିଷ୍ପତ୍ତି ମୁତାବକ ପଞ୍ଚୁକବେଳେ କେବଳ ସିଂହଦ୍ୱାର ଦେଇ ଶ୍ରଦ୍ଧାଳୁଙ୍କୁ ମନ୍ଦିର ପ୍ରବେଶ ଅନୁମତି ମିଳିବ, ବାକି ତିନି ଦ୍ୱାର ବାଟେ ପ୍ରସ୍ଥାନ କରିବେ। ସେମିତି ସଠିକ୍ ସମୟରେ ଠାକୁରଙ୍କ ନୀତିକାନ୍ତି ସମ୍ପନ୍ନ ସାଙ୍ଗକୁ ମନ୍ଦିର ଭିତରେ ଶୃଙ୍ଖଳିତ ଦର୍ଶନ ଓ ଆନନ୍ଦ ବଜାର ଶୃଙ୍ଖଳାକୁ ବି ଦିଆଯାଇଛି ଗୁରୁତ୍ବ। କେବଳ ବାହାର କାଠ ପାଖରୁ ଚାଲିବ ଦର୍ଶନ, ତେବେ କାର୍ତ୍ତିକ ପୂର୍ଣ୍ଣମୀ ଦିନ ପ୍ରଥମ ଭୋଗ ମଣ୍ଡପ ସରିବା ପରେ ଭିତର କାଠ ଦର୍ଶନ ବ୍ୟବସ୍ଥା ହୋଇଥିବା ମୁଖ୍ୟ ପ୍ରଶାସକ କହିଛନ୍ତି। ଏଥିସହ ହବିଷ୍ୟାଳି, ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗଙ୍କ ଦର୍ଶନ ପାଇଁ ବି ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଛି। ପଞ୍ଚୁକ ପାଇଁ ୪୦ ପ୍ଳାଟୁନ୍ ଫୋର୍ସ ମୁତୟନ ରହିବେ। ପୁରୀ ପୌରସଂସ୍ଥା ପକ୍ଷରୁ ଅଧିକ ୪ଟି ସ୍ଥାନରେ ମାଗଣାରେ ଖୋଲାଯାଇଛି ଜୋତା ଓ ମୋବାଇଲ ଷ୍ଟାଣ୍ଡ...
ଏଥର ପଞ୍ଚୁକ ୪ଦିନ। ଦ୍ବାଦଶୀ ତିଥି କ୍ଷୟ ରହିଛି। ତେଣୁ ଆସନ୍ତାକାଲି ଶ୍ରୀଜୀଉଙ୍କ ଠିଆକିଆ ବେଶ, ଦ୍ବିତୀୟ ଅର୍ଥାତ୍ ତ୍ରୟୋଦଶୀରେ ତ୍ରିବିକ୍ରମ ବା ଆଡ଼କିଆ ବେଶ, ଚତୁର୍ଦ୍ଦଶୀରେ ଲକ୍ଷ୍ମୀ ନୃସିଂହ ବା ଡାଳିକିଆ ବେଶ ଏବଂ ଶେଷ ତଥା କାର୍ତ୍ତିକ ପୂର୍ଣ୍ଣମୀରେ ମନୋରମ ରାଜରାଜେଶ୍ବର ବା ସୁନାବେଶ ଅନୁଷ୍ଠିତ ହେବ। ପ୍ରତିବର୍ଷ ଦ୍ବାଦଶୀରେ ହେଉଥିବା ବାଙ୍କଚୂଡ଼ା ବେଶ ଏବର୍ଷ ହେବ ନାହିଁ। ପ୍ରତ୍ୟେହ ଅବକାଶ ନୀତି ସରିବା ପରେ ତିନି ଠାକୁରଙ୍କୁ ସୁନା କିଆ ଓ ନାନାଦି ବସ୍ତ୍ର-ଅଳଙ୍କାରରେ ବିଭୂଷିତ କରାଯିବ। ସ୍ବତନ୍ତ୍ର ବେଶରେ ଥିବାବେଳେ ହିଁ ଗୋପାଳ ବଲ୍ଲଭ ଓ ସକାଳ ଧୂପ ସହ ଭୋଗ ମଣ୍ଡପ ନୀତି ସଂପନ୍ନ ହେବ। ସେପଟେ ଆଶ୍ବିନ ପୂର୍ଣ୍ଣିମା ପରଦିନଠୁ ରାଇ ଦାମୋଦର ପୂଜା କରୁଥିବା ହବିଷ୍ୟାଳିମାନେ କାଲିଠୁ ବୃନ୍ଦାବତୀଙ୍କ ନିକଟରେ ବଗ-ବଗୁଲି ପୂଜା କରିବେ। ମଠ ଓ ମନ୍ଦିର ସହ ବିଭିନ୍ନ ହବିଷ୍ୟାଳି ଶିବିରରେ ରହୁଥିବା ବ୍ରତଧାରୀ ଯେପରି ମହାପ୍ରଭୁଙ୍କ ସାନିଧ୍ୟ ଲାଭ କରିପାରିବେ ସେଥିପାଇଁ ସୁ ବ୍ୟବସ୍ଥା ପାଇଁ କରିଛନ୍ତି ନିବେଦନ।...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/01/panchuka-2025-11-01-20-23-25.jpg)