/odishatv-khabar/media/post_attachments/uploadimage/library/16_9/16_9_0/amitabh_1625279057.jpg)
amitabh
ମୁମ୍ବାଇ: ସୋନି ଟିଭିରେ ପ୍ରସାରିତ ହେଉଥିବା ଲୋକପ୍ରିୟ ଶୋ’ ‘କୌନ ବନେଗା କରୋଡପତି’ର ୧୨ତମ ସଂସ୍କରଣ ଆରମ୍ଭ ହୋଇଯାଇଛି। ମହାନାୟକ ଅମିତାଭ ବଚ୍ଚନଙ୍କ ହୋଷ୍ଟିଂରେ ହେଉଥିବା ଏହି ଶୋ’ର କିଛି ଏପିସୋଡ୍ ପ୍ରସାରିତ ହୋଇସାରିଛି। ପ୍ରତିଥର ପରି ଏଥର ମଧ୍ୟ ଶୋ’ ମାଧ୍ୟମରେ ଅମିତାଭ ତାଙ୍କ ବ୍ୟକ୍ତିଗତ ଜୀବନ ସହ ଜଡିତ କିଛି କଥା ଶେଆର କରିଛନ୍ତି। ନିକଟରେ ବିଗ୍ ବି ୨ଟଙ୍କାର ଅଭାବ ପାଇଁ କେମିତି ତାଙ୍କ ସ୍କୁଲ୍ କ୍ରିକେଟ୍ ଟିମ୍ରେ ସାମିଲ୍ ହୋଇପାରିନଥିଲେ ତାର କାହାଣୀ ଶୁଣାଇଛନ୍ତି।
ଗତ ଏପିସୋଡ୍ରେ ହଟ୍ସିଟ୍ରେ ବସିଥିବା ପ୍ରତିଯୋଗୀ ଜୟ କୁରୁକ୍ଷେତ୍ର ନିଜ ପିଲାଦିନର ଏକ ଘଟଣା ସମ୍ପର୍କରେ କହିଥିଲେ। ସେ କହିଥିଲେ, ପିଲାଦିନେ ଥରେ ତାଙ୍କୁ ଜଳଖିଆ ଖାଇବା ପାଇଁ ୭ଟଙ୍କା ଆବଶ୍ୟକ ଥିଲା। କିନ୍ତୁ ତାଙ୍କ ମା’ଙ୍କ ପାଖରେ ମାତ୍ର ୫ଟଙ୍କା ଥିଲା। ଏହାପରେ ଅମିତାଭ ମଧ୍ୟ ତାଙ୍କ ପିଲାଦିନର କାହଣୀ କହିଥିଲେ। ସେ କହିଥିଲେ ତାଙ୍କ ଜୀବନରେ ମଧ୍ୟ ଦିନେ ୨ଟଙ୍କାର ବେଶ୍ ମହତ୍ୱ ଥିଲା। ପିଲାଦିନେ ସେ ତାଙ୍କ ସ୍କୁଲ୍ ଟିମ୍ରେ ସାମିଲ୍ ହେବାକୁ ଚାହୁଁଥିଲେ। ଯେଉଁଥିପାଇଁ ତାଙ୍କୁ ୨ଟଙ୍କା ଦରକାର ଥିଲା। ସେ ତାଙ୍କ ମାଆ ତେଜି ବଚ୍ଚନଙ୍କୁ ଟଙ୍କା ମାଗିଥିଲେ। କିନ୍ତୁ ସେତେବେଳେ ତାଙ୍କ ମାଆଙ୍କ ପାଖରେ ୨ଟଙ୍କା ବି ନଥିଲା। ଯେଉଁଥିପାଇଁ ସେ କ୍ରିକେଟ୍ ଟିମ୍ରେ ସାମିଲ୍ ହୋଇପାରିଲେନି।
ଏହାପରେ ବିଗ୍ ବି କହିଥିଲେ, ଏହି ଘଟଣା ତାଙ୍କୁ ଗୋଟେ ମହତ୍ୱପୂର୍ଣ୍ଣ କଥା ଶିଖାଇଲା। ସେବେଠୁ ସେ ଟଙ୍କା ଗୁରୁତ୍ୱକୁ ବୁଝିଛନ୍ତି। ଅମିତାଭ ଆହୁରି କହିଥିଲେ, ତାଙ୍କୁ ଫଟୋଗ୍ରାଫି ବହୁତ ପସନ୍ଦ ଥିଲା। ଯେଉଁଥିପାଇଁ ତାଙ୍କ ବାପା ହରିବଂଶ ରାୟ ବଚ୍ଚନ ପ୍ରଥମ ଋଷ ଟ୍ରିପ୍ରୁ ତାଙ୍କ ପାଇଁ ଗୋଟେ କ୍ୟାମେରା ଆଣିଥିଲେ। ସେତେବେଳେ ଅମିତାଭ ଅଭିନେତା ହୋଇସାରିଥିଲେ। ତଥାପି ସେ ତାଙ୍କ ବାପାଙ୍କର ଏହି ଉପହାରକୁ ଏବେବି ସାଇତି ରଖିଛନ୍ତି।
ସୂଚନାଯୋଗ୍ୟ, ସୋମବାର ଦିନ ‘କୌନ ବନେଗା କରୋଡପତି’ର ୧୨ତମ ସିଜନ୍ ଆରମ୍ଭ ହୋଇଯାଇଛି। ଅମିତାଭ ବଚ୍ଚନ ଏହି ଶୋ’ର ତୃତୀୟ ସିଜନ୍କୁ ଛାଡି ଆଉ ସମସ୍ତ ସିଜ୍ନ୍ର ହୋଷ୍ଟିଂ କରିଛନ୍ତି। ନିକଟରେ ବିଗ୍ ବି କରୋନା ଆକ୍ରାନ୍ତ ହୋଇଥିଲେ। ଯେଉଁଥି ପାଇଁ କୌନ୍ ବନେଗା କରୋଡପତିର ଶୁଟିଂରେ ଟିକେ ବିଳମ୍ବ ହୋଇଗଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)