/odishatv-khabar/media/media_files/2025/10/02/si-exam-scam-2025-10-02-19-37-47.jpg)
SI-EXAM SCAM Photograph: (OTV)
କୁହାଯାଉଛି ପରୀକ୍ଷା ଆୟୋଜନ କରୁଥିବା OPRBର ଏହାର ପରିଚାଳନା ଦାୟିତ୍ବ, ITI ଲିମିଟେଡକୁ ଦେବା ପରେ ITI ଏହାକୁ ସିଲିକନ୍ ଟେକ୍ ଲାବ୍ ନାମକ ଏକ ସଂସ୍ଥାକୁ ଦେଇଥିଲା। ଆଉ ସିଲିକନ୍ ସଂସ୍ଥା ବ୍ରହ୍ମପୁରର ଏକ ସଂସ୍ଥାକୁ ସବଲେଟରେ ଦେଇଥିଲା ପରୀକ୍ଷା ଦାୟିତ୍ବ।ସେପଟେ ଘଟଣାକୁ ନେଇ ରାଜନୀତି ଜୋର ଧରିଥିବା ବେଳେ ମାମଲାର ସିବିଆଇ ତଦନ୍ତ ଦାବି କରିଛି ବିରୋଧୀ ବିଜେଡି।...
ପୋଲିସ SI ପରୀକ୍ଷା ମହାଜାଲିଆତି ମାମଲାରେ ଫିଟୁଛି ଗୁମର। କେଉଁଠୁ ଆରମ୍ଭ ହୋଇ କେଉଁ ଆଡ଼କୁ ଯାଉଥିଲା କେଳେଙ୍କାରୀ, ଧିରେ ଧିରେ ଖୋଲୁଛି ରହସ୍ୟ। ଘଟଣାକୁ 3 ଦିନ ବିତିବା ଭିତରେ ଏ ଘୋଟାଲା ପଛର ମାଷ୍ଟର ମାଇଣ୍ଡ କିଏ, ତାକୁ ନେଇ ଘାଣ୍ଟୁଛି କ୍ରାଇମବ୍ରାଞ୍ଚ୍। ଆଉ ଏପଟେ OPRBର ଏ ପରୀକ୍ଷା ପରିଚାଳନା ନେଇ ସାମ୍ନାକୁ ଆସିଛି କିଛି ରୋଚକ ତଥ୍ୟ।
କୁହାଯାଉଛି SI ପରୀକ୍ଷା ପରିଚାଳନା କରୁଥିବା OPRB, ପ୍ରଥମେ କେନ୍ଦ୍ର ସରକାରଙ୍କ ଅନୁବନ୍ଧିତ ସଂସ୍ଥା ITI ଲିମିଟେଡକୁ ଦେଇଥିଲା ଟେଣ୍ଡର ଦାୟିତ୍ବ। ଆଉ ପରେ ITI ଲିମିଟେଡ ପରୀକ୍ଷା ଦାୟିତ୍ବ ଦେଇଥିଲା ସିଲିକନ୍ ଟେକ୍ ଲାବ୍ ନାମକ ଏକ ସଂସ୍ଥାକୁ। ପରେ ସିଲିକନ୍ ସଂସ୍ଥା ବ୍ରହ୍ମପୁରର ପଞ୍ଚସଫ୍ଟ ଟେକ୍ନୋଲୋଜି ପ୍ରାଇଭେଟ୍ ଲିମିଟେଡ ନାମକ ଆଉ ଏକ ସଂସ୍ଥାକୁ ପରୀକ୍ଷା ପରିଚାଳନାର ଦାୟିତ୍ବ ସବଲେଟରେ ଦେଇଥିଲା। ଯାହାର ମୁଖ୍ୟ ଶଙ୍କର ପୃଷ୍ଟି ବୋଲି କୁହାଯାଉଛି। ସେପଟେ ପଞ୍ଚସଫ୍ଟ ଟେକ୍ନୋଲୋଜିର କର୍ତ୍ତୃପକ୍ଷ କହିଛନ୍ତି, ଏ ସଂସ୍ଥା କେବଳ ଲଜିଷ୍ଟିକ୍ସ ସପୋର୍ଟ ଯୋଗାଇବା ଦାୟିତ୍ବରେ ହିଁ ଥିଲା।...
ପୋଲିସ ସବ୍ ଇନସ୍ପେକ୍ଟର ଭଳି ଏକ ଗୁରୁତ୍ବପୂର୍ଣ୍ଣ ପଦବୀ ପାଇଁ ପରୀକ୍ଷା ପୂର୍ବରୁ ଫିକ୍ସିଂ ଏବଂ ଆଶାୟୀ ଦଲାଲଙ୍କ ଜରିଆରେ 25 ଲକ୍ଷ ଟଙ୍କାର ଡିଲ୍ ଅଭିଯୋଗକୁ ନେଇ ତେଜିଛି ରାଜନୀତି। ବିରୋଧୀ ବିଜେଡି ଏ ଘଟଣାକୁ ମଧ୍ୟପ୍ରଦେଶର ବ୍ୟାପମ୍ ଦୁର୍ନୀତି ସହ ତୁଳନା କରିବା ସହ ୟା ପଛରେ ବଡ଼ ବଡ଼ିଆଙ୍କ ସଂପୃକ୍ତି ଥିବା ଅଭିଯୋଗ ଆଣିଛି।
ସେହିଭଳି ପରୀକ୍ଷା ଦାୟିତ୍ବରେ ଥିବା ITI ସଂସ୍ଥା ଏଯାଏ କାହିଁକି ଚୁପ୍ ବସିଛି ଏବଂ ଗିରଫ ଆଶାୟୀଙ୍କ ଭବିଷ୍ୟତ କଣ ହେବ ତାକୁ ନେଇ ଉଠାଇଛି ପ୍ରଶ୍ନ। ତେଣୁ କ୍ରାଇମବ୍ରାଞ୍ଚ ନୁହେଁ, ଘଟଣାର ସିବିଆଇ ତଦନ୍ତ ଦାବି କରିଛି ଦଳ। ସେପଟେ ବିଜେଡିର ଅଭିଯୋଗ ଓ ପ୍ରଶ୍ନର ଉତ୍ତର ରଖି ଆଇନ୍ ମନ୍ତ୍ରୀ କହିଛନ୍ତି, ଘଟଣାର ତଦନ୍ତ ସରିଲେ ହିଁ ଜଣାପଡିବ ପ୍ରକୃତ ଦୋଷୀ କିଏ। ଏଥିରେ ଯାହାର ବି ସଂପୃକ୍ତି ଥିବ ଏବଂ ସେ ଯେତେ ବଡ଼ ଲୋକ ହୋଇଥିଲେ ବି ଦଣ୍ଡ ସୁନିଶ୍ଚିତ ବୋଲି ନିଶ୍ଚିତ କରିଛନ୍ତି ଆଇନ୍ ମନ୍ତ୍ରୀ।
ପୋଲିସ SI ପରୀକ୍ଷା ଚଞ୍ଚକତାରେ ଏଯାଏଁ ୩ ଦଲାଲ ଓ ୧୧୪ ଆଶାୟୀଙ୍କୁ ଗିରଫ କରିଛି ବ୍ରହ୍ମପୁର ପୋଲିସ। ଏପଟେ ଘଟଣାର ତଦନ୍ତ ଦାୟିତ୍ବ ନେଇଥିବା କ୍ରାଇମବ୍ରାଞ୍ଚ୍ ମାମଲାରେ ଆହୁରି ୧୦ରୁ ୧୨ ଜଣ ଦଲାଲଙ୍କ ସମ୍ପୃକ୍ତି ନେଇ ତଦନ୍ତ ଜୋରାଦର କରିଛି। ଅନ୍ୟ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଧରିବାକୁ ବିଭିନ୍ନ ସ୍ଥାନରେ ଚଢାଉ କରୁଛି କ୍ରାଇମବ୍ରାଞ୍ଚ ଟିମ୍।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)